Unknown

 

 

 

 

 

 

 

 

 

 

 

ପ୍ରବାହ

ଶ୍ରୀ ଦୟାଲାଲ ଯୋଷୀ

 

(ଏକ)

 

ଦୂର ଦିଗ୍‌ବଳୟରେ ସୂର୍ଯ୍ୟାସ୍ତର ରକ୍ତିମ ଆଭା ଆଡ଼କୁ ସ୍ଥିରଦୃଷ୍ଟି ରଖି ଦୀନକୃଷ୍ଣ ବାବୁ ବସିଛନ୍ତି ।

 

ଉଦ୍ୟାନରେ ନାନା ଜାତିର ଫୁଲ ଫଳ ଗଛ । ମଝିରେ ଗୋଟିଏ ସିମେଣ୍ଟ ଚଉତରା । ତା’ ଉପରେ ପଡ଼ିଛି କେତେଖଣ୍ଡ ମେଜ୍‌ ଚେୟାର୍‌ । ଦୀନକୃଷ୍ଣ ବାବୁ ସେଇଠି ବସି ନାନା ଚିନ୍ତା କରୁଅଛନ୍ତି, ଜୀବନର ଭୂତ ଭବିଷ୍ୟତ ଓ ବର୍ତ୍ତମାନ ବିଷୟରେ । ପିତୃ ବିୟୋଗର ଚତୁର୍ଦ୍ଦଶ ଦିବସରେ ଆଜି ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିବାପାଇଁ ସମୟ ପାଇଛନ୍ତି ।

 

କୁଣିଆଁ ସବୁ ଯେ ଯା’ ଘରକୁ ଚାଲିଗଲେଣି, ଘର ପ୍ରାୟ ଖାଲି । କେବଳ ପିତା ତାଙ୍କ ଅପା ଓ ଭିଣୋଇ ଅଛନ୍ତି । ସେମାନେ ଆଉ କିଛିଦିନ ରହିବେ ।

 

ଘରେ କୃଷ୍ଣା ଓ ଅପା, ଅନ୍ତ୍ୟେଷ୍ଟିକ୍ରିୟା ଓ ବିଭିନ୍ନ କୁଣିଆଁମାନଙ୍କ ବ୍ୟବହାର ଆଦି ବିଷୟରେ ଚର୍ଚ୍ଚା ଚଳେଇଛନ୍ତି । ଭିଣୋଇ କୁଆଡ଼େ ବୁଲି ଯାଇଛନ୍ତି ।

 

ଅତୀତ ସ୍ମୃତି, ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ କର୍ମପନ୍ଥା ବିଷୟରେ ଦୀନବାବୁ ନିଜ ମନେମନେ ଭାବି ଚାଲିଛନ୍ତି । ଦୀର୍ଘ ତିରିଶବର୍ଷ ଜୀବନରେ ତ କେବେ ଏତେ ଦୁର୍ବଳ ଓ ନିଃସହାୟ ବୋଧ କରିନାହାନ୍ତି । ତେବେ ଆଜି କାହିଁକି ଏତେ ଅସହାୟ ବୋଧ କରୁଅଛନ୍ତି । ବୋଧହୁଏ ପିତୃବିୟୋଗ ଦୁଃଖରେ ସେ ମ୍ରିୟମାଣ ହୋଇପଡ଼ିଛନ୍ତି । କଣ କରିବେ, କଣ ନ କରିବେ କିଛି ଠିକ୍‌ କରିପାରୁନାହାନ୍ତି । କେବଳ ବସି ଅନାଇଁଥାନ୍ତି–ଦୂର ଦିଗ୍‌ବଳୟକୁ, ସତେ ଯେପରି ସେଇଠି ଖୋଜି ପାଇବେ, ଧୈର୍ଯ୍ୟ, ସାହସ ଓ ଭବିଷ୍ୟତ କର୍ମପନ୍ଥାର ନିର୍ଦ୍ଦେଶ ।

 

ଅବଶ୍ୟ ମାଆଙ୍କ ମୃତ୍ୟୁ ପରେପରେ, ବାପା ତାଙ୍କ ବ୍ୟବସାୟରୁ ପ୍ରାୟ ଅବ୍ୟାହତି ନେଇଥିଲେ । ଶରୀରର ଅସୁସ୍ଥତା ଯୋଗୁ କିଛି କରିପାରୁନଥିଲେ । ସମସ୍ତ କାର୍ଯ୍ୟଭାର ଦୀନକୃଷ୍ଣ ବାବୁଙ୍କୁ ତୁଲାଇବାକୁ ପଡ଼ୁଥିଲା । ତଥାପି, ଆଜି କାହିଁକି ଏପରି କିଂକର୍ତ୍ତବ୍ୟବିମୂଢ଼ ହୋଇ ବସିଛନ୍ତି, ତା ସେ ନିଜେ ବୁଝିପାରୁନାହାନ୍ତି । ସତେ ଯେପରି ତାଙ୍କର ସମସ୍ତ କର୍ମଶକ୍ତି ଚାଲିଯାଇଛି । ମାଆ ମଲା ପରେ ସେ ଏତେ ନିଃସହାୟବୋଧ କରିନଥିଲେ; କାରଣ ବାପା ସେ ସ୍ଥାନକୁ ପୂରଣ କରିଥିଲେ ।

 

ଦୀନକୃଷ୍ଣ ବାବୁ ଖାଇଲେ କି ନାହିଁ, କାମରୁ ଫେରିଲେ କି ନାହିଁ, କଣ ହେଲା ନ ହେଲା, ଘର ନାତି ନାତୁଣୀ କିପରି ଅଛନ୍ତି, ସେମାନେ ଖାଇପିଇ ପଢ଼ିବାକୁ ଯାଉଛନ୍ତି କି କଣ ? ଇତ୍ୟାଦି–ଯାବତୀୟ ଖବର ସେ ରଖୁଥିଲେ । ସୁବିଧା ଅସୁବିଧାରେ ଦୀନକୃଷ୍ଣବାବୁ ବାପାଙ୍କ ନିକଟକୁ ଯାଇ ତାଙ୍କ ସମସ୍ୟା ଉପସ୍ଥାପିତ କରିଦେଲେ ତାହା ଆପେ ଆପେ ସମାଧାନ ହୋଇଯାଉଥିଲା; କିନ୍ତୁ ଆଜି ଆଉ କାହିଁ ? କାହାକୁ ଯାଇ ତାଙ୍କ ମନକଥା ଖୋଲିକହିବେ ?

 

ଅନେକ ଲୋକ ଆସିଥିଲେ । ଅନେକ ସାନ୍ତ୍ୱନାବାଣୀ ଶୁଣାଇଦେଇ ଗଲେ । ଅନେକ ମୃତ ଆତ୍ମାଙ୍କ ପ୍ରଶଂସା କରିଗଲେ । ଅନେକ ଦୀନକୃଷ୍ଣ ବାବୁଙ୍କ ପିତୃସେବା ପାଇଁ ସାର୍ଟିଫିକେଟ ଦେଇଗଲେ, ଯୋଗ୍ୟ ପିତାଙ୍କ ଯୋଗ୍ୟ ପୁତ୍ର ବୋଲି ମନ୍ତବ୍ୟ କଲେ; କିନ୍ତୁ କାହିଁ, କାହାରି ହୃଦୟରେ ତ ସେ ଏତେ ଟିକେ ଆନ୍ତରିକତା ଦେଖିବାକୁ ପାଇଲେ ନାହିଁ । କ’ଣ ତାହେଲେ, ସବୁକିଛି ଲୋକଦେଖାଣିଆ–ଲୋକାଚାର । କ’ଣ ପ୍ରକୃତରେ ସେମାନେ ସାନ୍ତ୍ୱନା ଦେବାକୁ ଆସିଥିଲେ, ନା’ ପ୍ରତ୍ୟେକ ଦେଖେଇବାକୁ ଆସିଥିଲେ ଯେ ସେ ହିଁ ହେଉଛି ଏକମାତ୍ର ତାର ନିଜର ଲୋକ ।

 

କିଏ କହୁଥିଲା, ‘ବୁଢ଼ା ବିଚାରା ଜୀବନସାରା ପରିଶ୍ରମ କରି ଲକ୍ଷ ଲକ୍ଷ ଟଙ୍କା ତୁମପାଇଁ ରଖିଗଲେ ।’ କିଏ କହୁଥିଲେ—‘ତୁମେ ବାବୁ ଭାଗ୍ୟବାନ ଯେ ଏପରି ଜଣେ କର୍ମନିଷ୍ଠ ପିତା ପାଇଥିଲ ।’ ଆଉ କିଏ ବା କହୁଥିଲେ ‘ବାବୁ, ସବୁକଥା ବୁଝି ବିଚାରି କରୁଥିବ, ବାପାଙ୍କ ମାନ ସମ୍ମାନ ଇଜ୍ଜତରେ ଯେପରି କୌଣସି ବାଧା ନ ଆସେ ।’

 

କିଏ, ତାଙ୍କର ପିତାଙ୍କ ସହିତ କିପରି ଘନିଷ୍ଠତା ଥିଲା, ନିଜର କେତେ ସମ୍ପର୍କ ଥିଲା, ସେ ବିଷୟ ବଖାଣି ଚାଲିଗଲେ । ଅନ୍ୟ କିଏ, ବୃଦ୍ଧ ତାଙ୍କୁ କିପରି ପୁତ୍ରବତ୍‌ ସ୍ନେହ କରୁଥିଲେ ଓ ଯେତେବେଳେ ଯାହା ସୁବିଧା ଅସୁବିଧା, ସବୁଥିରେ ସାହାଯ୍ୟ କରୁଥିଲେ, ସେ ବିଷୟରେ ବିବରଣୀ ପ୍ରଦାନ କରୁଥିଲେ ।

 

ଏସବୁ ସମୟ ସମୟରେ ବିରକ୍ତିକର ବୋଧହେଲେ ମଧ୍ୟ ଦୀନକୃଷ୍ଣ ବାବୁଙ୍କୁ ଧୈର୍ଯ୍ୟର ସହିତ ଶୁଣିବାକୁ ହେଉଥିଲା । ଉପାୟ ନାହିଁ । ଅବଶ୍ୟ, ସମୟ ବିଶେଷରେ ପିତୃ ବିୟୋଗର ଦୁଃଖ ଭୁଲାଇବାକୁ ସାହାଯ୍ୟ ମଧ୍ୟ କରୁଥିଲା ।

 

ଜ୍ଞାତି, କୁଟୁମ୍ୱ କୁଣିଆଁଙ୍କ କଥା ନିଆରା । ଯେମିତି ଖବର ପାଇଲେ ସମସ୍ତେ ଆସିଲେ । ଦଶାହ କାର୍ଯ୍ୟରେ କେଉଁଠି କ’ଣ ହେଉଛି, କେମିତି ହେଉଛି, ଲୋକଙ୍କୁ ଜାଣି ତା’ର କ୍ରିୟା କାଣ୍ଡ ଠିକ୍‌ ହେଉଛି କି ନାହିଁ, ଏଇସବୁ ତଦାରଖରେ ସମସ୍ତେ ବ୍ୟସ୍ତ । ସମୟରେ ନିଜ ଭିତରେୁ ଝଗଡ଼ା ମଧ୍ୟ ଚାଲିଥାଏ । କିଏ କହୁଛି ‘‘କ’ଣ ଲକ୍ଷଲକ୍ଷ ଟଙ୍କାର ମାଲିକ, ଏଡ଼େ ନାମଜାଦା ଲୋକଙ୍କ ପଛରେ ତୁମେ ଏପରି କ’ଣ କହୁଛ ? ଲୋକେ କଣ କହିବେ ? ନା, ଏମିତି ନ ହୋଇ ଏମିତି ହେବାକଥା’’ ତ’ ଆଉ କିଏ କହୁଛି ‘‘ନାଇଁ ହୋ, ଏ କି କଥା, ଏମିତି କଣ ହୁଏ ?’’

 

ସତେ ଯେପରି ଯାତ୍ରା ସୁଆଙ୍ଗର ମେନେଜରମାନେ ନିଜ ନିଜ ଭିତରେ ଦଳାଦଳି ଓ ନିଜର ପ୍ରାଧାନ୍ୟ ସାବ୍ୟସ୍ତ କରିବାରେ ବ୍ୟସ୍ତ । ପୁଣି ମଝିରେ ମଝିରେ ଆସି ଦୀନକୃଷ୍ଣ ବାବୁଙ୍କୁ ସଦୁପଦେଶ ଦେବାକୁ ପଛଉ ନ ଥିଲେ ।

 

‘‘ଦେଖ ବାବୁ, ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇଛ, ମନରେ ଗର୍ବ ଆଣିବ ନାହିଁ । ସବୁକଥା ବୁଝି ବିଚାରି କରୁଥିବ । ଆମଭଳି ଗରିବ କୁଟୁମ୍ୱୀ ଜନଙ୍କ ପ୍ରତି ସୁଦୃଷ୍ଟି ରଖିଥିବ । ବାପା, କେତେ ମାନୁଥିଲେ, ଲୋକଙ୍କୁ ସେହିପରି ବ୍ୟବହାର କରିବ ।’’ ଇତ୍ୟାଦି ।

 

ସେ ଯାହାହେଉ, ଆଜି ଏସବୁ ଅଯାଚିତ ସଦୁପଦେଶରୁ ଦୀନକୃଷ୍ଣବାବୁ ରକ୍ଷା ପାଇଛନ୍ତି-। ପ୍ରାୟ ସମସ୍ତେ ଚାଲିଗଲେଣି–ଯେ ଯା ଘରକୁ । ବାପା ମଲା ଦିନଠୁ ଆଜି ଦୀନକୃଷ୍ଣ ବାବୁ ସମୟ ପାଇଛନ୍ତି ନିଜକଥା ସଜାଡ଼ିବାକୁ । ମେଳା ସରିଯାଇଛି, ବର୍ତ୍ତମାନ ଶାନ୍ତିରେ ବସି କଣ କରିବେ ନ କରିବେ ସେଇଆ ଭାବୁଛନ୍ତି ।

 

ସମସ୍ତେ କହୁଛନ୍ତି, ‘‘ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେଲ’’ କିନ୍ତୁ କାହିଁ ସେ ଲକ୍ଷ ଟଙ୍କା ? କାହିଁ କେଉଁଠି ହେଲେ ତ ନାହିଁ । ମା’ ମଲାପରେ ବାପା, ଟ୍ରେଜେରି ଚାବି ଆଦି ସବୁ ତ ତାଙ୍କୁ ବୁଝାଇ ଦେଇଥିଲେ । କେବେ କାହିଁ ତ ଲକ୍ଷଲକ୍ଷ ଟଙ୍କା ଦେଖିନାହାନ୍ତି । ବାପା ବଡ଼ଲୋକ ଥିଲେ, ହଁ ଥିଲେ; କିନ୍ତୁ ଟଙ୍କାରେ ବଡ଼ଲୋକ ନୁହେଁ । ମାନ, ସମ୍ମାନ, ସମାଜରେ ତାଙ୍କର ପ୍ରତିଷ୍ଠା । ତାଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଯୋଗୁ, ସେ ସମାଜରେ ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲେ ସିନା, ଟଙ୍କା କେଉଁଠି ଥିଲା ? ତେବେ କ’ଣ ସମସ୍ତେ ତାଙ୍କୁ ଲକ୍ଷପତି ଭାବି ଏତେ ସମ୍ମାନ ଦେଖାଉଥିଲେ-? ତା’ହେଲେ କଣ ଗୋଟାଏ ମିଥ୍ୟା ଆବରଣ ଯୋଗୁ ସେ ସମ୍ମାନର ଅଧିକାରୀ ହୋଇଥିଲେ-? ହୋଇପାରେ, ତହିଁରେ ମୋର ଯାଏ ଆସେ କେତେ, ସେ ବଡ଼ଲୋକ ଥିଲେ ତହିଁରୁ ମୁଁ କଣ ପାଇବି ? ମୁଁ ତ ବଡ଼ଲୋକ ନୁହେଁ, ମୁଁ ତ ଲକ୍ଷପତି ନୁହେଁ, ମୋତେ ଲକ୍ଷ ଲକ୍ଷ ଟଙ୍କା କେଉଁଠୁ ହେଲେ ମିଳିନାହିଁ ।

 

ତାହେଲେ କଣ ସମସ୍ତଙ୍କୁ କହିଦେବି ଯେ ‘‘ବାବୁ ମୁଁ ଟଙ୍କା କିଛି ପାଇନାହିଁ, ପାଇଛି କେବଳ ଏଇ ଘର ଓ ଯେଉଁ ବ୍ୟବସାୟ ମୁଁ ଚଳାଇ ଆସିଛି–ଆସୁଛି, ସେଇଆ । ଟଙ୍କା କିଛି ପାଇନାହିଁ, ହଁ ଆଉ ପାଇଛି ଆଭିଜାତ୍ୟର ବୋଝ ।’’ କେହି କା’ର ବିଶ୍ୱାସ କରିବେ ? ମତେ ମିଛୁଆ କହିବେ, ଠିକ୍‌ କହିବେ । ହେଉ ଯା’ କହୁଛନ୍ତି–କହୁଥାନ୍ତୁ । ତହିଁରେ ମୋର କିଛି କହିବାର ନାହିଁ । ବର୍ତ୍ତମାନ ଲଏ ଅନ୍ତ୍ୟେଷ୍ଟିକ୍ରିୟାରେ ଯେଉଁସବୁ ଖର୍ଚ୍ଚ ହୋଇଛି, ତାକୁ କିପରି ପୂରଣ କରିବି, ସେଇକଥା ମୁଖ୍ୟ ।

 

ଆସନ୍ତା କାଲିଠୁ ଦୋକାନଦାର୍‌ମାନେ ଆସିବେ ତାଙ୍କ ପଇସା ଆଦାୟ ପାଇଁ । ଗତ ଚଉଦଦିନ ହେଲା ଦୋକାନ ପ୍ରାୟ ବନ୍ଦ ହୋଇଯାଇଛି । ବିକ୍ରୀଲବ୍‌ଧ ପଇସା କିଛି ଆସିନାହିଁ । ଉଧାରି କିଛି ଅସୁଲ ହୋଇନାହିଁ । ସେସବୁ ନ ହେଲେ ବଜାର ଦେଣା କିପରି ଦେବେ, ପୁଣି ଅନ୍ୟାନ୍ୟ ଖର୍ଚ୍ଚ ତ ଅଛି । ଆସନ୍ତା କାଲିଠୁ ରାସକୁ କହି ଦୋକାନ ଖୋଲା ଖୋଲି କରି ପୁଣି ପୂରା ଦମରେ କାମ ଆରମ୍ଭ ନ କଲେ, ହୁଏତ ଅତି ଅସୁବିଧାରେ ପଡ଼ିବାକୁ ହେବ । ଏଣେ ଅପା ଆସିଛି, ତାକୁ ପୁଣି ବିଦାୟ କରିବାକୁ ହେବ, ସେ ପୁଣି ଗୋଟାଏ ଖର୍ଚ୍ଚ, କ’ଣ କରିବେ ? ହଉ, ସକାଳୁ ରାମକୁ ଡାକି ଟିକିଏ ତାଗିଦ୍‌ କରିଦେବେ ।

 

କ୍ରମେ ଗୋଧୂଳି ବେଳା ଯାଇ, ରାତିର ଅନ୍ଧକାର ତା’ର ଛାୟା ବିସ୍ତାର କରିବାରେ ଲାଗିଛି । ଚାରିଆଡ଼େ ଇଲେକ୍‌ଟ୍ରିକ୍‌ ଲାଇଟ୍‌ ଲାଗିଲାଣି । କୃଷ୍ଣା ସଞ୍ଜଦୀପ ଦେଇ କହିଲେ—

 

‘‘କ’ଣ ଏକା ଏକା ବସି ଗୁଡ଼ାଏ ଭାବୁଛ ?’’

 

‘‘ନା, କିଛି ନୁହେଁ, ଅନେକଦିନର କ୍ଳାନ୍ତିପରେ ଥକ୍‌କା ମାରି ବସିଛି, ଆଉ ଭାବିବି କ’ଣ-?’’

 

ରେବତୀ ଅପା ବାହାରିପଡ଼ି କହିଲେ, ‘‘କଣ କିରେ ଦୀନୁ, ଏମିତି ବସି ବସି ଭାବିଲେ ଆଉ ଚଳିବ ! ସାହସ ବାନ୍ଧି ସଂସାର ଚଳାଇବାକୁ ହେବ, ପିଲାଛୁଆଙ୍କୁ ଦେଖିବାକୁ ହେବ । ବାପାଙ୍କ କେଡ଼େ ଉଚ୍ଚପାହିଆ, ତାକୁ ବଜାୟ ରଖିବାକୁ ହେବ’’ କହି ନାକ ଓ ଆଖି ପୋଛି ପକାଇଲେ ପୁଣି ଆଖି ପୋଛି ପଚାରିଲେ ‘‘ହଇରେ ତୋ ଭିଣୋଇଁ କୁଆଡ଼େ ଗଲେ, ଏଡ଼ୁଟିଏ ହେଲେଣି, ତାଙ୍କର ବୁଦ୍ଧି ହୋଇନାହିଁ । ଏମିତି ସମୟରେ କ’ଣ ପିଲାକୁ ଏକା ଛାଡ଼ିଯିବା କଥା । ପାଖରେ ବସି ସାହସ ନ ଦେଲେ, ତାର ଆଉ ନିଜର ବୋଲି କିଏ ଅଛି ? ଆହା ବିଚାରା ।’’ ଯଦିଓ ତା ସ୍ୱଗତୋକ୍ତି, ତଥାପି ଦୀନକୃଷ୍ଣ ବାବୁଙ୍କୁ ଶୁଣାଇ ଶୁଣାଇ ଆସି ପାଖ ଚେୟାରରେ ବସିପଡ଼ିଲେ ।

 

ପୁଣି କହିଲେ, ‘‘ଦେଖିଲୁ ବାବୁ ଦୀନ, ଦୁନିଆଁ କେତେ ସ୍ୱାର୍ଥପର । ଏଇ ଯେତେ କୁଣିଆଁ ଆସିଥିଲେ, କାହାରିହେଲେ ଟିକିଏ ଦୁଃଖ ଥା’ନ୍ତା ? ଆନ୍ତରିକତା ତ ଦୂରର କଥା, କେବଳ ଦଶ ବାର ଦିନ ମଉଜ ମଜଲିସ୍‌ କରି ଗୁଡ଼ାଏ ଅନ୍ନ ଧ୍ୱଂସ କରିବାକୁ ଆସିଥିଲେ ସିନା, ସମସ୍ତେ କେବଳ ମତଲବ୍‌ରେ ଆସିଥିଲେ, କେମିତି ଲୁଟି ଖାଇବା, କେମିତି ଠକିବା, ଏଇଆ ସେମାନଙ୍କ ଭିତିରି ଉଦ୍ଦେଶ୍ୟ, ମୁହଁରେ ଖାଲି ବଡ଼ ବଡ଼ କଥା, ଛାଡ଼୍‌ ଛାଡ଼ ।’’

 

‘‘ସେଥିରୁ କ’ଣ ପାଇବା ଅପା, ଲୋକାଚାର ଅନୁସାରେ ସେମାନେ ଆସିଥିଲେ । ତାଙ୍କର କାହିଁକି ଆମ ଭଳି ଦୁଃଖ ହେବ ? ଆମେ ସିନା ତାଙ୍କ ରକ୍ତରେ ଗଢ଼ା । ତାଙ୍କର ଛତ୍ରଛାୟା ତଳେ ଜୀବନର ଏତେକାଳ ଅତିବାହିତ କରିଛୁ । ତାଙ୍କରି ସ୍ନେହରେ ବଡ଼ ହୋଇଛୁ ବୋଲି ସିନା ଆମକୁ ଦୁଃଖ ହେଉଛି, ସେମାନେ କାହିଁକି ଏତେ ଦୁଃଖ କରିବେ ?

 

‘‘ହଁରେ ସବୁ ସତକଥା । ଆଜିକାଲି ଯୁଗରେ କିଏ କାହାର ?’’ କହି ପୁଣି ଶାଢ଼ି ପଣତରେ ଆଖି ପୋଛିଲେ ।

 

‘‘ଲୋକ ଭଳି ଲୋକ, ପାଞ୍ଚ ଜଣରେ ଜଣେ, କେତେଲୋକଙ୍କ ଉପକାର କରିଛନ୍ତି, ତଥାପି ଦେଖି ସତେ ଯେମିତି ଯାତ୍ରା ଦେଖିବାକୁ ଆସିଥିଲେ, ଯାତ୍ରା ସରିଗଲା ସେମାନେ ଚାଲିଗଲେ । ତୋ ଦୁଃଖ ସୁଖ ବୁଝିବାକୁ କାହାର ତର ଅଛି । ସେଇଥିପାଇଁ ତ ମୁଁ ଓ ତୋ’ ଭିଣୋଇଁ ଭାବିଲୁ, ‘ଆମ କାମ ପଛେ ଖରାପ ହେଉ, କିଛି ଦିନ ରହିଯିବୁ, ନିଶ୍ଚିନ୍ତ ହୋଇ ଭାଇ ଭଉଣୀ କିଛି କଥାବାର୍ତ୍ତା ହେବ, ନିଜ ନିଜ ଦୁଃଖ ସୁଖ ବୁଝିବା, ଆଉ ତ ବାପା ନାହାନ୍ତି ଯେ’ ଆମ ସବୁ କଥା ବୁଝିବେ ।’’

 

ଦୀନକୃଷ୍ଣବାବୁ, ଚୁପ୍‌ହୋଇ ବସିଥାନ୍ତି । ମନେମନେ ଭାବୁଥାନ୍ତି ‘ସତେ ତ, ରକ୍ତର ସମ୍ପର୍କ ନଥିଲେ କେହି କାହାରିପାଇଁ ଭାବେନାହିଁ । ଏକମାତ୍ର ଅପା, ବିଚାରୀ ବାରଦିନ ହେଲାଣି ଆସି ରହିଲାଣି । ସେଇଠି ତା’ କାମ ସବୁ, ଚାକର ବାକରମାନଙ୍କ ଭରସାରେ ଛାଡ଼ିଆସିଛି । ପୁଣି ଧାନ ଅମଳର ସମୟ ହେଲାଣି । କହିଲେ, ‘‘ଅପା, ଧାନ ଅମଳର ସମୟ ହେଲାଣି ନା, ସେଇଠି ସେ ଗୁଡ଼ାକ କ’ଣ କରୁଥିବେ !’’

 

‘‘ହଁରେ ଦୀନା, କଣ କରିବି କୁହ, ଏବର୍ଷ ବର୍ଷା ଅଭାବରୁ ଧାନ ଭଲ ହୋଇ ନାହିଁ, ପୁଣି ଅସଲ ଅମଳ ବେଳକୁ ଆମେ ଦୁଇ ପ୍ରାଣୀ ଆସି ଏଇଠି । ଚାକର ବାକରଙ୍କ କଥା ତ ଆଜିକାଲି ଜାଣୁଛୁ । ହେଉ ଯାହା ହେବ ଭଗବାନ ବୁଝିବେ । ବର୍ଷକର ଖର୍ଚ୍ଚ ମିଳିଗଲେ ହେଲା; ଆଉ ଆମର କଣ କରିବାର ଅଛି ଯେ ଏତେ ଲୋଭ କରିବୁ ?

 

‘‘ହଁ ସତ କହୁଛୁ ଅପା, ତୁମ ଦୁଇଜଣଙ୍କ କେତେ ବା ଖର୍ଚ୍ଚ ଯେ ଏତ ହନ୍ତସନ୍ତ ହେଉଛ, ଏତେଦୂର ରହୁଛ । ତୋ’ ଜମିସବୁ ଲଗେଇ ଦେଇ ଏଇଠିକି ଚାଲିଆସିଲେ କଣ ହୁଅନ୍ତା ନାହିଁ ? ଏକା ସାଥିରେ ରହନ୍ତେ । ଦେଖୁଛୁ ମୁଁ ମଧ୍ୟ ଏକା, ପିଲାଛୁଆ ଗୁଡ଼ାକ ସାନ ସାନ, ଏଡ଼େଟିଏ ଘରେ କେହି ଖବର ବୁଝିବାକୁ ନାହିଁ, ମୁଁ ତ ସବୁବେଳେ ବାହାରକୁ ଧାଇଁବି, ଘର କଥା ବୁଝିବ କିଏ ? ତୁ ଏଇଠି ରହିଲେ ସାଙ୍ଗହୋଇ ରହନ୍ତେ । ଭିଣୋଇଁ ବ୍ୟବସାୟରେ ମୋତେ ସାହାଯ୍ୟ କରନ୍ତେ, ତୁ ଓ କୃଷ୍ଣା ଘରେ ରହି ଚଳନ୍ତ ।’’

 

‘‘ନାହିଁରେ ବାବୁ, ସେମିତି କଣ ହୋଇପାରିବ । କେତେ ଜଞ୍ଜାଳ ମୋର, ମୁଁ କଣ ସେ ଜଞ୍ଜାଳ ଛାଡ଼ିଆସି ଏଇଠି ରହିପାରିବି ? ପୁଣି ତୋ ଭିଣୋଇଁ କହୁଛନ୍ତି କଣ ନା’ ହଲର୍‌ ବସାଇବା-।’’

 

‘‘କାହିଁକି ପୁଣି ଜଞ୍ଜାଳ ବଢ଼େଇବାକୁ ଯାଉଛ ? ଯାହା ଅଛି, ତାହା କେଉଁ କମ୍‌ ଯେ ପୁଣି ଆଉ ବଢ଼େଇବାକୁ ତତ୍ପର ହେଉଛ ।’’

 

‘‘ହଁ ସତ ଯେ, କଣ କରିବୁ, ଆଜି କାଲି ଚାଷବାସରେ ଆଉ ପୋଷାଉନାହିଁ । ଆଜିକାଲିର ମୂଲିଆ ମଜୁରିଆମାନଙ୍କ ଦାଉ ସମ୍ଭାଳିବା ହୋଇ ପଡ଼ିଲାଣି । ତେଣୁ କିଛି ଗୋଟାଏ ଧନ୍ଦା ନ କଲେ ନ ଚଳେ; କିନ୍ତୁ କଣ କରିବୁ, ଟଙ୍କା ହେଉନାହିଁ ବୋଲି ସିନା ଆଜି ପର୍ଯ୍ୟନ୍ତ କରିପାରୁନାହୁଁ, ନହେଲେ ଗଲା ବର୍ଷଠୁ କରନ୍ତୁ ନାହିଁ କ’ଣ ?’’

 

‘‘ଟଙ୍କା ପଇସା ହେଉନାହିଁ, କଣ କରୁଛ ଏତେଗୁଡ଼ାଏ ଟଙ୍କା ? ପୁଣି ଗଲାବର୍ଷ ପରା ଦେଇଥିଲି ଅଢ଼େଇହଜାର ଟଙ୍କା, ସେ ସବୁ କଣ ହେଲା ?’’

 

‘‘କ’ଣ ହେବରେ ବାବୁ, ଆଜିକାଲି ମହଙ୍ଗା ଯୁଗରେ ଆଉ ପଇସା ରହୁଛି ?’’

 

‘‘ବଡ଼ ଆଶ୍ଚର୍ଯ୍ୟ କଥା କହୁଛୁ ? ଦୁଇଟା ପ୍ରାଣୀ, ପୁଣି ଏତେ ଜମି ବାଡ଼ି ଏତେ ଆୟ, ତଥାପି କହୁଛି ପଇସା ଅଣ୍ଟୁନାଇଁ । ଆଚ୍ଛା, ଗଲାବର୍ଷ ମୁଁ ଯେଉଁ ଟଙ୍କା ଦେଲି କ’ଣ କଲ ?’’

 

ଟିକିଏ ତୁନି ରହି ରେବତୀ କହିଲେ, ‘‘ଆମ ଜମି ପାଖରେ ଗୋଟିଏ ଭଲ ଜମି ଥିଲା ଯେ, ତା’କୁ ପରା ବନ୍ଧକ ରଖିଛୁ, ଭାରି ଭଲ ଜମି ।’’

 

‘‘ହଉ ହେଲା, ତୁମ ଜମି ସେତକ ଅଛି, ତହିଁରେ ତ କେତେ କଣ; ପୁଣି ବଢ଼ାଉଛ କାହିଁକି ?’’

 

‘‘ଆରେ ବାବୁ, ମାଟି ମାୟା ତୁ କ’ଣ ବୁଝିବୁ ?’’

 

ଦୀନକୃଷ୍ଣ ବାବୁ, ଚୁପ୍‌ହୋଇ ରହିଲେ । ଆଉ କିଛି କହିବାକୁ ତାଙ୍କର ଇଚ୍ଛା ହେଲନାହିଁ । ରାତ୍ରି ପ୍ରାୟ ଆଠଟା ହେଲାଣି, ରମେଶ ବାବୁ ଫେରିନାହାନ୍ତି । କୃଷ୍ଣା ରନ୍ଧାବଢ଼ା କାମରେ ବ୍ୟସ୍ତ; ପିଲାଙ୍କୁ ଖୁଆଇ ପିଆଇ, ଶୁଆଇ ଦେଲେ ତାଙ୍କର ତ୍ରାହି ।

 

ରେବତୀ ଅପା ପୁଣି କହିଲେ, ‘‘ମୁଁ କ’ଣ କହୁଥିଲି କି ! ଦୀନା, ମୋ ଅଳଙ୍କାର ଅଛି, ତାକୁ ତୁ ରଖି ମତେ ପାଞ୍ଚ ହଜାର ଟଙ୍କା ଋଣ ଦେ । ମୁଁ ସବୁ ଶୁଝିଦେବି ।’’

 

ଦୀନକୃଷ୍ଣ ବାବୁ ଚମକି ପଡ଼ିଲେ, ସତେ ଯେମିତି ତାଙ୍କୁ ଇଲେକ୍‌ଟ୍ରିକ୍‌ ସକ୍‌ ଲାଗିଗଲା । କଣ କହିବେ, କିଛି ଭାବିପାରିଲେ ନାହିଁ, କିଛିକ୍ଷଣ ଚୁପ୍‌ହୋଇ ରହିଲେ ।

 

ରେବତୀ ଦେଈ ତାଙ୍କ ଆଡ଼କୁ ଚାହିଁ କିଛିକ୍ଷଣ ବସିରହିଲା ପରେ ପୁଣି କହିଲେ, ‘‘ବୁଝିଲୁ, ହଲର୍‌ରେ ବହୁତ ଲାଭ; ବର୍ଷକ ଭିତରେ ତୋ ଟଙ୍କା ଶୁଝି ହୋଇଯିବ ।’’

 

ଦୀନକୃଷ୍ଣ ବାବୁ ଦୁଃଖ ଓ ବିରକ୍ତି ମିଶା ସ୍ୱରରେ କହିଲେ–‘‘ତୁ କ’ଣ ଯେ କହୁଛୁ ଅପା, ମୁଁ କିଛି ବୁଝିପାରୁନାହିଁ, ଋଣ ଦେବି, କେଉଁଠୁ ପାଇବି ? ଟଙ୍କା ହାତରେ କାହିଁ ? ପୁଣି କ’ଣ ନା–ତୋ ଅଳଙ୍କାର ରଖିବି, ଛି-ଛି–ବଡ଼ ଅଡ଼ୁଆ କଥା ।’’

 

‘‘ଟଙ୍କା ଆଉ ନାହିଁ ନା କଣ ? ତୋ ପାଖରେ ଟଙ୍କା ନାହିଁ ? ବାପା ଲକ୍ଷ ଲକ୍ଷ ଟଙ୍କା ରଖିଗଲେ, କୁଆଡ଼େ ଉଭେଇ ଗଲା ଏଇ ଦଶ ବାର ଦିନ ଭିତରେ ? ବାପା ଚାଲି ଗଲାରୁ ସିନା ଏପରି କଥା କହୁଛୁ’’ କହି ରେବତୀ ଆଖି ପୋଛିବାରେ ଲାଗିଲେ ।

 

‘‘ଅପା, ଶେଷକୁ ତୁ ମଧ୍ୟ ସେଇକଥା କହିଲୁ ? ବାପାକେଉଁଠି ଲକ୍ଷ ଲକ୍ଷ ଟଙ୍କା ରଖିଗଲେ କହୁନୁ ? ଅନ୍ତ୍ୟେଷ୍ଟିକ୍ରିୟାର ଖର୍ଚ୍ଚ ପରା ପରିଶୋଧ କରିବାକୁ ହେବ । ହାତରେ ପଇସା ନାହିଁ ଯେ ବସି ଭାବୁଥିଲି ।’’

 

‘‘ଜୀବନ ସାରା ଲକ୍ଷ ଲକ୍ଷ ଟଙ୍କା ଉପାର୍ଜ୍ଜନ କଲେ, ସେ ସବୁ ଗଲା କୁଆଡ଼େ ? ଆଉ ତୁ କହୁଛୁ ନା’ ଟଙ୍କା ନାହିଁ ।’’

 

‘‘ଲକ୍ଷ ଲକ୍ଷ ଟଙ୍କା ଉପାର୍ଜ୍ଜନ କରିଛନ୍ତି ସତ, କିନ୍ତୁ ଲକ୍ଷ ଲକ୍ଷ ଖର୍ଚ୍ଚ ବି କରିଛନ୍ତି, ସେକଥା କାହିଁକି ଭୁଲିଯାଉଛୁ ?’’

 

‘‘ହେଉ, ତୁ ଯେ କୌଣସି ପ୍ରକାରେ ମୋ ପାଇଁ ପାଞ୍ଚହଜାର ଟଙ୍କା ବନ୍ଦୋବସ୍ତ କରିଦେ-।’’

 

‘‘କେଉଁଠୁ ବନ୍ଦୋବସ୍ତ କରିବି, ମୁଁ ଯିବି ଋଣ ପାଇଁ ? ଲୋକେ କହିବେ, ବାପା ଗଲାକ୍ଷଣି ଋଣ କରିବା ଆରମ୍ଭ ହୋଇଗଲା ।’’

 

ରମେଶ ବାବୁ ଠିକ୍‌ ସେତିକିବେଳେ ଫେରିଲେ, ଦୀନକୃଷ୍ଣ ବାବୁଙ୍କ କଥା ବନ୍ଦହେଲା ।

 

‘‘କୁଆଡ଼େ ଯାଇଥିଲି କି ହୋ ?’’ ଦୀନକୃଷ୍ଣ ବାବୁ କହିଲେ ।

 

‘‘ଏଇ ଟିକିଏ ସିନେମା ଦେଖି ଆସିଲି’’ କହି ରମେଶ ବାବୁ ଟିକିଏ ହସି ଦେଲେ ।

 

‘‘ହଉ, ବିଳମ୍ୱ ହେଲାଣି ଚାଲ ଖିଆପିଆ କରିବ’’ କହି ରେବତୀ ଘର ଆଡ଼କୁ ଗଲେ ।

 

ଦୀର୍ଘ ପନ୍ଦର ଦିନ ପରେ ଦୀନକୃଷ୍ଣ ବାବୁ ତାଙ୍କ ଅଫିସ୍‌କୁ ପଶି ଦେଖିଲେ, ଟେବୁଲ୍‌ ଉପରେ ଖାତା, ବହି, କାଗଜପତ୍ର ରଖାହୋଇଛି । ପନ୍ଦର ଦିନର କାମ ବାକିଆ ପଡ଼ିଛି ।

 

ତାଙ୍କ ରିଭଲ୍‌ବିଂ ଚେୟାର୍‌ରେ ବସି ଏକାଉଣ୍ଟ ବହି ଉଠେଇଲେ ପୁଣି କଣ ଭାବି ତାକୁ ରଖିଦେଲେ ଓ କଲିଂବେଲ ବଜେଇଲେ । ଚପରାଶି ଆସିଲାରୁ ରାମବାବୁଙ୍କୁ ଡାକିବାକୁ ଆଦେଶ ଦେଲେ ।

 

ଚପରାଶି ଚାଲିଗଲା ପରେ ଅତି ଗଭୀର ଚିନ୍ତାରେ ବସିଥାନ୍ତି । ଗତ ରାତିରେ ଭଲ ଭାବରେ ନିଦ ହୋଇନାହିଁ । ଅପାଙ୍କ କଥାସବୁ ମନେ ପକାଇ ଅନେକଗୁଡ଼ିଏ ଚିନ୍ତା କରୁଥାନ୍ତି ।

 

ଅପା କହୁଛି ତାର ପାଞ୍ଚହଜାର ଟଙ୍କା ଦରକାର, କଣ ବା କରିବ ସେ । ଦୁଇ ପ୍ରାଣୀ, ପିଲା ପିଲି ନାହାନ୍ତି, ଅନ୍ୟ କିଛି ଦାୟିତ୍ୱ ନାହିଁ, ତଥାପି କେତେ ଲୋଭ । ହଉ କ’ଣ କରିବା, ହେଲେ ବର୍ତ୍ତମାନ କଣ ତା’ର ମାଗିବାର ଉପଯୁକ୍ତ ସମୟ ? କିଛିଦିନ ପରେ ମାଗିଥିଲେ କଣ ଉଚିତ ହୋଇନଥାନ୍ତା, ଏମିତି କେତେ କଥା ଭାବି ଭାବି ଅତିଶୟ ମ୍ରିୟମାଣ ହୋଇ ପଡ଼ିଥିଲେ ।

 

ରାମବାବୁ ତାଙ୍କ ମେନେଜର୍‌, ସେ ଆସିଲେ ଆସି ତାଙ୍କ ଚେୟାର୍‌ ସାମନା ଚେୟାର୍‌ରେ ବସି ପଚାରିଲେ, ‘କଣ ମତେ ଡାକିଲେ କି ?’

 

‘‘ହଁ, ଆଚ୍ଛା ରାମବାବୁ ! କହନ୍ତୁ ତ ଖବର କଣ ?’’

 

‘‘ଖବର, ଆଉ କ’ଣ କହିବି ଆଜ୍ଞା ! ଖବର ତେତେ ଭଲ ନୁହେଁ । ଏଇମାସ ସେଲସ୍‌ଟେକସ୍‌ ପାଞ୍ଚ ହଜାର ଟଙ୍କା ଦାଖଲ୍‌ କରିବାକୁ ହେବ, ପୁଣି ମାଲ ଆସିଯାଇଛି ପ୍ରାୟ ଦଶହଜାର ଟଙ୍କାର, ତାର ବିଲ୍‌ଟି ଛଡ଼ା ହୋଇନାହିଁ, ଷ୍ଟେସନ୍‌ରେ ପଡ଼ି ଡେମାରେଜ୍‌ ଲାଗୁଛି । ସେ ଆଡ଼୍‌ କୋମ୍ପାନୀଗୁଡ଼ିକ ଚିଠି ଲେଖି ବିଲ୍‌ଟି ଶୀଘ୍ର ଛଡ଼ାଇବା ପାଇଁ ତାଗିଦ୍‌ କରୁଛନ୍ତି । ଏ ଆଡ଼େ ଦୋକାନର କାମ ଗତ ପନ୍ଦର ଦିନ ହେଲା ପ୍ରାୟ ବନ୍ଦ ହୋଇଯାଇଛି । ଉଧାରି ଟଙ୍କା ଅସୁଲ୍‌ ହୋଇପାରିନାହିଁ । ସରକାରୀ ବିଲ୍‌ ପେମେଣ୍ଟ୍‌ ହୋଇନାହିଁ, ଆଜି ଭାବୁଛି ଏକାଉଣ୍ଟ୍‌ଟେଣ୍ଟ୍‌ ବାବୁଙ୍କ ଅନୁରୋଧ କରିବି; ଶୀଘ୍ର ପେମେଣ୍ଟ୍‌ କରିବା ପାଇଁ; କିନ୍ତୁ ତାଙ୍କୁ ପୁଣି ତାଙ୍କ ଦେଣା ନଦେଲେ ସେ କରିବେନାହିଁ । ଏହି ଯେଉଁ ନୂଆ ଏକାଉଣ୍ଟ୍‌ଟେଣ୍ଟ୍‌ ଆସିଛନ୍ତି ସେ ପୂରାପୂରି ପରସେଣ୍ଟଜ୍‌ ଦାବି କରୁଛନ୍ତି । ଆପଣଙ୍କୁ ନ ପଚାରି ତାଙ୍କୁ କେମିତି ଦେଇଦେବି । ତେଣୁ ବିଲ୍‌ଟି ଅଟକି ରହିଛି; କିନ୍ତୁ ସେ ପେମେଣ୍ଟ ନ ଆଣିଲେ କାମ ଅଚଳ ହୋଇପଡ଼ିବ ।’’

 

‘‘ହେଉ, ସେ କଥା ତ ଠିକ୍‌, କିନ୍ତୁ ହାତରେ କିଛି ଟଙ୍କା ଅଛି ନା ମୋଟେ ନାହିଁ ?

 

‘‘ହଁ, ପ୍ରାୟ ଦୁଇତିନି ହଜାର ଥିବ; କିନ୍ତୁ ସେତିକିରେ କେମିତି କାମ ଚଳିବ’’ କହି ରାମବାବୁ ଉଠି ଟେବୁଲ୍‌ ଉପରେ ରଖାହୋଇଥିବା ଏକାଉଣ୍ଟ୍‌ ଖାତା ଖୋଲି ଦେଖିଲେ, ତହିଁରେ ପଚିଶ ଶହ ଟଙ୍କା ଦେଖି ଦୀନକୃଷ୍ଣ ବାବୁଙ୍କୁ ଦେଖାଇ କହିଲେ ‘‘ଏଇତ କ୍ଳୋଜିଂ ବେଲେନ୍‌ସ୍‌ ।’’

 

‘‘ତା’ହେଲେ କ’ଣ କରିବା କହିଲ ?’’

 

‘‘ନା, କିଛି ଚିନ୍ତା କରିବାର ନାହିଁ ଯେ, ସରକାରୀ ବିଲ୍‌ ୨ । ୪ ଦିନ ଭିତରେ ମିଳିଗଲେ ଓ ଦୋକାନଟି ଠିକ୍‌ ଭାବରେ ଚଳିଲେ କାମଟା କୌଣସି ପ୍ରକାରେ ଚଳେଇନେଇ ହେବ । ଉଧାରି ଅସୁଲ ପାଇଁ ଟିକିଏ କଡ଼ା ତାଗିଦ୍‌ କରିବା ।’’

 

‘‘ଆପଣଙ୍କ ହାତରେ ପରା ପଚିଶ ଶହ ଟଙ୍କା ଅଛି, କିନ୍ତୁ ଆପଣଙ୍କୁ ପ୍ରାୟ ପନ୍ଦର ହଜାର ଟଙ୍କା ଦରକାର । ସରକାରୀ ବିଲ୍‌ କେତେ ପାଇବା ଆଶା ରଖିଛନ୍ତି ?’’

 

‘‘ପ୍ରାୟ ପାଞ୍ଚ ହଜାର ଟଙ୍କା ଅଛି । ତା ପରେ ଉଧାରି ଟଙ୍କା ପାଞ୍ଚ ହଜାର ଖଣ୍ଡେ ଅସୁଲ ହୋଇ ପାରିଲେ ବାକିତକ ଦୈନନ୍ଦିନ ବିକ୍ରିରୁ କାମ ଚଳେଇ ନେଇ ହେବ ।’’

 

‘‘ଆଚ୍ଛା, ଅନ୍ତ୍ୟଷ୍ଟିକ୍ରିୟାରେ ଯାହା ଜିନିଷ ଆଜି ଆସିଛି, ତାହାର ସମସ୍ତେ ହିସାବ କଲେଣି ? କେତେ ଦେବା କଥା ଅଛି, କହି ପାରିବେ ?’’

 

‘‘ପ୍ରାୟ ସମସ୍ତେ ଜିନିଷ ନଗଦ ଦେଇ ଆଣିଛୁ, ତଥାପି ପ୍ରାୟ ହଜାରେ ଟଙ୍କା ଦେବାର ବାକି ଅଛି । ତା’ ଦେଇଦେବା; ତହିଁରେ ବିଶେଷ ଅସୁବିଧା ହେବନାହିଁ ।’’

 

‘‘ଆଚ୍ଛା ହେଉ, ଏହି ଅନ୍ତ୍ୟେଷ୍ଟିକ୍ରିୟାରୁ ସମସ୍ତ ଖର୍ଚ୍ଚର ହିସାବ ଅଲଗା କରି ମୋତେ ପରେ ଦେଖାଇବେ; ମୁଁ ଏହିସବୁ ବାକିଆ କାମ ଶେଷକରେ । ଆପଣ ସେଇ ଏକାଉଣ୍ଟଟେଣ୍ଟ୍‌ବାବୁଙ୍କୁ ଯେ କୌଣସି ମତେ ବୁଝାଇ ଶୁଝାଇ ପେମେଣ୍ଟ ନେଇଆସନ୍ତୁ ।’’

 

‘‘ଆଜ୍ଞା’’ କହି ରାମ ବାବୁ ଉଠି ଦରଜା ଆଡ଼କୁ ଯାଉଁ ଯାଉଁ ଫେରି ଆସି କହିଲେ, ‘‘କାଲି ସନ୍ଧ୍ୟାରେ ରମେଶବାବୁ ବଡ଼ ଆଗ୍ରହ କରି ସିନେମା ଯିବା ପାଇଁ ବାଧ୍ୟ କଲେ । ତାଙ୍କ ସାଥୀରେ ସିନେମା ଦେଖି ଯାଇଥିଲି ।’’

 

‘‘ହଉ, ସେଠୁ କ’ଣ ହେଲା’’ କହି ଦୀନକୃଷ୍ଣ ବାବୁ ପୁଣି କାଗଜପତ୍ର ଦେଖିବାରେ ଲାଗିଲେ ।

 

ଟିକିଏ ଅଟକି, ରାମବାବୁ କହିଲେ ‘‘ସେ କହିଲେ, କିହୋ–ରାମବାବୁ, ବୁଢ଼ା ତ ଗଲେ । ଟଙ୍କାଟଙ୍କି କେତେ ଛାଡ଼ିଯାଇଛନ୍ତି ହୋ’’ ମୋତେ ଟିକିଏ ଭଲ ଲାଗିଲା ନାହିଁ, ମୁଁ କହିଲି ‘‘ସବୁ ତ ଛାଡ଼ିଯାଇଛନ୍ତି, ଆଉ ଟଙ୍କା କଣ ?’’

 

‘‘ନାଇଁ ହେ, ଟଙ୍କା ଅଛି ନା ଦୀନ ବିଚାରା ହଇରାଣ ହେବ ।’’

 

ମୁଁ ଟିକିଏ ବିରକ୍ତ ହୋଇ କହିଲି, ‘‘ହଁ ଟଙ୍କା ନାହିଁ ତ, ଲକ୍ଷ ଲକ୍ଷ ଟଙ୍କାର ବେପାର କିପରି ହେଉଛି ?’’ ତା’ପରେ ସେ ଟିକିଏ ଗମ୍ଭୀର ହୋଇଗଲେ, ଆଉ କିଛି କହିଲେ ନାହିଁ । ଯା’ ହେଉ କିନ୍ତୁ ତାଙ୍କର ପ୍ରଶ୍ନ ପଚାରିବା ଢଙ୍ଗ ଆଦି, ‘‘ମୋ ମନକୁ ପାଇଲା ନାହିଁ ଆଜ୍ଞା !’’

 

‘‘ହଉ ଛାଡ଼, ତହିଁରୁ କ’ଣ ମିଳିବ’’ କହି ଦୀନକୃଷ୍ଣ ବାବୁ ନିଜ କାମରେ ଲାଗିଲେ । ଆଖି କାଗଜପତ୍ର ଦେଖୁଥାଏ, ହାତ କାଗଜ ଓଲଟାଉ ଥାଏ, କିନ୍ତୁ ମୁଣ୍ଡରେ ପ୍ରବଳ ଝଡ଼ । ଏ କଅଣ; ଗତ କାଲି ସନ୍ଧ୍ୟାରେ ଅପା’ର କଥା, ଭିଣୋଇଁଙ୍କ ସିନେମା ଦେଖିଯିବା, ପୁଣି ରାମ ବାବୁଙ୍କୁ ପ୍ରଶ୍ନ ଆଦି ନେଇ ତାଙ୍କ ମୁଣ୍ଡ ତାତି ଯାଉଥାଏ । କାଗଜ ଓଲଟାଇ କେବଳ ଦସ୍ତଖତ କରି ଚାଲିଲେ ।

 

ରାମବାବୁ ପିଲାକାଳରୁ ଏଇଠି ଚାକିରି କରୁଛନ୍ତି । ଚପରାଶୀରୁ ତାଙ୍କ ଜୀବନ ଆରମ୍ଭ । ମାସିକ କୋଡ଼ିଏ ଟଙ୍କା ହାରରେ କାର୍ଯ୍ୟରେ ନିଯୁକ୍ତି ପାଇ ବିଭିନ୍ନ କାମକରି ବର୍ତ୍ତମନା ପ୍ରୌଢ଼ାବସ୍ଥାରେ ମେନେଜର ହୋଇଛନ୍ତି । ପ୍ରଭାତ ଷ୍ଟୋର୍‌ରେ ଇତିହାସ, ତାଙ୍କୁ ମୂଳରୁ ଜଣା । ଯେତେବେଳେ ଦୀନକୃଷ୍ଣ ବାବୁଙ୍କ ବାପା ଗାଁରୁ ଆସି ଏଇଠି ଚାକିରି କରୁଥିଲେ, ସେତେବେଳେ ରାମବାବୁ ସପ୍ତମ ଶ୍ରେଣୀର ପାଠ ପଢ଼ୁଥିଲେ, କିନ୍ତୁ ପରେ ଆର୍ଥିକ ଅଭାବ ଯୋଗୁଁ ଆଉ ପଢ଼ି ପାରିନଥିଲେ । ସେହି ସମୟରେ ବୁଢ଼ା ଛୋଟ ଦୋକାନଟିଏ ଆରମ୍ଭ କରିଥିଲେ । ତେଲ, ସାବୁନ, ପାନିଆଁ ଆଦି ନେଇ ପ୍ରସାଧନୀ ସାମଗ୍ରୀରୁ ତାଙ୍କ ବ୍ୟବସାୟର ଆରମ୍ଭ, ସେତେବେଳେ ରାମବାବୁଙ୍କୁ ସେ ପ୍ରଥମରେ ନିଯୁକ୍ତ କରିଥିଲେ । ବୁଢ଼ାଙ୍କ ଅକ୍ଳାନ୍ତ ପରିଶ୍ରମ, ବୁଦ୍ଧି ବିବେକ ଓ ଲୋକଙ୍କ ବିଶ୍ୱାସ ଯୋଗୁ ‘ପ୍ରଭାତ ଷ୍ଟୋର’ କ୍ରମେ ଗୋଟିଏ ବଡ଼ ଦୋକାନରେ ପରିଣତ ହୋଇଛି । ରାମବାବୁ ଚପରାଶି କାମରୁ ଆରମ୍ଭ କରି ଷ୍ଟୋରକିପର, କେସିଅର, ଏକାଉଟେଣ୍ଟ୍‌ ଆଦି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଲାଇ ପ୍ରାୟ ୩ । ୪ ବର୍ଷ ହେଲା ମେନେଜର ହେଲେଣି । ପ୍ରଭାତ ଷ୍ଟୋରର ଟିକିନିଖି କଥା ତାଙ୍କୁ ଜଣା । ପୁଣି ସେ ଦୀନକୃଷ୍ଣବାବୁଙ୍କ ଅତି ବିଶ୍ୱସ୍ତ । ୨୫ । ୩୦ ବର୍ଷ ଏହି ଅନୁଷ୍ଠାନର ରହି ତହିଁରେ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛନ୍ତି । ବୟସ ୫୦ ପାଖାପାଖି-। ନିଜ ଘର କଲେଣି, ଦିଓଟି ଝିଅଙ୍କୁ ଭଲ ପାଠପଢ଼େଇ ବାହା ଦେଇସାରିଲେଣି-। ପୁଅଟିଏ ଡାକ୍ତରୀ ଫାଇନାଲ୍‌ ଇୟରରେ, ଅନ୍ୟ ଜଣେ ଇଞ୍ଜିନିୟରିଂ ତୃତୀୟ ବର୍ଷରେ; ଉଭୟେ ଭଲ ପଢ଼ୁଛନ୍ତି ।

 

ରାମବାବୁ, ଦୀନକୃଷ୍ଣବାବୁଙ୍କୁ ଜନ୍ମରୁ ଦେଖି ଆସିଛନ୍ତି । ସ୍କୁଲକୁ ଜବରଦସ୍ତ ଧରାଧରି କରି ନେଇଚନ୍ତି । ତାଙ୍କ ବାହାଘର କାମ କରିଛନ୍ତି । ତାଙ୍କର ପିଲାଛୁଆଙ୍କୁ ମଧ୍ୟ ଖେଳେଇଛନ୍ତି । ରାମବାବୁ, ଦୀନବାବୁଙ୍କ ମାଲିକ ଭାବରେ କେବେ ଦେଖନ୍ତିନାହିଁ । ନିଜ ସାନଭାଇଠୁଁ ଅଧିକ ସ୍ନେହ କରନ୍ତି ।

 

ରେବତୀ ଦେବୀଙ୍କୁ ମଧ୍ୟ ପିଲାଦିନେ ସେ ଗେଲ କରିଛନ୍ତି । ତାଙ୍କ ବାହାଘର ଆଦି ସମସ୍ତ କାର୍ଯ୍ୟରେ ସେ ବୁଢ଼ାଙ୍କ ପଛକୁ ଥାଆନ୍ତି । କାୟାକୁ ଛାୟା ପରି, ଅଗାଧ ଭକ୍ତି ବୁଢ଼ାଙ୍କ ପ୍ରତି । ହଜାର ହଜାର ଟଙ୍କା ତାଙ୍କ ଜରିଆରେ ନାନାସ୍ଥାନକୁ ପଠାଇଛନ୍ତି । ଲକ୍ଷଲକ୍ଷ ଟଙ୍କାର କାରବାର ତାଙ୍କ ଜରିଆରେ କରେଇଛନ୍ତି; କିନ୍ତୁ କେବେହେଲେ ବୁଢ଼ା ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁ ନ ଥିଲେ-। ରାମବାବୁ ଟିକିଏ ଜିଦ୍‌ଖୋର ଲୋକ । ବୁଢ଼ାଙ୍କୁ ତାଙ୍କର ପ୍ରଗାଢ଼ ଭକ୍ତି ଯୋଗୁ ଚଳିଯାଉଥିଲା-

 

ଅନେକ ସମୟରେ ବୁଢ଼ାଙ୍କ ଓ ତାଙ୍କ ମଧ୍ୟରେ ମତଭେଦ ହେଲେ, ସେ ଚାକିରି ଛାଡ଼ିଦେବା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ । ବୁଢ଼ା ମଧ୍ୟ ସେତେବେଳେ ରାଗିଯାଇ ତାଙ୍କୁ ବରଖାସ୍ତ କରି ଦେଉଥିଲେ । କିନ୍ତୁ ପୁଣି ପରଦିନକୁ ଯେ ଯାହା ନିଜ ଭୁଲ୍‌ ବୁଝି, କାମରେ ଲାଗି ପଡ଼ୁଥିଲେ । ତାଙ୍କର ସମ୍ପର୍କ ମାଲିକ ଚାକର ସମ୍ପର୍କ ନୁହେଁ, ବରଂ ପିତା ଓ ପୁତ୍ରର ।

 

ଟିଣିଂ, ଟିଣିଂ, ଟିଣିଂ....

 

‘‘ହେଲୋ, କିଏ କହୁଛନ୍ତି, ମୁଁ ଦୀନକୃଷ୍ଣ ଦାସ କହୁଛି ।’’

 

‘‘କୃଣ ସାହେବ ନାହାନ୍ତି ?’’

 

‘‘ହଉ ପଠାଇ ଦେବି ସନ୍ଧ୍ୟା ୭ଟାରେ ତ, ନା ଆଗରୁ ?’’

 

‘‘ହଉ’’

 

ଫୋନ୍‌ ରିସିଭରଟା ରଖି, ଦୀନକୃଷ୍ଣ ବାବୁ ବିରକ୍ତ ହୋଇ ମନେମନେ କହି ପକାଇଲେ ‘‘ଛି, ପିଲାଏ ସିନେମା ଦେଖିଯିବେ ଯେ’ କାର ଦରକାର । କିନ୍ତୁ ନିଜେ କହିବାର—ସୌଜନ୍ୟର ଅଭାବ, ଚପରାଶି କହିବ । କାହିଁ, ବଡ଼ ସାହେବ କି ନା, ହଡ଼୍‌ ।’’

 

ପୁଣି କାଗଜ ଦେଖା ଦେଖିରେ ମନଦେଲେ ।

 

(ଦୁଇ)

 

ସୂର୍ଯ୍ୟ ସାରାଦିନର ପରିଶ୍ରମରେ କ୍ଳାନ୍ତ ହୋଇ ଧରଣୀରୁ ବିଦାୟ ନେଲେଣି । ଧୀରେ ଧୀରେ ସନ୍ଧ୍ୟା ହୋଇ ରାତ୍ରିର ଆବିର୍ଭାବ ହେଲା, କିନ୍ତୁ ଦୀନକୃଷ୍ଣ ବାବୁଙ୍କୁ କାମରୁ ଅବ୍ୟାହତି ମିଳିନାହିଁ । ଚଉଦ ଦିନର ବାକିଆ କାମ, ପୁଣି ଅନେକ ସରକାରୀ ବେସରକାରୀ ଲୋକଙ୍କ ଆପତ୍ତି ଉଜୁର୍‌ ।

 

‘‘ନାଃ, ଆଜି ହୋଇପାରିବ ନାହିଁ; ଘରକୁ ଯିବାକୁ ହେବ । ଆରେ କିଏ ଅଛି କିରେ, ଏସବୁ ବନ୍ଦବାନ୍ଦ କର’’ କହି ଦୀନକୃଷ୍ଣ ବାବୁ ଚେୟାର୍‌ ଛାଡ଼ି ଛିଡ଼ାହେଲେ । ମୁକ୍ତି ଭାଁ-ଭାଁ–କରୁଛି, ଗୋଟିଏ ଆସନରେ ବସି ରହି ହାତ ଗୋଡ଼ ଜଡ଼ ହୋଇଗଲାଣି । ଦିନ ସାରା ଖଟଣି, ଏପରିକି ଦିନ ବେଳେ ଘରକୁ ଖାଇ ଯିବାର ମଧ୍ୟ ସମୟ ପାଇ ନ ଥିଲେ । ସେଇଠି ବସି ଚା’ ଓ ପାଉଁରୁଟି ଖଣ୍ଡେ ଚୋବାଇ ଦିନସାରା କାଟି ଦେଇଥିଲେ ।

 

‘‘ଆରେ ସତେତ, ଅନେକ ବିଳମ୍ୱ ହେଲାଣି, ଆଉ ତ କେହି ନାହାନ୍ତି’’ ସ୍ୱଗତୋକ୍ତି କରି ଦୀନକୃଷ୍ଣ ବାବୁ ନିଜେ ଚାବି ପୁଞ୍ଜାଟା ଆଣି ସବୁ ଲାଇଟ୍‌ ବନ୍ଦ କରି ଦରଜା ବନ୍ଦ କଲେ । ବାହାରକୁ ଆସି ଦେଖେନ୍ତିତ ଚୌକିଦାର ବାହାଦୂର ଆସିନାହିଁ । ଆରେ, ଆଜି ପୁଣି କ’ଣ ହେଲା ? ଏତେବେଳେ ପର୍ଯ୍ୟନ୍ତ ଆସିନାହିଁ, ସବୁ ଛାଡ଼ି ଘରକୁ ଯିବେ କେମିତି । ଏପରି ଭାବରେ ବ୍ୟସ୍ତ ହେଉଛନ୍ତି, ଏମିତି ସମୟରେ ଚୌକିଦାର ଆସି ଗୋଟିଏ ସେଲ୍ୟୁଟ୍‌ ଠୁଙ୍କିଦେଲା ।

 

‘‘ଆରେ ଇତ୍‌ନା ଦେରି ?’’ ଦୀନକୃଷ୍ଣ ବାବୁ ପଚାରିଲେ ।

 

‘‘ହଁ ବାବୁ, ଗାଓଁ ସେ ଆଦ୍‌ମି ଆୟା, ଉନ୍‌ ସେ–ବାତ୍‌ ଚିତ୍‌ କର୍‌ତେ ଦେରି ହୋ ଗୟା’’ କହି ବାହାଦୂର ଛିଡ଼ାହେଲା ।

 

ଦୀନକୃଷ୍ଣ ବାବୁଙ୍କ ତା’ ସହିତ ଯୁକ୍ତିତର୍କ ବା ଦାୟିତ୍ୱ ଜ୍ଞାନ–ଶିକ୍ଷାଦେବା ଭଳି ଶାରୀରିକ ବା ମାନସିକ ଅବସ୍ଥା ନଥିଲା । ସେ କେବଳ କହିଲେ ‘‘ଠିକ୍‌ ହାୟ, ହମ୍‌ ଜାତା ହୈ’’ ।

 

ପୁଣି ଗୋଟିଏ ସେଲ୍ୟୁଟ୍‌ ଦେଇ ବାହାଦୂର ନିଜ କାମର ଆଡ଼ମ୍ୱର ବାହାର କଲା । ସେ କେବଳ ଟାକିଥାଏ, ଦୀନକୃଷ୍ଣ ବାବୁଙ୍କ ପ୍ରସ୍ଥାନ । ତା ପରେ ବାହାରେ ବେଞ୍ଚ୍‌ରେ ଲମ୍ୱା ହୋଇ ଶୋଇ ଯିବାକୁ ଯାହା ସମୟ ଲାଗେ, ସେଇ ତାର କଷ୍ଟ । ଦୀନକୃଷ୍ଣବାବୁଙ୍କୁ ଯେ ତାହା ଅଜଣା ତା’ ନୁହେଁ, ହେଲେ ବାହାଦୁର ଥିଲେ ଗୋଟିଏ ମାନସିକ ଶାନ୍ତି ଥାଏ ।

 

କ୍ଳାନ୍ତ ଶ୍ରାନ୍ତ ଦୀନକୃଷ୍ଣ ବାବୁ ଘରକୁ ଫେରି ଦେଖିଲେ ଘର ଶୂନ୍‌ଶାନ୍‌ । ପିଲାଏ ଣୋଇଲେଣି, ଅପା ଭିଣୋଇଁ ମଧ୍ୟ ଶୋଇଥିବେ, କେବଳ କୃଷ୍ଣା ଲାଇଟ୍‌ ଜଳି ତାଙ୍କ ଅପେକ୍ଷାରେ ବସିଛନ୍ତି । ଟିକିଏ ହସିବାର ଚେଷ୍ଟା କରି ଦୀନକୃଷ୍ଣ ବାବୁ ପଚାରିଲେ ‘‘କଣ ସମସ୍ତ ଶୋଇ ପଡ଼ିଲେଣି ?’’ ଶୁଖିଲା ହସହସି କୃଷ୍ଣା କହିଲେ ‘‘ହଁ’’ ।

 

‘‘କଣ ଅପା ଏତେବେଳୁ ଶୋଇ ପଡ଼ିଲାଣି ?’’

 

‘‘ହଁ’’ କହି କୃଷ୍ଣା ମୁଣ୍ଡ ଟୁଙ୍ଗାରିଲା ।

 

‘‘ହଉ, ମୁଁ ହାତ ମୁହଁ ଧୋଉଛି, ତୁମେ ବଢ଼ାବଢ଼ି କର, ଭୀଷଣ ଭୋକ ହେଉଚି’’ କହି ଦୀନକୃଷ୍ଣ ବାବୁ ବାଥ୍‌ରୁମ୍‌କୁ ଗଲେ । କୃଷ୍ଣାଦେବୀ ରନ୍ଧା ଘରକୁ ଯାଇ ବଢ଼ାବି କରିବାରେ ଲାଗିଲେ-। ବାଥ୍‌ରୁମ୍‌ରୁ ବାହାରି ଦୀନକୃଷ୍ଣ ବାବୁ ଖାଇବା ଘରକୁ ପଶିଲେ । କୃଷ୍ଣା କହିଲେ ‘‘ଅପାଙ୍କୁ ଡାକି ଖାଇବା ପାଇଁ, ସେ ଖାଇନାହାନ୍ତି ।’’

 

‘କଣ ସେ ନଖାଇ ଶୋଇପଡ଼ିଛି ?’’ କହି, ଅପାଙ୍କ ଶୋଇବା ଘରକୁ ଯାଇ ଲାଇଟ୍‌ ଜାଳି ଡାକିଲେ–

 

‘‘ଅପା ଅପା, ଆ ଖାଇବା’’ କିଛି ଉତ୍ତର ପାଇଲେନାହିଁ, ପୁଣି ଡାକିଲେ । ଅପା ଅତି ଗମ୍ଭୀର ସ୍ୱରରେ କହିଲେ—‘ମୁଁ ଖାଇବି ନାହିଁ, ମୋତେ ଭୋକ ନାହିଁ ।’’

 

ଦୀନକୃଷ୍ଣ ବାବୁ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ ଓ କହିଲେ ‘କ’ଣ ଦିହ ଖରାପ ହେଲା କି ? କଣ ଟିକିଏ ଖାଇ ଦେଇଥାନ୍ତୁ ।’’

 

‘‘ନା, ମୁ ଖାଇବି ନାହିଁ’’

 

ନିରାଶ ହୋଇ ଫେରିଲା ବେଳକୁ କୃଷ୍ଣା କହିଲେ ‘‘ଆଜି ଦିନସାରା ଖାଇ ନାହାନ୍ତି, ଡାକିଲେ କାନ୍ଦୁଛନ୍ତି ।

 

‘‘ରମେଶ ବାବୁ କୁଆଡ଼େ ଗଲେ ?’’ ଦୀନକୃଷ୍ଣ ବାବୁ ପଚାରିଲେ ।

 

‘‘କେଜାଣି ସକାଳେ ଅପାଙ୍କ ସହିତ କଣ କଣ କଥା ହେଉଥିଲେ । ତା’ପରେ କାହିଁ କୁଆଡ଼େ ଯାଇଛନ୍ତି ତ ତାଙ୍କର ଦେଖା ନାହିଁ ।’’ ପୁଣି ଅଟକି କହିଲେ ‘‘ରାମାକୁ ଖୋଜିବାକୁ ପଠାଇଲି, କିଛି ଖବର ପାଇଲି ନାହିଁ ।’’

 

ଦୀନକୃଷ୍ଣ ବାବୁ ବଡ଼ ଅଡ଼ୁଆରେ ପଡ଼ିଲେ । କଣ କରିବେ, କିଛି ଭାବି ପାରିଲେ ନାହିଁ । ଥକ୍‌କା ହୋଇ ବସି ପଡ଼ିଲେ । ପଚାରିଲେ ‘‘କଣ ହୋଇଛି, କଣ କିଛି ହେଲା କି ?’’

 

‘‘କେଜାଣି, ସକାଳେ ତ ଅପା ଭଲରେ ଥିଲେ । ରମେଶ ବାବୁଙ୍କ ସଙ୍ଗେ ଅନେକ ସମୟ କଥାବାର୍ତ୍ତା ହେଲା ପରେ, ରମେଶ ବାବୁ ଘରୁ ବାହାରି ଆସି କୁଆଡ଼େ ଗଲେ; ଗଲାବେଳକୁ ମୁଁ ଖାଇବାକୁ ଡାକିଲି, ଚୁପ୍‌ କରି ଖାଇ ସେ ଚାଲିଗଲେ । ଅପା ସେତତିକିବେଳୁ ସେମିତି ଶୋଇଛନ୍ତି, ଯେତେକରି କହିଲିଣି ମୋଟେ ଶୁଣୁ ନାହାନ୍ତି । ରମେଶ ବାବୁ କଣ ବୋଧହୁଏ ରାଗିଥିବେ, ନା–କ’ଣ’’ କହି କୃଷ୍ଣା ଚୁପ୍‌ ହୋଇ ଛିଡ଼ା ହେଲେ ।

 

ଦୀନକୃଷ୍ଣ ଦୀର୍ଘ ନିଃଶ୍ୱାସଟିଏ ଛାଡ଼ି ପୁଣି ଅପା ପାଖକୁ ଯାଇ ଖଟ ପାଖରେ ବସି ପଡ଼ିଲେ । ‘ଅପା, କଣ ହେଲାକି ? କାହିଁକି ଏମିତି ଶୋଇଛୁ ? ରମେଶ କୁଆଡ଼େ ଗଲେ ? ଜାଣିଛୁ-?’’ ସଙ୍ଗେ ସଙ୍ଗେ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରି ପକାଇଲେ ।

 

‘‘ଗାଁକୁ ଗଲେ’’ କହି ରେବତୀ କାନ୍ଦିବା ଆରମ୍ଭ କଲେ ।

 

‘‘କ’ଣ ଗାଁକୁ ଗଲେ ? ଗଲାବେଳକୁ ଦେଖା ସାକ୍ଷାତ କରିବାକୁ ତର ନାହିଁ ? ଇଏ କ’ଣ-?’’ କହି ଦୀନକୃଷ୍ଣ ବାବୁ ଆଶ୍ଚର୍ଯ୍ୟ ହୋଇ ବସି ରହିଲେ ।

 

କିଛି ସମୟ ପରେ ରେବତୀ ଅପା ଆଖି ପୋଛି କରି ଖଟରେ ବସିଲେ । କହିଲେ ‘‘ସେ ପରା ଭୀଷଣ ରାଗି, ଗାଁକୁ ଜମି ବିକିବା ପାଇଁ ଗ୍ରାହକ ଠିକ୍‌ କରି ଯାଇଛନ୍ତି । କାଲି ପରା ସେ ଆସିବେ, ମୋତ ନେଇଯିବା ପାଇଁ, ତୁ ପାଞ୍ଚହଜାର ଟଙ୍କା ନ ଦେଲେ ଜମି ବିକ୍ରୀ କରିବେ’’ କହି ପୁଣି ଆଖି ପୋଛିବା ଆରମ୍ଭ କଲେ ।

 

ଦୀନକୃଷ୍ଣ ବାବୁ ଚୁପ୍‌ ହୋଇ ରହିଲେ । ମନରେ କ୍ରୋଧ, ଦୁଃଖ ଓ ଘୃଣାର ବିଚିତ୍ର ସମାବେଶ । କିଛି ସମୟ ତୁନି ହୋଇ ବସି ରହିଲେ । ତା’ପରେ ସେଠୁ ଉଠି ଆସି ନିଜ ଶୋଇବା ଘରକୁ ଚାଲିଗଲେ । ପଛେ ପଛେ କୃଷ୍ଣା, ପଚାରିଲେ–‘କ’ଣ ଖାଇବ ନାହିଁ ?’’

 

‘‘ନା’’ ଚୁପ୍‌ କରି ଖଟରେ ପଡ଼ି ରହିଲେ । କୃଷ୍ଣା ସବୁ ବନ୍ଦବାନ୍ଦ୍‌ କରି, ରନ୍ଧାଘର ଓ ଘର ଚାରିଆଡ଼େ ବନ୍ଦ କରି ଚାଲିଆସି ସେ ମଧ୍ୟ ଗଡ଼ି ପଡ଼ିଲେ ଖଟରେ ।

 

ବିଛଣା ଆରାମ ଦିଏ-ସତ, ମନରେ ଶାନ୍ତି ଥିଲେ । ନ ହେଲେ ଚିନ୍ତା ସମୁଦ୍ରରେ ଲୋକକୁ ଭସାଇ ଦିଏ । କଡ଼ ଲେଉଟାଇବା ଛଡ଼ା ଅନ୍ୟ ଉପାୟ ନାହିଁ । କଡ଼ ଲେଉଟାଉ ଥାଅ, ଓ ଘଣ୍ଟା ଶୁଣୁଥାଅ । ରାତ୍ରିର ଅବସାନ ନାହିଁ, ନିଦ୍ରାର ଆଗମନ ନାହିଁ । ଚିନ୍ତା; ଚିନ୍ତା, ଚିନ୍ତା... !

 

ଦୀନକୃଷ୍ଣ ବାବୁ ଅତିଶୟ ମର୍ମାହତ । ଭୋକ ତାଙ୍କର କୁଆଡ଼େ ଚାଲି ଗଲାଣି । ମନରେ ଅନେକ ଚିନ୍ତା । ଦୁନିଆରେ କ’ଣ, ନିଜର ଛଡ଼ା ଆଉ କାହାର ସୁଖ ଦୁଃଖ ବୁଝିବା ପାଇଁ ହୃଦୟର ଏତେ ଅଭାବ ? ବର୍ତ୍ତମାନ କ’ଣ ଟଙ୍କା ଦାବି କରିବାର ଯଥାର୍ଥ ସମୟ ? ରମେଶ, କି ପ୍ରକାର ଜିଦ୍‌ ଧରି ଅପାକୁ ଶିଖେଇ କଣ କଣ କହି ଚାଲିଗଲେ । ତାଙ୍କର, ମୋର ଏହି ଦୁଃଖ ସୁଃଖ ସମୟରେ ଟିକିଏ ହେଲେ ସମ୍ୱେଦନା ନାହିଁ । ପାଞ୍ଚ ହଜାର ଟଙ୍କା କ’ଣ ଏତେ ଜରୁରୀ ? ନା ମୋତେ ନିଃସହାୟ ଭାବି ଏପରି–ଅଯଥାର୍ଥ ଦାବି କରୁ ଅଛନ୍ତି । ନୀଚତା ଓ ହୀନ ମନ୍ୟତ ବ୍ୟତୀତ ଏହା ଆଉ କ’ଣ ହୋଇପାରେ ? ହଉ, ଦେବାକୁ ଇଚ୍ଛା ଥିଲେ ମଧ୍ୟ ବର୍ତ୍ତମାନ କାହିଁ । ଅପାକୁ ବୁଝେଇ କହିଲି କିନ୍ତୁ ମୋ’ କଥାରେ ସେମାନଙ୍କର ବିଶ୍ୱାସ ନାହିଁ । କ’ଣ କରିବି ? ସେମାନେ, ବୋଧହୁଏ ମୋତେ ତାଙ୍କରି ପରି ଭାବୁଛନ୍ତି ଯେ, ମୋର ହୃଦୟ ନାହିଁ । ନିଜ ଅପାକୁ କ’ଣ ଟଙ୍କା ପାଞ୍ଚହଜାର ଦେବାକୁ ମୁଁ ଅମଙ୍ଗ ହୁଅନ୍ତି ? କ’ଣ କରେ, ବାପା ଚାଲିଯାଇଛନ୍ତି; ନିଜ ଭଉଣୀ । ମୁଁ ଏକମାତ୍ର ଭାଇ, ତାର ଦୁଃଖ ସୁଖ ବୁଝିବା କଣ ମୋର ଦାୟିତ୍ୱ ନୁହେଁ । ବୟସରେ ସାନ ହେଲେ କ’ଣ ହେଲା, ବାପାଙ୍କ ଆସନ ମୁଁ ପାଇଛି । ବାପାଙ୍କ କର୍ତ୍ତବ୍ୟ ମୋତେ କରିବାକୁ ହେବ ।

 

ବାପା ଥିଲେ କଣ ଦେଇଥାନ୍ତେ ? ଏପରି ବ୍ୟବହାର ଦେଖି ହୁଏତ ରାଗରେ ଜଳି ଯାଇଥାନ୍ତେ । ତାଙ୍କୁ ମାଗିବାକୁ ସାହସ ବା କିପରି ଏମାନେ କରନ୍ତେ ? କିନ୍ତୁ କର କଣ କରିବି ଆଜି ମୋର ଦାୟିତ୍ୱ । ନଦେଲେ ଲୋକେ କହିବେ ଦେଖଏ ଭାଇ କିଛି କଲା ନାହିଁ । ବାପାଙ୍କୁ ହୁଏତ କେହି କହିବାକୁ ସାହସ କରି ନଥାନ୍ତା । କିନ୍ତୁ ମୋ ଅବସ୍ଥା ଭିନ୍ନ । ତା’ହେଲେ କେଉଁଠୁ ଆଣିବି, କାହାକୁ ମାଗିବି । ମାଗିଲେ ଲୋକେ ବିଶ୍ୱାସ କରିବେ ନାହିଁ । କହିବେ–ଲୋକ ଦେଖାଣିଆଁ କରୁଛି, ନହେଲେ ତା‘ର କି ଅଭାବ । ଅଥଚ ପ୍ରକୃତରେ ମୋ ହାତରେ ପଇସା ନାହିଁ । ବର୍ତ୍ତମାନ କଣ କରିବି ? କାହାକୁ ପଚାରିବି ? କେହି ନାହିଁ, ସବୁ ଶୂନ୍ୟ । ଆଜି ବାପା ଥାଆନ୍ତେ ଭଲା–ତାଙ୍କୁ ପଚାରନ୍ତି । କିଏ ଆଉ ଅଛି ? ହଁ କୃଷ୍ଣା ଅଛି, ତାକୁ ପଚାରିବି ? ସେ କଣ ମତାମତ ଦେବ ? ତା’ର ବା କେତେ ବୁଦ୍ଧି ? ସେ କ’ଣ ମତ ଦେବ, କହିବ ‘ଯାହା କରୁଛ କର ।’ ତା’ପରେ ପୁଣି ସେଇ ଗୋଲକ ଧନ୍ଦା । ନ ପଚାରିଲେ ଯେ’ ଛାତି ବୋଝ ବୋଝ ଲାଗୁଛି । କାହାକୁ ହେଲେ ତ ପଚାରିବାକୁ ହେବ ।

 

‘‘କ’ଣ କୃଷ୍ଣା ଶୋଇ ପଡ଼ିଲାଣି ?’’

 

‘‘ନା, ଚେଇଁଛି । କ’ଣ ପାଣି ପିଇବ କି ?’’ କହି କୃଷ୍ଣା ବିଛଣାରେ ଉଠି ବସିଲେ ।

 

ସତେ ତ ଭାରି ତୃଷ୍ଣା, ‘ହଁ ଆଣ ଟିକିଏ ପିଇବା’’ କହି ଦୀନକୃଷ୍ଣ ବିଛଣାରେ ବସିଲେ । କୃଷ୍ଣା ପୁଣି ଆଣିଲେ । ଦୀନକୃଷ୍ଣ ଏକ ନିଶ୍ୱାସରେ ପାଣିତକ ପିଇ ପକାଇଲ । କୃଷ୍ଣା କହିଲେ ‘‘ଆଉ ଆଣିବି ?’’

 

‘‘ନା, ଆଉ’’ କହି ଗ୍ଲାସ୍‌କୁ ବଢ଼ାଇ ଦେଲେ । କୃଷ୍ଣା ଗ୍ଳାସ୍‌ ରଖି ଆସିଲେ । ଦୀନକୃଷ୍ଣ କହିଲେ ‘‘ଆଚ୍ଛା କୃଷ୍ଣା, ଦେଖୁଛ ତ–ଅବସ୍ଥା, କଣ କରିବି କହିଲ ?’’

 

‘‘କଣ ଆଉ କରିବ, ଗୋଟିଏ ବୋଲି ଅପା, ନଦେଲେ ପୁଣି ରମେଶ ବାବୁଙ୍କୁ ତ ଦେଖିଲଣି; ଟଙ୍କା ପାଇଁ ସେ ସୁବୁକିଛି କରି ପାରନ୍ତି ।’’ କହି କୃଷ୍ଣା ଚୁପ୍‌ ହେଲେ ।

 

ଦୀନକୃଷ୍ଣ ଟିକିଏ ବିରକ୍ତ ହେଲା ଭଳି କହିଲେ ‘‘କିନ୍ତୁ ଟଙ୍କା କାହିଁ ?’’ କୃଷ୍ଣା ଚୁପ୍‌ ।

 

ଆହୁରି ଟିକିଏ ବିରକ୍ତ ହୋଇ କହିଲେ, ‘‘ହଉ ଯାଅ ଶୋଇପଡ଼ ।’’ ପୁଣି ସେ’ ବିଛଣାରେ ଶୋଇଲେ । ପୁଣି ଭାବନାର ସ୍ରୋତ ଆରମ୍ଭ ହେଲା ।

 

ଆଚ୍ଛା, କାଲି ଯଦି କିଛି ବାକିଆ ଟଙ୍କା ଅସୁଲ ହୋଇଯାଆନ୍ତା, ତା’ହେଲେ ଅପାକୁ ଦେଇଦେଲେ ତ ହେବ । କିନ୍ତୁ କେମିତି ଦେବି । ସେ ଆଡ଼େ ଷ୍ଟେସନ୍‌ରେ ମାଲ ପଚି ସଢ଼ୁଛି । ଡେମାରେଜ୍‌ ଲାଗୁଛି । ସେ ଆଡ଼େ ପୁଣି କମ୍ପାନୀଗୁଡ଼ାକ Reminder ଦି ଦି’ଟା ଦେଇ ସାରିଲେଣି । ମାଲ ଖରାପ ହେଲେ କ୍ଷତି, ଡେମାରେଜ୍‌ରେ କ୍ଷତି; ପୁଣି କମ୍ପାନୀମାନଙ୍କର ବଦ୍‌ନାମ-। ଭବିଷ୍ୟତରେ କେହି ଆଉ ମାଲ୍‌ ଦେବା ପାଇଁ ମଙ୍ଗିବେ ନାହିଁ । ତେବେ କରେ କ’ଣ ?

 

ହଉ, ଯା’ ହେଉ ପଛକେ, ଅପାକୁ ତ ଅସନ୍ତୋଷ କରି ହେବ ନାହିଁ । ଯା’ ହେଉ ପଛକେ କାଲି ବାକିଆ ଟଙ୍କା ଯାହା ଆସିବ, ତାହା ଦେଇ ଅପାକୁ ବିଦାୟ କରିବି । କିନ୍ତୁ ଏପରି କେତେ ଦିନ ଚଳିବ । ସବୁବେଳେ ଟଙ୍କା ଟଙ୍କା ହେଲେ କଉଠୁ ଆଣିବି ? ତା’ପରେ ପିଲା ଝିଲା ମିଶି ଛ’ ପ୍ରାଣୀ କୁଟୁମ୍ୱ । ବ୍ୟବସାୟ ଖରାପ ହେଲେ କୁଟୁମ୍ୱ ପୋଷିବି କିପରି ? ସେ ଯାହାହେଉ କିଛି ଗୋଟାଏ କରିବାକୁ ହେବ । ଆଉ ଉପାୟ ନାହିଁ, ହେ ଭଗବାନ୍‌ ! ବୁଦ୍ଧି ଦିଅ ।

 

ଏମିତି କେତେ କ’ଣ ଭାବୁ ଭାବୁ, ଭୋରବେଳକୁ ଦୀନକୃଷ୍ଣ ବାବୁଙ୍କ ଆଖି ଲାଗିଗଲା । କିନ୍ତୁ କୃଷ୍ଣା ଶୋଇ ନ ଥିଲେ । ଯେମିତି ଭୋର ହେଲା, ଉଠି ଗାଧୁଆ ପାଧୁଆ କରି ନିଜର ଦୈନନ୍ଦିନ କାମରେ ଲାଗି ପଡ଼ିଲେ; ଦୀନକୃଷ୍ଣଙ୍କୁ ଉଠେଇଲେ ନାହିଁ । ଭାବିଲେ, ରାତିରେ ତ ଶୋଇ ନାହାନ୍ତି । ଟିକିଏ ଆଖି ଲାଗିଛି, ଶୋଇଥାନ୍ତୁ ।

 

ଆଠଟାବେଳକୁ ଦୀନକୃଷ୍ଣ ଉଠି ପଡ଼ିଲେ । ଘଡ଼ି ଦେଖିଲେ ସକାଳ ଆଠ । ତରତରରେ ନିତ୍ୟକର୍ମ ସାରି ଅପାକୁ ଡାକିଲେ । ଅପା, ନିଜ କାମ ସାରି ଚୁପ୍‌ ହୋଇ ବସିଥାନ୍ତି ଘରେ ।

 

‘‘କ’ଣ କହୁଥିଲୁ କି ? କହି ରେବତୀ ଅପା ବାହାରକୁ ଆସିଲେ ।’’

 

‘‘କିଛି ନାହିଁ; ଚାଲ ଟିକିଏ ଜଳଖିଆ ଖାଇବା । କାଲି ସାରାଦିନ ତ ଭୋକ ଉପାସରେ ଗଲା; ଆଜି ଟିକିଏ କିଛି ଖାଉଁ’’ ଦୀନକୃଷ୍ଣବାବୁ ଜଳଖିଆ ଖାଇବା ଆରମ୍ଭ କଲେ ।

 

ରେବତୀ କହିଲେ, ‘‘ତୁ ଖାଇ ସାର, ମୁଁ ଓ କୃଷ୍ଣା ପରେ ଖାଇବୁ ।’’

 

ଉଠୁ ଉଠୁ ବିଳମ୍ୱ ହେଲା । କୃଷ୍ଣା ଉଠେଇଲେ ନାହିଁ ।

 

‘‘ରାତି ସାରା ତ ଶୋଇ ନାହିଁ, ଆଖି ଟିକିଏ ଲାଗିଲାବେଳକୁ ଉଠେଇ ଦିଅନ୍ତି ନା ?’’ କହି କୃଷ୍ଣା ରନ୍ଧା ଘର ଆଡ଼କୁ ଗଲେ ।

 

ଦୀନକୃଷ୍ଣ ବାବୁ ଖାଇପିଇ ସାରି ନିଜ କାମ ପାଇଁ ବାହାରିଲେ । ରେବତୀ ଅପା ଓ କୃଷ୍ଣା ଖାଇ ବସିଲେ ।

 

‘‘ହଇଲୋ କୃଷ୍ଣା, ମୋ ଭାଇକୁ ଟିକିଏ ବୁଝେଇ ଦେଉନୁ, ମୋତେ ପାଞ୍ଚ ହଜାର ଟଙ୍କା ଦେଲେ, କ’ଣଟା ତୁମର ସରିଯିବ ? କ’ଣ ଏ ଘରେ ମୋର ଭାଗ ନାହିଁ ଯେ, ମୋତେ ଏତେ ହନ୍ତସନ୍ତ କରୁଛ ?’’

 

‘‘ମୁଁ କ’ଣ କରିବି ଅପା ! କାମ ଧାମ କଥା, ଟଙ୍କା ପଇସା କଥା ମୁଁ କ’ଣ ଜାଣେ ? ପିଲା ଛୁଆଙ୍କ ଅଝଟ ଅଳି ଓ ରନ୍ଧାବଢ଼ାରେ ତ ମୋ ଦିନଯାଉଛି ।’’

 

‘‘ଆହା ହା ! ତୁ କିଛି ଜାଣି ନାହୁଁ । ବିରାଡ଼ି ଆଖିବୁଜି କ୍ଷୀର ଖାଉଛି ବୋଲି ଭାବୁଛି, କେହି ଦେଖୁନାହାନ୍ତି । ହଇଲୋ, ମୁଁ କ’ଣ ସବୁକଥା ବୁଝୁନାହିଁ, ନା ଜାଣି ନାହିଁ । ମୋ ଭାଇକୁ ପରା ଏକବାରେ ଜବତ୍‌ କରି ନେଇଛୁ । ନ ହେଲେ ମୋ ଭାଇ କ’ଣ ଏଡ଼େ ଛୋଟ ଲୋକ ଯେ, ମୋତେ ଟଙ୍କା ଦେବାକୁ ଏତେ କୁନ୍ଥୁ କୁନ୍ଥୁ ହୁଅନ୍ତା ।’’ ପୁଣି କହିଲେ ‘ହେଲେ ସେ ମୋ ଭାଇ, ମୁଁ ତାକୁ କ’ଣ ଚିହ୍ନି ନାହିଁ ?’’

 

କୃଷ୍ଣା ଚୁପ୍‌ ହୋଇ ରହିଲେ, କିଛି କହିଲେ ନାହିଁ, ହାତ ଧୋଇ ଉଠିଲେ ।

 

‘‘ମୋ ବାପ ସମ୍ପତ୍ତି, ପୁଣି କିଏ ଭୋଗ କରୁଛି, ଦେଖ ଏ କଥା’’ କହି ରେବତୀ ମଧ୍ୟ ଖାଇସାରି ଉଠିଲେ ।

 

କୃଷ୍ଣା କହିଲେ ‘‘ଅପା, ତୁମ ଭାଇ ଦେଲେ କଣ ମୁଁ ମନା କରୁଛି ?’’

 

‘‘ହଁ, ତୁ ନିଶ୍ଚେ ମନା କରୁଛୁ । ଛୋଟ ଲୋକ ଘରୁ ଝିଅ ଆଣିଲେ ପରା ଏ ସବୁ ହୁଏ । ହଇରେ, ଆଜି ପର୍ଯ୍ୟନ୍ତ ଦୀନା କେବେ ମନା କରୁ ନ ଥିଲା, ଆଜି କାହିଁକି ଏମିତି କରନ୍ତା ? ସେ ପରା ତୋ’ ବୁଦ୍ଧି । ତୁ ଭାବିଛୁ, ତୁ ଏକା ସବୁ ଖାଇବୁ, ତୋ ବାପ ଘରକୁ ଦେବୁ–ମୋ ବାପ ସମ୍ପତ୍ତିକୁ । ଆଉ ଆମେ ସବୁ ଭୋକ ଉପାସରେ ମରିବୁ, ହଉ ଦେଖୁଛି ।’’

 

‘‘ଅପା, ଅଯଥା କାହିଁକି ବିରକ୍ତ ହେଉଛ, ବିଶ୍ୱାସକର ଏସବୁ ବିଷୟରେ ମୁଁ କେବେ ମୁଣ୍ଡ ଘୂରାଏ ନାହିଁ, ମୋର ସମୟ ମଧ୍ୟ ନାହିଁ । ମୋର ବାହା ହୋଇ ଆସିବାଟା ଆଜିକୁ ପନ୍ଦର ବର୍ଷ ହେବଣି, କେବେ ଦେଖିଛ ଏ ସବୁ କଥାରେ ମୋତେ ?’’

 

‘‘ହଁ, ହଁ ଥାଉ, ସବୁ ଜାଣେରେ ସବୁ ଜାଣେ, ତୋଠୁ ବୟସରେ, ଅନୁଭୂତିରେ ଅନେକ ବଡ଼ । ତୋ ଚାଲାକି ମଉନ ମୁହିଁ ପଣିଆ, ମୋ ପାଖରେ ଅଛପା ହୋଇ ରହିନାହିଁ କି ରହି ପାରିବ ନାହିଁ, କିଛି କଥା ତୁ ଲୁଚାଇ ପାରିବୁ ନାହିଁ ।’’

 

କୃଷ୍ଣା କିଛି ନ କହି, ପୁଣି ନିଜ କାମରେ ଲାଗିଲେ ।

 

କୃଷ୍ଣାର ନୀରବତା, ରେବତୀଙ୍କ କ୍ରୋଧକୁ ଦ୍ୱିଗୁଣିତ କଲା । ସେ ଆହୁରି ପାଟି କରିକରି, ଯାହା ଇଚ୍ଛା ତାହା ବକିବା ଆରମ୍ଭ କଲେ । ବେଳକୁ ବେଳ କ୍ରୋଧ ବଢ଼ିବାରେ ଲାଗିଛି ।

 

କିଷ୍ଣା କିନ୍ତୁ ନିରୁତ୍ତର ।

 

(ତିନି)

 

ସମୟ କାହାକୁ ଅପେକ୍ଷା କରେ ନାହିଁ । କାମ କାହାରି ସୁବିଧା ଅସୁବିଧା, ସୁଖ ଦୁଃଖକୁ ଖାତିର କରେ ନାହିଁ । ଯେତେ ଅସୁବିଧା ବା ଦୁଃଖରେ ପଡ଼ିଥିଲେ ସୁଦ୍ଧା ଠିକ୍‌ କାମ ଠିକ୍‌ ସମୟରେ କରିବାକୁ ହେବ ।

 

ମୁଣ୍ଡ ଅନ୍ୟାନ୍ୟ ଚିନ୍ତାରେ ଯେତେ ଭାରାକ୍ରାନ୍ତ ଥିଲେ ସୁଦ୍ଧା, ଯେତେବେଳେ ଯେଉଁ କାମ କରିବାକୁ ହେବ, ତା ପାଇଁ ସବୁ ଚିନ୍ତା ଛାଡ଼ି ସେହି କାମ ଚିନ୍ତା କରିବାକୁ ପଡ଼ିବ, ନୋହିଲେ ଭୁଲ୍‌ ହୋଇଯିବାର ବିଶେଷ ସମ୍ଭାବନା । ଅନେକ ସମୟରେ ତାହା ହୁଏତ ଭାରାକ୍ରାନ୍ତମତିକୁ ହାଲୁକା କରିବା ପାଇଁ ବାଧ୍ୟ କରିଥାଏ । କିନ୍ତୁ ପ୍ରାୟ ବିରକ୍ତିକର ହୋଇ ପଡ଼େ ।

 

ଦୀନକୃଷ୍ଣ ବାବୁ ରାତିସାରା ଚିନ୍ତାକରି, କୌଣସି କଥା ଠିକ୍‌ କରିପାରି ନାହାନ୍ତି । ମନରେ କେବଳ ଭାବୁଛନ୍ତି–ଟଙ୍କା କେଉଁଠୁ ଆଣିବେ, ବ୍ୟବସାୟ କିପରି ଚଳାଇବେ, ପୁଣି ଅପାକୁ କିପରି ସନ୍ତୁଷ୍ଟ କରାଇବେ । ଏତେବେଳକୁ ପୁଣି ସପ୍ଲାଇ ଅଫିସରୁ ନୋଟିସ୍‌ ଆସିଲା, ‘ତୁମେ ସାପ୍ତାହିକ ରିଟର୍ଣ୍ଣ କାହିଁକି ଦେଇ ନାହଁ, ଓ ତୁମ ଲାଇସେନ୍‌ସ କାହିଁକି ବାତିଲ୍‌ ନ ହେବ ।’’

 

ରାମବାବୁଙ୍କୁ ଡକାଇଲେ, ରାମବାବୁ ନାହାନ୍ତି । ଚପରାଶି ଆସି କହିଲା ‘‘ଆଜ୍ଞା, ରାମବାବୁ କାଲି ଉପରବେଳାଠୁ କୁଆଡ଼େ ଯାଇଛନ୍ତି ।’’

 

‘‘ଆରେ, ଗଲେ କୁଆଡ଼େ ? ହଉ, କୃଷ୍ଣକୁ ଡାକ ।’’

 

କୃଷ୍ଣ ଆସିଲେ, ଜିଜ୍ଞାସୁ ଭାବରେ ଛିଡ଼ା ହେଲେ ।

 

ଦୀନକୃଷ୍ଣ ବାବୁ ପଚାରିଲେ ‘‘କିହୋ, ସପ୍ଳାଇ ଅଫିସ୍‌କୁ ସାପ୍ତାହିକ ରିଟର୍ଣ୍ଣ ପଠାଇ ନାହିଁ, କଥା କଣ ?’’

 

‘ଆଜ୍ଞା, ପଠା ହୋଇଛି ତ !’’

 

‘‘ତା ହେଲେ ଏଇଟା ପୁଣି କଣ ଗୋଟାଏ ଆସିଲାଣି ଦେଖିଲ’’ କହି ଚିଠିଟା ତାଙ୍କ ଆଡ଼କୁ ବଢ଼ାଇ ଦେଲେ ।

 

କୃଷ୍ଣବାବୁ ଚିଠି ଉପରେ ନଜର ବୁଲାଇ, ସଙ୍ଗରେ ଧରି ବାହାରି ଗଲେ, ପୁଣି ସେହି ସାପ୍ତାହିକ ରିଟର୍ଣ୍ଣର କପି ଓ ତହିଁରେ ଥିବା ଅଫିସରଙ୍କ ପ୍ରାପ୍ତି ସ୍ୱୀକାର ଲେଖା ଆଣି ଦେଖାଇଲେ । ଦୀନକୃଷ୍ଣ ବାବୁ କହିଲେ ‘‘ଠିକ୍‌ ତ ସେତ କେବେଠୁ ଦିଆ ହେଲାଣି, ପୁଣି କ’ଣ ଏମାନେ ମାଗୁଛନ୍ତି-?’’ ‘ହଉ’, କହିଁ ଫୋନ୍‌ ଉଠାଇ ସପ୍ଳାଇ ଅଫିସ୍‌କୁ ଫୋନ୍‌ କଲେ ।

 

‘‘ଆଜ୍ଞା, ମୁଁ ଦୀନକୃଷ୍ଣ କହୁଛି ।’’

 

‘‘କଥା କଣ କି, ମୁଁ ବର୍ତ୍ତମାନ ଆପଣଙ୍କ ଅଫିସ୍‌ରୁ ଚିଠି ପାଇଲି ଯେ ମୁଁ ସାପ୍ତାହିକ ରିଟର୍ଣ୍ଣ ପଠାଇ ନାହିଁ ବୋଲି, କିନ୍ତୁ ମୁଁ ତ ପଠାଇଛି ।’

 

‘‘ନା-ନା, ପଠା ହୋଇଛି, ମୋଠି ପରା ତା’ କପି ଅଛି, ଓ ତହିଁରେ ଆପଣଙ୍କ ପ୍ରାପ୍ତି ସ୍ୱୀକାର କଥା ଲେଖା ଅଛି ।’’

 

‘‘ପୁଣି ପଠାଇବି ? ଟିକିଏ ଖୋଜା ଖୋଜି କରନ୍ତୁ, ଯଦି ମିଳି ନଯାଏ, ତାହେଲେ ଦେଖିବା । ନୋହିଲେ ପୁଣି ମୋତେ–ତିଆର କରି ପଠାଇବା ପାଇଁ ଅଯଥା ହଇରାଣ ହେବାକୁ ପଡ଼ିବ ।’’

 

‘‘ହଉ, ତାହେଲେ ଆଉ କଣ କରିବା, ରିଟର୍ଣ୍ଣ ତିଆର କରି ପଠାଇ ଦେଉଛି ।’’

 

‘‘ହଉ, ନମସ୍କାର ଆଜ୍ଞା !’’

 

କୃଷ୍ଣବାବୁ ଆଡ଼କୁ ଦେଖି କହିଲେ, ‘‘କୃଷ୍ଣ, ସେମାନେ ପରା ହଜେଇ ଦେଇଛନ୍ତି, ଆଉ ଗୋଟିଏ କପିକରି ତାଙ୍କୁ ଦେଇ ଆସ ।’’

 

‘‘ହଉ ଆଜ୍ଞା ।’’

 

ପୁଣି ନିଜ କାମରେ ଦୀନକୃଷ୍ଣ ବାବୁ ମନଦେଲେ । ମୁଣ୍ଡରେ ଝଡ଼ ବହି ଚାଲିଛି, ସେତେବେଳେ ରାମବାବୁ ଭିତରକୁ ଆସି କହିଲେ, ‘‘ଆଜ୍ଞା, କାଲିଠୁ ଲାଗିଲିଣି, କିରାନୀ ଏକାଉଣ୍ଟେଣ୍ଟ୍‌କୁ–ଖୋସାମତ କରି ତାଙ୍କ ପ୍ରାପ୍ୟ ଆଦି ଦେଇ, ଟଙ୍କା ତିନିହଜାର ଆଣି ପାରିଲି ।’’

 

‘‘କାଲିଠୁ ତୁମେ ତା ପଛରେ ଲାଗିଥିଲ ? ମୁଁ ଯେ ଭାବୁଛି–କୁଆଡ଼େ ଗଲ ବୋଲି, ହଉ ସେ ଟଙ୍କା ମତେ ଆଣି ଦେଲ ।’’

 

‘‘ଆଜ୍ଞା, ସେଇଟା ପରା ସେଲ୍‌ଟେକ୍‌ସ ଜମା ଦେବା’’ କହି ରାମବାବୁ ମୁଣ୍ଡରେ ହାତ ବୁଲାଇଲେ ।

 

‘‘ଆଚ୍ଛା, ସେଲଟେକ୍‌ସ ଭରିବା ପାଇଁ ତ ଆଉକିଛି ସମୟ ଅଛି !’’ ଏପରି ସମୟରେ ରମେଶ ବାବୁ ଭିତରକୁ ପଶି ଆସିଲେ ।

 

‘‘କିହୋ, କିଛି କାହାକୁ ନ କହି କାଲିଠୁ କୁଆଡ଼େ ଯାଇଥିଲ ?’’ କହିଲେ ଦୀନକୃଷ୍ଣ ବାବୁ-

 

‘‘ଗୋଟିଏ ବନ୍ଧୁ ଘରକୁ ଯାଇଥିଲି’’ କହି ରମେଶ ବାବୁ ସାମ୍‌ନା ଚୌକିରେ ବସିଲେ ।

 

‘‘ଆଚ୍ଛା ରାମବାବୁ, ଟିକିଏ ପରେ ଡାକିବି, ତୁମେ ଯାଅ’ କହି ଦୀନକୃଷ୍ଣ ବାବୁ ରାମବାବୁଙ୍କୁ ସେଠୁ ବିଦାୟ କଲେ ।

 

‘‘ହଇହୋ, ତୁମେ ପରା ଗାଁକୁ ଯାଉଥିଲ ଜମି ଗ୍ରାହକ ଠିକ୍‌ କରିବା ପାଇଁ, ଅପା କହୁଥିଲା ।’’

 

‘‘ହଁ, ଗ୍ରାହକ ତ ଗଛରେ ଫଳୁଛନ୍ତି ଯେ’ ତୋଳି ଆଣିଛି’’ କହି ଗୋଟିଏ ବିଦ୍ରୂପ ହସ ହସିଲେ ରମେଶ ବାବୁ ।

 

‘‘ହଉ, ଅପାକୁ କଣ କଣ କହି ପଳାଇଲ ଯେ’ ଦିନସାରା ସେ ଖାଇନାହିଁ, ଆଉ ଖାଲି କାନ୍ଦିଲା, ଏଇଟା କିନ୍ତୁ ତମର ଅନ୍ୟାୟ ।’’

 

‘‘ମୁଁ କିଛି କହି ନାହିଁ ! ଯାହା ସତକଥା କହିଛି, ସେଥିରେ ସେ ମନ ଦୁଃଖ କଲେ ମୁଁ କ’ଣ କରିବି ? ହଉ, ଆଜି ଆମେ–ଯାଉଛୁ, କହିବାକୁ ଆସିଲି’’ କହି ଛିଡ଼ା ହେଲ ରମେଶ ବାବୁ ଯିବାକୁ ।

 

‘‘ଆରେ, କେତେବେଳେ ଯିବ ?’’ କହି ବ୍ୟସ୍ତ ହୋଇପଡ଼ିଲେ ଦୀନବାବୁ ।

 

‘‘ତିନିଟା ଗାଡ଼ିରେ’’ କହି ରମେଶ ବାବୁ ଚାଲିଗଲେ ।

 

ଦୀନକୃଷ୍ଣ ଚୁପ୍‌ ହୋଇ ଭାବିଲେ ‘‘ପ୍ରକୃତରେ ନରମାୟା ନାରାୟଣଙ୍କୁ ଅଗୋଚର । ଏପରି ଲୋକକୁ ପ୍ରଶ୍ରୟ ଦେବା ଅତି ଭୁଲ୍‌ । ଯେତେ ସୁବିଧା ପାଇବେ, ସେତିକି ତାଙ୍କର ପ୍ରାପ୍ତି ଲାଳସା ବଢ଼ି ଚାଲିଥିବ । ଦେଲେ ଭାବିବେ, ମୁଁ ତାଙ୍କୁ ଭୟ କରି ଦେଲି, ନଦେଲେ ଅପା ଉପରେ ବାକ୍ୟବାଣ ବର୍ଷିବ । କଣ କରିବା, ହେଉ ଦେଖାଯାଉ–କଣ ହେଉଛି । ଏମିତି ଅନେକ କଥା ଭାବୁଛନ୍ତି, ଏତିକିବେଳେ ରାମବାବୁ ଆସି କହିଲେ ‘‘ଆଜ୍ଞା ସେଲ୍‌ଟେକ୍‌ସ ଇନ୍‌ସପେକ୍‌ଟର୍‌ ଆସିଛନ୍ତି, ଆପଣଙ୍କୁ ଡାକୁଛନ୍ତି ।’’

 

‘‘କାହିଁ, କଣ ହେଲାକି ? କାହିଁକି ଡାକୁଛନ୍ତି ?’’ କହି ଦୀନକୃଷ୍ଣ ଛିଡ଼ାହୋଇ ଦୋକାନ ଭିତରକୁ ଯିବାକୁ ବାହାରିଲେ ।

 

ନୂଆ ସେଲଟେକ୍‌ସ ଇନିସ୍‌ପେକଟର ବସିଛନ୍ତି, ଅନୁମାନ କରି ଦୀନକୃଷ୍ଣ ବାବୁ ନମସ୍କାର କଲେ । କହିଲେ, ‘‘କୁହନ୍ତୁ ଆଜ୍ଞା, କ’ଣ ପାଇଁ ଡାକିଲେ ।’’

 

‘‘ମୁଁ ସେଲ୍‌ଟେକ୍‌ସ ଇନିସପେକ୍ଟର୍‌, ଚେକ୍‌ ‌କରିବା ପାଇଁ ଆସିଛି । ଆପଣଙ୍କର ତ କିଛି ଏକାଉଣ୍ଟ୍‌ ଠିକ୍‌ ଦେଖୁନାହିଁ । ଏତ ଅତି ଗୁରୁତର ବ୍ୟପାର’’ କହି ଇନିସ୍‌ପେକ୍‌ଟର ବଡ଼ ଗମ୍ଭୀର ହେଲେ ।

 

ଦୀନକୃଷ୍ଣ ବାବୁ, ରାମ ଆଡ଼କୁ ଚାହିଁ କହିଲେ–‘‘କ’ଣ ରାମ ବାବୁ; ଆପଣ ଷ୍ଟକ୍‌ ବହି, ବିକ୍ରୀ ବହି ଦେଖାଇ ଦେଉନାହାନ୍ତି ।’’ ତା’ପରେ ପୁଣି ଇନିସ୍‌ପେକ୍‌ଟର ବାବୁଙ୍କ ଆଡ଼କୁ ଦେଖି କହିଲେ ‘‘କଉ ଏକାଉଣ୍ଟ ଠିକ୍‌ ନାହିଁ ଆଜ୍ଞା ! କହିଲେ ଠିକ୍‌ କରିଦେବୁ ।’’

 

ଆଶ୍ଚର୍ଯ୍ୟ ହୋଇ ଇନିସ୍‌ପେକ୍‌ଟର କହିଲେ ‘‘ଆପଣ ଷ୍ଟକ୍‌ ବୁକ୍‌ ରଖିଛନ୍ତି ?’’

 

‘‘ଆଜ୍ଞା ହଁ’’

 

‘‘କିପରି ? କେହିତ ରଖନ୍ତି ନାହିଁ, ଆପଣ କିପରି ରଖିଲେ ?’’

 

‘‘ମୂଳରୁ ଆମର ସେଇ ଧରଣରେ ଚଳି ଆସୁଛି । ଆପଣ ଦୟାକରି ଦେଖନ୍ତୁ, ଆଉ କିଛି ଭୁଲ୍‌ ଭାଲ୍‌ ଥିଲେ ଠିକ୍‌ କରିଦେବୁ ।’’ କହି ନିଜ ଅଫିସ୍‌କୁ ଯିବାକୁ ବାହାରିଲେ ।

 

କ’ଣ, ଆପଣ କୁଆଡ଼େ ଯାଉଛନ୍ତି ?’’ ଇନିସ୍‌ପେକ୍ଟର ବାବୁ ଧମକ୍‌ ଦେଲା ଭଳି କହିଲେ ।

 

‘ଆଜ୍ଞା ମୋ ଅଫିସ୍‌କୁ ଯାଉଛି; ଅନ୍ୟାନ୍ୟ କାମ କରିବି । ଏଇ ରାମବାବୁ ଆପଣଙ୍କୁ ସମସ୍ତ ଖାତାପତ୍ର ଦେଖେଇ ଦେବେ’ କହ ଦୀନକୃଷ୍ଣ ବାବୁ ନିଜ ଅଫିସ୍‌କୁ ଚାଲିଗଲେ ।

 

ଇନିସ୍‌ପେକ୍‌ଟର ବାବୁ ମନେ ମନେ ଭୀଷଣ ରାଗିଗଲେ । ଷ୍ଟକ୍‌ ଖାତା ଦେଖା ଦେଖି କରି କହିଲେ ‘‘ମୁଁ ଆପଣଙ୍କର ଷ୍ଟକ୍‌ ଚେକ୍‌ କରିବି ।’’

 

ରାମ୍‌ବାବୁ କହିଲେ ‘‘ହଉ କରନ୍ତୁ’’ । ରାମ୍‌ବାବୁ ପୁଣି–ଦୀନକୃଷ୍ଣ ବାବୁଙ୍କୁ ଯାଇ କହିଲେ ‘‘ସେ ପୂରା ଷ୍ଟକ୍‌ ଚେକ୍‌ କରିବେ ।’’

 

‘‘ହଉ, ତାଙ୍କ ସାଥୀରେ ଜଣକୁ ହେଇ ଷ୍ଟକ୍‌ ଚେକ୍‌ କରାନ୍ତୁ’’ ପୁଣି କହିଲେ ‘ଆଚ୍ଛା ରାମବାବୁ, ସେ ଟଙ୍କାଟା ମୋତେ ଆଣି ଦିଅନ୍ତୁ ମୁଁ ଟିକିଏ ଘରକୁ ଯିବି । ଅପା ପରା ୩ଟା ଗାଡ଼ିରେ ଯିବ । ତାକୁ ବିଦାୟ କରି ଆସେ ।’’

 

‘‘ଆଜ୍ଞା...କିନ୍ତୁ.....’’ କହି ରାମବାବୁ ଟଙ୍କା ନେବାକୁ ଗଲେ । ଟଙ୍କା ଆଣି ଦୀନକୃଷ୍ଣ ବାବୁଙ୍କୁ କହିଲେ ‘‘କିନ୍ତୁ ବଡ଼ ଅସୁବିଧା ହେବ ।’’

 

ଦୀନକୃଷ୍ଣ ବାବୁ କହିଲେ ‘‘ରାମବାବୁ, ସବୁତ ଅସୁବିଧା ହେଉଛି, କ’ଣ କରିବା ? ଟିକିଏ ଚେଷ୍ଟାକରି ଦିନେ ଦୁଇଦିନରେ ସେଲ୍‌ଟେକ୍‌ସ ଟଙ୍କା ଭରି ଦେବା, ବର୍ତ୍ତମାନ କିନ୍ତୁ ଏ ଟଙ୍କା ମୋର ବିଶେଷ ଦରକାର । ଅପା ଚାଲିଯାଉଛି, ତାର ତ ପୁଣି କିଛି ବ୍ୟବସ୍ଥା କରିବାକୁ ହେବ’’ କହି ସେ ଘରକୁ ଚାଲିଗଲେ ।

 

ରାମବାବୁ ପୁଣି ଦୋକାନକୁ ଆଣି ସେଲ୍‌ଟେକ୍‌ସ ଇନିସ୍‌ପେକ୍‌ଟରଙ୍କୁ ଖାତା ଦେଖାଇବାରେ ବ୍ୟସ୍ତ ରହିଲେ ।

 

ଘରକୁ ଯାଇ ଦେଖିଲେ, କୃଷ୍ଣାଙ୍କୁ ଛାଡ଼ି ସମସ୍ତେ ଖିଆପିଆ ସାରିଲେଣି । ରେବତୀ ଓ ରମେଶ ତାଙ୍କ ସାମାନ ବନ୍ଧା ବନ୍ଧିରେ ବ୍ୟସ୍ତ । ପିଲାଏ ପଢ଼ି ଯାଇଛନ୍ତି, କୃଷ୍ଣା ଚୁପ୍‌ ହୋଇ ବସିଛନ୍ତି । ଟିକିଏ ଶୁଖିଲା ହସ ହସିଦେଇ ଦୀନକୃଷ୍ଣ କୃଷ୍ଣାଙ୍କୁ କହିଲେ ‘‘ଖାଇବା ପାଇଁ ବଢ଼ା ବଢ଼ି କର ।’’ ତା’ପରେ ଧୀରେ ଧୀରେ କହିଲେ ‘‘ତିନି ହଜାର ପାଇଲି, ୟାଙ୍କୁ ଦେଇ ବିଦାୟ କରୁଛି, ଆଉ କ’ଣ କରିବା ?’’

 

କୃଷ୍ଣା, ମୁଣ୍ଡ ଟୁଙ୍ଗାରି, ରନ୍ଧା ଘରକୁ ବଢ଼ାବଢ଼ି କରିବା ପାଇଁ ଗଲେ ।

 

ଦୀନକୃଷ୍ଣ ବାବୁ ଡାକିଲେ ‘‘ଅପା; ଟିକିଏ ଆସିଲୁ ।’’

 

ରେବତୀ ଅପା ତର ତର ହୋଇ ଆସିଲେ ‘‘କଣ କିରେ ?’’

 

‘‘ଏଇନେ ଏତିକି ପାଇଲି, ଆଉ ପାଇଲି ନାହିଁ’’ କହି ନୋଟ୍‌ ବଣ୍ଡଲିଟା ବଢ଼େଇ ଦେଲେ-

 

‘‘କେତେ ଅଛି ?’’

 

‘‘ତିନି ହଜାର, କାଲିଠୁ ଲାଗି ଲାଗି ରାମବାବୁ ଆଣିଛନ୍ତି । ସେଲ୍‌ଟେକ୍‌ସ ବୁଝାଇବାର ଥିଲା, ତାକୁ ଧରି ଆସିଲି ତୋତେ ଦେବାକୁ’’ କହି ହାତ ଗୋଡ଼ ଧୋଇବାକୁ ଚାଲିଗଲେ ।

 

ରେବତୀ ଅପା, ନୋଟ୍‌ ବଣ୍ଡଲ୍‌କୁ ହାତରେ ଧରି କହିଲେ ‘‘ଏତିକିରେ କଣ ହେବ ?’’ ତାପରେ ରମେଶ ବାବୁ ଥିବା କୋଠରୀକୁ ଯାଇ, ରମେଶ ବାବୁଙ୍କୁ ତାହା ବଢ଼େଇ ଦେଇ, ଟିକିଏ ବିଜୟର ସ୍ମିତ ହାସ୍ୟ ଦେଲେ ।

 

ଟଙ୍କାକୁ ବାକ୍‌ସରେ ରଖୁ ରଖୁ ରମେଶବାବୁ କହିଲେ, ‘ଏତିକିରେ କଣ ହେବ ? ଏଇଟା ଭିଖ ଦେଉଛନ୍ତି ନା କ’ଣ ?

 

ରେବତୀ ଅପା ତୁନି ହୋଇ ରହିବା ପାଇଁ ଇସାରା ଦେଲେ । ପୁଣି ଟିକିଏ ପାଟିକରି କହିଲେ, ‘‘ହଉ ଆଉ କଣ କରିବା, ବର୍ତ୍ତମାନ ପରା ତା ପାଖରେ ନାହିଁ, ଆଉ ତାକୁ ହଇରାଣ କାହିଁକି କରିବା, ପରେ ଆଉ ଦେବ ନାହିଁ ନା କ’ଣ ? ପୁଣି କହିଲେ–‘‘ଗାଆଁରେ କିଛି ବନ୍ଦୋବସ୍ତ କରି କାମ ଚଳେଇ ନେବା, ପରେ–ଦୀନୁ ଦେଲେ ଦେଇ ଦେବା ।’’

 

ଦୀନକୃଷ୍ଣ ଚୁପ୍‌ କରି ଖାଉ ଖାଉ, ସବୁ ଶୁଣୁଛନ୍ତି, କିଛି କହୁ ନାହାନ୍ତି । କୃଷ୍ଣା ପାଖରେ ବସିଛନ୍ତି ।

 

ଦୀନକୃଷ୍ଣ କହିଲେ ‘‘କୃଷ୍ଣା, ତୁମେ ଆଉ କାହିଁକି ଟାକିଛ, ତୁମ ପାଇଁ ବାଢ଼, ଖାଇ ପକାଅ-। ମୁଁ ପୁଣି ସଙ୍ଗେ ସଙ୍ଗେ ଚାଲିଯିବି ଅଫିସକୁ; ବହୁତ କାମ । ଡ୍ରାଇଭର୍‌କୁ କହି ଦେବି, ୩ଟାରେ ଅପା ଓ ରମେଶ ବାବୁଙ୍କୁ ଷ୍ଟେସ୍‌ନକୁ ପହୁଞ୍ଚାଇ ଦେବ ।’’

 

କୃଷ୍ଣା କହିଲେ ‘‘ତୁମେ ଖାଇ ସାର, ତାପରେ ଅପାକୁ ଦେବା ପାଇଁ କଣ କଣ ରଖିଛି ଦେଖ ।’’

 

ଦୀନକୃଷ୍ଣ ଆଉକିଛି ନ କହି ଚୁପ୍‌ ଚୁପ୍‌ ଖାଇବାରେ ଲାଗିଲେ ।

 

କୃଷ୍ଣାଦେବୀ, କୌଳିକ ପ୍ରଥାନୁଯାୟୀ ଯାହା ରେବତୀ ଅପାଙ୍କୁ ଦେବାକଥା, ତାହାସବୁ ଆଣି ଦୀନକୃଷ୍ଣଙ୍କୁ ଦେଖାଇଲେ, ଦୀନକୃଷ୍ଣ କହିଲେ ‘‘କୃଷ୍ଣା ମତେ କ’ଣ ଦେଖାଉଛ, ତୁମେ କଣ ଜାଣିନ । ଯାହା ଦେବା କଥାତ ଦେବ, ମୁଁ ଦେଖିଲେ ଅଧିକଟା କଣ କରିବି ?’’

 

‘‘ନା; ତଥାପି ତମକୁ ନ ଦେଖାଇ ମୁଁ ମୋ ମନେ–ମନେ କେମିତି କ’ଣ କରିବି’’ କହି ପୁଣି କୃଷ୍ଣା ଦେବୀ ସବୁ ଜିନିଷ ବନ୍ଧାବନ୍ଧି କରି ଅପାଙ୍କୁ ଡାକି କହିଲେ ‘‘ଅପା, ଏଇଟା ସବୁ ନିଅ ।’’

 

ରେବତୀ କହିଲେ, ‘‘ଆଃ ! କଉଟା ଦେବୁ ଯେ, ଏତେ ଦେଖେଇ ହଉଛି । ହଉ ଆଣ ।’

 

କୃଷ୍ଣା ସବୁ ଜିନିଷ ଆଣି ତାଙ୍କୁ ବଢ଼େଇ ଦେଲେ । ରେବତୀ ଦେବୀ ଅତି ଆନନ୍ଦରେ ନେଇ ବାକ୍‌ସରେ ଭରିଦେଲେ ।

 

ଦୀନକୃଷ୍ଣ ବାବୁ କହିଲେ ‘‘ରମେଶ ବାବୁ, ମୁଁ ଯାଉଛି ଭାଇ ! ଗଲାବେଳକୁ ଆଉ ଦେଖା ହୋଇ ପାରିବ ନାହିଁ । ଡ୍ରାଇଭର୍‌କୁ କହି ଦେବି, ୩ଟାରେ ତମକୁ ଷ୍ଟେସନ୍‌କୁ ପହଞ୍ଚାଇ ଦେବ ।’’

 

ଅପା ଓ ରମେଶ ବାବୁ ଦିହେଁ ବାହାରି ପଡ଼ିଲେ ।

 

ଅପା କହିଲେ ‘‘ଦେଖ୍‌ ବାବୁ ଦୀନା, ଆମେ ଯାଉଛୁ । ଟିକିଏ ସମ୍ଭାଳି ଚଳିବ । ଯେଉଁ ଯୁଗ ହେଲାଣି ନା, ଟିକିଏ ହେଳା ହେଲେ ଭେଳା ବୁଡ଼ିଯିବ, ବିପଦ ଆପଦକୁ ସାହା–କେହି ନାହିଁ । ବାପା ତ ଆଉ ନାହାନ୍ତି ଯେ, ସବୁ କଥାକୁ ସମ୍ଭାଳିବେ । ତମେ ତ ରହିଲ ଅନେକ ଦୂରେ । ପିଲା ଛୁଆଙ୍କର ଯତ୍ନ–ନେଉଥିବ’’ କହି ଆଖି ପୋଛି ପକାଇଲେ ।

 

ରମେଶ ବାବୁ ମଧ୍ୟ ଆଖି ଛଳ ଛଳ କରି ନମସ୍କାର କଲେ ।

 

ଦୀନକୃଷ୍ଣ ବାବୁ ଅଫିସ୍‌କୁ ଚାଲିଗଲେ । ବାଟରେ ଯାଉ ଯାଉ ମନକୁ ମନ କହିଲେ ‘‘ହେ ଭଗ୍‌ବାନ୍‌, ବିଚିତ୍ର ତୁମର ମାୟା ।’’

 

(ଚାରି)

 

ଶତ ସହସ୍ର ଶତାବ୍ଦୀ ଇତିହାସର ଦୃଷ୍ଟାନ୍ତ । ମହାମାନବର ଅନୁଭୂତିର ଅମର ଆହ୍ୱାନ, ଶାସ୍ତ୍ର ପୁରାଣର ଶିକ୍ଷା ମାନବକୁ ଆଜି ସୁଦ୍ଧା ଲୋଭ, ଈର୍ଷା, ଘୃଣାର ଘୂର୍ଣ୍ଣିବାୟୁରୁ ରକ୍ଷାକରି ପାରିନାହିଁ । ଆଜି ମଧ୍ୟ ଈର୍ଷା ପୃଥିବୀରେ ତାର ରାଜୁତି ବିସ୍ତାର କରି ପ୍ରତ୍ୟେକ ଲୋକକୁ ତିଳ ତିଳ କରି ତାର ଅମର ଚିତାନଳରେ ଭସ୍ମୀଭୂତ କରି ଚାଲିଛି । ମାନମ ଜାଣି ଜାଣି ମଧ୍ୟ, ପୁଣି ସେହି ଚିତାନଳରେ ଝାସଦେବା ପାଇଁ ସତତ ବ୍ୟଗ୍ର । ବ୍ୟକ୍ତିଗତ ଜୀବନ ହେଉ, ସାମାଜିକ ବା ରାଜନୈତିକ ଜୀବନ ହେଉ ଈର୍ଷା ସର୍ବଗ୍ରାସୀ । ଗାଁ ଗାଁ, ରାଜ୍ୟ ରାଜ୍ୟ, ଦେଶ ଦେଶ ବା ମହାଦେଶ, ସର୍ବତ୍ର ଏହି ଈର୍ଷାର ବିଷାକ୍ତ ବାୟୁ ପ୍ରବାହିତ । କେଉଁଠି ଧନ ସମ୍ପତ୍ତି ପାଇଁ କେଉଁଠି ରୂପ ଗୁଣ ପାଇଁ, କେଉଁଠି ବା ବିଦ୍ୟା ବୁଦ୍ଧି ପାଇଁ, ଈର୍ଷା ତାର ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଅବଶ୍ୟ ମାତ୍ରା ଓ ପ୍ରକାରରେ ପାର୍ଥକ୍ୟ ଥାଇପାରେ ।

 

ଅପାରଗର ଈର୍ଷା ସ୍ୱଭାବତଃ ସର୍ବାଧିକ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ପାରିବା ଲୋକ ଯେ’ ତହିଁରୁ ନିଷ୍କୃତ ପାଇଛି, ତା କହିବା କଷ୍ଟକର । ମନେହୁଏ, ଈର୍ଷା ହେଉଛି ଯେପରି ମାନବର ଗୋଟିଏ ସହଜାତ ପ୍ରବୃତ୍ତି । ତାଠୁ ରକ୍ଷା ପାଇବାକୁ ହେଲେ, ଯେଉଁ ସାଧନା ବା ତପସ୍ୟା ଦରକାର ତାହା ମୋକ୍ଷ ସାଧନାରୁ କୌଣସି ଗୃହରେ ନ୍ୟୂନ ବା କମ୍‌ କଷ୍ଟ ସାଧ୍ୟ ନୁହେଁ । ହୋଇପାରେ ଈର୍ଷା ପରିହାର ପାଇଁ ସାଧନା ହେଉଛି–ସେହି ମୋକ୍ଷ ସାଧନାର ପ୍ରଥମ ପାହାଚ ।

 

ରମେଶବାବୁଙ୍କ ଅବସ୍ଥା ବେଶ୍ ସ୍ୱଚ୍ଛଳ ଥିଲା । ଘରଦ୍ୱାର, ଜମିବାଡ଼ି, ଗାଈଗୋରୁ, ଗୋଟିଏ ଗ୍ରାମ୍ୟ ଜୀବନର ଅଭିଜାତ ପରିବାରର ସମସ୍ତ ଉପକରଣ, ପୂର୍ଣ୍ଣ ମାତ୍ରାରେ ଥିଲା । ଆୟ ମଧ୍ୟ ଭଲ । ଜମିବାଡ଼ିରୁ ଏବଂ ଗ୍ରାମ୍ୟ ଚିକିତ୍ସାରୁ ବେଶ୍‌ ଦୁଇପଇସା ଆୟ ହେଉଥିଲା । ଖାଇବା ପାଇଁ ଆଉ କେହି ନ ଥିଲେ; କେବଳ ସେ’ ଓ ରେବତୀ ଦେବୀ । କିନ୍ତୁ ତଥାପି ତାଙ୍କ ଲୋଭର ଅନ୍ତ ନଥିଲା, ଈର୍ଷାର ସୀମା ନଥିଲା । ସାରା ଜଗତର ସମ୍ପତ୍ତି ତାଙ୍କଠି ଠୁଳ ହେଲେ ମଧ୍ୟ, ତାଙ୍କର ତୃପ୍ତି ଅବସାନ ହୋଇ ନଥାନ୍ତା । ସେହିପରି ସମସ୍ତେ ତାଙ୍କର କ୍ରୀତିଦାସ ହେଲେ ସୁଦ୍ଧା, ଈର୍ଷା ପ୍ରଶମିତ ହୋଇ ନ ଥାନ୍ତା । ଗାଁରେ, ବା’ ବାହାରେ କୌଣସି ଲୋକର ପ୍ରଶଂସା ଶୁଣିଲେ ତାଙ୍କର ଅଶାନ୍ତ ମନରେ ଝଡ଼ ସୃଷ୍ଟି ହୁଏ । କାହାକୁ ସେ’ ସୁଖରେ ଜୀବନ ଅତିବାହିତ କରୁଥିବାର ଦେଖିଲେ, ବଡ଼ ଉଦ୍‌ବିଗ୍ନ ହୋଇପଡ଼ନ୍ତି । ହୋଇଥାଉ ପଛକେ ସେ’ ନିଜ ଆପଣାର ଲୋକ ।

 

ଶ୍ୱଶୁର ସମ୍ପତ୍ତିରେ ସେ’ ଯେ ସୁଖୀ ଥିଲେ ତା’ ନୁହେଁ, କିନ୍ତୁ ତାଙ୍କର କୌଣସି ଚକ୍ରାନ୍ତ ଚଳିପାରୁ ନ ଥିଲେ । କିନ୍ତୁ ତାଙ୍କ ମଲାପରେ ସେ ଭାବିଲେ ଯେ, ଦୀନକୃଷ୍ଣ ସେ କାବୁ କରିପାରିବେ-। ପୁଣି ସେଠାକୁ ଯାଇ ଦେଖିଲେ ଓ ଶୁଣିଲେ–ଦୀନକୃଷ୍ଣ ବାବୁଙ୍କ ପ୍ରଶଂସା ଏବଂ ଲକ୍ଷ ଲକ୍ଷ ଟଙ୍କାର ମାଲିକ ସେ । ଆଉ କ’ଣ ରମେଶବାବୁ ଶାନ୍ତିରେ ରହିପାରିବେ ? ଦିନକୃଷ୍ଣକୁ ପାନତ କରିବାକୁ ହିଁ ହେବ, ତାର ସମ୍ପତ୍ତିକୁ ନିଃଶେଷ ନ କଲେ ନ ଚଳେ । ତାଙ୍କର ପ୍ରଶଂସାକୁ ନିନ୍ଦାରେ ପରିଣତ କରିବାକୁ ହେବ ।

 

ଘରକୁ ଫେରି ନିଜ କାମ ଆଦି ଦେଖାଦେଖି କରିସାରିଲା ପରେ ଦିନେ ରେବତୀକୁ ଡାକି କରି କହିଲେ ‘‘ବୁଝିଲ ରେବତୀ, ହିନ୍ଦୁ କୋଡ଼୍‌ବିଲ୍‌ ପାସ୍‌ ହୋଇଯାଇଛି, ବର୍ତ୍ତମାନ ଝିଅମାନଙ୍କର ବାପର ସମ୍ପତ୍ତି ଉପରେ ପୂର୍ଣ୍ଣ ଅଧିକାର । ଦୀନା କ’ଣ ତା ମନେ ଭାବୁଛି ଯେ, ତିନିହଜାର ଟଙ୍କା ଆମକୁ ଦାନ ଦେଇଛି ? ସେ କିଏ ? ସେ ଜଣେ କେବଳ ଅଂଶୀଦାର ମାତ୍ର, ତାର କି ଅଧିକାର ଅଛି ଆମକୁ ଦୟା ଦେଖାଇବା ପାଇଁ ?’’

 

ରେବତୀ ବିରକ୍ତ ହେଲାପରି କହିଲେ ‘‘କାହିଁକି ଏପରି କଥାସବୁ ତୁମ ମୁଣ୍ଡରେ ଯେ ପଶେ, ମୁଁ ବୁଝିପାରେ ନାହିଁ । ଆମକୁ ବାପା, ଭାଇ କ’ଣ ବା’ ନ ଦେଇଛନ୍ତି ? ଆମ ପାଇଁ କ’ଣ ନ କରିଛନ୍ତି ଯେ’ ତୁମେ ଏପରି ବାଜେ କଥାଗୁଡ଼ା କହୁଛ । ସେତେବେଳେ କଉ ହିନ୍ଦୁକୋଡ଼୍‌ ବିଲ୍‌ ଥିଲା-?’’

 

‘‘ହଁ, ଦେଲେ ତ ଭାରି ଗୋଟାଏ କରି ପକାଇଲେ । ବାପା ଓ ଭାଇଙ୍କ କର୍ତ୍ତବ୍ୟ ଯାହା ତାହା କରିଛନ୍ତି । କ’ଣ ଅଧିକଟା କଲେ ? ତା’ପରେ ସେଇଟା ତା ଅଲଗା କଥା; କିନ୍ତୁ ବର୍ତ୍ତମାନ ସରକାର ନିଜେ ଯେତେବେଳେ ଗୋଟାଏ ଅଧିକାର ଦେଇଛନ୍ତି, ଆମେ ଆମ ଦାବି ହକ୍‌ ଛାଡ଼ିବା କଣ ଭଲ ହେବ ?’’

 

‘‘ମୁଁ ସେସବୁ ଦାବିକରି ସରକାରୀ କଥା ବୁଝେ ନାହିଁ; ମୁଁ ଜାଣେ ଭାଇ ଭଉଣୀ ସମ୍ପର୍କ ଯେତେବେଳେ ଯାହା ଆମେ କହିଥାଇଁ, ତାଙ୍କ ଶକ୍ତି ମତେ ସେମାନେ ପୂରଣ କରିଅଛନ୍ତି, ଆଉ ମୋର ବିଶ୍ୱାସ ଦୀନା ଭବିଷ୍ୟତରେ ମଧ୍ୟ କରିବ । ଆଉ ଦାବି–ହକ୍‌ କଣ ? ମୋ ଦାବି ମୋ ଭାଇ ଉପରେ, ସମ୍ପତ୍ତି ଉପରେ ନୁହେଁ ।’’

 

‘‘ହଁ, ଭାରି ତ ଭାଇ । ଭିକ୍ଷାମାଗି ତିନିହଜାର ଟଙ୍କା ପାଇଛ ବୋଲି ଭାଇ ଦେଖେଇ ହେଉଛ । କୋଉ ଭାଇ କାହାର ହୁଏ ଯେ’ ସେ ହେବ ?’’

 

‘‘କିଏ ହେବ ନ ହେବ, ସେ ଅଲଗା କଥା । ମୋ ଭାଇକୁ ମୁଁ ଚିହ୍ନେ । ତୁମେ ଅଯଥାଟାରେ କାହିଁକି ମୁଣ୍ଡ ଘୂରାଉଛ ?’’

 

ପୁଣି ଟିକିଏ ରହି ରେବତୀ କହିଲେ ‘‘ଆମର କଣ ବା’ ଅଭାବ ଅଛି ? ଭଗବାନ ସନ୍ତାନରୁ ଆମକୁ ବଞ୍ଚିତ କରିଅଛନ୍ତି, ତାର ତ ୪ଟା ପିଲାପିଲି । ଆମେ କାହିଁକି ଏପରି ନୀଚ ଦୃଷ୍ଟି ପକାଇବା ?’’

 

ରମେଶବାବୁଙ୍କ ପାଖକୁ ସେତେବେଳେ ଜଣେ ରୋଗୀ ଆସିଗଲା । ତେଣୁ କଥାଟା ସେଇଠି ମୂଲତବୀ ରଖି ନିଜ ଦାଣ୍ଡ କୋଠରୀକୁ ଚାଲିଗଲେ । ଦାଣ୍ଡ କୋଠରୀ ବାରଣ୍ଡାରେ, ମୁଣ୍ଡରେ ହାତଦେଇ ବସିଛନ୍ତି ରଘୁ ସାହୁ ।

 

‘‘କିହୋ ସାହୁ, କଣ ହେଲା କି ? ପଚାରିଲେ ରମେଶବାବୁ ।

 

‘‘ଆଜ୍ଞା, ମୁଣ୍ଡଟା ବିନ୍ଧୁଛି ବଡ଼ ଜୋର୍‌’’ କହି ମୁଣ୍ଡ ଚାପିଲେ ରଘୁ ସାହୁ ।

 

ଏସ୍‌ପ୍ରୋ ଟେବେଲଟ୍‌ ଦୁଇଟି ବଢ଼େଇ, ରମେଶବାବୁ କହିଲେ ନିଅ, ୟାକୁ ଖାଇ ପାଣି ପିଇଦେବ, ଚୋବାଇବ ନାହିଁ–ଗିଳିଦେବ, ବୁଝିଲ ? ହଉ ଟଙ୍କାଟିଏ ଦିଏ ।’’

 

‘‘ଆଜ୍ଞା ! ଡାକ୍ତର ବାବୁ, ଟଙ୍କାଏ ?’’ କହି ଛିଡ଼ା ହୋଇପଡ଼ିଲେ ରଘୁ ସାହୁ ।

 

‘‘କଣ କରିବା, ଜାଣୁଛ ତ ଆଜିକାଲି ଦରଦାମ୍‌ କିପରି ହୁ ହୁ ହୋଇ ବଢ଼ୁଛି’’ କହି ରମେଶ ବାବୁ ହାତ ବଢ଼େଇଦେଲେ ।

 

କୁନ୍ଥୁ, କୁନ୍ଥୁ ହୋଇ ରଘୁସାହୁ ଅଣ୍ଟାରୁ ଟଙ୍କାଟିଏ କାଢ଼ି ତାଙ୍କ ହାତକୁ ବଢ଼େଇ ଦେଇ ଘରକୁ ଚାଲିଗଲେ । ଔଷଧ ନ ଖାଇ ମୂଲ୍ୟ ଶୁଣି ତାଙ୍କର ମୁଣ୍ଡ ବ୍ୟଥା ପ୍ରାୟ ଛାଡ଼ି ଯାଇଥିଲା ।

 

ଦୁନିଆଁରେ ଶୋଷଣ ହେଲା ନିତ୍ୟନୈମିତ୍ତିକ କାରବାର । ସମସ୍ତେ ସମସ୍ତଙ୍କୁ ଶୋଷଣ କରିବାରେ ବ୍ୟସ୍ତ । ଯିଏ ଯେଉଁଠି ଶୋଷିତ ହେଉଛି, ଶକ୍ତି ଥିଲେ ସେଇଠି ସେ’ ଚିତ୍କାରରେ ନୀତି ନିୟମ ବାଢ଼ୁଛି । ଶକ୍ତି ନଥିଲେ, ମନରେ ମନକୁ ମାରି ଚୁପ୍‌ ହୋଇ ଚାଲିଯାଉଛି; କିନ୍ତୁ ଯେତେବେଳେ ତା’ର ସମୟ ଆସୁଛି, ସେ ମଧ୍ୟ ଶୋଷଣ କରିବାପାଇଁ ପଶ୍ଚାତ୍‌ପଦ ହେଉନାହିଁ । କିଏ ଧର୍ମ ନାମରେ, କିଏ ରାଜନୀତି ଆଦର୍ଶ ନାମରେ, କିଏ ବା କେଉଁ ଆଳ ଦେଖାଇ ଶୋଷଣ କରି ଚାଲିଛନ୍ତି । ଶୋଷଣ ବିହୀନ ସମାଜ ପାଇଁ ଆନେକେ ଗିରିଶୃଙ୍ଗର ଶିଖର ଦେଶରେ ଛିଡ଼ାହୋଇ ସମସ୍ତଙ୍କୁ ଆହ୍ୱାନ ଦେଉଛନ୍ତି, କିନ୍ତୁ ସେହି ଆହ୍ୱାନର ପଛରେ ଶୋଷଣର ହିଁ ମନୋବୃତ୍ତି ଓ ଅଭିଳାଷ ।

 

ଏଇ ହେଲା ମଣିଷ । ରମେଶ ବାବୁ ବାଦ ଯାଆନ୍ତେ କାହିଁକି, ଦୁଇ ଅଣାର ଏସ୍‌ପ୍ରୋ ଦେଇ ଟଙ୍କାଟିଏ କାହିଁକି ନ ନେବେ ? ସେ ତ ପୁଣି ଲୋକଙ୍କ ସେବା କରୁଛନ୍ତି । ସହରରୁ ଔଷଧ ଆଣି ରଖୁଛନ୍ତି ଲୋକଙ୍କ ପାଇଁ, କେତେ କଷ୍ଟ ଯେ ନ କରୁଛନ୍ତି ।

 

ମାଳତୀ ବୁଢ଼ୀ ଆସିଲା ତା ଯୁବତୀ ନାତୁଣୀକୁ ନେଇ, ‘‘ଡାକ୍ତର ବାବୁ ! ଏହାର ପେଟ ମୋଡ଼ୁଛି । ଦୁଇ ତିନି ଥର ଝାଡ଼ା ହେଲାଣି, କଣ ଟିକିଏ ଦେବେ’’ କହି ବୁଢ଼ୀ ବସିପଡ଼ିଲା ।

 

ଡାକ୍ତର ବାବୁ ଭ୍ରୂକୁଞ୍ଚନ କରି କହିଲେ, ‘‘କେବେଠୁ ଏମିତି ହେଲାଣି ?’’

 

‘‘ଗଲା ରାତିରେ ବାସୀ ପଖାଳ ଆଉ କଣ କଣ ଖାଇଦେଲା ଯେ ରାତିଅଧରୁ ଏମିତି ହେଉଛି’’ ବୁଢ଼ୀ କହିଲା ।

 

ପାଖରେ ଲାଜ ଲାଜ ହୋଇ ରମା’ ମାଳତୀ ବୁଢ଼ୀର ନାତୁଣୀ ଛିଡ଼ା ହୋଇଛି । ବେଶ୍‌ ହୃଷ୍ଟ ପୁଷ୍ଟ, ଦେହ ଯୌବନ ଫୁଟିପଡ଼ୁଛି । ମୁଖଶ୍ରୀ ବେଶ୍‌ ମନୋହର ।

 

‘‘ହଉ ଆ ଭିତରକୁ’’ କହି ପାଖ କୋଠରୀରୁ ପରଦା ଟେକି ଧରିଲେ । ସେ ଭିତରକୁ ଗଲା, ଟେବୁଲ୍‍ଟିଏ ଥାଏ । ତାକୁ କହିଲେ ‘ଶୋଇପଡ଼’ ।

 

ଷ୍ଟେଥସ୍‌ କୋପ୍‌ରେ ଛାତି ପରୀକ୍ଷା ହେଲା । ହାତରେ ପୁଣି ଛାତିର ସ୍ପନ୍ଦନ ଦେଖିଲେ । ତା’ପରେ ପେଟ, ତଳିପେଟଏ ଚିପିଚାପି କରି ପଚାରିଲେ ‘‘କେଉଁଠି ଦରଜ କରୁଛି ?’’ ତା’ପରେ ଟିକିଏ ହସି କହିଲେ, ‘‘କଣ ଖାଇଥିଲୁ ?’’

 

‘‘କିଛି ନାହିଁ, ପଖାଳ ଗଣ୍ଡେ ଆଉ ଶାଗ’’ ସେତେବେଳକୁ ତା ଦେହ ଶିହରି ଉଠିଲାଣି । ପେଟ ମୋଡ଼ାଟା ଭୁଲିଗଲାଣି । ଯା’ ହେଉ ଡାକ୍ତର ବାବୁ ତାକୁ ଦୁଇଟି ବଟିକା ଦେଲ, କହିଲେ ‘‘ଚାରି ଘଣ୍ଟାରେ ଥରେ ଖାଇବୁ ଓ ପୁଣି ସନ୍ଧ୍ୟାକୁ ଆସିବୁ; ସେତେବେଳେ ପୁଣି ଦେଖିବା ।’’

 

‘‘ଆଜ୍ଞା, କେତେ ପଇସା ?’ କହି ଝିଅଟି ମୁହଁ ତଳକୁ କରି ଛିଡ଼ା ହେଲା ।

 

‘‘ଛାଡ଼ ଛାଡ଼, ତାର ଦାମ ପାଞ୍ଚଟଙ୍କା ଯେ’ ତୋଠୁ ଆଉ କଣ ନେବି ?’’ କହି ଗାଲଟା ଟିକିଏ ଚିପିଦେଲେ ଓ ହସିଦେଲେ । ପୁଣି କହିଲେ ‘‘ସନ୍ଧ୍ୟାକୁ ଆସିବୁ, ସେତେବେଳେ ଦେଖିବା ।’’

 

ସନ୍ଧ୍ୟାକୁ ରମା ଓ ତାର ଆଈବୁଢ଼ୀ ପୁଣି ଆସିଲେ । ଆଈ ପୁଣି ବସିପଡ଼ିଲା । ପୁଣି ରମା ଭିତରକୁ ଗଲା, ଟେବୁଲ୍‌ ଉପରେ ଶୋଇଲା । ଡାକ୍ତର ବାବୁ ପଚାରିଲେ ‘‘କେମିତି ଲାଗୁଛି-?’’ ଲାଜ ଲାଜ ମୁହଁରେ ରମା କହିଲା ‘‘ଆଉ ଝାଡ଼ ହୋଇନାହିଁ, କିନ୍ତୁ ଟିକିଏ ଟିକିଏ ପେଟ ମୋଡ଼ୁଛି’’ ।

 

ପୁଣି ଡାକ୍ତରବାବୁ ଛାତି ଓ ପେଟ ପରୀକ୍ଷା କଲେ । କେବଳ ସେତିକି ? ଆହୁରି ବହୁତ କିଛି ପରୀକ୍ଷା କଲେ, ରମା ଟେବୁଲରୁ ଉଠିବା ଅବସ୍ଥାରେ ନ ଥିଲା । କିଛି ସମୟ ଆରାମ କରିବା ପାଇଁ ଡାକ୍ତରବାବୁ ପରାମର୍ଶ ଦେଲେ, ଆଉ କହିଲେ ‘‘ବୁଝିଲୁ ? କାହାକୁ କିଛି କହିବୁ ନାହିଁ । ଏ ଔଷଧ ଏତେ ଦାମିକା ପୁଣି ମୁଁ ତୋତେ ବିନାମୂଲ୍ୟରେ ଦେଉଛି; ତେଣୁ ହୁଏତ କିଏ ଭୁଲ୍‌ ବୁଝିପାରେ ।’’ କିଛିକ୍ଷଣ ପରେ, ରମା ସେଇଠୁ ଉଠି ଚାଲିଗଲା; କିନ୍ତୁ ଆରଦିନ ଆଉ ଆସିଲାନାହିଁ-

 

(ପାଞ୍ଚ)

 

ରାତିରେ ଦୀନକୃଷ୍ଣ ଶୋଇଚ ପାରିନାହାନ୍ତି । ସାରା ରାତି ଛଟପଟ ହୋଇଛନ୍ତି । ଇନ୍‌କମ୍‌ ଟେକ୍‌ସ ଓ ମୃତ୍ୟୁକର ଅଫିସ୍‌ରୁ ନୋଟିସ୍‌ ଆସିଛି । ବାପାଙ୍କ ମୃତ୍ୟୁପରେ କରଦେବାକୁ ହେବ ସରକାରଙ୍କୁ । ପୁଣି ରମେଶବାବୁଙ୍କ ଗୋଟିଏ ପତ୍ର ମଧ୍ୟ ଆସିଛି । ତହିଁରେ ସେ କ’ଣ ଯେ ଲେଖିଛନ୍ତି ବା’ କ’ଣ ସେ ଚାହୁଁଛନ୍ତି, କିଛି ବୁଝିହେଉନାହିଁ । ଆଜି ରବିବାର । ଟେକ୍‌ସ ଓକିଲ ପାଖକୁ ଯାଇ ମୃତ୍ୟୁକର ଓ ଇନ୍‌କମ୍‌ଟେକ୍‌ସ ବିଷୟରେ କ’ଣ କରିବାକୁ ହେବ ସେହି ଚିନ୍ତା ।

 

ସକାଳୁ ନିତ୍ୟକର୍ମ ସାରି କୃଷ୍ଣାଙ୍କୁ ଡାକି କହିଲେ, ‘‘କୃଷ୍ଣା, କ’ଣ କିଛି ଖାଇବାକୁ ଦିଅ !’’

 

କୃଷ୍ଣା ହସି ହସି ପ୍ଲେଟ୍‌ ଆଣି ଟେବୁଲରେ ଦେଇ କହିଲେ, ‘‘ହେଇ ପରା ଆଣିଲି । ନିଦ ସିନା ଦେଇପାରିବି ନାହିଁ, ଖାଇବାକୁ କ’ଣ ଦେଇପାରିବି ନାହିଁ ?’’

 

ଦୀନକୃଷ୍ଣ ହସି ହସି କହିଲେ, ‘‘କାହିଁକି, ନିଦ କାହିଁକି ଦେଇପାରିବ ନାହିଁ । ବେଶ୍‌ ତ ଦେଇଆସୁଛ ଦୀର୍ଘ ୧୫ ବର୍ଷ ହେଲା ।’’

 

‘‘ଯାଃ ! ତୁମ କଥା ସବୁ ଏମିତିଆ’’ କହି ରନ୍ଧାଘରକୁ ଚାଲିଗଲେ ଚା’ ଆଣିବା ପାଇଁ ।

 

ଚେୟାର୍‌ରେ ବସୁ ବସୁ ଦୀନକୃଷ୍ଣ ଦେଖିଲେ, ଉମା ଭାଉଜ ଆସୁଛନ୍ତି ଉପରକୁ । ସାଥୀରେ ତାଙ୍କର ଥାନ୍ତି ଜଣେ ସୁନ୍ଦରୀ ଯୁବତୀ । ଦୀନକୃଷ୍ଣ ବାବୁ ବଡ଼ପାଟି କରି କହିଲେ–‘‘ହେ ଦେଖ କୃଷ୍ଣା ! ଉମା ଭାଉଜ କ’ଣ ସକାଳୁ ସକାଳୁ ମାଡ଼ି ଆସୁଛନ୍ତି !’’

 

କୃଷ୍ଣା ବାହାରି ପଡ଼ି କହିଲେ, ‘‘ଆସ ଆସ ଭାଉଜ, ଏତେ ସକାଳୁ କୁଆଡ଼େ ?’’

 

ଉମା ଦେବୀ କହିଲେ, ‘‘ମଲା, ଦୀନବାବୁ ତ ସବୁଦିନ ତୁମ ହାତରନ୍ଧା ଏକା ଏକା ଖାଉଛନ୍ତି । ମୋର କଣ ତୁମ ହାତରେ ଜଳଖିଆ ଖାଇବା ପାଇଁ କେବେ କେମିତି ଇଚ୍ଛା ହେବନାହିଁ-?’’

 

କୃଷ୍ଣା ହସି ହସି କହିଲେ ‘‘ଭାଉଜ ! ତୁମେ ସିନା ମୋ ପାଇଁ କ’ଣ କ’ଣ ତିଆରି କରି ଆଣି ଦେଇଥାନ୍ତ ଯେ, ମୁଁ ଭାଉଜ ଦେଲେବୋଲି ଆଗ୍ରହରେ ଖାଇଥାନ୍ତି ।’’

 

ଉମା ଦେବୀ ହସି ହସି କହିଲେ, ‘‘କୃଷ୍ଣା ! ଏଇ ଦେଖଳ ତୁମ ପତିଦେବଙ୍କ କଥା, ହଉ-! ଆଣିଛି ଯେ ତୁମ ପାଇଁ–ଏଇ ଟୋକୀକୁ ।’’

 

‘‘ଏ କିଏ ?’’ କହି ଦୀନକୃଷ୍ଣ ବାବୁ ସେହି ଯୁବତୀକୁ ଦେଖିଲେ । ଯୁବତୀଟି ସେତେବେଳକୁ ଏଇ କଥୋପକଥନ ଶୁଣି, ଲଜ୍ଜାରେ ମୁହଁ ତା’ର ଲାଲ୍‌ ପଡ଼ିଗଲାଣି । ପଛରୁ ଉମାକୁ ଖେଞ୍ଚାଟା ମାରି, ମୃଦୁ ସ୍ୱରରେ କହିଲା—

 

‘‘କ’ଣ ଏମିତି ହେଉଛ ମ ?’’

 

ଲତା ବେଶ୍‌ ସୁନ୍ଦରୀ, ଯୌବନ ଫୁଟି ଉଠୁଛି । କବିମାନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା ମଧ୍ୟ ତା’ଠାରେ ନ୍ୟୂନ ହୋଇଯାଇଛି ।

 

ଉମାଦେବୀ ପଛକୁ ଚାହିଁ କହିଲେ, ‘‘ମଲା, କ’ଣଟା ହେଲା । ଏମିତି କାହିଁକି ହେଉଛୁ-?’’ ପୁଣି ଦୀନକୃଷ୍ଣ ଓ କୃଷ୍ଣାଙ୍କୁ ଚାହିଁ ହସି ହସି ହସି କହିଲେ—

 

‘‘ଏ ପରା ଲତା, ମୋ ସାନ ଭଉଣୀ, ପାଠପଢ଼ିଛି ବି.ଏ., ତା’ପରେ କ’ଣ ଟାଇପ୍‌ ଆଦି ଶିଖିଛି । କହୁଛି ଚାକିରି କରିବ । କାଲି ଆସିଲାବେଳୁ ଲଗେଇଛି ଚାକିରିଟାଏ କରିଦିଅ ବୋଲି । ତା’ ଭିଣୋଇଁ କହିଲେ, ମୁଁ କେଉଁଠିକି ଯିବି ? ତୁମ ଚାକିରି ଖୋଜିବା ପାଇଁ ମୋତେ ବେଳ କାହିଁ-?’’

 

ଲତା, କୃଷ୍ଣାଙ୍କୁ ଓ ଦୀନକୃଷ୍ଣବାବୁଙ୍କୁ ନମସ୍କାର କଲା ।

 

ଉମାଦେବୀ ପୁଣି କହିଲେ, ‘‘ମୁଁ ଦେଖିଲି, ତାଙ୍କଦ୍ୱାରା କିଛି ହେବ ନାହିଁ । ତେଣୁ ୟାକୁ ଧରି ପରା ତୁମ ପାଖକୁ ଆସିଛି ।’’

 

ଦୀନକୃଷ୍ଣ ବାବୁ, ଲତାର ରୂପଦେଖି ସ୍ତମ୍ଭୀଭୂତ ହେଲେ । ମନେମନେ ଭାବିଲେ, ‘ଭଗବାନ କି ରୂପ ଦେଇଛନ୍ତି ୟାକୁ, ପୁଣି ଯୌବନ ।’

 

କୃଷ୍ଣାଦେବୀ ଚୁପ୍‌ ହୋଇ ହସୁଛନ୍ତି । ଦୀନକୃଷ୍ଣ ବାବୁ ପଚାରିଲେ ‘‘କ’ଣ ସଟ୍‌ହେଣ୍ଡ୍‌ ଟାଇପ୍‌ ଶିଖିଛି ?’’

 

ଲତା ଲାଜେଇ ଲାଜେଇ ମୁଣ୍ଡ ଟୁଙ୍ଗାରିଲା ।

 

ଦୀନକୃଷ୍ଣ ବାବୁ ପୁଣି କହିଲେ ‘‘ସରକାରୀ ଚାକିରି ପାଇଁ କାହିଁକି ଚେଷ୍ଟା କରୁନାହଁ ?’’

 

ଉମା ଦେବୀ କହିଲେ ‘‘ସରକାରୀ ଚାକିରି କରିବିନାହିଁ କହୁଛି, ବଦଳି ଆଦି କେତେ ଝଞ୍ଜଟ । ତା’ପରେ ପୁଣି ବୁଝୁନାହିଁ । କୃଷ୍ଣାଆଡ଼କୁ ଆଖି ମାରି ଟିକିଏ ହସି କହିଲେ, କୃଷ୍ଣା ପୁରୁଣା ହେଲେଣି, ତୁମପାଇଁ ନୂଆଁ ଜରକୁ ଆଣି ଦେଇଛି ପରା ।’’

 

କୃଷ୍ଣା ହସି ହସି କହିଲେ ‘‘ହଉ ହଉ ହେଲା, ଦିଅର ପାଇଁ ତ ଦରଦ କମ୍‌ ନୁହେଁ ? ବସ-!’’

 

ଦୀନକୃଷ୍ଣ ବାବୁ କିଛି ନ କହି ଜଳଖିଆ ଖାଇବାରେ ଲାଗିଥାନ୍ତି । ଅବଶ୍ୟ କଣେଇଁ କଣେଇଁ ଦେଖୁଥାନ୍ତି ଲତାକୁ ।

 

ଉମାଦେବୀ କହିଲେ ‘‘କ’ଣ କୃଷ୍ଣା ରାଗିଲ କି ?’’ ହସି ହସି କୃଷ୍ଣା କହିଲେ, ‘‘କ’ଣ, କାହିଁକି ରାଗିବି ମ ? ଭଲ ହେଲା, ଗୋଟିଏ ସହକାରୀ କର୍ମୀ ପାଇଲେ ମୋ କାମ ଲାଘବ ହେବ ସିନା, ତହିଁରେ ରାଗିବି କାହିଁକି ?’’ ଉମାଦେବୀ ଓ କୃଷ୍ଣା ହସିପଡ଼ିଲେ । ଲତା ଲାଜରେ ସଢ଼ି ଯାଉଥାଏ । ଦୀନକୃଷ୍ଣ ବାବୁ ଅତି ଗମ୍ଭୀର ହୋଇ ଚା’ ଖାଉଥାନ୍ତି । ଚା’ଖିଆ ସରିଲା ପରେ ମୁହଁଧୋଇ ପୋଷାକ ପିନ୍ଧିବା ପାଇଁ ତାଙ୍କ ରୁମ୍‌କୁ ଗଲେ । କୃଷ୍ଣା, ରମା ଓ ଲତାକୁ ନେଇ ରନ୍ଧା ଘରକୁ ଯାଇ; ସେଇଠି ଚା’ଜଳଖିଆ ଆରମ୍ଭକଲେ । ଦୀନକୃଷ୍ଣ ବାବୁ, କାଗଜ ପତ୍ର ନେଇ ବାହାରିଗଲେ ।

 

ଉମା ଭାଉଜ କୃଷ୍ଣାଙ୍କୁ କହିଲେ ‘‘କୃଷ୍ଣା, ଦୀନକୃଷ୍ଣଙ୍କୁ କହି ୟା ପାଇଁ ଚାକିରି ଗୋଟିଏ କରିଦିଅ । ପିଲାଟା ଘରେ ବସି ବସି ମନ ଖରାପ କରୁଛି । କିଛିହେଲେ କାମକଲେ ମନଟା ଠିକ୍‌ ରହିବ । ଯେତେଦିନ ତାର ବାହାଘର ହୋଇନାହିଁ, କିଛିଟା ତ କରିବାକୁ ହେବ ।’’

 

କୃଷ୍ଣା କହିଲେ, ‘‘ଭାଉଜ ତମେ ଜାଣିଛ, ତାଙ୍କ କାମଧାମ ବ୍ୟବସାୟ ବିଷୟରେ ମୁଁ କିଛି ଜାଣେ ନାହିଁ ବା ଜାଣିବାକୁ ଚେଷ୍ଟା କରେନାହିଁ । ମୁଁ ଚାରୋଟି ପିଲାଙ୍କୁ ଧରି ଘର କାମରେ ବ୍ୟସ୍ତ । ସେ ତ କେବେ ଘରକଥା ବୁଝନ୍ତି ନାହିଁ, ସବୁ ମୋତେ କରିବାକୁ ହୁଏ ।’’

 

ଉମା କହିଲେ ‘‘ମୁଁ କଣ ଜାଣିନି ଯେ, ମୋତେ କହୁଛ; କିନ୍ତୁ କଣ କରିବି, କୁନି ବାପାଙ୍କୁ କହିଲି ଯେ ସେ କହିବାକୁ ମନାକଲେ; କହିଲେ ‘ମୁଁ ସେ ସବୁ ପାରିବି ନାହିଁ । ‘କଣ କରିବି, ପିଲାଟାକୁ କାମରେ ଲଗେଇ ଦେଲେ ମୋ କାମ ଛିଣ୍ଡିଲା । ଦରମା ପାଇଁ କିଛି କଥା ନାହିଁ ମ, ଯାହା ଦେବେ ।’’

 

କୃଷ୍ଣା କହିଲେ ‘ହଉ ଦେଖେଁ, କହିବି ।’’

 

ତା’ପରେ ଅନେକ ଗପସପ କରି, କୃଷ୍ଣା ଲତା ସଙ୍ଗରେ ବେଶ୍‌ କଥାବାର୍ତ୍ତା କରି ଅତିଶୀଘ୍ର ଆପଣାର କରିପକାଇଲେ । ଲତା କୃଷ୍ଣାଙ୍କୁ ନାନୀ ନାନୀ କହିବା ଆରମ୍ଭ କରିପକାଇଲା-

 

ଲତା କହିଲା, ‘‘ନାନୀ ! ତୁମେ ଆଉ ମୋତେ ‘ତୁମେ ତୁମେ କରନା, ତୁ ତା କହ । ମୁଁ କଣ ତୁମ ସାନଭଉଣୀ ନୁହେଁ ଯେ ମୋତେ ଏତେ ମାନ୍ୟ କରୁଛ ?’’

 

କୃଷ୍ଣା କହିଲେ, ‘‘ମାନ୍ୟ କଣ କରୁଛି ମ ? ତୁ ଉମା ଭାଉଜଙ୍କ ଭଉଣୀ, ଆଉ ମୋ ଭଉଣୀ କାହିଁକି ହେବୁନାହିଁ ।’’

 

କେତେଆଡ଼ୁ କେତେ ଗପ ଚାଲିଲା ପରେ ଉମା ଭାଉଜ ପୁଣି ଥରେ କୃଷ୍ଣାଙ୍କୁ କହି ଉଠିଲେ । କହିଲେ, ‘‘ଯାଏଁ ରନ୍ଧାବଢ଼ା କାମ ରହି ଗଲାଣି ।’’ କୃଷ୍ଣା ମଧ୍ୟ ଉଠି, ନିଜ ଦୈନନ୍ଦିନ କାମର ଲାଗିପଡ଼ିଲେ ।

 

ବୁଲୁ ଆସି କହିଲା, ‘‘ମା, ଖାଇବି କଣ ଦେ ।’’ କୃଷ୍ଣା କହିଲେ, ‘‘ଏତେବେଳ ପର୍ଯ୍ୟନ୍ତ କଉଠି ଥିଲୁ ? ଆଉ ସମସ୍ତେ କୁଆଡ଼େ ଗଲେ ? ଲୁଲୁ, ଟୁନି, କୁନି ଯା ସେମାନଙ୍କୁ ଡାକି ଆଣିବୁ । ସମସ୍ତେ ଏକା ସାଙ୍ଗରେ ଖାଇବ ।’’

 

‘‘ମୁଁ ପାରିବି ନାହିଁ ତାଙ୍କୁ ଖୋଜି । ମୋତେ ଦେଲୁ ଖାଇବି’’ କହି କୃଷ୍ଣା ପଛେ ପଛେ ଲାଗିଲା ।

 

‘‘ଆଚ୍ଛା ହେଉ, ଚାଲ୍‌ କିନ୍ତୁ ଖାଇବା ପରେ ସମସ୍ତଙ୍କୁ ଡାକି ଆଣିବୁ । ଏଇ ପାଖରେ କଉଠି ଥିବେ’’ କହି କୃଷ୍ଣା ତାକୁ ଜଳଖିଆ ଦେଲେ ।

 

ବୁଲୁ ଖାଇଲାବେଳକୁ ସମସ୍ତେ ହୋ-ହୋ ହୋଇ ପଶି ଆସିଲେ ।

 

କହିଲେ ‘‘ମା ଖାଇବାକୁ ଦେ ।’’

 

‘‘ହଇରେ ସକାଳଟାରୁ କେଉଁଠିକି ପଳାଇଥିଲ ?’’ କହି ନିଜ କାମ ଛାଡ଼ି କୃଷ୍ଣା ସେମାନଙ୍କୁ ଖାଇବାକୁ ଦେଲେ ।

 

ସାନ କୁନି କହିଲା, ‘‘ବଗିଚାରେ ପରା ଖେଳୁଥିଲ, ବୁଲୁଭାଇ କହିବି ?’’

 

ବୁଲୁ ମୁହଁ ଉଠେଇ କୁନି ଆଡ଼କୁ ଆଖି ଦେଖାଇ କହିଲା ‘ହଁ ହଁ, ଭାରି ଜାଣିବାର ତ, ଚୁପ୍‌ ଚାପ୍‌ ଖାଇଲୁ, କାହିଁକି ଗୋଳମାଳ କରୁଛୁ ?

 

କୁନି ପୁଣି ଖତେଇ ହେଲା । କୃଷ୍ଣା କହିଲେ, ‘‘ହେଲା, ଚୁପ୍‌ ଚୁପ୍‌ ଖାଅ, ମୁଁ ଲୁଗା ଧୋଇବି ନା ରନ୍ଧାବଢ଼ା କରିବି ? ଚାକରାଣୀ ଆଜି ବାସନ ମଜାମଜି କରି ଚାଲିଯାଇଛି । ତୁମେ ଗୋଳମାଳ କରନା, ବୁଝିଲ ?’’ କହି ପୁଣି ନିଜ କାମରେ ଚାଲିଗଲେ ।

 

ପିଲାଏ ଗପସପ ଚିଡ଼ାଚିଡ଼ି ହୋଇ ଖାଇ ସାରି ପୁଣି ଖେଳିବାକୁ ବଗିଚାକୁ ଚାଲିଗଲେ-

 

ଦୀନକୃଷ୍ଣ ବାବୁଙ୍କ ଚାରୋଟି ପିଲା—ଅସିତ, ରୀନା, ହରିତ୍‌ ଓ ମୀନା । ମୀନାର ନାମ ପ୍ରଥମ ହୋଇ ସ୍କୁଲ୍‌ରେ ଲେଖାଯାଇଛି—ଶିଶୁ ଶ୍ରେଣୀର । ଅସିତ ପଡ଼େ ହାଇସ୍କୁଲ୍‌ରେ—୭ମ ଶ୍ରେଣୀର । ରୀନା ୪ର୍ଥରେ ଓ ହରିତ୍‌ ୨ୟରେ ଯଥାକ୍ରମେ ପଢ଼ନ୍ତି । ସମସ୍ତେ ସ୍କୁଲକୁ ଯାଆନ୍ତି । କୃଷ୍ଣା, ସକାଳ ୧୦ଟାରେ ସେମାନଙ୍କୁ ଖୁଆଇ ପିଆଇ ସ୍କୁଲ୍‌କୁ ବିଦା କଲାପରେ ଘରର ଯାବତୀୟ କାମ କରନ୍ତି । କେବଳ ଜଣେ ସ୍ତ୍ରୀ ଲୋକ ବାସନକୁସନ ମାଜିବା ପାଇଁ ଓ ଅନ୍ୟାନ୍ୟ କାମରେ ତାଙ୍କୁ ସାହାଯ୍ୟ କରିବା ପାଇଁ, ନିର୍ଦ୍ଧାରିତ ସମୟରେ ଆସେ ଓ କାମ ସାରି ଚାଲିଯାଏ ।

 

ପୂଜାରୀ, ଚାକର ଆଦି ଘରେ ନାହାନ୍ତି । କୃଷ୍ଣା, ସବୁକାମ ନିଜ ହାତରେ କରନ୍ତି । ଦିହ ପା’ ଖରାପ ହେଲେ ମଧ୍ୟ, ଝିଅ ରୀନାକୁ ସାଙ୍ଗରେ ରଖି ରନ୍ଧାବଢ଼ା କାମ ହୁଏ; କିନ୍ତୁ ଦୀନକୃଷ୍ଣ ବାବୁ ପୂଜାରୀ ରଖିବା ପାଇଁ କହିଲେ ମନାକରନ୍ତି । କହନ୍ତି, ‘‘ନା, ପୂଜାରୀ ଆମର କଣ ହେବ, ପିଲାମାନେ ବଡ଼ ବଡ଼ ହେଲେ କ’ଣ କାମ କରି ମୋତେ ସାହାଯ୍ୟ କରିବେନାହିଁ ?’’

 

ଦୀନକୃଷ୍ଣ କହନ୍ତି, ‘‘ଆରେ, ପଇସା ହେଲେ କ’ଣ ହେବ । କେତେ ଆଡ଼େ ତ କେତେ ଯାଉଛି, ଏଇ ଟିକକ ନକଲେ କଣ ପଇସା ରହିଯିବ ?’’

 

‘‘ନା, ନା, ପଇସା ପାଇଁ ନୁହେଁ, ତୁମେ ବୁଝୁନାହଁ । ପୂଜାରୀ ତ ରନ୍ଧାବଢ଼ା କରିବି, ଚାକର ତ କାମ କରିବ, ମୁଁ ଦିନ କଟାଇବି କେମିତି ?’’

 

‘କାହିଁ, ବହି ପଢ଼ାପଢ଼ି କରିବ, ରେଡ଼ିଓ ଶୁଣିବ, ଗପ ଟପ କରିବ, ବୁଲାବୁଲି କେତେ କଥା କରିପାର ।’’

 

‘‘ଥାଉ, ସେ ସବୁ ହୋଇ ମଧ୍ୟ ସମୟ ହେଉଛି ମୋର ତ ଅସୁବିଧା ହେଉନାହିଁ, ତୁମେ କାହିଁକି ବ୍ୟସ୍ତ ହେଉଛ ?’’

 

‘‘ହଉ ବାବା, ଦେଖ ତୁମର ଇଚ୍ଛା, ମୋର କଣ ? ତୁମେ ହଇରାଣ ହେଉଛ ଭାବି ସିନା ମୁଁ କହୁଥିଲି; ନହେଲେ ନାହିଁ’’ କହି ଦୀନକୃଷ୍ଣ ଚାଲିଯାନ୍ତି । ଏପରି ଭାବରେ ବେଶ୍‌ ଆନନ୍ଦରେ ତାଙ୍କର ସଂସାର ଚାଲିଥାଏ ।

 

କେବେ ଆପତ୍ତି ନାହିଁ, ଉଜ୍‌ର ନାହିଁ । କେବେ ମୁହଁ ଫୁଲା ନାହିଁ, ତର୍କ ବିତର୍କ ବା ଝଗଡ଼ା ନାହିଁ । ସବୁବେଳେ ହସ ହସ ମୁହଁ, ଦୀନକୃଷ୍ଣ ବାବୁ ଯେତେ ଚିନ୍ତାରେ ଥାଆନ୍ତୁ ବା ଯେତେ ରାଗହୋଇ ଘରକୁ ଆସନ୍ତୁ, ଘରେ କିନ୍ତୁ ପାଇବେ ସେହି ହସହସ ମୁହଁରେ ଅଭ୍ୟର୍ଥନା । କେବଳ ଦୀନକୃଷ୍ଣ ବାବୁ ଯେ’ ତା ପାଆନ୍ତି ତା ନୁହେଁ, ଘରକୁ ଯେ କେହି ଆସନ୍ତୁ, କୃଷ୍ଣାଙ୍କ ପ୍ରତି ବିରକ୍ତ ହୋଇଯିବା ଲୋକ ବୋଧହୁଏ କେହି ନାହାନ୍ତି ।

 

ଦୀନକୃଷ୍ଣ ବାବୁ, ଘରେ କ’ଣ ଅଛି ନ ଅଛି, ପିଲାଏ ଖାଇଲେ କି ନାହିଁ, ସ୍କୁଲକୁ ଗଲେ କି ନାହିଁ, ସେ ସବୁ ଖବର ରଖନ୍ତି ନାହିଁ । କାରଣ, ସକାଳୁ ଘରୁ ବାହାରି ରାତ୍ରି ୯ଟା ପୂର୍ବରୁ ଫେରିବା ତାଙ୍କ-ପକ୍ଷରେ ସମ୍ଭବ ହେଉ ନଥିଲା । ସମୟ ପାଇଲେ ଦିନ ଗୋଟାଏ ବେଳେ ଘରକୁ ଖାଇବାକୁ ଆସନ୍ତି ଓ ସଙ୍ଗେ ସଙ୍ଗେ ପୁଣି କାମକୁ ଚାଲିଯାନ୍ତି । ପୁଣି, ଗାଁ ବାହାରକୁ ତ ପ୍ରାୟ ଯିବାକୁ ହୁଏ । ସେ ଯେତେବେଳେ ଫେରିବା ଖାଇବେ । ବାହାରେ ପ୍ରାୟ ଖାଆନ୍ତି ନାହିଁ, କିନ୍ତୁ କୃଷ୍ଣା କେବେ ଆପତ୍ତି, ଅଭିଯୋଗ କରିନାହାନ୍ତି । ଦୀନକୃଷ୍ଣ ବାବୁ ନ ଫେରିଲା ପର୍ଯ୍ୟନ୍ତ କୃଷ୍ଣାଙ୍କର ଉପବାସ । ଦୀନକୃଷ୍ଣ ଖାଇସାରିଲେ ସେ ଖାଇବେ । ଦୀନକୃଷ୍ଣ ଯେତେକରି କହିଲେ ସେ’ ଅଭ୍ୟାସ ବଦଳାଇ ପାରିଲେନାହିଁ ।

 

ଦୀନକୃଷ୍ଣ ବାବୁ କୃଷ୍ଣାଙ୍କୁ ଅତି ଭଲ ପାଉଥିଲେ । ଏପରି ଏକ ଶାନ୍ତ ସୁଖୀ ପରିବାର ଦେଖି ଅନେକଙ୍କ ଈର୍ଷା ହେବା ମଧ୍ୟ ସ୍ୱାଭାବିକ । କେତେକ ସାଙ୍ଗ କୃଷ୍ଣାଙ୍କୁ ପଚାରି ସାରିଲେଣି ‘‘ହଇହୋ, ତୁମେ କଣ ମେଣ୍ଢାବାଳକୁ ଜଡ଼ା ତେଲ ଭଳିଆ ହୋଇଛ, ତୁମର ତ କେବେ ମନୋମାଳିନ୍ୟ ନାହିଁ ?’’

 

‘‘କାହିଁକି ହେବ ? ମାନ ଅଭିମାନ କରିବା ପାଇଁ କାହାର ସମୟ ଅଛି, ତାଙ୍କର ନା ମୋର ? ଆମେ ତ ଯେ ଯାହା କାମ ଧନ୍ଦାରେ ବ୍ୟସ୍ତ, ସେ ଭଳି ବିଳାସର ଆକାଙ୍‌କ୍ଷା ମଧ୍ୟ ଆମର ନାହିଁ’’ କହି ହସି ଦିଅନ୍ତି ।

 

ମୁହଁ ଶୁଖେଇ ଚାଲିଯାନ୍ତି ସାଙ୍ଗମାନେ । କିଏ ପୁଣି ପରୋକ୍ଷରେ କହନ୍ତି ‘‘ବୁଦ୍ଧୁଟା, ବୁଦ୍ଧିତ ନାହିଁ, ଗଧପରି ଖଟୁଛି ସିନା ମୁଣ୍ଡରେ କିଛି ନାହିଁ, ସେ କଣ କହିବ ତାର ସ୍ୱାମୀକୁ ।’’

 

ଦୀନକୃଷ୍ଣ ବାବୁଙ୍କର ମଧ୍ୟ ସେଇ ଅବସ୍ଥା, ପରୋକ୍ଷରେ କିଏ କହେ ସ୍ତ୍ରୈଣ, କିଏ କହେ ମୂର୍ଖ; କିନ୍ତୁ ଏସବୁ ଶୁଣି ମଧ୍ୟ ଦୀନକୃଷ୍ଣବାବୁ ଓ କୃଷ୍ଣା ନ ଶୁଣିଲା ପରି ରହନ୍ତି । ଏ ସମ୍ପର୍କରେ ଉଭୟ ଭିତରେ ଆଲୋଚନା ସୁଦ୍ଧା ହୁଏନା । କିଏ କଣ କହିଲା, ସେ ସବୁ ଚର୍ଚ୍ଚା କରିବାକୁ ତାଙ୍କର ସମୟ କାହିଁ ? ଦୁହେଁ ତ ନିଜ ନିଜ କାମରେ ସବୁବେଳେ ବ୍ୟସ୍ତ ।

 

କାମ ଶେଷ କରି ଦୀନକୃଷ୍ଣ ବାବୁ ରାତିରେ ଫେରିଲାବେଳକୁ, ପିଲାଏ ଶୋଇ ପଡ଼ିଥାନ୍ତି । କୃଷ୍ଣା କୌଣସି ବହିଧରି ପଢ଼ୁଥାନ୍ତି । ରାତ୍ରି ଭୋଜନ ପରେ, କାମଧାମ ପ୍ରସଙ୍ଗରେ କୌଣସି କଥା ପଡ଼େନାହି । ମନକୁ ସରସ କରିବା ପାଇଁ, ପ୍ରେମ ରସରେ ବୁଡ଼ି ଶୁଭ ମୁହୂର୍ତ୍ତକୁ ଅତିବାହିତ କରନ୍ତି । ଦୁନିଆଁ ବୁଡ଼ି ଯାଉ ବା ଭାସି ଯାଉ, କିଛି ତାଙ୍କର ଯାଏ ଆସେ ନାହିଁ ।

 

କୃଷ୍ଣା ଯାହା କହିବେ, ଉତ୍ତର ପାଇବେ ‘ହଁ’ ଦୀନକୃଷ୍ଣ ଯାହା କହିବେ, ସମ୍ମତିର ପ୍ରତ୍ୟୁତ୍ତର ‘ହଁ’, ନାହିଁର ପ୍ରଶ୍ନ ନାହିଁ । ଲୋକେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

 

(ଛଅ)

 

ମାନଗୋବିନ୍ଦ ବାବୁ ଅଫିସରେ ବସି ଆଇନ୍‌ ବହି ଦେଖା ଦେଖି କରୁଥିଲେ । ଦୀନକୃଷ୍ଣ ବାବୁ ଆସି ନମସ୍କାର କଲେ ।

‘‘ଆସନ୍ତୁ, ଆସନ୍ତୁ ଦୀନକୃଷ୍ଣ ବାବୁ, ଅନେକ ଦିନ ପରେ ଦେଖାହେଲା, ମଝିରେ ଥରେ ଆପଣଙ୍କ ପାଖକୁ ଯିବି ବୋଲି ଭାବିଥିଲି; କିନ୍ତୁ ଯାଇପାରିଲି ନାହିଁ’’ କହି ମାନଗୋବିନ୍ଦ ବାବୁ ସାମନା ଚେୟାରଟି ଦେଖାଇଦେଲେ ।

ଦୀନକୃଷ୍ଣ ବାବୁ ଇନ୍‌କମ୍‌ଟେକ୍‌ସ ନୋଟିସ ଓ ମୃତ୍ୟୁକର ନୋଟିସ୍‌ ବଢ଼ାଇ ଦେଇ କହିଲେ ‘‘ଏଇଟା ପୁଣି ଗୋଟାଏ-କଣ ?’’

ମାନଗୋବିନ୍ଦ ବାବୁ ଦେଖା ଦେଖି କରି କହିଲେ, ‘‘କିଛି ନୁହେଁମ ବାପାଙ୍କ ମଲାପରେ ସରକାର ମୃତ୍ୟୁକର ପାଇଁ ହିସାବ ମାଗିଛନ୍ତି ।’’ ପୁଣି ଟିକିଏ ରହି କହିଲେ, ‘‘ଆଜିକାଲି ପରା ମୃତ୍ୟୁକର ବସେଇଲେଣି, ଆପଣ ଜାଣି ନାହାନ୍ତି ?’’

‘‘ମୁଁ ଆଉ କେମିତି ଜାଣିବି ? ହଉ, କଣ କରିବେ, ଯାହା କରିବା କଥା କରନ୍ତୁ ।’’ କହି ଦୀନକୃଷ୍ଣ, ମାନଗୋବିନ୍ଦ ବାବୁଙ୍କ ଆଡ଼କୁ ଦେଖିଲେ ।

‘‘କଣ ଆଉ କରିବା ? ରିଟର୍ଣ୍ଣ୍ ଫାଇଲ୍‌ କରିଦେବା, ତା’ପରେ ଯେବେ କହିବେ, ହିସାବ ପତ୍ର ଦେଖାଇ ଦେବା । ସେ ଯାହାହେଉ, ମୃତ୍ୟୁକର ପାଇଁ ବିଶେଷ ଚିନ୍ତା କରନ୍ତୁନାହିଁ, ଆପଣଙ୍କୁ ବେଶି କିଛି ପଡ଼ିବନାହିଁ ।’’ କହି ରିଟର୍ଣ୍ଣ୍‌ ଫର୍ମ୍‌ ଖୋଜିବାରେ ଲାଗିଲେ ।

 

ରିଟର୍ଣ୍ଣ୍‌ ଫର୍ମ୍‌ ଦୁଇଟି, ଗୋଟିଏ ଇନ୍‌କମ୍‌ଟେକସ୍‌ର, ଆଉ ଗୋଟିଏ ମୃତ୍ୟୁକର ପାଇଁ ବାହାର କରି ଦୀନକୃଷ୍ଣବାବୁଙ୍କ ଆଡ଼କୁ ବଢ଼େଇ ଦେଲେ ।

 

ଦୀନକୃଷ୍ଣବାବୁ କହିଲେ ‘‘ମୁଁ କଣ କରିବି ? ଏ ସବୁ ତ ମୁଁ କିଛି ଜାଣେନାହି, ଆପଣ ତ ଆମର ଗତ ୧୫ । ୨୦ବର୍ଷ ହେଲା ଏଇ ସବୁ କରୁଛନ୍ତି, ମୁଁ ଆଉ କଣ କରିବି, ଆପଣ ଯାହା କରିବା କଥା କରନ୍ତୁ ।’’

 

‘‘ହଁ ସତ ଯେ, ଆପଣ ଦସ୍ତଖତ ନ ଦେଲେ ଆଉ ହେବ ? ବାକି କାମ ସିନା ମୁଁ କରିବି, ଦସ୍ତଖତ ତ ମୁଁ ଦେବିନାହିଁ ।’’ କହି ଟିକିଏ ହସିଲେ ।

 

ଦୀନକୃଷ୍ଣ ବାବୁ କଲମ ବାହାର କରି ଦସ୍ତଖତ ଦେଇ କହିଲେ, ‘‘ତେବେ ଆପଣ ଠିକ୍‌ ସମୟରେ ପଠାଇଦେବେ ।’’

 

‘‘ହଁ, ନିଶ୍ଚୟ, ଏଥିରେ ଆଉ କହିବାର ଅଛି ।’ କହି ରିଟର୍ଣ୍ଣ୍‌ ଫର୍ମ୍‌ ଦିଓଟି ନେଇ ଫାଇଲରେ ରଖିଲେ । ତା’ପରେ ଘରେ ଚା’ ପାଇଁ କହି, ଦୀନକୃଷ୍ଣ ବାବୁଙ୍କୁ କହିଲେ, ‘‘ଆଉସବୁ ଖବର କଣ ? ବାପା ଚାଲିଗଲା ପରେ ତ ଅନେକ ଚିନ୍ତା ମାଡ଼ିବସିଥିବ ?’’

 

‘‘ଆଜ୍ଞା ଛାଡ଼ନ୍ତୁ, କଣ କହିବି, ଏକେତ ଦୈନନ୍ଦିନ କାମରେ ରହିବା ପାଇଁ ତର ନାହିଁ, ପୁଣି ଆଜିକାଲି ଯେଉଁ ସରକାରୀ ଝାମେଲା, ମୁଣ୍ଡ ଖରାପ ହୋଇ ଯାଉଛି ।’’

 

‘‘ହଁ ତା ସତ, ଲୋକଙ୍କୁ ଆଉ କାମ କରାଇ ଦେବେ ନାହିଁ, ଖାଲିତ ଅଫିସରମାନଙ୍କୁ ସନ୍ତୋଷ କରୁ କରୁ ସମୟ ଚାଲିଯିବ । ମଣିଷ ଆଉ କାମଦାମ କରିବ କେତେବେଳେ ?’’

 

‘‘କଣ କରିବା ଆଜ୍ଞା, ବଡ଼ ହଇରାଣ କରୁଛନ୍ତି । ପ୍ରତି କଥାରେ ପଇସା, ପ୍ରତି କଥାରେ କ୍ଷମତାର ଅପବ୍ୟବହାର । ତାଙ୍କର ଭୁଲ୍‌ ବା ଦୋଷ କିଛି ନୁହେଁ, ସବୁଭୁଲ୍‌ ଦୋଷ ଆମରି । ମାସକୁ ବିଭିନ୍ନ ବିଭାଗକୁ ୪୦/୫୦ଟା ରିଟର୍ଣ୍ଣ୍‌ ଦେବେ, ସେ ପୁଣି ଅଫିସରେ ହଜିଯିବ, କିନ୍ତୁ ଦୋଷ ଆମର । ପ୍ରକୃତରେ କେମିତି ଚଳିବ ମଣିଷ ବୁଝିହେଉ ନାହିଁ ।’’

 

ଚା’ ଆସିଲା, ଦୁହେଁ ଚା’ ଖାଇବା ଆରମ୍ଭ କଲେ ।

 

ମାନଗୋବିନ୍ଦ ବାବୁ ଚା’ ଖାଉ ଖାଉ କହିଲେ ‘‘ଆଚ୍ଛା ଦୀନକୃଷ୍ଣ ବାବୁ, ଆପଣଙ୍କ ଭିଣୋଇଁ ରମେଶବାବୁଙ୍କ ସଙ୍ଗରେ ଆପଣଙ୍କର ସମ୍ପର୍କ କେମିତି ଅଛି ?’’

 

‘‘ବେଶ୍‌ ଭଲ, କାହିଁ କଣ ହେଲାକି ?’’

 

‘‘ନା, ସେମିତି କିଛି ନୁହେଁ ଯେ, ତାଙ୍କ ସହିତ ଦେଖା ହୋଇଥିଲା, ସେ ଅନେକ ଏଆଡ଼ୁ ସେଆଡ଼ୁ କହିଗଲେ ଯେ ।’’ କହି ପୁଣି ଚା’ ଖାଇବାରେ ଲାଗିଲେ ।

 

‘‘କେ ଜାଣି ମୁଁ ତ କିଛି ଜାଣିନାହିଁ, କଣ କରୁଥିଲେ କି ?’’ କହି ଦୀନକୃଷ୍ଣ ବାବୁ ତାଙ୍କ ଆଡ଼କୁ ଅନାଇଁ ରହିଲେ ।

 

‘‘ନା, ସେ କିଛି ନୁହେଁ ଛାଡ଼ନ୍ତୁ, ତହିଁରୁ କଣ ପାଇବେ ?’’ କହି ନୀରବରେ ଚା’ ଖାଇଲେ-

 

ଦୀନକୃଷ୍ଣ ବାବୁଙ୍କ ମୁଣ୍ଡରେ ଝଡ଼ ସୃଷ୍ଟିହେଲା । ତା’ହେଲେ ରମେଶ ଏଠିବି ପହୁଞ୍ଚିଛନ୍ତି ଓ କ’ଣ କହିଛନ୍ତି । କ’ଣ ଯେ ଲୋକଟା, କିଛି ବୁଝି ହେଲାନାହିଁ । ହଉ ଦେଖାଯାଉ ।

 

ପୁଣି ଦୀନକୃଷ୍ଣ ବାବୁ ପଚାରିଲେ ‘‘କଣ କହୁଥିଲେ, କହୁ ନାହାନ୍ତି ?’’

 

‘‘ଛାଡ଼ନ୍ତୁ ଛାଡ଼ନ୍ତୁ, ତହିଁରେ ମୁଣ୍ଡ କାହିଁକି ଘୂରାଉଛନ୍ତି । କ’ଣ ହିନ୍ଦୁ କୋଡ଼୍‌ ବିଲ୍‌ ବିଷୟରେ ଗୁଡ଼ାଏ ଗପୁଥିଲେ ।’’

 

‘‘ସେ ପୁଣି କ’ଣ ? ମୁଁ ତ କିଛି ଜାଣିନାହିଁ ?’’ କହି ଦୀନକୃଷ୍ଣ ବାବୁ ଆଶ୍ଚର୍ଯ୍ୟ ହେଲେ ।

 

ମାନ ଗୋବିନ୍ଦ ବାବୁ କହିଲେ, ‘‘ମୁଁ ତ ଟେକ୍‌ସ ପ୍ରାକ୍‌ଟିସ୍‌ କରେ । ମୁଁ ସେ ସବୁ ବିଶେଷ ଜାଣେନାହିଁ, ତେବେ ଶୁଣିଛି ଯେ କଣ ଝିଅ ପୁଅର ସମ୍ପତ୍ତିରେ ପରା ପୂରା ଭାଗ ହେବ ।’’

 

‘‘ହଉ ଦେଖିବା, ଯାହା ନିୟମଥିବ ହେବ, ତହିଁରେ କଣ ଅଛି ।’’ କହି ଖାଲି କପ୍‌କୁ ରଖି ଦୀନକୃଷ୍ଣ ବାବୁ ଉଠି ଛିଡ଼ାହେଲେ । କହିଲେ, ‘‘ହଉ ତେବେ ଆଜ୍ଞା, ମୁଁ ଚାଲିଲି, ଦୟାକରି ସେ ରିଟର୍ଣ୍ଣଗୁଡ଼ା ଦେଖିବେ ।’’

 

‘‘ହଁ ହଁ, ତହିଁରେ ଆପଣ ବ୍ୟସ୍ତ କାହିଁକି ହେଉଛନ୍ତି ?’’ କହି ମାନଗୋବିନ୍ଦ ବାବୁ ଉଠି ଦୀନକୃଷ୍ଣ ବାବୁଙ୍କ ସଙ୍ଗେ ସଙ୍ଗେ ବାହାର ବାରଣ୍ଡା ପର୍ଯ୍ୟନ୍ତ ବାହାରି ପଡ଼ିଲେ ।

 

ଦୀନକୃଷ୍ଣବାବୁଙ୍କ ମୁଣ୍ଡ ଭାରି ହୋଇଗଲାଣି, ମାନଗୋବିନ୍ଦ ବାବୁ ପୂରା କଥା ନ କହି ଅଯଥା ଅଶାନ୍ତିରେ ପକେଇଲେ । ରମେଶ ବାବୁ ତାଙ୍କ ସହିତ ଦେଖା କରିଛନ୍ତି, କଣ କଣ କହିଛନ୍ତି କିଛି କହିଲେନାହିଁ । କେବଳ ହିନ୍ଦୁ କୋଡ଼୍‌ ବିଲ୍‌ ବିଷୟରେ କହିଲେ, ସେଇଟା ପୁଣି କ’ଣ ? ତା’ହେଲେ କଣ ରମେଶବାବୁଙ୍କ ଚିଠି ଯାହା ଆସିଥିଲା—ତା’ର ମାନେ ସେଇଆ । ବଡ଼ ମୁଷ୍କିଲ ଲୋକ ରମେଶ ବାବୁ । କିଛି ପରିଷ୍କାର କରି କହୁନାହାନ୍ତି, ଅଯଥା ବୁଲି ବୁଲି ଘର କଥା ପଦାରେ ପକାଉଛନ୍ତି । ସେ କଣ ଚାହାଁନ୍ତି, କଣ ନିୟମ, ସେ ତ ଘରେ ବସି ସବୁ କରିହୁଅନ୍ତା, ଆଉ ସବୁ ସ୍ଥିର କରିହୁଅନ୍ତା, ଏଠି ସେଠି ଯାଇ ଗୁଡ଼ାଏ ଅଶାନ୍ତି ଭିଆଇବାରେ କି ସୁଖ ପାଉଛନ୍ତି ? ବାଟରେ ଆସୁ ଆସୁ ନିଜ ହାତବନ୍ଧା ଘଡ଼ି ଦେଖିଲେ, ସକାଳ ୧୧.୩୦ଟା ହୋଇଛି । ତପନବାବୁ ଘରେ ଥିବେ, ତାଙ୍କ ସହିତ ଦେଖା କରେଁ, ସେ ହୁଏତ ହିନ୍ଦୁକୋଡ଼୍‌ ବିଲ ବିଷୟରେ ଭଲକରି ଜାଣିଥିବେ ।

 

ତପନବାବୁ ଜଣେ ଓକିଲ, କୋର୍ଟରେ ପ୍ରାକ୍‌ଟିସ୍‌ କରନ୍ତି, ଦୀନକୃଷ୍ଣ ବାବୁଙ୍କ ସାଙ୍ଗ । ତା’ପରେ ସେ ଗତ ଦଶବର୍ଷ ହେଲା, ତାଙ୍କର ସବୁ କଚେରୀ କାମ କରନ୍ତି । ତେଣୁ ତାଙ୍କୁ ପଚାରିଲେ ସେ କହିପାରିବେ ଭାବି, ବାଟରେ ତପନ ବାବୁଙ୍କ ଘରଆଡ଼କୁ ମୁହାଁଇଲେ ।

 

ତପନବାବୁ ଘରେ ଥାଆନ୍ତି । ଦୀନକୃଷ୍ଣବାବୁଙ୍କ ଖବର ପାଇଁ ଅଫିସ୍‌ ବାହାରି ପଡ଼ିଲେ । ‘‘କଣ ଖବର ଦୀନକୃଷ୍ଣ, ଆଜି ହଠାତ୍‌ କେମିତି ଆସିଗଲ । ମୁଁ ତ ଭାଇ ଏତେ କାମ ଭିଡ଼ରେ ପଡ଼ିଛି ଯେ, ମୋଟେ ତୁମ ଆଡ଼େ ଯାଇ ପାରୁନାହିଁ । ଆଜି–

 

 

 

ରବିବାର ଦିନ ସୁଦ୍ଧା ଏତିକିବେଳ ପର୍ଯ୍ୟନ୍ତ ପରା ଅଫିସ୍‌ କରୁଥିଲି । ଏଇ ବର୍ତ୍ତମାନ ଘରକୁ ଗଲି, ତୁମେ ଆସିଲ ।’’

 

‘‘ହଁ, ମୁଁ ବି ରବିବାର ବୋଲି ବାହାରିପଡ଼ିଲି, ଇନ୍‌କମ୍‌ଟେକ୍‌ସ, ମୃତ୍ୟୁକର ନୋଟିସ୍‌ ପାଇଥିଲି । ତା ନେଇ ମାନଗୋବିନ୍ଦ ବାବୁଙ୍କୁ ଫେରିଲା ବାଟରେ ତୁମ ପାଖକୁ ଆସିଲି’’ କହି ଦୀନକୃଷ୍ଣ ଚେୟାରରେ ବସିଲେ ।

 

ତପନବାବୁ, ଘରେ ଚା’ପାନ ପାଇଁ ବରାଦ ଦେଇ ଆସି କହିଲେ ‘‘ହଇହୋ, ଦୀନକୃଷ୍ଣ, ଏତେଟା ଦିନ ଭିତରେ ତୁମେ ଏତେ ଶୁଖିଯାଇଛ । ଏମିତିଗୁଡ଼ାଏ ଚିନ୍ତାକଲେ ହେବ ? ମା ବାପ, କଣ କାହାର ସବୁଦିନ ବଞ୍ଚିଥାନ୍ତି ? ଏଇଟା ତ ସୃଷ୍ଟିର ନିୟମ, ତୁମେ ବୋଧହୁଏ ବହୁତ ଚିନ୍ତା କରୁଛ, ଭଲ କଥା ନୁହେଁ ବୁଝିଲ ?’’

 

‘‘କଣ କରିବି ଭାଇ, ସବୁକଥା କଣ ମୁଁ ବୁଝୁନାହିଁ,

 

ତା’ପରେ ସରକାରୀ ଅଫିସର୍‌ମାନଙ୍କର ଦୌରାତ୍ମ୍ୟ ପ୍ରତିଦିନ ବଢ଼ିଚାଲିଛି । ପୁଣି ବାପାଙ୍କ ବିୟୋଗ, ଏସବୁ ନେଇ ଟିକିଏ ସ୍ପଷ୍ଟ ହେଉଛି ।’’

 

‘‘କାମ ଧନ୍ଦାର ଭିଡ଼ ତ ସବୁ ଦିନଥିଲା !’’

 

‘‘ଥିଲା, ଆଉ ସବୁ ମୁଁ କରୁଥିଲି । ବାପା କିଛି କରୁ ନଥିଲେ–ସେ ଠିକ୍‌; କିନ୍ତୁ ବାପାଙ୍କ ଉପସ୍ଥିତିଟା ହିଁ ମୋତେ ସାହସ ଓ ଅଧୈର୍ଯ୍ୟ ଯୋଗାଉଥିଲା । କେତେବେଳେ କଣ ଅସୁବିଧା ହେଲେ, ତାଙ୍କ ପାଖରେ ଯାଇ କହିଦେଲେ ମନ ହାଲୁକା ହୋଇ ଯାଉଥିଲା । ଆଜି ଆଉ ସେ କଥା ଅଛି ? ସବୁ ନିଜକୁ ହିଁ ହଜମ କରିବାକୁ ପଡ଼ୁଛି ।’’

 

‘‘ହଁ ଭାଇ ତା’ତ ହେବ, କଣ ଆଉ କରିବା, ଆଉ ଖବର କ’ଣ ?’’

 

‘‘ଖବର ଆଉ କଣ, ରମେଶ ପରା ମାନଗୋବିନ୍ଦବାବୁଙ୍କ ପାଖକୁ ଯାଇ କଣ ଗୁଡ଼ାଏ ଏଣୁ ତେଣୁ କହୁଥିଲେ ।’’

 

ତପନବାବୁ ହସି କହିଲେ, ‘‘କଣ କହୁଥିଲେ ?’’

 

‘‘ମାନଗୋବିନ୍ଦବାବୁ ଆଉ ତ କିଛି କହିଲେନାହିଁ, କ’ଣ–ହିନ୍ଦୁ କୋଡ଼୍‌ବିଲ୍‌ ପରା ନୂଆ ହୋଇ ପାସ୍‌ ହୋଇଛି, ଝିଅ ମଧ୍ୟ ଭାଗପାଇବା କଥା କଣ ଅଛି ପରା ?’’

 

‘‘ଛାଡ଼ ଛାଡ଼ ସେ କଥା, ରମେଶବାବୁ ମୋ ପାଖକୁ ଆସି ନଥିଲେ କି ? ମୁଁ ସବୁ ବୁଝେଇ ଦେଇଛି ଯେ, କଣ କିଛି ଗୋଳମା କରୁଥିଲେ କି ?’’

 

‘‘ନା, ସେମିତି କିଛି ନୁହେ ଯେ ପାଞ୍ଚହଜାର ଟଙ୍କା ମାଗିଲେ, ମୋ ପାଖରେ ନଥିଲା । ତେଣୁ ଅପା ଟିକିଏ କନ୍ଦାକନ୍ଦି କଲା । ତା’ପରେ ଗୋଟିଏ ବିଲ୍‌ ପେମେଣ୍ଟ ପାଇଲାରୁ, ତାକୁ ସେଇ ବିଲ୍‌ ଟଙ୍କା ତିନହଜାର ଦେଇଦେଲି, ତା’ପରେ ତ ଗଲେ ସେମାନେ ।’’

 

ପୁଣି କହିଲେ, ‘‘ହଁ, ଦୁଇ ତିନିଦିନ ତଳେ ଗୋଟିଏ ଚିଠିପାଇଛି–ରମେଶବାବୁଙ୍କଠାରୁ ସେଇ ଚିଠିର ଅର୍ଥ ପ୍ରକୃତରେ କିଛି ବୁଝିପାରିଲି ନାହିଁ, କିନ୍ତୁ ଆଜି ମାନଗୋବିନ୍ଦ ବାବୁଙ୍କଠୁ ଶୁଣିଲାପରେ କିଛି କିଛି ବୁଝିହେଉଛି ।’’

 

ତପନବାବୁ କହିଲେ ‘କ’ଣ ଲେଖିଛନ୍ତି ?’’

 

‘‘କଣଗୁଡ଼ାଏ ଏଣୁ ତେଣୁ ଲେଖିଛନ୍ତି, ତୁମେ କେତେବେଳେ ଆମ ଘରକୁ ଆସିଲେ ଦେଖାଇବି । କ’ଣ ବାପା ଲକ୍ଷ ଟଙ୍କା ଛାଡ଼ି ଯାଇଅଛନ୍ତି, କେତେଲୋକ କେତେକଥା କହୁଛନ୍ତି, କିନ୍ତୁ ସେସବୁ ଶୁଣିବାକୁ ଚାହୁଁ ନାହାନ୍ତି, ଇତ୍ୟାଦି ଅନେକ ବାଜେକଥା ।’’

 

‘‘ହଉ ଛାଡ଼, ସେସବୁ ପାଗଳାମିରୁ କଣ ପାଇବ, ମୁଁ ତାଙ୍କୁ କହି ଦେଇଛି’’ କହି ଚା’ କପ୍‌ ଆଗକୁ ବଢ଼େଇ ନିଜେ ଗୋଟିଏ କପ୍‍ ଧରି ଚା’ ଖାଇବା ଆରମ୍ଭ କଲେ ।

 

ଦୀନକୃଷ୍ଣବାବୁ ଚା’ ଖାଉଁ ଖାଉଁ କହିଲେ, ‘‘ତୁମକୁ କଣ କହୁଥିଲେ କି ?’’

 

‘‘ଛାଡ଼ ମ, ସେସବୁ ଶୁଣି କାହିଁକି ଅଯଥା ମନଖରାପ କରିବ ? କଉ ଦୁଃଖ ଚିନ୍ତା କମ୍‌ ଅଛି ଯେ ତାକୁ ପୁଣି ବଢ଼େଇବ ।’’ କହି ତପନବାବୁ କଥାକୁ ଉଡ଼େଇଦେବାକୁ ଚେଷ୍ଟାକଲେ ।

 

ଦୀନକୃଷ୍ଣବାବୁ ଚା’ ଖାଇସାରି ପାନଖଣ୍ଡେ ମୁହଁରେ ପକାଇ କହିଲେ, ‘‘ବୁଝିଲ ତପନ, ତୁମେ ସଫା ସଫା କହିଲେ ହୁଏତ ମୋର କଷ୍ଟ ଟିକିଏ ଲାଘବ ହେବ, ଆଉ ଏମିତି ଅଧାରେ ରଖିଲେ ମନଟା ଆହୁରି ଗୋଳେଇ ଘାଣ୍ଟି ହେବ । ସଂଶୟ, ଆଶଙ୍କା କ୍ରମଶଃ ବଢ଼ୁଥିବ । ସଫା କଥାଟା କଣ କହୁନ ?’’

 

‘‘ମୁଁ ଦେଖୁଛି ତୁମେ ବି ନଛୋଡ଼ ବନ୍ଧା । କିଛି ନାଇଁମ, ସେ କହିଲେ, ‘ନୂଆ ହିନ୍ଦୁ କୋର୍ଡ଼ ବିଲ୍‌ ଅନୁସାରେ ତ ଝିଅର ଭାଗପାଇବା କଥା, ଆଉ ଦୀନକୃଷ୍ଣ ସବୁ ମାରିନେବ ସେ କେମିତିକଥା, ଆପଣ ତା’ ବନ୍ଧୁଭାବରେ ତାକୁ ବୁଝାଇ ଆମ ଭାଗ ବଣ୍ଟୁଆରା କରାଇ ଦିଅନ୍ତୁ, ନହେଲେ ବାଧ୍ୟ ହୋଇ ମାଲି ମକଦ୍ଦମା କରିବାକୁ ହେବ । ଲକ୍ଷ ଲକ୍ଷ ଟଙ୍କା ସେ ଖାଇବ, ଆଉ ଆମେ ଭୋକରେ ମରୁଥିବୁ, ସେସବୁ ଚଳିବ ନାହିଁ’’, ଆହୁରି କେତେ ଏଆଡ଼ୁ ସେଆଡ଼ୁ କହି ତପନବାବୁ କହିଲେ ‘‘ଛାଡ଼ ମ ।’’

 

‘‘ଓଃ ହୋ, ଏଇ କଥା’’ କହି ଦୀନକୃଷ୍ଣ ବାବୁ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ପୁଣି କହିଲେ ‘‘ଏତେବଡ଼ କଥା, ତୁମେ ମୋତେ କହିଲ ନାହିଁ ।’’

 

ତପନବାବୁ ଟିକିଏ ବିରକ୍ତ ହେଲାପରି କହିଲେ ‘‘କଣଟା କହନ୍ତି ? ପାଗଳାର ପାଗଳାମି କଥା କହିବାକୁ ମୋର ବେଳକାହିଁ ?

 

ମୁଁ ତାଙ୍କୁ ସଫା ସଫା କହିଲି, ‘ରମେଶବାବୁ, ଏଇ କଥା କହିବା ପାଇଁ କଣ ଏଇଟା ସମୟ ? କେଡ଼େ ଅସୁନ୍ଦର କଥା କହୁଛ । ପୁଣି ତାଙ୍କୁ କହିଲି ‘ନିୟମ କଣ ବଦଳିଛି ସେ କଥା ମୁଁ ଜାଣେ, ଆଉ ମଲା ପୂର୍ବରୁ ବୁଢ଼ା ମଧ୍ୟ ଜାଣିଥିଲେ । ତେଣୁ ସେ ବିଷୟରେ ଏତେ ବାଜେ କଥା କହି ନିଜ ନିଜ ଭିତରେ ତିକ୍ତତା କାହିଁକି ବଢ଼ାଉଛ ? ଯେତେବେଳେ ଯାହା ହେବା କଥା, ତା’ମନକୁ ହେବ, ଏତେ ଅଧୀର କାହିଁକି ?’

 

ଦୀନକୃଷ୍ଣବାବୁ ଟିକିଏ ମ୍ଳାନ ହସ ହସି କହିଲେ ‘‘ତାପରେ ?’’

 

‘‘ତା’ପରେ ଆଉ କଣ, ମଣିଷ ଲୋଭ ଓ ଈର୍ଷାରେ ଯା’ହୁଏ ସେଇଆ ।’’ ପୁଣି କହିଲେ ‘‘ମୋର ମନେହେଉଛି, କେହିଜଣେ ତୁମର ପୁରାତନ ବନ୍ଧୁ ତାଙ୍କ ପଛରେ ଛିଡ଼ାହେଇ ତାଙ୍କୁ ସବୁ ଶିଖେଇ ତୁମକୁ ହଇରାଣ ହରକତ କରିବାର ଚେଷ୍ଟାରେ ଅଛନ୍ତି ।’’

 

ଦୀନକୃଷ୍ଣବାବୁ ରାଗରେ ସଁ ସଁ ହେଲେଣି । ଯା ହେଉ ପୁଣି ପଚାରିଲେ ‘‘ତେବେ କଣ କରିବା ?’’

 

‘‘କିଛି ନାହିଁ, କଣ ହେଉଛି ଦେଖାଯାଉ, ତା’ପରେ ଯାହା ଦରକାର ତାହା କରିବା । ତୁମେ ଚୁପ୍‌ ହୋଇ ନିଜ କାମ କରିଯାଅ ଦେଖାଯିବ ।’’

 

ଦୀନକୃଷ୍ଣବାବୁ କହିଲେ, ‘‘ଏମିତି ଚୁପ୍‌ହୋଇ ବସିଥିବା ସେ ଦଳବାନ୍ଧି ଶେଷରେ ବିପଦରେ ପକାଇବେ, ତା’ପରେ ଆଉ କଣ କରିବା ? ଆଗରୁ ସତର୍କ ନ ରହିଲେ କେତେବେଳେ କେଉଁକଥା ।’’

 

‘‘ସତର୍କ ରହି ଚଳିବାକୁ ହେବ ନିଶ୍ଚୟ, କିନ୍ତୁ ଆଶଙ୍କାର କିଛି କାରଣ ନାହିଁ । ମୁଁ ତାଙ୍କୁ କହିଦେଲି ଯେ ‘ଓ୍ୱିଲ୍‌ନାମା ନଥିଲେ ସିନା’’ କହି ତପନବାବୁ ହସିଦେଲେ ।

 

ଦୀନକୃଷ୍ଣ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ‘‘ଓ୍ୱିଲନାମା କଣ ?’’

 

‘‘ଆରେ ତୁମେ ଜାଣି ନାହିଁ ପରା ! ଓ୍ୱିଲ୍‌ କରିଯାଇଛନ୍ତି ସମସ୍ତ ସମ୍ପତ୍ତି ତୁମକୁ ଦେବା ପାଇଁ’’ କହି ତପନ ବାବୁ ଟିକିଏ ହସି ଦେଲେ ।

 

‘‘ଓ୍ୱିଲନାମା କେବେ କଲେ ? ସେଇଟା କେଉଁଠି ଅଛି ? ମୁଁ କିଛି ଜାଣି ନାହିଁ ତ, ତୁମେ କେମିତି ଜାଣିଲ ?’’ କହି ଦୀନକୃଷ୍ଣ ବ୍ୟସ୍ତ ହୋଇପଡ଼ିଲେ ।

 

‘‘ଆରେ ବାବା, କାହିଁକି ଏମିତି ବ୍ୟସ୍ତ ହେଉଛ ? ଓ୍ୱିଲନାମା ମୁଁ ଲେଖିଛି, ବାପା ଓ ସାକ୍ଷ୍ୟମାନେ ମୋ ସାମନାରେ ଦସ୍ତଖତ ଦେଇଛନ୍ତି; ଆଉ କ’ଣ ?’’

 

‘‘ତେବେ ତାହା କେଉଁଠି ?

 

‘‘ସେ କଥା ମୁଁ କହିପାରିବି ନାହିଁ, ବାପାଙ୍କ ଟ୍ରେଜେରୀ ଆଦି ଓ ତାଙ୍କ ଡକୁମେଣ୍ଟ ରଖିବା ସ୍ଥାନ ଆଦି ଦେଖିଲଣି ? ସେଇଠି କେଉଁଠି ଥିବ ।’’

 

‘‘ଆଚ୍ଛା, ମୋଠୁ କାହିଁକି ଲୁଚାଇଲେ, ତୁମେ ତ ମୋତେ ଆଗରୁ କହିଥାନ୍ତ’’ ବୋଲି ଦୀନକୃଷ୍ଣ ଦୋଷାରୋପ କରି ଅଭିମାନ କଲାଭଳି କହିଲେ ।

 

‘‘ଆରେ ବାଃ, ପ୍ରଫେସନାଲ୍‌ ଏଥିକ୍‌ସ ମୋର ନାହିଁ ନା କଣ–ଭାବୁଛ ? ବାପା ପରା ମୋତେ ତାଗିଦ୍‌ କରିଥିଲେ, ତାଙ୍କ ଜୀବିତାବସ୍ଥାରେ କାହାକୁ ନ କହିବାକୁ, ଏପରିକି ତୁମକୁ ମଧ୍ୟ । ମୁଁ କେମିତି କହନ୍ତି ? ଆଜି ହେଲେ କହିଥାନ୍ତ କି ? ରମେଶ ବାବୁ ସେଦିନ ଏପରି ତୋଫାନ ଦେଖାଇ ନଥିଲେ, ତାଙ୍କୁ ବି କହି ନଥାନ୍ତି, ବୁଝିଲ ? ଅବଶ୍ୟ ବୁଢ଼ାଙ୍କ ମଲାପରେ କହିବାରେ କିଛି ଦୋଷ ନାହିଁ ଯେ, ଦରକାର କ’ଣ ?

 

ଏମିତି ଗପସପ କରୁକରୁ ଦିନ ଦେଢ଼ଟା ହେଲାଣି । ଦୁଇବନ୍ଧୁ ଉଠିଲେ । ଦୀନକୃଷ୍ଣ ବାବୁ ଚାଲିଲେ ଘରକୁ । ବାଟରେ ଭାବନାର ଅନ୍ତ ନାହିଁ । କ୍ରୋଧ, ଦୁଃଖ, ଅଭିମାନ, ଅସହାୟତା ସବୁ ତାଙ୍କୁ ବିବ୍ରତ କରିପକାଉଥାଏ ।

 

ଦେଖ, କଣ ନ କଲି ଅପା ଓ ରମେଶ ବାବୁ ପାଇଁ; ତଥାପି ଲୋକଟା କେତେ ନିର୍ଲଜ୍ଜ ଭାବରେ କହିପାରୁଛି ଏପରି କଥା । ସବୁ ପୁଣି ବାହାର ଲୋକଙ୍କଠାରେ, କଣ ସେ ଏତେ ନୀଚ ? ତା’ ସହିତ ସମ୍ପର୍କ କାଟିଦେବା ବୋଧହୁଏ ଉଚିତ ହେବ । ତା’ର ଯାହା କରିବା କଥା କରୁ । ତା’ର ଏତିକି ମଧ୍ୟ ଦୁଃଖ ନାହିଁ ଯେ, ବାପା ମରିବାର ଦଶଦିନ ମଧ୍ୟରେ ସେ ଶ୍ୱାନ ଶୃଗାଳଭଳି ଶବକୁ କାମୁଡ଼ିବା ଆରମ୍ଭ କରିଦେଲେଣି । ଛି-ଛି, ଭଗବାନ ଏମିତିସବୁ ବୁଦ୍ଧି ମଣିଷକୁ କାହିଁକି ଦିଅନ୍ତି ? ମଣିଷ ଜନ୍ମ ହୋଇ ବୁଦ୍ଧି, ବିବେକ, ଜ୍ଞାନ, ଧର୍ମ ସବୁ ପୋଡ଼ି ଖାଇଲେଣି ।

 

ଏମିତି କେତେ କଥା ଭାବି ଭାବି ଘରେ ପହଞ୍ଚିଲେ । କୃଷ୍ଣା ହସ ହସ ମୁହଁରେ ଦରଜା ଖୋଲି କହିଲେ, ‘‘ଆଜି ରବିବାର, ଛୁଟି ଦିନ ତ ବେଶ୍‌ ଉପଭୋଗ କରୁଛ । ଏତେବେଳ ଯାଏ କଉଠି ଗପୁଥିଲ ?’’ କିନ୍ତୁ ହଠାତ୍‌ ଦୀନକୃଷ୍ଣଙ୍କ ଶୁଖିଲା ମୁହଁ ଦେଖି ଚୁପ୍‌ ହୋଇଗଲେ । ଟିକିଏ ପରେ କହିଲେ, ‘‘କଣ ପାଣିଦେବି, ନା ଖାଇବା ପାଇଁ ବଢ଼ାବଢ଼ି କରିବି ?’’

 

ଦୀନକୃଷ୍ଣ କପଡ଼ା ପାଲଟୁ ପାଲଟୁ କହିଲେ, ‘‘ପାଣିଦିଅ ଓ ଖାଇବା ପାଇଁ ବି ବଢ଼ାବଢ଼ି କର ।’’

 

କୃଷ୍ଣା ପାଣି ଗ୍ଲାସ ଟେବୁଲ୍‌ ଉପରେ ରଖି, ଚାଲିଗଲେ ରନ୍ଧାଘରକୁ ।

 

ଦୀନକୃଷ୍ଣ ଖାଇବସିଲେ । କୃଷ୍ଣା ସାମନାରେ ବସି ତଦାରଖ କରୁଛନ୍ତି । ଦୀନକୃଷ୍ଣଙ୍କ ମୁଣ୍ଡରେ ଚିନ୍ତାର ଝଡ଼, ମୁହଁ ଗମ୍ଭୀର । କିଛି ସମୟ ଗଲାପରେ କୃଷ୍ଣା ହସି ହସି କହିଲେ, ‘‘ଆଜି ଏତେ କଣ ଭାବୁଛ ? କିଛି କହୁନାହଁ, ଗମ୍ଭୀରହୋଇ ଖାଉଛ !’’

 

‘‘କ’ଣ ଆଉ କହିବି କୃଷ୍ଣା, ରମେଶବାବୁ ପରା ଭଗବାନଙ୍କ ବାପାଙ୍କ ସମ୍ପତ୍ତିରୁ !’’

 

‘କିଏ କହିଲା ମ ! ଆଉ ସେ କେମିତି ନେବେ ? ନେଲେ ଅପା ସିନା ନେଇପାରନ୍ତି’’, କହି କୃଷ୍ଣା ଟିକିଏ ଗମ୍ଭୀର ହେଲେ ।

 

‘‘ସେ ପରା ଏଇଠି ଯେଉଁ କେତେଦିନ ଥିଲେ, ଏଇ ବେଉସା କରିଛନ୍ତି । ଠା’ ଠା’ ଯାଇ କହି ବୁଲୁଛନ୍ତି ଯେ, ସେ ଭୋକରେ ମରୁଛନ୍ତି ଓ ମୁଁ ଅନ୍ୟାୟରେ ସମ୍ପତ୍ତି ମାଡ଼ିବସିଛି ଏବଂ ଭୋଗବିଳାସ କରୁଛି । ଆଉ ଅପା—ସେ’ କଣଟା ଯେ, ରମେଶ ଯେପରି କହିବେ ସେପରି କରିବ । ତା’ର କଣ ନିଜର କିଛି ନିଜତ୍ୱ ବୁଦ୍ଧି ଅଛି ?’’

 

ପୁଣି ଟିକିଏ ରହି କହିଲେ, ‘‘ଆଜି ମାନଗୋବିନ୍ଦ ବାବୁଙ୍କ ପାଖକୁ ଯାଇଥିଲି, ତା’ପରେ ତପନବାବୁଙ୍କ ପାଖକୁ ଯାଇଥିଲି ।’’

 

କୃଷ୍ଣା କହିଲେ, ‘‘ଅପାଙ୍କ ନିଜତ୍ୱ ନାହିଁ କାହିଁକି ? ବେଶ୍‌ ଅଛି ଯେ ! ରମେଶବାବୁ ଟିକିଏ ଅନ୍ୟପ୍ରକାର, ହଉ ହେଲା ଯାହା ନିୟମ ଥିବ ହେବ । ଯାହା ତାଙ୍କର ଦରକାର, ନେଇ ଯାଉନାହାନ୍ତି ? ବାହାର ଲୋକଙ୍କୁ କହି କି ଲାଭ ? ସେମାନେ କଣ ଦେଇଦେବେ ?’’

‘‘ଆହା ତୁମେ ବୁଝିଲ ନାହିଁ । ମୋର ବଦନାମ କରିବେ, ତାଙ୍କଠୁଁ ସହାନୁଭୂତି ପାଇବେ; କାରଣ ରମେଶ ବାବୁ ଦରିଦ୍ର, ଭୋକରେ ମରୁଛନ୍ତି କି ନା’ କହି ଟିକିଏ ବିଦ୍ରୂପ ହସ ଲାଗିଲେ–ଦୀନକୃଷ୍ଣ ବାବୁ !

‘‘ହଉ ଛାଡ଼, ତହିଁରୁ କଣ ପାଇବା । ସମୟ ଆସିଲେ ସେ ଆପେ ଆପେ ବୁଝିଯିବେ ଯେ, ଏତେ ଚିନ୍ତା କରି ଲାଭ କଣ ?’’

‘‘ଚିନ୍ତା ନୁହେଁ କୃଷ୍ଣା ! ତାଙ୍କର ଏଇ ନୀଚ ମନୋବୃତ୍ତି ପାଇଁ ମୋର ରାଗ ହେଉଛି ।’’

‘‘ରାଗକରି ଆଉ ଲାଭ କ’ଣ ? ଭଗବାନ ସେମାନଙ୍କୁ ସୁବୁଦ୍ଧି ଦିଅନ୍ତୁ !’’ କହି ଚୁପ୍‌ ହୋଇ ବସିଲେ ।

‘‘ପିଲାଏ କୁଆଡ଼େ ଗଲେ ?’’ ଦୀନକୃଷ୍ଣ ବାବୁ କହିଲେ ।

‘‘ବାହାରେ ଖେଳୁ ଥିବେ’’, କହି କୃଷ୍ଣା ଉଠିଲେ ତାଙ୍କୁ ଡାକିବାକୁ ।

‘‘ଥାଉ ଥାଉ, ଖେଳନ୍ତୁ, କାହିଁକି ବ୍ୟସ୍ତ ହେଉଛ । ତୁମେ ଖାଇବସ, କେତେ ଡେରି ହେଲାଣି’’ କହି ଦୀନକୃଷ୍ଣ ବାବୁ ଉଠିଲେ ।

କୃଷ୍ଣା ପାନଥାଳିଆ ଆଣି, ଦୀନକୃଷ୍ଣ ବାବୁଙ୍କୁ ଦେଲେ । ‘‘ଥାଉ, ମୁଁ କଣ ଖାଇ ନଥାନ୍ତି କି-? ତୁମେ ଖାଇବାରେ ଆଉ ବିଳମ୍ୱ କାହିଁକି କରୁଛ ??’’ କହି ଦୀନକୃଷ୍ଣ ବାବୁ ଆରାମ କରିବାପାଇଁ ଶୋଇବା ଘରକୁ ଚାଲିଗଲେ ।

ହଁ, ଆରାମ କରିବାକୁ ଗଲେ, କିନ୍ତୁ କାହିଁ ? ଚିନ୍ତାଶୀଳ ମଣିଷ ଜୀବନରେ ଆରାମ କାହିଁ ? ହଁ ଖଟରେ ଗଡ଼ିଲେ, ଗଡ଼ିଲେ ଘର ଛାତକୁ ଅନାଇଁ, ନାନା ଚିନ୍ତାରେ ନିମଗ୍ନ ରହିଲେ । କିଛି ସମୟ ଏପରି ଅତିବାହିତ ହେଲାପରେ, ଘର ବାଟରେ ଗୋଟିଏ ଜିପ୍‌ ଗାଡ଼ିର ହର୍ଣ୍ଣ ଶୁଭିଲା । କୃଷ୍ଣା ଖାଇ ବସିଛନ୍ତି । ତେଣୁ ନିଜେ ଦୀନକୃଷ୍ଣ ବାବୁ ବାହାରକୁ ବାହାରିଲେ । ଦେଖିଲେ, ତାଙ୍କର ଜଣେ ଦୁଇବନ୍ଧୁ ପୂର୍ବତନ ବନ୍ଧୁ । ଏସ୍‌.ଡି.ଓ. ସାହେବ, ଆଉ ଜଣେ ଦୁଇଜଣ ଭଦ୍ରଲୋକ ଜିପ୍‌ରୁ ଓହ୍ଲାଉଛନ୍ତି ।

ଦୀନକୃଷ୍ଣ ବାବୁ ବାରଣ୍ଡାରୁ ଓହ୍ଲାଇ ଜିପ୍‌ ପାଖକୁ ଗଲେ । ସମସ୍ତଙ୍କୁ ନମସ୍କାର କରି ବାରଣ୍ଡାକୁ ପାଛୋଟି ଆଣିଲେ । ସମସ୍ତଙ୍କ ବସିବା ବ୍ୟବସ୍ଥା କରି ଘରେ ଚା’ କରିବା ପାଇଁ କହିଆସି କହିଲେ, ‘‘କୁହନ୍ତୁ ଆଜ୍ଞା ! କିପରି ଆସିବା ହେଲା ?’’

ଏସ୍‌.ଡି.ଓ. ସାହେବ କହିଲେ, ‘‘ବୁଝିଲ ଦୀନକୃଷ୍ଣ ବାବୁ ! ଆମେ ଗୋଟିଏ କଲେଜ୍‌ କରିବାର ପ୍ରସ୍ତାବ କରିଛୁ । ଗୋଟିଏ କମିଟୀ ଗଢ଼ିଛୁ । ବସନ୍ତ ବାବୁ ତହିଁର ସଭାପତି ଅଛନ୍ତି । ପ୍ରଫୁଲ୍ଲ ବାବୁ ଉପସଭାପତି । ଆମେ ସରକାରୀ ଅଫିସର ନା, ଆମେ ତ ଆଉ ଚାନ୍ଦା ମାଗିପାରିବୁ ନାହିଁ ବା’ ନେଇ ପାରିବୁ ନାହିଁ । ତେଣୁ ଏମାନଙ୍କୁ ନେଇ ଆପଣଙ୍କ ପାଖକୁ ଆସିଲି । କଲେଜ୍‌ ପାଇଁ କିଛି ଚାନ୍ଦା ଦିଅନ୍ତୁ !’’

 

ଦୀନକୃଷ୍ଣ କହିଲେ, ‘‘ବେଶ୍‌ ଭଲ କଥା ଆଜ୍ଞା, କିନ୍ତୁ ବର୍ତ୍ତମାନ ମୋର ଆର୍ଥିକ ଅବସ୍ଥା ଭଲନୁହେଁ । କୁହନ୍ତୁ ମୁଁ ବା କ’ଣ ଦେଇ ପାରିବି ?’’

 

ଏସ୍‌.ଡି.ଓ. କହିଲେ ‘‘କ’ଣ ବସନ୍ତବାବୁ କୁହନ୍ତୁ !’’

 

‘‘ମୁଁ ଆଉ କଣ କହିବି ଆଜ୍ଞା, ଆପଣ କୁହନ୍ତୁ !’’ କହି ବସନ୍ତବାବୁ ପ୍ରଫୁଲ୍ଲବାବୁଙ୍କ ଆଡ଼କୁ ଚାହିଁଲେ ।

 

ପ୍ରଫୁଲ୍ଲବାବୁ କହିଲେ, ‘‘ଆଜ୍ଞା, ଆମେ କହିଲେ ହେବନାହିଁ । ଆପଣ କୁହନ୍ତୁ । ଆପଣ ବୁଝୁନାହାନ୍ତି, ସିଧା ଆଙ୍ଗୁଳିରେ ପରା ଘିଅ ବାହାରେ ନାହିଁ, କହି ଏସ୍‌.ଡି.ଓ.ଙ୍କ ଆଡ଼କୁ ଚାହିଁଲେ ।

 

ଦୀନକୃଷ୍ଣବାବୁ ଗମ୍ଭୀର ହୋଇଗଲେ, କିଛି କହିଲେନାହିଁ । କାରଣ ସେ ଜାଣନ୍ତି ପ୍ରଫୁଲ୍ଲବାବୁ କିପରି ଲୋକ । ଅବଶ୍ୟ, ଅନ୍ୟ ସମସ୍ତଙ୍କୁ ମଧ୍ୟ ଭଲଭାବରେ ଚିହ୍ନନ୍ତି; କିନ୍ତୁ କଲେଜ୍‌ ପାଇଁ ତ ସମସ୍ତଙ୍କର ଇଚ୍ଛା । ସେମାନେ ଯେତେବେଳେ କରିବାପାଇଁ ବାହାରିଛନ୍ତି, କାହିଁକି ବାଧାଦେବ ।

 

ଏସ୍‌.ଡି.ଓ କହିଲେ ‘‘ଛାଡ଼ନ୍ତୁ ସେସବୁ କଥା । ଆଚ୍ଛା ଦୀନକୃଷ୍ଣବାବୁ ! ଆପଣଙ୍କଠୁଁ ଆମେ ପାଞ୍ଚହଜରା ଟଙ୍କା ନେବୁ’’ କହି ସମର୍ଥନ ପାଇଁ ତାଙ୍କ ସାଥୀମାନେ ଆଡ଼କୁ ସଗର୍ବରେ ଚାହିଁଲେ ।

 

ଦୀନକୃଷ୍ଣବାବୁ କହିଲେ, ‘‘ଆଜ୍ଞା ! ମୋର ଆର୍ଥିକ ଅବସ୍ଥା ବର୍ତ୍ତମାନ ଭଲ ନାହିଁ । ଏତେ ମୁଁ ଦେଇପାରିବିନାହିଁ ।

ଏସ୍‌.ଡି.ଓ ଗମ୍ଭୀର ହୋଇ କହିଲେ, ‘‘ନ ଦେବେ କ’ଣ ? ଦେବାକୁ ପଡ଼ିବ ।’’

ପ୍ରଫୁଲ୍ଲବାବୁ ଅତି ନିର୍ଲଜ୍ଜ ହସ ହସି କହିଲେ–‘‘ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ମାରିନେଇ, ଦେଇପାରିବେ ନାହିଁ କ’ଣ କହୁଛନ୍ତି ?’’

ଦୀନକୃଷ୍ଣବାବୁ କହିଲେ, ‘‘ଆଜ୍ଞା, ଆପଣମାନଙ୍କ ସହିତ ଯୁକ୍ତି କରିବାକୁ ମୁଁ ଚାହେଁ ନାହିଁ-। ଭଲକାମ ଆରମ୍ଭ କରିଛନ୍ତି, ମୋ ଶକ୍ତିମତେ ମୁଁ ଦେବାକୁ ପ୍ରସ୍ତୁତ ।

ବସନ୍ତବାବୁ କହିଲେ, ‘‘ହଉ ଆପଣ କେତେ ଦେବେ କୁହନ୍ତୁ !’’

‘‘ମୁଁ ଆଉ କ’ଣ କହିବି ! ଆଜ୍ଞା ହଜାରେ ଟଙ୍କା ଦେବି, ଆଉ କ’ଣ କରିବି ? ଏତେବଡ଼ କାମରେ ତ ଶହେ, ପଚାଶ ଦେଲେ ଚଳିବ ନାହିଁ, କଷ୍ଟ ହେଉ ପଛେ ଦେବି’’, କହି ଭିତରକୁ ଚା’ ଆଣିବା ପାଇଁ ଗଲେ ।

ଚା’ ଆସିଲା ।

ବସନ୍ତବାବୁ, ଏସ୍‌.ଡି.ଓ.ଙ୍କୁ କହିଲେ, ‘‘କଣ କରିବା ଆଜ୍ଞା ?’’ ‘‘କିଛି ନାହିଁ, ଚାଲନ୍ତୁ ଯିବା’’ କହି ଏସ.ଡି.ଓ/ ରାଗରେ ଗରଗର ହୋଇ ଛିଡ଼ାହୋଇପଡ଼ିଲେ । ତାଙ୍କ ସହିତ ସମସ୍ତେ ଛିଡ଼ାହେଲେ ।

 

ଦୀନକୃଷ୍ଣ ବାବୁ ହାତଯୋଡ଼ି କହିଲେ ‘‘ଆଜ୍ଞା ଚାଟା ଖାଇନିଅନ୍ତୁ ।’’

 

ଏସ୍‌.ଡି.ଓ. କହିଲେ ‘‘ନାଁ, ଚା’ ଖିଆ ହେବନାହିଁ, ଆଉ ଆମେ ବି ଦେଖିନେବା,’’ କହି ସଙ୍ଗେସଙ୍ଗେ ଯାଇ ଜିପ୍‌ରେ ବସିଲେ । ପଛେ ପଛେ ତାଙ୍କ ସହିତ ଆସିଥିବା ଲୋକେ ଯାଇ ଜିପ୍‌ରେ ବସିଲେ । ଜିପ୍‌ ଚାଲିଗଲା । ଚା’ କପ୍‌ ପଡ଼ିରହିଲା । ଦୀନକୃଷ୍ଣବାବୁ ଅତିଶୟ ଅପମାନିତ ବୋଧକଲେ । ସେ ଜାଣିପାରିଲେ ଏଇଟା ପ୍ରଫୁଲ୍ଲବାବୁ ଓ ବସନ୍ତବାବୁ ଏସ୍‌.ଡି.ଓ.ଙ୍କୁ ଶିଖେଇ ତାଙ୍କୁ ହନ୍ତସନ୍ତ କରିବା ପାଇଁ ଆଣିଥିଲେ । ସେ’ ସେଇଠି ଚୁପ୍‌ ହୋଇ ବସିରହିଲେ, ଚା’ ଫିଙ୍ଗା ହେଲା । ମନରେ କେତେକଥା ଭାବୁଥାନ୍ତି । ‘ସରକାରୀ ଚାକରମାନଙ୍କର ପରା ଚାନ୍ଦା ଅସୁଲ କରିବା ନିୟମ ନାହି, ତେବେ ଏସ.ଡି.ଓ. କଣ କରୁଥିଲେ ?

 

ପ୍ରଫୁଲ୍ଲ ବାବୁ ଏମିତି କାହିଁକି ହେଉଛନ୍ତି, ତାଙ୍କପାଇଁ ଦୀନକୃଷ୍ଣ ବାବୁ କ’ଣ କରିନାହାନ୍ତି ? ତଥାପି ଏପରି ବ୍ୟବହାର ? ହଁ, ଅବଶ୍ୟ ଟଙ୍କା ନେଇଛନ୍ତି, ସେ ଟଙ୍କା ଦୀନକୃଷ୍ଣ ବାବୁ ଥରେ ଅଧେ ମାଗିଛନ୍ତି; କିନ୍ତୁ ସେ ତ ଧାର ନେଇଥିଲେ ମାସକ ପାଇଁ । ବର୍ଷେ ଉପରେ ହେଲାରୁ ଦୀନକୃଷ୍ଣବାବୁ ମାଗିଲେ, ତହିଁରେ ତ କିଛି ଦୋଷ କରିନାହାନ୍ତି । ନା’ ସେଇଆ ବୋଧହୁଏ ଦୋଷ । ସେକ୍‌ସପିଅର ଠିକ୍‌ କହିଛନ୍ତି–‘‘ଧାର ଦେବା ଓ ନେବା ଖରାପ । କାରଣ ତଦ୍ଦ୍ୱାରା ଟଙ୍କା ଓ ବନ୍ଧୁ ଦୁହିଁଙ୍କୁ ହରାଇବାକୁ ହୁଏ ।’’ ତା’ରି ବୋଧହୁଏ ଏହି ପରିଣତି । ହଉ ଆଉ କଣ କରିବା, ଦେଖାଯାଉ କ’ଣ ହେଉଛି ଏମିତି କେତେ କଣ ଭାବୁଥିଲେ ।

 

ବାଳିକା ସ୍କୁଲ ହେଡ଼୍‌ମିଷ୍ଟ୍ରେସ୍‌ ଓ ତାଙ୍କ ସହିତ ଆଉ ଜଣେ ଶିକ୍ଷୟିତ୍ରୀ ଆସିଲେ । ନମସ୍କାରାନ୍ତେ ସେହି ବାରଣ୍ଡାରେ ବସିଲେ । ଦୀନକୃଷ୍ଣବାବୁ ଆସିବାର ଉଦ୍ଦେଶ୍ୟ ପଚାରିବାରୁ ହେଡ଼୍‌ ମିଷ୍ଟ୍ରେସ୍‌ କହିଲେ, ‘‘ଏହିବର୍ଷ ପୁରସ୍କାର ବିତରଣୀ ସଭାରେ ଆପଣ ସଭାପତିତ୍ୱ କରିବେ ବୋଲି ଆମେ ସମସ୍ତେ ସ୍ଥିର କରିଛୁ । ଆଉ ଆପଣଙ୍କ ସ୍ତ୍ରୀ, ଝିଅମାନଙ୍କୁ ପୁରସ୍କାର ଦେବେ । ଆପଣଙ୍କର କେବେ ସୁବିଧା ହେବ ?’’

 

ଦୀନକୃଷ୍ଣ ବାବୁ ହସି ହସି କହିଲେ, ‘‘ଥାଉ ଥାଉ ଆଜ୍ଞା ! ମୋତେ କାହିଁକି କହୁଛନ୍ତି ? କୌଣସି ମନ୍ତ୍ରୀଙ୍କୁ କୁହନ୍ତୁ । ସେ ଆସି ଏସବୁ କଲେ ସ୍କୁଲର ଲାଭ, ଆପଣମାନଙ୍କର ଲାଭ ଏବଂ ସୁନ୍ଦର ହେବ ମଧ୍ୟ ।

 

ହେଡ଼୍‌ ମିଷ୍ଟ୍ରେସ୍‌ କହିଲେ ‘‘ନା-ନା ସେମିତି କିଛି ନାହିଁ ଯେ, ଆମେ ଶିକ୍ଷାମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ଲେଖିଥିଲୁ; କିନ୍ତୁ ସେମାନେ ଆସନ୍ତା ବିଧାନସଭା ଅଧିବେଶନ ପାଇଁ ବଡ଼ ବ୍ୟସ୍ତ ଅଛନ୍ତି । ତେଣୁ ଆସିପାରିବେ ନାହିଁ ବୋଲି ଲେଖିଲେ ।’’

 

‘‘ହଉ ସେମାନେ ନ ଆସିଲେ କଲେକ୍‌ଟର ବା ଏସ.ଡି.ଓ. ଅଛନ୍ତି । ସେ ସମସ୍ତଙ୍କୁ ଛାଡ଼ି, ମୋତେ କାହିଁକି ଆପଣମାନେ ବାଛିଲେ ?’’

 

ସେ କିଛି ସୁବିଧା ହେଲାନାହିଁ । ତା’ପରେ ବିଜୟ ବିଳମ୍ୱ ହେଲେ ଅସୁବିଧା, ପିଲାଏ ପରୀକ୍ଷାପାଇଁ ପ୍ରସ୍ତୁତିରେ ଲାଗିବେ ।’’

 

‘‘ହଉ ସେମାନେ ନ ହେଲେ ଆଉ ତ ଏଠି କେତେ ବଡ଼ ବଡ଼ ଲୋକ ଅଛନ୍ତି । ଏଇ ଧରନ୍ତୁ ବସନ୍ତବାବୁ, ପ୍ରଫୁଲ୍ଲବାବୁ ଆଉ କେତେ, ସେମାନେ ତ ଏଥିପାଇଁ ବେଶ୍‌ ଉପଯୁକ୍ତ ।’’

 

ସାଙ୍ଗର ଶିକ୍ଷୟିତ୍ରୀ ଜଣକ ମୁହଁ ମୋଡ଼ିଦେଲେ । ହେଡ଼୍‌ ମିଷ୍ଟ୍ରେସ୍‌ କହିଲେ, ‘‘ମୁଁ କ’ଣ କରିବି ଆଜ୍ଞା ! ଆମ ଷ୍ଟାଫ୍‌ ମିଟିଂରେ ଏକଥା ଧାର୍ଯ୍ୟ ହୋଇସାରିଛି । ସମସ୍ତେ ଆପଣଙ୍କୁ ନିର୍ବାଚିତ କରି କହିବାପାଇଁ କହିଲେ, ଆଉ ଆପଣଙ୍କ ପାଖକୁ ପଠାଇଛନ୍ତି । ଆପଣ ସ୍ୱୀକୃତି ଦିଅନ୍ତୁ !’’

‘‘ମୋର କିଛି ଆପତ୍ତି ନାହିଁ ଯେ, ବୁଝିଲ ମିସ୍‌ ଦାସ, ଏଥିରେ ଅଯଥା ରାଜନୀତି ପଶିଯାଇପାରେ ଓ ତହିଁରେ ଅଯଥା ଆପଣମାନଙ୍କୁ ସଂଶ୍ଳିଷ୍ଟ କରାଯାଇପାରେ । ଜାଣୁଛନ୍ତି ତ–ଏଠାକାର ସବୁ !’’

‘‘ହଉ କଣଟା ହେବ ? ଆପଣ ଆମ ସ୍କୁଲପାଇଁ ଯାହା କରିଛନ୍ତି, ଆଉ କିଏ କରିଛି ? ଆଉ ଏକ୍ଷଣି ଈର୍ଷା ପରବଶ ହୋଇ କେହି ଯଦି କ’ଣ କହେ, ତା ହେଲେ ଆମର କିଛି ଯାଏ ଆସେ ନାହିଁ । ଆପଣ ଜାଣିଛନ୍ତି–ଆମେ ସରକାରୀ ଚାକର, ଆଜି ଏଇଠି ତ କାଲି ଆଉ କେଉଁଠି । ଅତି ବେଶି ହେଲେ ଆମକୁ ଟ୍ରାନ୍‌ସଫର କରିବାପାଇଁ ଚେଷ୍ଟାକରିବେ, କରନ୍ତୁ । ଚାକିରିକରି କଣ ସେସବୁ ପାଇଁ ଆମେ ପ୍ରସ୍ତୁତ ନୋହୁଁ ? ମୁଁ ବର୍ଷେ ହେଲା ଏଠିକି ଆସିଥିଲେ ମଧ୍ୟ, ଏ ସ୍କୁଲର ଇତିହାସ ଜାଣିସାରିଛି । ଆପଣ ଚେଷ୍ଟା କରି ନଥିଲେ ତ ଏଠି ସ୍କୁଲ ହୋଇପାରି ନଥାନ୍ତା । ଆପଣଙ୍କୁ ବରଂ ଏଠା ଲୋକେ କେତେ ବାଧା ଦେଇଛନ୍ତି । ଆଉ ଆଜି ସେମାନେ ଈର୍ଷାକଲେ କ’ଣ ହେବ ? ଛାଡ଼ନ୍ତୁ, ଆପଣ ନିଶ୍ଚୟ ଆସିବେ । ଆମେ ପ୍ରୋଗ୍ରାମ ଛପଉଛୁ’’ କହି ମିସ୍‌ ଦାଶ୍‌ ଓ ତାଙ୍କ ସହକର୍ମିଣୀ ଉଠିଲେ ।

ଦୀନକୃଷ୍ଣ ବାବୁ କହିଲେ ‘‘ଆପଣ ତ ଆଚ୍ଛା ଲୋକ, ମୋର ସ୍ୱୀକୃତି ତ ନେଲେ, ମିସେସ୍‌ଙ୍କୁ କିଛି କହିଲେନାହିଁ । ତା’ପରେ ବାହାରେ ବାହାରେ ଆପଣ ଏମିତି ଚାଲିଗଲେ, ଆମେ ମିସେସ୍‌ ମୋତେ କ’ଣ କହିବେ ?’’

 

ଟିକିଏ ହସି ମିସ ଦାଶ କହିଲେ, ‘‘ନାଇଁ ତ ଆମେ ଯାଉନୁ ଯେ, ଘର ଭିତରକୁ ଯିବାପାଇଁ ଉଠିଲୁ ନା, ତାଙ୍କ ସ୍ୱୀକୃତି ନ ଦେଲେ କେମିତି ହେବ ?’’ କହି ଘର ଭିତରକୁ ପଶିଗଲେ-। ପଛେ ପଛେ ଦୀନକୃଷ୍ଣ ବାବୁ ମଧ୍ୟ ଗଲେ ।

 

ଦୀନକୃଷ୍ଣ ବାବୁ ପାଟି କରି କହିଲେ, ‘‘ହଇ ହୋ କୃଷ୍ଣା ! କଣ କରୁଛ ? ଏଇ ଦେଖ ସ୍କୁଲ ହେଡ଼ ମିଷ୍ଟ୍ରେସ୍‌ ଆସିଛନ୍ତି, କଣ କହୁଛନ୍ତି ।’’

 

କୃଷ୍ଣା ଭିତରେ କ’ଣ କରୁଥିଲେ । ଡାକ ଶୁଣି ହାତ ଧୋଇ ତରବରରେ ହାତ ପୋଛୁପୋଛୁ ଆସି ନମସ୍କାର କଲେ । ବସିବା ପାଇଁ ଆସନ ଦେଲେ । କହିଲେ ‘‘ରୁହନ୍ତୁ, ମୁଁ ଟିକିଏ ଚା’ ବ୍ୟବସ୍ଥା କରେ ।’’

 

ଚା’ ଜଳଖିଆ ଆସିଲା । ସମସ୍ତେ ସାଙ୍ଗହୋଇ ବସି–ଖାଇବା ଆରମ୍ଭ କଲେ କୃଷ୍ଣା କହିଲେ, ‘‘ଆଜ୍ଞା ଆମ ରୀନା, ମୀନା, କେମିତି ପଢ଼ୁଛନ୍ତି ? ଆଜି ରବିବାର ବୋଲି କେହି ବହି ଟିକିଏ ଛୁଅନ୍ତେ ଭଲା, କଣ କରିବେ ?’’

 

ମିସ୍‌ ଦାଶ କହିଲେ, ‘‘ହଁ ପିଲାଲୋକ ତ, ଖେଳୁଛନ୍ତି । ନାଇଁ, ସ୍କୁଲରେ ତ ଭଲ ପଢ଼ନ୍ତି’’ କହି ସମର୍ଥନ ପାଇଁ ତାଙ୍କର ସହକର୍ମିଣୀଙ୍କ ଆଡ଼କୁ ଅନାଇଲେ ।

 

‘‘ହଁ ହଁ ଖୁବ୍‌ ଭଲ ପିଲା । ପଢ଼ିବାରେ ଯେମିତି, ତାଙ୍କ ବ୍ୟବହାର ମଧ୍ୟ ସେମିତି’’, ଶିକ୍ଷୟିତ୍ରୀ କହିଲେ ।

 

ଏଣୁତେଣୁ କଥା ପରେ, ମିସ୍‌ ଦାଶ ପ୍ରସ୍ତାବ ବାଢ଼ିଲେ, କହିଲେ ‘‘ଆପଣ ପୁରସ୍କାର ଦେବେ ।’’

 

କୃଷ୍ଣା ମୁଣ୍ଡରେ ହାତ ମାରି, ହସି ହସି କହିଲେ, ‘‘ବାବା ! ସେ ମୋଦ୍ୱାର ହେବନାହିଁ, ୟାଙ୍କୁ କୁହନ୍ତୁ । ମୁଁ ଘରଣୀ, ଘରକରଣା ଜାଣେ, ଏ ନେତାଗିରି ତାଙ୍କୁ ପୋଷାଏ, ମୋତେ ସେ ସବୁ କିଛି ଜଣାନାହିଁ ।’’

 

ପୁଣି ମିସ୍‌ ଦାଶ ହସିହସି କହିଲେ, ‘‘ତାଙ୍କୁ ପରା କହିଛୁ, ସେ ସଭାପତିତ୍ୱ କରିବେ, ଆପଣ ପୁରସ୍କାର ବିତରଣ କରିବେ ।’’

 

କୁଷ୍ଣା କହିଲେ, ‘‘ସେ ସଭା ସମିତିକୁ ଯାଇ ମୁଁ ପୁରସ୍କାର ବିତରଣ କଲେ, ଘରେ ରାନ୍ଧିବ କିଏ ? ଥାଉ ଆଜ୍ଞା, ତାଙ୍କୁ ନେଇଯାଆନ୍ତୁ ସେ ସବୁ କରିପାରିବେ ।’’

 

ମିସ୍‌ ଦାଶ କହିଲେ, ‘‘ସେମିତି କହିଲେ ହେବ ? ଦୁଇଘଣ୍ଟା ସମୟ, ଆପଣ ଆମ ସ୍କୁଲକୁ ନଗଲେ କେମିତି ହେବ ? ଝିଅମାନଙ୍କୁ ଉତ୍ସାହିତ କରିବା ପାଇଁ ତ ଏସବୁ ବ୍ୟବସ୍ଥା ହେଉଛି-। ସେଦିନ ଆମ ଝିଅମାନଙ୍କ ପାଇଁ ଟିକିଏ କଷ୍ଟ ସ୍ୱୀକାର କରିବେ । ଯେମିତି ହେଲେ, କ’ଣ ଆପଣ ଆସନ୍ତେ ନାହିଁ କି ?’’

 

କୃଷ୍ଣା କହିଲେ, ‘‘କଣ କରିବି, କେଉଁଠିକି ଯିବା ଆସିବା କରିପାରୁନାହିଁ । ଛୁଆଗୁଡ଼ା ଛୋଟ ଛୋଟ, କିଏ କେତେବେଳେ ଆସୁଛି; ତାଙ୍କରି କାମରେ ମୁଣ୍ଡଟେକି ପାରୁନାହିଁ ।’’

 

ମିସ୍‌ ଦାଶ ହସି ହସି କହିଲେ, ‘‘ଦେଖନ୍ତୁ, ସେ ସବୁ ଚଳିବନାହିଁ, ଆପଣଙ୍କୁ ସେଦିନ ଯିବାକୁ ହିଁ ହେବ, ଆମେ ଆସୁଛୁ’’ କହି ଉଠିଲେ ।

 

କୃଷ୍ଣା କହିଲେ ‘‘ଶୁଣନ୍ତୁ !’’

 

‘‘ଆଉ ଶୁଣା ଶୁଣି ନାହିଁ, ଆପଣ ନିଶ୍ଚୟ ଆସିବେ’’ କହି ମିସ୍‌ ଦାଶ ଓ ତାଙ୍କ ସହକର୍ମିଣୀ ଚାଲିଗଲେ ।

 

କୃଷ୍ଣା ଓ ଦୀନକୃଷ୍ଣ ବାବୁ ସେମାନଙ୍କୁ ବାଟ କଢ଼େଇଦେଲେ । ଫେରିଆସି କୃଷ୍ଣା କହିଲେ, ‘‘ହଇହୋ ! ‘ଇଏ ତ ବଡ଼ ଅଡ଼ୁଆ କଥା ।’’

 

ଦୀନକୃଷ୍ଣ କହିଲେ, ‘‘ଅଡ଼ୁଆ ଆଉ କଣ, ଯିବ । ଏତେ ଆଗ୍ରହ ଯେତେବେଳେ କରୁଛନ୍ତି, ପୁରସ୍କାର ବାଣ୍ଟିବାରେ କ’ଣ ଅଛି ?’’

 

ସେତେବେଳକୁ ସନ୍ଧ୍ୟା ହେଲାଣି, ପିଲାଏ ଖେଳାଖେଳି ସାରି ଫେରିଲେଣି । କାହାର ପାଣି ଦରକାର, ତ କିଏ ଆସି ଦୀନକୃଷ୍ଣ ବାବୁଙ୍କ ପାଖରେ ହାଜର ।

 

କୃଷ୍ଣା କହିଲେ, ‘‘କିରେ ଜଳଖିଆ ଖାଇବ ନାହିଁ ?’’

 

‘‘ନା, ଆଉ ଖାଇବୁ ନାହିଁ । ଆମେ ରଜନୀ ଘରେ ଖାଇ ଆସିଛୁ ।’’

 

କୃଷ୍ଣା ତାଙ୍କ ଘର କାମରେ ବ୍ୟସ୍ତ ରହିଲେ । ଦୀନକୃଷ୍ଣ ବାବୁ ବଗିଚାରେ ଚେୟାର ପକାଇ ବସିଲେ, ପୁଣି ସେଇ ଚିନ୍ତା ।

 

ଏସ୍‌.ଡି.ଓ. ସାହେବଙ୍କ ରାଗ, ପ୍ରଫୁଲ୍ଲବାବୁଙ୍କ କଥା, ତପନ ବାବୁଙ୍କ କଥା, ରମେଶ ବାବୁ, ହେଡ଼୍‌ମିଷ୍ଟ୍ରେସ୍‌, ସେଲ୍‌ଟେକ୍‌ସ, ଲେବର ଅଫିସର, କଲେକ୍‌ଟର, ରେଳ ଷ୍ଟେସନରେ ପଡ଼ିଥିବା ମାଲ, ଉଧାରି ଅସୁଲ, ରାମବାବୁ, ଉମା, ଲତା, ସବୁକଥା ତାଙ୍କ ମୁଣ୍ଡରେ ଖେଳୁଛି । କେତେବେଳେ କେଉଁଟା ଉଙ୍କିମାରି ତାଙ୍କୁ ବିବତକରି ପକାଉଛି । ପୁଣି ଅନ୍ୟ କେଉଁ ପ୍ରସଙ୍ଗ ଆନନ୍ଦ ବି ଦେଉଛି । କେଉଁଟା ନିରାଶ କରି ପକାଉଛି, କେଉଁ ବିଷୟରେ ପୁଣି ରାଗ ହେଉଛି । ଏପରି ଭାବରେ କେତେ ସମୟ ଚାଲିଗଲା–ତାଙ୍କୁ ଜଣା ନାହିଁ । ହଠାତ୍‌ କୃଷ୍ଣା ଆସି କହିଲେ, ‘‘କଣ ଗୁଡ଼ାଏ ବସି ବସି ଏତେ ଭାବୁଛ ? ରାତି ସାଢ଼େ ନଅଟା ହେଲାଣି । ପିଲାଏ ଖାଇ ଶୋଇଲେଣି, ଆଉ ତୁମେ ଚୁପ୍‌ ହୋଇ ବସି ଭାବୁଛ ?’’

 

ଦୀନକୃଷ୍ଣ ବାବୁ କହିଲେ, ‘‘ଆରେ ଏତେବେଳ ହେଲାଣି ? ମୋତେ ଆଗରୁ ଡାକିଲ ନାହିଁ ? ହଉ ଚାଲ ।’’ କହି ଉଠିଲେ । ହାତ ମୁହଁ ଧୋଇ ଖାଇ ବସିଲେ ।

 

କୃଷ୍ଣା ପଚାରିଲେ, ‘‘କଣ ଗୁଡ଼ାଏ ଭାବୁଛ ମ ?’’

 

ଦୀନକୃଷ୍ଣ ଟିକିଏ ହସି କହିଲେ, ‘‘ଛାଡ଼ କୃଷ୍ଣା, ସେ କଥା ଆଉ କଣ କହିବି; ଅନେକ କଥା ଭାବୁଥିଲି । ମଣିଷ ବଞ୍ଚିବାଟା କେଡ଼େ କଷ୍ଟସାଧ୍ୟ । କେତେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼େ ମଣିଷକୁ ! ସେହି ଝଡ଼ରେ ମଣିଷ ଯଦି ଟଳିପଡ଼ିଲା ତେବେ ତାର ଆଉ ସ୍ଥିତି କ’ଣ ? ଯଦି ଟଳି ନ ପଡ଼ି ଝଡ଼ ମୁକାବିଲା କଲା ତା’ହେଲେ.... ?’’

 

‘‘ବାବା, ଦର୍ଶନ୍‌ଶାସ୍ତ୍ର ଏକା ଦିନକେ ଶେଷ କରିଦେବାଭଳି ଲାଗୁଛି । ଏସବୁ ଭାବି କିଛି ଲାଭ ନାହିଁ, ବରଂ ମୁଣ୍ଡ ଖରାପ ହେବ । ଏଥିପାଇଁ ତ ଭଗବାନ ମଣିଷ ଗଢ଼ିଛି । ସବୁ ଚିନ୍ତା ସବୁ ଜଞ୍ଜାଳ ମଣିଷ ଉପରେ ଛାଡ଼ି ଦେଇ, କଣ ନା ରୂପରେଖ-ଶୂନ୍ୟ । ପୁଣି ଏଥିପାଇଁ ମଣିଷ–ଭଗବାନ ଗଢ଼ିଛି, ସବୁ ତା’ ପାଖରେ ସମର୍ପଣ କରିଦେଲେ କାମ ଶେଷ । ତା’ର ଯାହା ଇଚ୍ଛା, ତା’କୁ ମାନିନେବା ହିଁ ଉତ୍କୃଷ୍ଟ ।’’

 

‘‘ସତ କୃଷ୍ଣା ! କିନ୍ତୁ ମୋର ଯଦି ସେ ଦୃଢ଼ବିଶ୍ୱାସ ଥାଆନ୍ତା, ତା’ହେଲେ ଏତେ ମାନସିକ ବ୍ୟାଧି କାହିଁକି ଭୋଗ କରନ୍ତି ? ବୁଝୁନ, ଭଗବାନ ବିଶ୍ୱାସ କରୁଁ ବୋଲି କହୁଁ ସିନା, ପ୍ରକୃତରେ କ’ଣ ଏତେ ଦୃଢ଼ ବିଶ୍ୱାସ ଅଛି ?’’ କହି ଦୀନକୃଷ୍ଣ ହସିଦେଲେ ।

 

‘‘ହଁ ଠିକ୍‌ କଥା । କିନ୍ତୁ ତା’ ପାଇଁ ତ ସବୁବେଳେ ଚେଷ୍ଟା କରିବାକୁ ହେବ ।’’

 

ଦୀନକୃଷ୍ଣ ବାବୁ ଖାଇ ସାରିଥିଲେ, ହାତ ମୁହଁ ଧୋଇ କହିଲେ, ‘‘ସେ କାମଟା ତୁମକୁ ଦେଲି । ମୁଁ ତୁମକୁ ଜାଣେ’’ କହି ହସିଦେଲେ ।

 

‘‘ଯାଃ ଖାଲି ଅଟ୍ଟା ।’’ ପୁଣି କହିଲେ, ‘‘ଆଚ୍ଛା, ସେ ଉମା ଭାଉଜ ବହୁତ କରି କହି ଯାଇଛନ୍ତି, ସେ ଲତାକୁ ରଖିବା ପାଇଁ, ରଖୁନ ? କାମ ଦାମ କରିବ, ଭଲ ଝିଅପରି ମନେହୁଏ ।’’

 

‘‘ଆହା ହା, କାହିଁକି ବିପଦକୁ ନିମନ୍ତ୍ରଣ କରୁଛ ? ଭଲ ଝିଅ, ଅନିନ୍ଦ୍ୟ ସୁନ୍ଦରୀ, ଯୁବତୀ; କେତେବେଳେ କଉକଥା, ପରେ ପସ୍ତେଇ ହେବ, ବୁଝୁନାହିଁ ?’’ କହି ଦୀନକୃଷ୍ଣବାବୁ ହସିଦେଲେ ।

 

‘‘ହଁ, ହଁ, ରଖ ତୁମ କଥା । ଲତା କଣ ? ସ୍ୱର୍ଗରୁ ରମ୍ଭା ଉର୍ବଶୀ ଆସିଲେ ମଧ୍ୟ ମୋ ସ୍ଥାନ କେହି ଛଡ଼ାଇ ନେଇପାରିବେ ନାହିଁ । ସେ ଆତ୍ମପ୍ରତ୍ୟୟ ମୋର ଅଛି, ମୋତେ କ’ଣ ଡରାଉଛ ମ-?’’ କହି କୃଷ୍ଣା ହସି ଦେଲେ ।

 

‘‘ଓଃ-ହୋ’’ କହି ଦୀନକୃଷ୍ଣବାବୁ କୃଷ୍ଣାଙ୍କୁ ଟାଣିନେଲେ ତାଙ୍କ ପାଖକୁ ।

 

(ସାତ)

 

‘‘ବୁଝିଲେ ପ୍ରଫୁଲ୍ଲ ବାବୁ, ଆପଣଙ୍କ ପତ୍ର ପାଇଲାକ୍ଷଣି ମୁଁ ବାହାରି ଆସିଲି । ଘରେ କହିଲି, ଦିନେ ଦୁଇଦିନ ଲାଗିବ, ବରଗଡ଼ ଯାଉଛି’’ କହି ରମେଶବାବୁ ହସିଦେଲେ ।

 

ପ୍ରଫୁଲ୍ଲବାବୁ କହିଲେ, ‘‘ଆପଣ ମୋତେ କହି ଯାଇଥିଲେ, ଆଉ ମୁଁ ହେଳା କିପରି କରନ୍ତି । ସବୁ ଠିକ୍‌ କରି ରଖିଛି, ଏଥର ଆପଣ ଟିକିଏ ହଁ ଭରିଲେ, ମୁଁ ମୋ କାମ ଆରମ୍ଭ କରିଦେବି ।’’

 

ରମେଶ ବାବୁ ଗମ୍ଭୀର ହୋଇ କହିଲେ, ‘‘ସତ ଯେ, ମୁଁ ଶୁଣୁଛି ବୁଢ଼ା ଓ୍ୱିଲ୍‌ନାମା କରି ସମସ୍ତ ସମ୍ପତ୍ତି ତା’ନାଁରେ କରି ଯାଇଛନ୍ତି; ତା’ହେଲେ ତ ବଡ଼ ଅସୁବିଧା ।’’

 

‘‘ସେ କଥା ମୁଁ ଭାବିଛି । ପ୍ରଥମେ ଏପରି ଗୋଟିଏ ହାଓ୍ୱା ସୃଷ୍ଟି କରିବା ଯେ ସେ ଡରିମରି ସବୁ ହଁ ଭରିଦେବ । କ’ଣ କହୁଛନ୍ତି ରମେଶ ବାବୁ ! ତାକୁ ମୁଁ ଛ’ମାସରେ ଉଡ଼େଇ ଦେବିକ; କିନ୍ତୁ ଆପଣଙ୍କର ସହଯୋଗ ଦରକାର । ଆଉ ଗୋଟିଏ କାମ କରିଛି, ତା’ର ଅତି ବିଶ୍ୱସ୍ତ ରାମବାବୁକୁ କହିଛି ଯେକୌଣସି ପ୍ରକାରେ ସେ ଓ୍ୱିଲ୍‌ନାମାକୁ ହସ୍ତଗତ କରିବାକୁ । ତା’ ଯଦି ହୋଇଗଲା, ତାହେଲେ ଆଉ କ’ଣ ଚିନ୍ତା’’ କହି ପ୍ରଫୁଲ୍ଲ ବାବୁ ଟିକିଏ ଉତ୍‌ଫୁଲ୍ଲ ହୋଇପଡ଼ିଲେ ।

 

ରମେଶବାବୁ ଟିକିଏ ସନ୍ଦେହ ପ୍ରକାଶ କରି କହିଲେ–‘‘ସେ କଣ ସମ୍ଭବ ? ରାମବାବୁ କଣ ସେ ସବୁ କରିବେ, ଆଉ ବା’ କାହିଁକି କରିବେ ?’’

 

‘‘ସେ କଥା କାହିଁକି କହୁଛନ୍ତି ଆଜ୍ଞା ! ମୁଁ ପରା ତାଙ୍କୁ କହି ଦେଇଛି ଓ୍ୱିଲ୍‌ନାମା ହାତକରି ପାରିଲେ, ତାଙ୍କୁ ଦଶହଜାର ଟଙ୍କା ଦେବି ବୋଲି; ଆଉ ସେ’ ନ କରି ରହିବ । ବର୍ତ୍ତମାନ ସେ ଆସିବ ଆପଣଙ୍କ ସାମନାରେ ସବୁ ଠିକ୍‌ କରିଦେବ, ବୁଝିଲେ ?’’

 

‘‘ତା’ପରେ କଣ କରିବା ?’’ କହି ରମେଶ ବାବୁ ପ୍ରଫୁଲ୍ଲ ବାବୁଙ୍କ ଆଡ଼କୁ ଚାହିଁଲେ ।

 

‘‘ତା’ପରେ କଣ, କେବଳ କେଶ୍‌ କରିବା ପାଇଁ ଧମକ ଦେବା । ଆଉ ଗୋଟିଏ କଥା–ମୋ ପାଖରେ ବୁଢ଼ାଙ୍କ ଦସ୍ତଖତ ଦେଲା ସାଦାକାଗଜ ଖଣ୍ଡେ ଦୁଇଖଣ୍ଡ ଥିବ, ତହିଁରେ ଆମ ଇଚ୍ଛାନୁଯାୟୀ ଲେଖାଲେଖି କରି ତାକୁ ଦରକାର ବେଳେ ବାହାର କରିବା ।’’

 

‘‘କିନ୍ତୁ ରାମବାବୁ ଯେବେ ଓ୍ୱିଲ୍‌ନାମା ନ ପାଆନ୍ତି, ଫେଲ୍‌ ମାରନ୍ତି ?’’

 

‘‘ତା’ହେଲେ ତାକୁ ଜାଲ୍‌ ଓ୍ୱିଲ୍‌ନାମା ପ୍ରଚାର କରିବା । କେତେ କଥା ଅଛି ଆଜ୍ଞା ! ତାକୁ ପଦାନତ କରିବା ପାଇଁ ଅନେକ ବାଟ ଅଛି ।’’

 

‘‘କିନ୍ତୁ ତା ଅପା, ମାମଲା ମକଦ୍ଦମା କରିବା ପାଇଁ ମନା କରୁଛି ଯେ !’’

 

‘‘ଓଃ ହୋ, ମାମଲା ମକଦ୍ଦମା କଣ ସଙ୍ଗେ ସଙ୍ଗେ ହୋଇଯାଉଛି କି ? ଦେଖିବା, ବିନା ମକଦ୍ଦମାରେ ତା’କୁ ଜବତ୍‌ କରିବାପାଇଁ, ନ ହେଲା ପରେ ଠିକ୍‌ କରିବା ।’’

 

ପୁଣି କହିଲେ, ‘‘ବୁଝିଲେ ରମେଶବାବୁ ! ତା’କୁ କ୍ଷମା ନାହିଁ । ସେ ପରେ ଅତି ନୀଚ ଲୋକ । ମୁଁ ତା’ର କେତେ ଓକିଲାତି କଲି; କିନ୍ତୁ ଶେଷରେ ଓକିଲାତି ତ ଦେଲା ନାହିଁ, ପୁଣି ଘର ତିଆରି ବେଳକୁ ଟଙ୍କା ପାଞ୍ଚହଜାର ଆଣିଥିଲି ଯେ ସେଇଟା ପୁଣି ମାଗୁଛି । ମୁଁ ତାକୁ ଧୂଳିସାତ୍‌ କରିବି–କରିବି–କରିବି ?’’

 

‘‘ଆଁ ! କଣ କହିଲେ ? ବିନା ଫିସ୍‌ରେ ଓକିଲାତି କରାଇ ପୁଣି ଟଙ୍କା ମାଗୁଛି-? ଛି-ଛି-!’’

 

‘‘ନା-ନା, ଫିସ୍‌ ଦେଇଥିଲା ଯେ, କଣ ଫିସ୍‌ରେ ସବୁ ହୁଏ କି ? ମୁଁ କେତେ ଯେ ତା’ ପାଇଁ ମେହେନତ କରିଛି । ଏଇଟା ଘର ତିଆରି ବେଳକୁ ଧାର ନେଇଥିଲି ।’’

 

‘‘ଓଃ-ହୋ’’ କହି ରମେଶବାବୁ ଆଶ୍ୱସ୍ତ ହେଲେ ।

 

‘‘ହେଲେ କଣ ହେଲା, ଧାର ନେଇଥିଲି ଯେ କଣ ମୁଁ ଦେଇ ନ ଥାନ୍ତି ? ସେ ମୋ ପାଖରେ ପୁଣି ଟଙ୍କା ଦାବିକରି ମୋର ଅପମାନ କରିବ ? ମୁଁ ଚୋର ନା କ’ଣ ?’’

 

‘‘ହଁ, ସେଇଟା ତ ପ୍ରକୃତରେ ଅନ୍ୟାୟ । ଆପଣଙ୍କ ଭଳିଆ ଭଦ୍ରଲୋକଙ୍କୁ ଅପମାନ କରିବା ତା’ର କି ଅଧିକାର ଅଛି ?’’

 

‘‘ହଉ, ଏଥର କରିବ ଦେଖିବି ? ମୋ ନାଁ ପରା ପ୍ରଫୁଲ୍ଲକୁମାର ଦାସ । ତା’ର କେତେ ବୁଦ୍ଧି କି ମୋର କେତେ ବୁଦ୍ଧି ।’’

 

ବାଟରେ ଡାକ ପଡ଼ିଲା ପ୍ରଫୁଲ୍ଲବାବୁଙ୍କୁ ।

 

ପ୍ରଫୁଲ୍ଲବାବୁ ଧଡ଼ପଡ଼ ହୋଇ ଉଠି କହିଲେ ‘‘ହେଉ, ରାମବାବୁ ଆସିଲେଣି ।’’

 

ପ୍ରଫୁଲ୍ଲବାବୁ ଯାଇ ଦରଜା ଖୋଲିଦେଲେ । ପ୍ରଫୁଲ୍ଲବାବୁ ଓ ରାମବାବୁ ଦିହେଁ ଆସିଲେ-। ରମେଶବାବୁଙ୍କ ସଙ୍ଗେ ରାମବାବୁଙ୍କ ଦେଖା ହେଲା । ନମସ୍କାରାନ୍ତେ ରାମବାବୁ ପାଖ ଚୌକିରେ ବସିଲେ ।

 

ପ୍ରଫୁଲ୍ଲବାବୁ କହିଲେ, ‘‘କଣ ରାମବାବୁ, କଣ ହେଲା ?’’

 

‘‘ଆଜ୍ଞା’’ କହି ମୁଣ୍ଡରେ ହାତ ବୁଲାଇଲେ ରାମବାବୁ ।

 

‘‘କାହିଁକି, କହୁନାହାନ୍ତି ? ରମେଶବାବୁ କଣ ବାହାର ଲୋକ ?’’ କହି ସମର୍ଥନ ପାଇଁ ରମେଶ ବାବୁଙ୍କ ଆଡ଼କୁ ଚାହିଁଲେ ।

 

ରମେଶବାବୁ କହିଲେ, ‘‘କିଛି ନାହିଁ ରାମବାବୁ ! ଆପଣ ନିଃସଙ୍କୋଚ ଭାବରେ କହି ପାରନ୍ତି । ପ୍ରଫୁଲ୍ଲବାବୁ ଯାହା କହିଛନ୍ତି, ତାହା ଏକାବାରେ ଠିକ୍‌, ମୁଁ ତାଙ୍କ ସହିତ ଏକମତ ।’’

 

ପୁଣି କହିଲେ, ‘‘ବୁଝିଲ, ଦୀନୁଟା କେଡ଼େ ନୀଚ ! ମୁଁ ଭାବୁଥିଲି ମୋ ସାଙ୍ଗରେ କେବଳ ଏମିତି ବ୍ୟବହାର କରୁଛି; କିନ୍ତୁ ଯାହା ପ୍ରଫୁଲ୍ଲ ବାବୁଙ୍କୁଠୁ ଶୁଣିଲି, ତହିଁରୁ ଦେଖିଲି ଯେ, ସେ ମଣିଷ ନୁହେଁ, ଅପଦାର୍ଥଟିଏ । ଦେଖନ୍ତୁ ତ’ ଆପଣ ଏତେବର୍ଷ ଚାକିରି କଲେ, ସବୁ ବ୍ୟବସାୟ ଦେଖାଦେଖି କଲେ, ଚଳେଇଲେ । ସବୁ ଆପଣ କରି ଲକ୍ଷଲକ୍ଷ ଟଙ୍କା ଉପାର୍ଜ୍ଜନ କଲେ; କିନ୍ତୁ ଆପଣଙ୍କ କଣଟା ଦେଲା ସେ ? ଆପଣଙ୍କ ପାଇଁ ତ ପୁଣି ସେ ଆଜି ମଣିଷ ହୋଇ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇ ବସିଛି । ଆଉ ଆପଣ ସେହି ତେଲଲୁଣ ପାଇଁ ଜୀବନଟା ବିକ୍ରୀକରି ବସିଛନ୍ତି ।’’

 

ରାମବାବୁ କହିଲେ, ‘‘କଣ କରିବି ଆଜ୍ଞା, ସେ ଭାଗ୍ୟ ମନ୍ଦ, ନହେଲେ ବୁଢ଼ାଙ୍କ ସ୍ନେହ ପାଇଁ ସିନା ଗଧପରି ଖଟିଲି, ମୁଁ କଣ ମୋପାଇଁ କରିଥିଲେ ଆଜି ତାଙ୍କଭଳି ଲକ୍ଷପତି ହୋଇ ବସି ନଥାନ୍ତି ?’’

 

‘‘ଛାଡ଼ନ୍ତୁ ଛାଡ଼ନ୍ତୁ, ତା’ସ୍ଥାନରେ ମୁଁ ଥିଲେ ଆପଣଙ୍କୁ ମୋ ବିଜିନେସ୍‌ ପାର୍ଟନ୍‌ର କରି ନିଅନ୍ତି; କିନ୍ତୁ ଏ ନୀଚ ଲୋଭୀ କଣ କରିବ ?’’ କହି ରମେଶବାବୁ ପ୍ରଫୁଲ୍ଲବାବୁଙ୍କ ସମର୍ଥନ ଆଶାରେ ତାଙ୍କ ଆଡ଼କୁ ଚାହିଁଲେ ।

 

ପ୍ରଫୁଲ୍ଲବାବୁ କହିଲେ, ‘‘ଠିକ୍‌ କଥା, ଯା’ପାଇଁ, ଆଜି ସେ ମଣିଷ ତାକୁ ପୁଣି ଗୋଲାମକରି ରଖିବାରେ ତାର କେତେ ଆନନ୍ଦ, ହଉ ? ଛାଡ଼ନ୍ତୁ । ଆଚ୍ଛା ରାମବାବୁ ! ମୁଁ ଯେଉଁ କଥା କହିଥିଲି, କ’ଣ କଲେ ?’’

 

‘‘ଆଜ୍ଞା ଗୋଟିଏ ଫାନ୍ଦ ପକେଇଛି ତ, ଦେଖାଯାଉ ।’’

 

‘‘କଣ କଲେ କହୁ ନାହାନ୍ତି ?’’

 

‘‘ଆଜ୍ଞା, ଦୂର ସମ୍ପର୍କୀୟ ଶାଳୀକୁ ନେଇ ତା ସାଙ୍ଗରେ ଯୁଟାଇବାର ଚେଷ୍ଟାରେ ଅଛି । ଆଉ ଯଦି କାମଟା ହାସଲ ହୋଇଯାଏ, ତାହେଲେ ବୋଧହୁଏ ଅସୁବିଧା ହେବ ନାହିଁ ।’’

 

‘‘କେମିତି ଯୁଟାଇବେ ?’’ କହିଲେ ରମେଶବାବୁ !

 

‘‘କିଛି ନାହିଁ ଯୁବତୀ ଝିଅ, ସୁନ୍ଦରୀ—ତାକୁ ତା ପାଖରେ ଚାକିରିରେ ରଖାଇ ତାର ପ୍ରାଇଭେଟ୍‌ ସେକ୍ରେଟାରୀ କରାଇବି । ତା’ପରେ ଯୁବକ ଯୁବତୀ ମଧ୍ୟରେ ଯା’ ହୁଏ । ତା’ପରେ ତ ସେ ଝିଅ ତା’ର ବିଶ୍ୱାସଭାଜନ ହେଲେ ତା’ପରେ ଯାହା ହେବ ।’’

 

ପ୍ରଫୁଲ୍ଲବାବୁ କହିଲେ ‘‘ସାବାସ୍‌, ଠିକ୍‌ ତ ! ସେ ଝିଅକୁ ପକ୍‌କା ଟ୍ରେନିଂ ଦେଇ ପଠାନ୍ତୁ, ଯେପରିକି ଦୀନୁ ତାକୁ ନେଇ ଉବୁଡ଼ୁବୁ ହେଉଥିବ ।’’

 

ରମେଶବାବୁ ଟିକିଏ ଚିନ୍ତିତ ହେଲାପରି କହିଲେ ‘‘ପ୍ରଫୁଲ୍ଲବାବୁ, କିନ୍ତୁ ତା’ ସ୍ତ୍ରୀଟା ଅତି ଭୟାନକ ଭାବରେ ତାକୁ ହାତ ମୁଠାରେ ରଖିଛି । ସେ ଗୋଟାଏ ସ୍ତ୍ରୈଣ । ସେଇ ମାଇକିନିଆଟା ଯେମିତି କହୁଛି–ସେ ସେମିତି ଚଳୁଛି, ବୁଝୁ ନାହାନ୍ତି ? ଏକଥା ଟିକିଏ କଷ୍ଟକର ।’’

 

ପ୍ରଫୁଲ୍ଲବାବୁ ତାତ୍ସଲ୍ୟକରି କହିଲେ, ‘‘କଣ ଯେ କହୁଛନ୍ତି ରମେଶବାବୁ ! ତା ମାଇକିନିଆର କେତେ ବୁଦ୍ଧି ଯେ, ମୁଁ କଣ ଜାଣିନାହିଁ ? ସେ ମୂର୍ଖ, ତା ମୁଣ୍ଡରେ ଗୋବର ଅଛି; କେବଳ ଗଧ ଭଳି ଖଟିପାରେ । ଆମ କୁନିମା ପରା କହୁଥିଲେ, ‘‘ସେ ପରା କଥା କହି ଜାଣେ ନାହିଁ । ଆପଣ ଏତେ କଣ ଭାବୁଛନ୍ତି ?’’

 

ରାମବାବୁ କହିଲେ ‘‘ନା ଆଜ୍ଞା, ମୁଁ ଯେ ବ୍ୟବସ୍ଥା କରିଛି । ମୋ ସ୍ତ୍ରୀ ଜରିଆରେ ତାଙ୍କ ସ୍ତ୍ରୀଙ୍କୁ ଧରାଧରି କରି ଥରେ ତାକୁ ଚାକିରିରେ ରଖି ଦେଲେ ତା’ପରେ ଯେଉଁ କଥା ।’’ ପୁଣି ଟିକିଏ ହସି କହିଲେ, ‘‘ମୋର ମନେହୁଏ କାମଟା ହୋଇଯିବ ।’’

 

‘‘ଦେଖାଯାଉ କ’ଣ ହେଉଛି ?’’ କହି ରମେଶବାବୁ ଶହେ ଟଙ୍କିଆ ପାଞ୍ଚଟି ନୋଟ୍‌ ବାହାରି କରି ରାମବାବୁଙ୍କ ଦେଲେ ।

 

ରାମବାବୁ ‘ଥାଉ ଥାଉ’ କହିଲେ ମଧ୍ୟ ପରେ ସ୍ୱୀକାର କରିନେଲେ ।

 

ସେତେବେଳକୁ ରାତ୍ରି ୧୦ଟା । ପ୍ରଫୁଲ୍ଲ ବାବୁଙ୍କ ଘରେ ଖିଆପିଆ ହେଲା । ସେଇଠି ରମେଶବାବୁ ଶୋଇ ପଡ଼ିଲେ ଏବଂ ବଡ଼ି ସକାଳୁ ଉଠି ତାଙ୍କ ଘରକୁ ଫେରିଗଲେ ।

 

ରାମବାବୁ ରାତ୍ରିର ଘନ ଅନ୍ଧକାରରେ ଘରକୁ ଫେରିଲେ ! ଘରେ ଉମା ଦେବୀ ଟାକି ବସିଛନ୍ତି । ରାମବାବୁ ଟଙ୍କାତକ ତାଙ୍କ ହାତକୁ ବଢ଼େଇ ଦେଇ କହିଲେ, ‘‘କଣ ହେଲା ଉମା, ଲତା ପାଇଁ କଣ କଲ ?’’

 

‘‘ଆଜି କୃଷ୍ଣାଙ୍କୁ ତ କହି ଆସିଛି, ଦେଖେଁ କଣ ହେଉଛି ।’’

 

‘‘କେବଳ କୃଷ୍ଣାଙ୍କୁ କହିଲେ ହେବ ନାହିଁ । ଚାକିରି ସିନା ହେବ, କିନ୍ତୁ ପୁଣି ଦୀନକୃଷ୍ଣଙ୍କୁ ହାତ ନ କଲେ ଚଳିବ କେମିତି ? କହି ରାମବାବୁ ଟିକିଏ ହସି ଦେଲେ ।

 

ଉମା କହିଲେ, ‘‘ସେ କଣ କହିବାକୁ ପଡ଼ିବ, ନିଆଁ ଘିଅ ପାଖରେ ରଖିଲେ ତ ଆପେ ଆପେ ଘିଅ ତରଳି ଯିବ !’’

 

‘‘ଆଚ୍ଛା ଦେଖାଯାଉ’’ କହି ପୁଣି ରାମବାବୁ କହିଲେ, ‘‘ମୁଁ ଆଉ ଖାଇବି ନାହିଁ । ପ୍ରଫୁଲ୍ଲବାବୁ ଘରେ ଖିଆ ସରିଛି ।’’

 

ସେଆଡ଼େ ରମେଶ ବାବୁ ଗାଁକୁ ଫେରିଲାରୁ, ରେବତୀ ପଚାରିଲେ ‘‘କଣ ଶୀଘ୍ର ଫେରି ଆସିଲ, କେମିତି ଅଛନ୍ତି ଦୀନା ହେରିକା ?’’

 

‘‘ଛାଡ଼ଛାଡ଼, ସେସବୁ ପଚାରି ମୋତେ ଆଉ ଦୁଃଖ ଦିଅନା’’ କହି ଅତି ଗମ୍ଭୀର ମୁହଁ କରି କପଡ଼ା ବଦଳାଇ ଗାଧୁଆ ପାଧୁଆ କରିବା ପାଇଁ ବାହାରି ପଡ଼ିଲେ ।

 

ରେବତୀଙ୍କ ଉତ୍କଣ୍ଠା ବଢ଼ି ଯାଉଥାଏ—ସେ କହିଲେ ‘‘କଣ ହେଲା କହୁନ ! ଏମିତି କ’ଣ ହେଉଛ ମ ?’’

 

‘‘କହୁଛି ମୋତେ ବିରକ୍ତ କରନାହିଁ, ଭୋକରେ ମୋ ପେଟ କଣ ହୋଇଗଲାଣି । ଖାଇପିଇ ସାରେ, ତା’ପରେ ଯାହା କଥା’’ କହି ବାଥ୍‌ରୁମ୍‌କୁ ପଶିଲେ । ଗାଧୁଆ ପାଧୁଆ ସାରି ଖାଇ ବସିଲେ ।

 

ପୁଣି ରେବତୀ କହିଲେ, ‘‘କଣ ଦୀନକୃଷ୍ଣ ପିଲାହେରିକା ଭଲରେ ଅଛନ୍ତି ?’’

 

‘‘ଓଃ-ହୋ, ମଣିଷକୁ ରଖେଇ ଦେବେନାଇଁ । ଯେଉଁ ଗୁଣମଣି ଭାଇ ତ କହିଲେ ନ ସରେ । ଗର୍ବରେ ତ ଫାଟି ପଡ଼ୁଛି, ଆଖି ଆଉ ତଳକୁ ଦିଶୁନାହିଁ । ତା’ କଥା ମୋତେ ଆଉ ପଚାରୁଛ କାହିଁକି ? କହି ପୁଣି ଖାଇବାରେ ଲାଗିଲେ ।

 

‘‘କଥାଟା କଣ କହୁନ, ରାଗରେ ଖାଲି ଗରଗର ହେଉଛ । କିଛି କହିଲେ ସିନା ଜାଣିବି’’ କହି ରେବତୀ ତାଙ୍କ ଆଡ଼କୁ ଚାହିଁଲେ ।

 

‘‘କଣ ଆଉ କହିବି ରେବତୀ, ଗଲି ଯେ ପଚାରିଲା ନାହିଁ । ବାହାରେ ବସି ବସି ଶେଷକୁ ଯାଇ ଧର୍ମଶାଳାରେ ରହିବାକୁ ହେଲା, ବୁଝିଲ ? ଏତେ ଦୁଃଖ ହେଲା ଯେ, ରାତିରେ ଖାଇବାକୁ ସୁଦ୍ଧା ଇଚ୍ଛା ହେଲା ନାହିଁ । ଆଉ ସକାଳୁ ତ ଚାଲି ଆସିଲି । ତା’ ଘରକୁ କଣ ଆଉ ଗଲିକି ?’’ କହି ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ପୁଣି ଖାଇବାରେ ଲାଗିଲେ ।

 

‘‘ଦୀନାଟା କଣ ଏମିତି କଲା ନା ?’’ କହି ରେବତୀ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗିଲେ ।

 

‘‘ହଉ, ମୁଁ ମିଛ କହୁଛି, କାହିଁକି ନା ତୁମ ଭାଇ ତ ଆଉ ଅଭଦ୍ର ହୋଇ ନ ପାରେ । ମୁଁ ସିନା ଅଭଦ୍ର ଓ ମିଛୁଆ, ସେ’ତ ଗୁଣସାଗର’’ ଅଭିମାନ ଭରା କଣ୍ଠରେ କହିଗଲେ ।

 

ରେବତୀ କହିଲେ ‘‘ନାଇ ମ, ମୁଁ କଣ ତା’କହୁଛି । ଏମିତି କାହିଁକି କଲା ବୋଲି ଭାବୁଛି ସିନା ।’’

 

‘‘ଗର୍ବ, ଅଭିମାନ, ବୁଝିଲ । ସେ ଲକ୍ଷପତି, ମୁଁ ଗରୀବ । କାଳେ ପୁଣି ଟଙ୍କା ମାଗିବି, ସେହି ଭୟରେ ବୋଧହୁଏ ମୋତେ ପଚାରିଲା ନାହିଁ, ଆଉ କଣ ?’’ ଉତ୍ତେଜିତ କଣ୍ଠରେ କହିଲେ ରମେଶ ବାବୁ ।

 

ରେବତୀ ଆଉ କିଛି ନ କହି ଚୁପ୍‌ ହୋଇ ବସି ରହିଲେ । ମନରେ କେତେ ଭାବନା, ସତରେ କଣ ଦୀନ ଏତେ ନୀଚ ହୋଇପାରେ ? ଘରକୁ ବନ୍ଧୁ ଆସିଲେ ତା’କୁ ପଚାରିବ ନାହିଁ ? ଏମିତି ତ କରିବା କଥା ନୁହେଁ, କେମିତି କଲା ? ପୁଣି ୟାଙ୍କ ସହିତ । ଯେତେ ଯାହା ହେଲେ ତ ସେ ଭାଇ, ମୁଁ ତେବେ କଣ ତାକୁ ଚିହ୍ନିପାରିଲି ନାହିଁ ? କ’ଣ ହେଲା.....

 

ରେବତୀଙ୍କ ମୁଣ୍ଡରେ ଝଡ଼, କାଲି ବାପା ମରିଛନ୍ତି–ଯଦି ଆଜିଠୁ ଦୀନୁ ଏପରି ବ୍ୟବହାର ଆରମ୍ଭ କରିଦେଲାଣି, ତା’ହେଲେ ଆଉ ତା’ଠୁ କ’ଣ ଆଶା କରିବି ? ମୋର ବା ଆଉ କିଏ ଅଛି ? ଗୋଟିଏ ବୋଲି ଭାଇ, ଏମିତି କେତେକଥା ଭାବୁଥାନ୍ତି; ସେ ଆଉ ଖାଇପାରିଲେ ନାହିଁ । ଦିନସାରା ଏହି ସବୁ ଚିନ୍ତା । ଦୁଃଖ, କ୍ରୋଧ, ଅଭିମାନ, ଘୃଣା, ଆଖିରୁ ପାଣି ଶୁଖୁନାହିଁ । ଚିନ୍ତାର ଖିଅ ସରୁ ନାହିଁ, ରାତିସାରା ନିଦ ନାହିଁ, କଣ କରିବେ ? ଆରଦିନ ସକାଳୁ ଉଠି ଗୋଟିଏ ଦୀର୍ଘ ପତ୍ର ଲେଖିଲେ–ଦୀନକୃଷ୍ଣ ବାବୁଙ୍କ ପାଖକୁ । ତହିଁରେ ଯେତେପ୍ରକାର ଭର୍ତ୍ସନା କରାଯାଇ ପାରେ, ସବୁ ଲେଖିଲେ । ମନର ସବୁ କ୍ରୋଧ, ଘୃଣା, ଦୁଃଖ ଓ ଅଭିମାନ ଢାଳି ଆଶ୍ୱସ୍ତ ହେଲେ ।

 

ରମେଶବାବୁଙ୍କୁ କହିଲେ, ‘‘ତୁମେ ମୋଟେ ମନଦୁଃଖ କରନା, ବୁଝିଲ । ପିଲାଲୋକ, କଣ ମୁଣ୍ଡରେ ଭାବୁଥିବ, ବା’ ଦେଖିପାରି ନଥିବ, ନହେଲେ ଏପରି ବ୍ୟବହାର କେମିତି କରନ୍ତା ? ତା’ପରେ ସେ ସାନ, ଆମେ ବଡ଼ । ଧର ଭୁଲ୍‌ କଲା, କ୍ଷମାଦେବା ଆମ କର୍ତ୍ତବ୍ୟ ।’’

 

‘‘ହଁ ହଁ ଥାଉ । ଚାରୋଟିର ବାପ ହେଲାଣି, ସେ ପିଲା ଲୋକ ନା ? କଣ ଯେ ତୁମେ କହୁଛ ମୁଁ ବୁଝିପାରୁ ନାହିଁ । ଭାଇ ଭାଇ ହୋଇ ଶେଷରେ ପ୍ରାଣ ଦେବ, ଆଉ ତା ସାଙ୍ଗକୁ ମୋତେ ମଧ୍ୟ ଖାଇବ ।’’ ପୁଣି କହିଲେ—

 

‘‘ଭାରି ତ ଭାଇ, ବାପର ସମ୍ପତ୍ତି ସବୁ ମାଡ଼ିବସି, କୁକୁରକୁ ଭାତ ପକେଇଲା ଭଳି ଆମକୁ ଟଙ୍କା ତିନି ହଜାର ଦେଲା ଯେ, ଭାରି ଭାଇ ଭାଇ ହେଉଛ । ଜାଣ ସେ କେଡ଼େ ନୀଚ, ଭାଇ କଥା ପଡ଼ିଲେ ଅନ୍ଧ ହୋଇଯାଉଛ; କିନ୍ତୁ ମନେରଖ, ସେ ସମ୍ପତ୍ତି ପାପର ଆଉ ଭଗବାନ ସହିବେନାହିଁ; ଏପରି ଅନ୍ୟାୟ । ସେ ସମ୍ପତ୍ତି ଅତୀଶୀଘ୍ର ଚାଲିଯିବ । ତୁମ ଭାଇ ପୁଣି ପୁନର୍ମୂଷିକାରଭବ ହେବ । ଆରେ ବାବୁ, ନିଜର ଯୋଗ୍ୟତା ନଥିଲେ, କଣ ବାପର ସମ୍ପତ୍ତି ରଖିପାରିବ ? ସେସବୁ ଯିବ, ପୁଣି ମୋ ଗୋଡ଼ ଧରିବ–ଭାତ ଗଣ୍ଡାକ ପାଇଁ, ଦେଖିକି ରୁହ । ମୁଁ ଠିକ୍‌ କହୁଛିକି ନାହିଁ, ସେତେବେଳେ ଯାଇ ତୁମ ଅନ୍ଧପୁଟୁଳି ଖୋଲିବ । ବର୍ତ୍ତମାନ ମୁଁ ଯାହା କହିଲେ ତୁମେ ଶୁଣିବ ନାହିଁ, ମୁଁ ଜାଣେ ।’’

 

(ଆଠ)

 

ସକାଳୁ ଜଳଖିଆ ଖାଇ ଘରୁ ବାହାରିଲା ବେଳକୁ କୃଷ୍ଣା ପାନ ବଢ଼େଇ ହସି ହସି ପଚାରିଲେ, ‘‘ଅତିଥିଙ୍କ ମିଲ୍‌ ହୋଟେଲ୍‌ରେ ପଡ଼ିବ ନା ନାଇଁ ?’’

 

ଦୀନକୃଷ୍ଣ କହିଲେ, ‘‘ସବୁ ନିର୍ଭରକରେ ଅନ୍ନପୂର୍ଣ୍ଣାଙ୍କ କରୁଣା ଉପରେ...’’ କହି କୃଷ୍ଣାଙ୍କୁ ଟିକିଏ ଚିମୁଟି ଦେଇ ବାହାରିଲେ । ଠିକ୍‌ ବାହାରିଲା ବେଳକୁ ଲତା ଆସି ନମସ୍କାର କଲେ । କୃଷ୍ଣା କହିଲେ, ‘‘ଆଜି ଏକା ଆସିଲ କେମିତି ?’’

 

ଲତା ଅଭିମାନଭରା କଣ୍ଠରେ କହିଲେ ‘‘ନାନୀ ! ମୋତେ ତୁମେ ତାମେ କ’ଣ କରୁଛ ? ମୁଁ ପରା ତୁମଠୁ ସାନ, ମୋତେ ତୁ’ ତା’ କହିଲେ ମୁଁ ବିଶେଷ ସୁଖୀ ହେବି ।’’

 

କୃଷ୍ଣା ହସି ହସି କହିଲେ, ‘‘ହଉ ବାବା, ତୁ ତା କହିବି । ମୁଁ କଣ ଭାବିଲି ଜାଣୁ, ମୁଁ ଭାବିଲି–ତୁ ଆଜିକାଲିକାର ପାଠେଈ ଝିଅ, କାଳେ ଅପମାନ ବୋଧକରିବୁ ।’’

 

ଦୀନକୃଷ୍ଣ ବାବୁ କହିଲେ, ‘‘ହଉ କୃଷ୍ଣା ମୁଁ ଚାଲିଲି ।’’

 

‘‘ଲତା କଥା ଟିକିଏ ଶୀଘ୍ର ବୁଝିବ’’ କହି, କୃଷ୍ଣା ଲତାର ହାତ ଧରି ଭିତରକୁ ନେଇଗଲେ–ଦୁହେଁ ମିଶି ଜଳଖିଆ ଖାଇବା ପାଇଁ ।

 

ଲତା କହିଲା, ‘‘ନାନୀ ! ମୁଁ ଜଳଖିଆ ଖାଇଛି । ଭାବିଲି–ଘରେ କେତେ ବସିଥିବି, ତେଣୁ ଚାଲିଆସିଲି ।’’

 

‘‘ହଉ ଚାଲ୍‌ ମୋ ସଙ୍ଗରେ ଟିକିଏ ଖାଇଦେବୁ । ମୁଁ ଏକା ଏକା ଖାଇଲେ କଣ ମୁଁ ଖାଇପାରିବି ?’’ କହି ତା’କୁ ଟାଣି ଓଟାରି ବସାଇଲେ ।

 

ଦୁହେଁ ଖାଉଁ ଖାଉଁ କୃଷ୍ଣା କହିଲେ, ‘‘ମୁଁ କାଲି କୁନିବାପାଙ୍କୁ କହିଛି ତୋ ବିଷୟରେ, ଦେଖାଯାଉ କଣ କରୁଛନ୍ତି ?’’

 

‘‘ନାନୀ, ତୁମେ କହିଛ ଆଉ କରିବେ ନାହିଁ ?’’ କହି ଲତା ଟକିଏ ହସିଦେଲେ ।

 

କୃଷ୍ଣା ଟିକିଏ କପଟ କ୍ରୋଧକରି କହିଲେ, ‘‘ତୁ ଗୋଟେ ଟୋକୀଟା । ହଇରେ ସେଇଟା ପରା ତାଙ୍କ ଡିପାର୍ଟ୍‌ମେଣ୍ଟ୍‌, ସେଥିରେ ମୋ ହସ୍ତକ୍ଷେପ କରିବା ନୁହଁ !’’

 

ଦୀନକୃଷ୍ଣ ବାବୁ ଅଫିସ୍‌କୁ ଆସି ତାଙ୍କ ଦୈନନ୍ଦିନ କାଗଜ ପତ୍ର, ହିସାବ ଆଦି ଦେଖାଦେଖି କଲାପରେ ଘଣ୍ଟି ବଜେଇଲେ, କହିଲେ ‘‘ରାମ ବାବୁଙ୍କୁ ଡାକ ।’’

 

ରାମବାବୁ ଆସି ସାମନା ଚେୟାର୍‌ରେ ବସି କହିଲେ, ‘‘କଣ ଡାକିଲେ କି ?’’

 

‘ହଁ, ଆଚ୍ଛା ସେ ଯେଉଁ ବୋମ୍ୱାଇରୁ ମାଲ୍‌ ଆସିଥିଲା, ତାହା ଷ୍ଟେସନରୁ ଛିଡ଼ାହେଲା କି ନାହିଁ ? କଲିକତା ବାଗିନ୍‌ ଗଲା କି ନାହିଁ ? ସେ ବିଲ୍‌ଗୁଡ଼ିକ କେତେ ଦୂର ଅଶୁଲ୍‌ ହେଲା ?’’

 

‘‘ବମ୍ୱେ ମାଲ୍‌ ପାଇଁ ବିଲ୍‌ଟି ଦେଇ ଅନନ୍ତକୁ ପଠାଇଛି । ବର୍ତ୍ତମାନ ଫୋନ୍‌ କରିଥିଲା, କହୁଛି ବାଗିନ୍‌ ଫଟା ଅଛି । ଓପନ୍‌ ଡେଲିଭରି ନେବାକୁ ହେବ । କଲିକତା ବାଗିନ୍‌ ଲୋଡ଼୍‍ କରାହେଉଛି । ବିଲ୍‌ ଅଶୁଲ ତ ବଡ଼ ଝଞ୍ଜଟ୍‌ କଥା ହେଲାଣି, କେହି କିଛି ଶୁଣୁ ନାହାନ୍ତି । ପଇସା ଖାଇ ମଧ୍ୟ କାମ କରୁ ନାହାନ୍ତି, ତାଙ୍କ ପଛରେ ପରା ଲାଗିଛି, ଦେଖାଯାଉ କଣ ହେଉଛି । ଶନିବାର ଦିନ ଏକାଉଣ୍ଟ୍‌ଟେଣ୍ଟ୍‌ ବାବୁଙ୍କୁ ଖୁବ୍‌କରି କହିଥିଲି, ଆଜି ପୁଣି ଯିବି ।’’

 

‘‘ଆଚ୍ଛା ରାମବାବୁ, କାଲି ଉମା ଭାଉଜ ଆସିଥିଲେ, କ’ଣ ତାଙ୍କ ଭଉଣୀକୁ ଚାକିରିରେ ରଖିବା ପାଇଁ କଣ କରିବା ? କ’ଣ କାମ ଦେବା ?’’ କହି ରାମବାବୁ ଆଡ଼କୁ ଅନାଇଲେ ।

 

ରାମବାବୁ, ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ—‘‘ସେ ଦିହେଁ ମୋ ପଛରେ ଲାଗିଲେ, ମୁଁ ମନା କରିଦେଲି !’’ କହି ହସିଲେ ।

 

‘‘ରାମବାବୁ ! ତୁମର ତ ସାହାସ କମ୍‌ ନୁହେଁ ଦେଖୁଛି ! ଭାଉଜଙ୍କ କଥାକୁ କାଟି ଦେଉଛ !’’ କହି ହସିଦେଲେ ।

 

ରାମବାବୁ ହେ-ହେଁ କରି ହସିଲେ ।

 

‘‘ହଉ, କଣ କରିବା କହିଲ, ଆଜି ସକାଳୁ ପୁଣି ଲତା ଘରକୁ ଆସିଛନ୍ତି, ଠିକ୍‌ ମୁଁ ବାହାରିଲା ବେଳେ ।’’

 

‘‘ଦେଖନ୍ତୁ ଦୀନକୃଷ୍ଣବାବୁ ! ଲତା ମୋ ଶାଳୀ । ମୁଁ ଏ ବିଷୟରେ କିଛି କହିବା ଉଚିତ୍‌ ନୁହେଁ.....’’ କହି ରାମବାବୁ-ଟିକିଏ ଗମ୍ଭୀର ହେଲେ ।

 

‘‘ଆଃ, ତହିଁରେ କଣ ଅଛି ମ ! ସେ ତମର ଶାଳୀ ବୋଲି କଣ ଆମ ବ୍ୟବସାୟ ପ୍ରତିଷ୍ଠାନରେ କାମ କରିବନାହିଁ ନା ? ଆଉ ତୁମେ କହିଲେ କଣ ଦୋଷଟା ହୋଇଯିବ । ଯଦି କାମରେ ଏଡ଼୍‌ଜେଷ୍ଟ୍‌ କରିପାରିବ ରଖ, ନହେଲେ ତା’କୁ ବୁଝେଇ ଶୁଝେଇ ବିଦା କରିଦିଅ ।’’

 

‘‘ଅଫିସ୍‌ରେ ତ ଆମ ଦରକାର ଅନୁଯାୟୀ ଲୋକ ଅଛନ୍ତି । ତେବେ.....’’ କହି ରାମ ବାବୁ ଚୁପ୍‌ହେଲେ ।

 

‘‘ତେବେ କଣ ? କହୁନ, ଏମିତି ସଂକୋଚ କଣ କରୁଛ ?’’

 

‘‘ନା, ମୁଁ କଣ କହୁଥିଲି କି—ଆଜିକାଲି କାମରେ ଯେପରି ଝଞ୍ଜଟ ବଢ଼ିଲାଣି, ଆଉ ଯେତେପ୍ରକାର ଝାମେଲା, ତହିଁରେ ଆପଣ ଏକା ସବୁ ସମ୍ଭାଳିବା ଟିକିଏ କଷ୍ଟ ହେବ । ତା’ପରେ ବ୍ୟବସାୟର ଦୈନନ୍ଦିନ କାମ ପାଇଁ ସିନା ଲୋକ ଅଛନ୍ତି, କିନ୍ତୁ ଆପଣଙ୍କ ବ୍ୟକ୍ତିଗତ କାମ କଲାବେଳକୁ, ପିଲାମାନଙ୍କୁ ବଡ଼ ଭିଡ଼ ହେଉଛି । ତେଣୁ ଯଦି ଚାହାନ୍ତି, ତାକୁ ବ୍ୟକ୍ତିଗତ ସେକ୍ରେଟରୀ ଭାବରେ ରଖିଲେ ହେବ । ବ୍ୟବସାୟ କାମ କରିବ, ତା ସାଙ୍ଗକୁ ଆପଣଙ୍କ କାମରେ ମଧ୍ୟ ସାହାଯ୍ୟ କରିପାରିବ....’’ କହି ଚୁପ୍‌ ରହିଲେ ।

 

‘‘ହଁ, ସେ କଥା ଠିକ୍‌ ଯେ, କିନ୍ତୁ କେମିତି କଲେ ହେବ ?’’

 

‘‘କିଛି ନାହିଁ । ଆପଣଙ୍କ ପ୍ରାଇଭେଟ୍‌ ସେକ୍ରେଟରୀ ରୂପେ କାମକରିବ; ଆଉ ଏଇପାଖ କୋଠରୀରେ ଟେବୁଲ୍‌ ଚେୟାର୍‌, ଆଲମାରୀ ଓ ଟାଇପ୍‌ ମେସିନ୍‌ ଧରି ବସିବ । ଯେତେବେଳେ ଯେଉଁ କାମପଡ଼ିବ କରିବ । କିଛି ଅସୁବିଧା ହେବନାହିଁ । ଘରର ପିଲା, କଣ ଅସୁବିଧା ହେବ ?’’

 

‘‘ହଉ, ତେବେ ଦରମା କଣ କରିବା ?’’

 

‘‘ଦରମା କଣ କହୁଛନ୍ତି ଆଜ୍ଞା, ଯାହା ଦେଲେ ହେବ । ଦରମା ନେଇ ତ ତା’ର କୁଟୁମ୍ୱ ପୋଷିବାର ନାହିଁ, ଘରେ ସେମିତି ବସିଛି ବୋଲି କାମ କରିବ । ଦରମାରେ କ’ଣ ଅଛି ?’’

 

‘‘ନା-ନା, ସେ କଥା କେମିତି ହେବ ? କାମ କରିବ, ଦରମା ନେବନାହିଁ ?’’

 

‘‘ହଁ ନେବ ଯେ, ଆପଣ ଯାହା ସ୍ଥିରକରିବେ । ଆଗ ମାସଖଣ୍ଡେ ତା’ କାମ ଦେଖନ୍ତୁ । ଯଦି ସନ୍ତୋଷଜନକ କାମ କରେ, ତା’ପରେ ଯାହା କିଛି ସ୍ଥିର କରିବେ । ସେ ବିଷୟରେ ଚିନ୍ତାକରନ୍ତୁ ନାହିଁ ।’’

 

‘‘ହଉ ! ତା’ ହେଲେ ତା’କୁ କହିଦେବେ, କାଲିଠୁ ଆସୁ । ଆଉ ତା’ର ବସିବାପାଇଁ, ଏବଂ ଆଉ କ’ଣ କ’ଣ ବ୍ୟବସ୍ଥା କରିବାକୁ ହେବ କରନ୍ତୁ ।’’

 

‘‘ହଁ, ସେ ସବୁ ହୋଇଯିବ’’ ମୁ ବର୍ତ୍ତମାନ ଯାଉଛି ସେ ବିଲ୍‌ ପାଇଁ, ଦେଖେ ଯଦି ମିଳିଯାଏ’’ କହି ରାମବାବୁ ଚାଲିଗଲେ ।

 

ଦୀନକୃଷ୍ଣ ବାବୁ ପୁଣି ନିଜ କାମରେ ଲାଗିଲେ । ସେଲ୍‌ଟେକ୍‌ସ ଅଫିସ୍‌କୁ ଯିବାକୁ ହେବ, ଫେରିଲାବେଳକୁ ଟିକିଏ ଲେବର୍‌ ଅଫିସ୍‌କୁ ନଗଲେ ନ ଚଳେ । ଆରେ ଆରେ, ଗହମ କୋଟା ପାଇଁ ସପ୍ଳାଇ ଅଫିସ୍‌କୁ ଯିବାକୁ ହେବ । ଅଫିସ୍‌ କାମ ଶେଷକରି, କାର୍‌ରେ ଯିବାପାଇଁ ବାହାରିଲେ କାର୍‌ ଗେରେଜ୍‌କୁ ।

 

ସପ୍ଳାଇ ଅଫିସ୍‌କୁ ପ୍ରଥମେ ଯାଇ ସପ୍ଳାଇ ଅଫିସରଙ୍କୁ ଦେଖାକଲେ । ସପ୍ଳାଇ ଅପିସର୍‌ ଆଜି ଗମ୍ଭୀରହୋଇ ବସିଛନ୍ତି । ଦୀନକୃଷ୍ଣ ବାବୁ ଯାଇ, ନମସ୍କାର କରି ଛିଡ଼ାହେଲେ । ସପ୍ଳାଇ ଅଫିସର୍‌ ସାମନା ଚେୟାର୍‌ ଦେଖାଇ ବସିବାକୁ କହିଲେ ।

 

‘‘ଆଜ୍ଞା, ଗହମ ବାଗିନ୍‌ ଆସିଲାଣି । କାହାକୁ କେତେ କୋଟା ଦେଇଛନ୍ତି କହିଲେ ସେମାନଙ୍କୁ ଦେଇଦେବୁ । ଶୀଘ୍ର ନ କଲେ ଟଙ୍କା ଅଟକିଯାଉଛି ।’’

 

‘‘ହଁ ହେବ । ତା’ର ସମୟ ଆସିଲେ ହେବ ନାହିଁକି ?’’

 

‘‘ବିଳମ୍ୱ ହେଲେ ଅସୁବିଧା ହେବ ସାର୍‌ ।’’

 

‘‘ଆଚ୍ଛା ଦୀନକୃଷ୍ଣ ବାବୁ ! ଏସ୍‌.ଡି.ଓ. ସାହେବ ଆପଣଙ୍କ ଉପରେ ଭାରି ଚିଡ଼ିଛନ୍ତି । କଥା କଣ ?’’

 

‘‘କଣ କହିବ ସାର୍‌’’ କହି ଚୁପ୍‌ ରହିଲେ ।

 

‘‘କଣ ହେଲା କହୁ ନାହାନ୍ତି ।’’ ଦୀନକୃଷ୍ଣବାବୁ ଆଗ ଦିନର ସବୁ ଘଟଣା କହିଲେ । ସପ୍ଳାଇ ଅଫିସର୍‌ ଆଶ୍ଚର୍ଯ୍ୟହୋଇ କହିଲେ, ‘‘ତେବେ ଏତିକିରେ ଏତେ ରାଗ କାହିଁକି ? କିଛି ବୁଝି ହେଉନାହିଁ । ଯା’ହେଉ ଦେଖନ୍ତୁ, କାହାକୁ କହିବେ ନାହିଁ ମୁଁ କହୁଥିଲି ବୋଲି, କିନ୍ତୁ ଏସ୍‌.ଡି.ଓ. ସାହେବ ଭାରି ରାଗି ଆପଣଙ୍କୁ ବିପଦରେ ପକାଇବାର ଚେଷ୍ଟାରେ ଅଛନ୍ତି ।’’

 

‘ହଉ ସାର୍‌ ! ଯାହା ହେବ, ଆଉ କଣ କରିବି’’ କହି ଦୀନକୃଷ୍ଣ ବାବୁ ଦୀର୍ଘନିଶ୍ୱାସ ଛାଡ଼ିଲେ ।

 

ସପ୍ଳାଇ ଅଫିସର କହିଲେ, ‘ଆଚ୍ଛା ! ପ୍ରଫୁଲ୍ଲବାବୁଙ୍କ ସହିତ ଆପଣଙ୍କର କେମିତି ପଡ଼େ-?’’

 

‘‘ଆଜ୍ଞା, ଭଲ ପଡ଼ୁଥିଲା ଯେ ତାଙ୍କୁ ଉଧାରି ଟଙ୍କା ମାଗିବାରୁ ଖପା ହୋଇଯାଇଛନ୍ତି ।’’

 

‘‘ସେ କିନ୍ତୁ ଏସ୍‌.ଡି.ଓ.ଙ୍କ ସାଙ୍ଗରେ ଭଲ ପଟନ୍ତି । ଠିକ୍‌ କ୍ଷୀର ନୀର ପରି । ଟିକିଏ ସତର୍କ ହୋଇ ଚାଲିବେ । ସେ’ତ କେମିତି ଲୋକ ଜାଣିଛନ୍ତି, ଆଉ ଅଧିକ କିଛି କହିବିନାହିଁ । ଆପଣ ଯାଆନ୍ତୁ, ଯାହା କରିବା କଥା ମୁଁ ନିଜେ କରିବି । ଆଉ, ଆପଣ ମୋ ପାଖକୁ ବେଶି ଆସନ୍ତୁ ନାହିଁ, ବୁଝୁଛନ୍ତି ତ’ ଆମେ ଚାକିରିଆ ଲୋକ ।’’

 

ନମସ୍କାର କରି ଦୀନକୃଷ୍ଣ ବାବୁ ଚାଲିଲେ—ସେଲଟେକ୍‌ସ ଅଫିସକୁ । ଅଫିସ୍‌ରେ ଅଫିସର ନ ଥିଲେ, କିଛି ସମୟ ଅପେକ୍ଷା କଲାପରେ ଆସିଲେ ।

 

ଦୀନକୃଷ୍ଣବାବୁ ଭିତରକୁ ଯାଇ ନମସ୍କାର କରି କହିଲେ ‘‘ଆପଣ ସାର୍‌ ଡାକିଥିଲେ ?’’

Unknown

‘‘ହଁ, ଆପଣ ଆମ ଇନିସ୍‌ପେକ୍‌ଟରଙ୍କୁ ମନା କାହିଁକି କଲେ ? ଆପଣ ଜାଣନ୍ତି, ତାଙ୍କୁ ଚେକ୍‌ କରିବାରେ ବାଧାଦେବାର ପରିଣତି କଣ ?’’ କହି ସେଲ୍‌ଟେକ୍‌ସ ଅଫିସର୍‌ ପାଇଲ୍‌ରେ ନଜର ଦେଲେ ।

ଦୀନକୃଷ୍ଣବାବୁ ଅତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘କେବେ କୋଉ ଇନ୍‌ସପେକ୍‌ଟରଙ୍କୁ ମନାକଲି ? ମୁଁ ତ ଜାଣିନାହିଁ । ମନା କାହିଁକି କରିବି ? କିଛିଦିନ ତଳେ ଜଣେ ଆସିଥିଲେ, ତାଙ୍କୁ ସବୁ ଷ୍ଟକ୍‌ ଆଦି ହିସାବ ଖାତା ଦେଖାଇବା ପାଇଁ ଆମ ମେନେଜରଙ୍କୁ କହିଥିଲି ଏବଂ ସେ ସନ୍ଧ୍ୟାପର୍ଯ୍ୟନ୍ତ ଚେକ୍‌ କରିଥିଲେ । ଆଉ କାହା କଥା ମୁଁ ତ ଜାଣିନାହିଁ !’’

‘‘ସେ କଣ ତାହାହେଲେ ମିଛ କହୁଛନ୍ତି ?’’ ବିଦ୍ରୂପରେ କହିଲେ ।

‘‘ସାର ! ସେକଥା ମୁଁ କେମିତି କହିବି ? କିନ୍ତୁ ସେ ଭଦ୍ରଲୋକ କିଏ ? ଦେଖିଲେ ସିନା ମୁଁ ଜାଣିବି ଯେ’ ସେଇ ଭଦ୍ରଲୋକ ନା ଆଉ କିଏ ? ଆପଣ ତାଙ୍କୁ ଦୟାକରି ଟିକିଏ ଡକାନ୍ତୁ ।’’

ସେଲ୍‌ଟେକ୍‌ସ ଅଫିସର୍‌ ଘଣ୍ଟିକଲେ, ଚପରାଶୀ ଆସିଲା । ତା’କୁ କହିଲେ ‘‘ପଟ୍ଟନାୟକ ବାବୁଙ୍କୁ ଡାକି ଆଣ ।’’

ପଟ୍ଟନାୟକ ବାବୁ ଦୀନକୃଷ୍ଣବାବୁଙ୍କ ଆସିବା ଦେଖି କେତେବେଳୁ ଅଫିସ୍‌ ଛାଡ଼ି ସହରକୁ ଇନ୍‌ସପେକ୍‌ସନ୍ ପାଇଁ ଚାଲିଯାଇଥିଲେ । ଚପରାଶି ଫେରି ଆସିଲା । କହିଲା, ‘‘ସାର୍‌, ଏହିକ୍ଷଣି ଥିଲେ; କିନ୍ତୁ ବର୍ତ୍ତମାନ ନାହାନ୍ତି । ବୋଧହୁଏ କୁଆଡ଼େ ଚାଲିଯାଇଛନ୍ତି ।’’

 

ଦୀନକୃଷ୍ଣ ବାବୁ ଛିଡ଼ା ହୋଇଛନ୍ତି । ସେଲ୍‌ଟେକ୍‌ସ ଅଫିସର୍‌ ତାଙ୍କ ନିଜ ଫାଇଲ୍‌ ଦେଖୁଛନ୍ତି । ଚପରାଶି କଥାଶୁଣି ଅଫିସର ଚୁପ୍‌ହୋଇ କହିଲେ ।

 

ଦୀନକୃଷ୍ଣ ବାବୁ କହିଲେ, ‘‘ସେ ପରା ନାହାନ୍ତି । ଦୟାକରି ଆପଣ ଚାଲନ୍ତୁ, ବା ଅନ୍ୟ କାହାକୁ ପଠାନ୍ତୁ, ଯାହା ଚେକ୍‌କରିବା କଥା କରିଆସିବେ ।’’

 

‘‘ସେ ସମୟ ମୋର ନାହିଁ । ହଉ ଆପଣ ଆସନ୍ତୁ, ପରେ ଦେଖିବା’’ କହି ପୁଣି ଫାଇଲ୍‌ ଦେଖିବାରେ ଲାଗିଲେ ।

 

ଦୀନକୃଷ୍ଣ ବାବୁ ବଡ଼ ଉଦାସ ହୋଇପଡ଼ିଲେ । ଦେଖ, ଲୋକଟା ଆସି କଣ ମିଛ କହି ଅଫିସର୍‌ଙ୍କୁ ବୁଝେଇଛି । କେମିତି ଯେ ଏତେ ମିଛ ଏମାନେ କହିପାରନ୍ତି । ହଁ ହେଲା, ତାଙ୍କର ତ ପାଓ୍ୱାର୍‌ ଅଛି–ଯାହା କହିବେ ଓ କରିବେ ସବୁ ଠିକ୍‌ । ଭୁଲ ସବୁ ଆମର । ଦେଖାଯାଉ କଥାଟା କେତେ ଦୂର ଯାଉଛି । କଥା କଥାରେ ଏମାନେ ଏପରି ବ୍ୟବହାର କରୁଛନ୍ତି, ଏପରି ଅପମାନିତ କରୁଛନ୍ତି ? ଏଟା ତ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ । ସରକାରୀ ଅଫିସର୍‌ ଅସମ୍ଭବ କ୍ଷମତା ପାଇଛନ୍ତି । ତାର ସଦ୍‌ବ୍ୟବହାର କରିବେ କଣ ? ନିଜ ଯୋଗ୍ୟତା ପାଇଁ ତ ଚାକିରି ପାଇନାହାନ୍ତି । ଧରାଧରି କରି ଚାକିରି; ପୁଣି ଧରା ଧରି ପ୍ରମୋସନ୍‌ । ଆଉ ସେମାନେ କଣ ବା କରିବେ ? କ୍ଷମତାର ଅପବ୍ୟବହାର ବ୍ୟତୀତ । ଗଙ୍ଗାଧରଙ୍କ ପଦେ ଲେଖା ମନେ ପଡ଼ିଲା—

 

‘‘କ୍ଷମତାର କରୁଥାନ୍ତି ଅପବ୍ୟବହାର

ତାଙ୍କୁ ପୁଣି ବୋଲାଯାଏ ଧର୍ମ ଅବତାର ।’’

 

ଦୀନକୃଷ୍ଣ ବାବୁ ଅତିଶୟ ଅପମାନିତ ବୋଧ କରୁଥାନ୍ତି । କଣ କରିବେ ? ଏପରି ଅପମାନ ପାଇ ତ ବ୍ୟବସାୟ କରିବା ତାଙ୍କ ପକ୍ଷରେ ସମ୍ଭବ ହେବନାହିଁ । ପଇସା ତ ଖାଇବେ, କିନ୍ତୁ ସମ୍ମାନ ମଧ୍ୟ ଦେଇ ପାରୁନାହାନ୍ତି । କଣ କରିବେ ? ବ୍ୟବସାୟ ବନ୍ଦ କରିଦେବେ ? ନା, ତ ମଧ୍ୟ ଅସମ୍ଭବ । ଚଳିବେ କେମିତି । ତାଙ୍କୁ ତ ପୁଣି ପରିବାର ପରିପୋଷଣ କରିବାକୁ ପଡ଼ିବ । ଆହୁରି କେତେ କଥା ଅଛି, ସାମାଜିକ ଦାୟିତ୍ୱ ତ ପୁଣି ଅଛି ।

 

କଣ ଏଭଳି ଅପମାନିତ ହେବାପାଇଁ, ତାଙ୍କ ଜୀବନ ଉଦ୍ଦିଷ୍ଟ ହୋଇଛି ? ଜୀବନର ମୂଲ୍ୟବୋଧ କ’ଣ ଏଇଆ ? ଅନ୍ୟମାନେ ତ ପୁଣି ବ୍ୟବସାୟ କରି କୋଟିପତି ହେଉଛନ୍ତି, ବେଶ୍‌ ମଉଜରେ ଅଛନ୍ତି । ତେବେ ତାଙ୍କର କେଉଁଠି କଣ ବ୍ୟତିକ୍ରମ ହେଉଛି ବା’ ତ୍ରୁଟି ରହୁଛି ? ଏମିତି କେତେକଥା ଭାବିଭାବି ଯାଉଥାନ୍ତି । ଲେବର୍‌ ଅଫିସକୁ ଯାଇ ପହୁଞ୍ଚିଲେ, ଦେଖିଲେ ବାରଣ୍ଡାରେ ଶେଠ ଲକ୍ଷ୍ମୀ ଚନ୍ଦ୍‌ ତଳେ ବସି ବସି ଢୁଳେଇ ପଡ଼ିଛନ୍ତି । ଶେଠଜୀ ହେଉଛନ୍ତି ଏ ଅଞ୍ଚଳର ଶ୍ରେଷ୍ଠ ଧନ, ମିଲ୍‌ ମାଲିକ୍‌ ସେ । ଚାରୋଟି ଧାନକଳ ଚଳୁଛି, ଆଉ ଅନ୍ୟାନ୍ୟ ଅନେକ ବେପାର । ଅବଶ୍ୟ ଏ ସବୁ ତାଙ୍କ ସ୍ୱ ଉପାର୍ଜିତ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁକିଛି କରି ପାରିଛନ୍ତି । ଦୀନକୃଷ୍ଣ ବାବୁଙ୍କ କାର୍‌ ଯାଇ ଯେମିତି ସେଇଠି ଛିଡ଼ାହେଲା, ଶେଠଜୀଙ୍କ ଆଖିପତା ଖୋଲିଗଲା ।

 

ଦୀନକୃଷ୍ଣବାବୁ ତରତରରେ ଓହ୍ଲେଇ ଆସି କହିଲେ ‘‘ଶେଠ୍‌ଜୀ ରାମ୍‌ ରାମ୍‌ ! ତଳେ କେମିତି ବସିପଡ଼ି ଢୁଳୋଉଛନ୍ତି ଆପଣ ?’’

 

‘‘ଆରେ ଆ-ଆ ଦୀନକୃଷ୍ଣ ! କାଣା କର୍‌ମା ଭାଇ ! ସାହେବ ଡକେଇଛି, ଆମେ ଆସିଛୁ-। ଆପଣ କେନ୍ତା ଆସିଗଲା ?’’

 

‘‘ଶେଠଜୀ ଆପଣ ବୁଢ଼ା ଲୋକ, କାହାକୁ ଜଣକୁ ନ-ପଠେଇ ନିଜେ କାହିଁକି ଆସିଲେ-? ତା’ପରେ ପୁଣି ତଳେ ବସିଛନ୍ତି । ଏ କେମିତି କଥା ?’’

 

‘‘ଆରେ ଛୋଡ଼୍‌ ୟାର୍‌ ! ତୁ ପିଲା ଲୋକ ଅଛୁ, ଖୁନ୍‌ ଗରମ ଅଛି । ତାର୍‌ ଲାଗି ଏମ୍‌ତା କଥା କହୁଛୁ, ଜାଣିଛୁ । ଆମର ବୋଲିରେ ଗୋଟେ କଥାଅଛି—‘‘ଦୋ ବାତ୍‌ ହୋଓ୍ୱେ କୋଣି; ୟା ତୋ ପିସେ କମାଲେ ୟା ଇଜ୍ଜତ କମାଲେ । (ଦୁଇକଥା, କା ସାଥିରେ ହେବ ନାଇଁ । ପଇସା କମାଣି କର୍‌ ୟା ନିଜର ମାନ ସମ୍ମାନ ଇଜ୍ଜତ୍‌ କମାଣି କର) ଅର୍ଥାତ୍‌; ଯଦି ଇଜ୍ଜତ୍‌ ଚାହଁ—ପଇସା ରୋଜଗାର କରିପାରିବ ନାହି, ଆଉ ଯଦି ପଇସା ରୋଜଗାର କରିବାକୁ ଚାହଁ ତା’ହେଲେ ଇଜ୍ଜତକୁ ଜଳାଞ୍ଜଳି ଦେବାକୁ ପଡ଼ିବ । ପଇସା ଓ ଇଜ୍ଜତ ଏକା ସଙ୍ଗରେ ମିଳିବ ନାହିଁ—କହି ହେଁ ହେଁ କରି ହସିଦେଲେ ।

 

ଦୀନକୃଷ୍ଣ ବାବୁଙ୍କ ମନକୁ କଥାଟି ପାଇଲା । କହିଲେ ‘‘ସତରେ ଶେଠଜୀ ଆଜି ଅବସ୍ଥା ଯାହା ହେଲାଣି, ଲୋକର ମାନସମ୍ମାନ ଆଉ ରହିବ ନାହିଁ ।’’

 

‘‘ଛୋଡ଼୍‌ ଛୋଡ଼୍‌ ଆଜ୍ଞା ! ସେ ସବୁ କଥାରେ ମଜା ନାଇଁ, ବୁଝିଲୁ’’ କହି ଶେଠଜୀ ମୁଣ୍ଡରେ ହାତ ବୁଲାଇବାରେ ଲାଗିଲେ ।

 

ଦୀନକୃଷ୍ଣ ବାବୁ ଅଫିସ ଭିତରକୁ ଯାଇ ହେଡ଼କ୍ଳାର୍କ ବାବୁଙ୍କ ଟେବୁଲ ପାଖକୁ ଗଲେ । ହେଡ଼କ୍ଳାର୍କ ବାବୁ ନାହାନ୍ତି । ଆଖପାଖ ଟେବୁଲରେ ମଧ୍ୟ କେହି ନାହାନ୍ତି । ଅଳ୍ପ ଦୂରରେ ଟେବୁଲ ଉପରେ ଗୋଡ଼ ଲମ୍ୱାଇ ଜଣେ ଶୋଇଛନ୍ତି । ଦୀନକୃଷ୍ଣ ବାବୁ ଅଫିସରୁ ବାହାରି ଆସିଲା ବେଳକୁ ଚପରାଶି ଜଣକ ସଙ୍ଗରେ ଦେଖାହେଲା । ପଚାରିଲେ, ‘‘ବାବୁ, ହେଡ଼କ୍ଳାର୍କ ବାବୁ କୁଆଡ଼େ ଗଲେ-?’’

 

‘‘ମୁଁ ଜାଣିନାହିଁ । କୁଆଡ଼େ ଚା ଖାଇବାକୁ ଯାଇଥିବେ । ଟିକିଏ ଅପେକ୍ଷା କରନ୍ତୁ ।’’

 

ଦୀନକୃଷ୍ଣ ବାବୁ ଅଫିସ ବାରଣ୍ଡାରେ ଟହଲ ମାରିଲେ । କାରଣ, ଶେଠଜୀଙ୍କ ଭଳି ସେ ପୋଖତ ବ୍ୟବସାୟୀ ଆଜି ସୁଦ୍ଧା ହୋଇପାରି ନାହାନ୍ତି । ସେଠଜୀ ଦୂରରୁ ଦେଖି ହସିଲେ । କହିଲେ, ‘‘କଣ ଭାଇ ଦୀନକୃଷ୍ଣ ! ଆରେ ଟହଲ ମାର୍‌ଲେ ଆପନତ ଥକି ଯିବେ । ଆ, ୟହାଁ ବସି ପଡ଼୍‌ ।’’

 

ଦୀନକୃଷ୍ଣ ବାବୁ ପାଖକୁ ଆସି କହିଲେ, ‘‘ନା ଶେଠଜୀ ! ପରେ ଆସିବି । ଖାଇବା ସମୟ ହେଲା, ଯାଉଛି ।’’

 

‘‘ଆଚ୍ଛା ଭାଇ ଦେଖ, ତୋର ମରଜି’’ କହି ଶେଠଜୀ ହସିଲେ ।

 

‘‘ଆସନ୍ତୁ, ଆପଣଙ୍କୁ ଘରେ ଛାଡ଼ିଦେବି, ସାହେବ କେତେବଳେ ଆସିବେ ତା’ କଣ ଠିକ୍‌ ଅଛି ? ଖାଇପିଇ ପରେ ଆସିବେ ।’’ କହି ଶେଠଜୀ ଅପେକ୍ଷାରେ ରହିଲେ ।

 

‘‘ନା ବାବା, ନା, ଆପଣ ତ ବୁଝିଲୁ ନାଇଁ ! ସାହେବ ଲୋକ ଅଛି, ଗରମ ହେବ ।’’

 

‘‘ହଉ ତେବେ ମୁଁ ଯାଉଛି’’ କହି ଦୀନକୃଷ୍ଣ କାର୍‌ ଆଡ଼କୁ ମୁହାଁଇଲେ ।

 

ଶେଠଜୀ କଣ ଭାବି ଭାବି ପୁଣି କହିଲେ, ‘‘‘ଆଚ୍ଛା ଆଚ୍ଛା, ଠହର୍‌ ଯିବା । ହାମେ ବି ଖାଇ ଆସିବା’’ କହି କାର୍‌ରେ ଆସି ବସିଲେ ।

 

ଦୀନକୃଷ୍ଣ ବାବୁ କହିଲେ, ‘‘ଏମାନଙ୍କର କିଛି ଠିକ୍‌ ନାହିଁ । ଡକାଉଛନ୍ତି, କିନ୍ତୁ ନିଜେ ରହିବେ ନାହିଁ । ଥିଲେ, ବନ୍ଧୁମାନଙ୍କ ସହିତ କଉଠି ବସି ଚା’ ଖିଆ ଓ ଗପସପ ଚାଲିଥିବ । ଆଉ ଆମେ ନିଜ କାମ ଛାଡ଼ି ଆସି ଏଠି ଘଣ୍ଟାଘଣ୍ଟା ବାରଣ୍ଡାରେ ରହି ଅପେକ୍ଷା କରିଥିବୁ । ସତେ ଯେପରି ଆମର ଆଉ କିଛି କାମ ନାହିଁ ।’’

 

ଶେଠଜୀ କହିଲେ, ‘‘ଭାଇ ଦୀନକୃଷ୍ଣ ! ଜମାନା ଖରାପ ଅଛି । ଏ ଶାଳା ଲୋକ, ଚପରାଶୀ କାମ୍‌କେ ଲାଏକ୍‌ ନହିଁ । ଫିର୍‌ ସାହେବ ହେଇ ଯାଉଛେ, ପାଓ୍ୱାର ପାଉଛେ । ଲୋକକେ ହଇରାଣ କଲେ, ସେମାନେ ଆପଣାକେ ବଡ଼ଲୋକ ସମ୍‌ଜୁଛେ । ଫିର୍‌ ପିସା ବି ଖାଉଛେ । ଉରପ୍‌ ସେ ତକ୍‌ ତକ୍‌ ତୋ ସବ୍‌ ଚୋର୍‌, କାଣା କର୍‌ ବା କହ !’’

 

ପୁଣି ଟିକିଏ ରହି କହିଲେ, ‘‘ଛାଡ଼୍‌ ଭାଇ ! ଏସବ୍‌ କଥା ଶୋଚଲେ କାଣା ଆଉ ବେପାର୍‌ କର୍‌ବୁ । ଶାଳା କୁତ୍ତା ଅଛେ । ରୋଟି ପକାଇ ଅପ୍‌ନା କାମ କରାଇ ଲେନେସେ ହେଲା । ସେ ବଡ଼ଲୋକ, ହମେ ଛୋଟ୍‌ ଲୋକ୍‌ ବସ୍‌, ଇଥି କାଣା ଅଛେ ।’’

 

ଦୀନକୃଷ୍ଣ ବାବୁ ଆଉ କିଛି ନକହି ଗାଡ଼ି ଚଳେଇ ଶେଠଜୀଙ୍କ ଘରକୁ ନେଲେ । ସେଇଠି ଶେଠଜୀଙ୍କୁ ଓହ୍ଲାଇ ନିଜ ଘରକୁ ଗଲେ । ରାସ୍ତା ସାରା ଚିନ୍ତା, କାମ କେମିତି ଚଳେଇବାକୁ ହେବ । ଘରେ ପହଞ୍ଚି, କାର୍‌ ଗେରେଜରେ ରଖିଦେଇ ଭିତରକୁ ଗଲେ ।

 

କୃଷ୍ଣା ହସ ହସ ମୁହଁରେ ଆସି କହିଲେ ‘‘ଯା’ ହେଉ ଆସିଲ ତ–କଣ ପାଣି ଦେବି ନା ମୁହଁ ଧୋଇ ଖାଇ ବସିବ ?’’

 

‘‘ଖାଇବାକୁ ଦିଅ, ଭୀଷଣ ଭୋକ ହେଲାଣି’’ କହି ବାଥ୍‌ରୁମ୍‌ ଆଡ଼କୁ ଚାଲିଗଲେ । ମୁହଁ ଧୋଇ ଖାଇ ବସିଲା ବେଳକୁ ଶୁଣିଲେ କୃଷ୍ଣା କାହାକୁ କ’ଣ କହୁଛନ୍ତି ।

 

ଦୀନକୃଷ୍ଣ କହିଲେ ‘‘କୃଷ୍ଣା ! କା ସଙ୍ଗରେ କଥା ହେଉଛ ?’’

 

‘‘ଓଃ ହୋ ! ତୁମେ ଜାଣି ନ ପରା, ଲତା ଆଜି ସକାଳୁ ଏଇଠି ରହି ଯାଇଛି’’ କହି ଦୀନକୃଷ୍ଣଙ୍କ ପାଖକୁ ଆସିଲେ ।

 

‘‘କାହିଁକି ? ମୁଁ ତ ରାମବାବୁଙ୍କୁ କହି ଦେଇଛି ଲତାକୁ କାମରେ ଲଗାଇବା ପାଇଁ, ଆଉ କଣ ?’’ କହି ଦୀନକୃଷ୍ଣ ଖାଇବାରେ ଲାଗିଲେ ।

 

‘‘ନାଇଁ ମ ! ସେଇଥିପାଇଁ ନୁହେଁ । ସେ ସକାଳୁ ଆସି–ଜଳଖିଆ ଖାଇ ସାରିଲା ପରେ ସୁଦ୍ଧା ଯେତେବେଳେ ଦେଖିଲି ଉମା ଆସିନାହିଁ, ସେତେବେଳେ କଂସା ବାସନ ମାଜିବା ପାଇଁ ଆରମ୍ଭ କଲାରୁ ତ, ସେ ମାଡ଼ିବସି ମୋତେ ଆଉ କରାଇ ଦେଲା ନାହିଁ । ନିଜେ ସବୁ କଲା । ପୁଣି ସବୁ ଘର ଓଳେଇ ରାନ୍ଧିଲା । ମୋତେ କିଛି କରାଇଦେଲା ନାହିଁ । ପିଲାଛୁଆଙ୍କୁ ଖୁଆଇ ପିଆଇ ସ୍କୁଲକୁ ପଠାଇଲା । ଆଜି ସକାଳୁ ଆଉ ମୋତେ କାମ କରିବାକୁ ଦେଇନାହିଁ । ଖାଲି କହୁଛି ନାନୀ-! ତୁମେ ମୋ ପାଖରେ ବସି ଦେଖୁଥାଅ’’ କହି କୃଷ୍ଣା ହସିଲେ ।

 

‘‘ଆଚ୍ଛା ତେବେ, ଆଜି ଲତା ଦେବୀଙ୍କ ରନ୍ଧା ଖାଇବାକୁ ହେଉଛି; ହଉ ହେଲା’’ କହି ପୁଣି ଦୀନକୃଷ୍ଣ ଖାଇବାରେ ଲାଗିଲେ ।

 

(ନଅ)

 

ରାମବାବୁ କାମ ଶେଷକରି ସନ୍ଧ୍ୟାରେ ଘରକୁ ଫେରିଲା ବାଟରେ ପ୍ରଫୁଲ୍ଲ ବାବୁଙ୍କ ଘରକୁ ଗଲେ । ଆଜି ବଡ଼ ଖୁସି ମନରେ ଅଛନ୍ତି । ଆଜି ଗୋଟିଏ କିଛି ବିଜୟ ହାସଲ କଲାଭଳି ଲାଗୁଥାଏ ତାଙ୍କୁ ।

 

ପ୍ରଫୁଲ୍ଲ ବାବୁ କହିଲେ, ‘କଣ ରାମବାବୁ, କଥା କଣ ? ଆଜି ତ ବେଶ୍‌ ଖୁସିରେ ଅଛନ୍ତି-।’’

 

‘‘ଆଜ୍ଞା ହଁ, ଆଜିପରା ଦୀନକୃଷ୍ଣ ଲତାକୁ କାମରେ ଲଗେଇବା ପାଇଁ ହଁ ଭରିଲେ । କାଲି ସକାଳୁ ମୁଁ ତା’କୁ ସାଙ୍ଗରେ ନେଇଯିବି । ଯା’ ହେଉ, ଏଇଟା ଆମର ପ୍ରଥମ ବିଜୟ, ବୁଝିଲେ-! ନହେଲେ ଦୀନକୃଷ୍ଣ ଯେପରି ଲୋକ ନା, ସେ କେବେ ହଁ ଭରନ୍ତା ନାଇଁ କହି ରାମବାବୁ ହସିଲା-

 

କେବଳ ଚାକିରିରେ ରଖେଇ ଦେଲେ କାମ ଛିଣ୍ଡିବ ନାହିଁ–ରାମ ବାବୁ ! ଲତାକୁ ପୂରାପୂରି ତାଲିମକରି ପଠାନ୍ତୁ । ଯେପରିକି ଦୀନକୃଷ୍ଣର ଦୃଢ଼ ବିଶ୍ୱାସ ଓ ଆସ୍ଥା ତା’ ପ୍ରତି ରହିବ । ତେବେ ଯାଇ ସେ ଓ୍ୱିଲ୍‌ନାମା ହାତ କରିହେବ, ବୁଝିଲ ! ତା’ପରେ କାମ ଫତେ । ସେଆଡ଼ୁ ରମେଶ ବାବୁ ଲାଗି ପଡ଼ିବେ । ଏଆଡ଼େ କୃଷ୍ଣା ବିଦ୍ରୋହ କରିବେ । ଆଉ ସେତେବେଳେ ଆପଣ ଯଦି କାମ ଛାଡ଼ିଦେବେ ଓ ମୋ ନିଜ ବେଉଷା କରିବି କହିବେ, ତେବେ ନିଶ୍ଚୟ ସେ ବିବ୍ରତ ହୋଇ ପଡ଼ିବ ଏବଂ ଆପଣଙ୍କୁ ହୁଏତ ପାର୍ଟନର୍‌ ହୋଇ କାମ ଚଳାନ୍ତୁ ବୋଲି ଖୋସାମତ କରିବ....’’ କହି ପ୍ରଫୁଲ୍ଲ ବାବୁ ଗୋଟିଏ ପୈଶାଚିକ ହସ ହସିଲେ ।

 

‘‘ସେସବୁ କଥା ସମୟ ସାପେକ୍ଷ । ଏତେ ସହଜରେ ଦୀନକୃଷ୍ଣ ଲତାର ଫାନ୍ଦରେ ପଡ଼ିବ ନାହିଁ, ଭାରି ଚାଲାକ୍‌ । ପୁଣି କୃଷ୍ଣାକୁ ସେ’ ବିଶେଷ ଭଲ ପାଏ ।’’ କହି ଟିକିଏ ଚିନ୍ତିତ ହେଲାଭଳି ମୁହଁ କଲେ ।

 

‘‘ବୁଝିଲେ ରାମବାବୁ ! ଲତାର ଶକ୍ତି ଥିଲେ ହେଲା । ନହେଲେ ବଶିଷ୍ଠ ବିଶ୍ୱାମିତ୍ର ତା ନାରୀର ପ୍ରଲୋଭନ ଏଡ଼ିପାରି ନାହାନ୍ତି, ଏଇ ଛାର ଦୀନକୃଷ୍ଣ କ’ଣ ଉବୁରି ଯିବ ?’’ କହି ପ୍ରଫୁଲ୍ଲବାବୁ ତାଙ୍କ ଆଡ଼କୁ ଚାହିଁଲେ । ପୁଣି କହିଲେ–‘‘ରାମ ବାବୁ, ସେ ଲତାକୁ ଆପଣ ଭଲକରି ତାଲିମ୍‌ କରନ୍ତୁ, ନହେଲେ ଆମର ସବୁ ଯୋଜନା ବିଫଳ ହେବ । ଲତା ସୁନ୍ଦରୀ ଯୁବତୀ, ଶିକ୍ଷିତା । ଏତିକି ଯଦି ନ ପାରିଲା, ତାହେଲେ ଭାବିବାକୁ ହେବ ଯେ ସେ ଜାଣିଶୁଣି ଆମ ସଙ୍ଗରେ ଧୋକାବାଜି କରୁଛି । ତାକୁ କୁହନ୍ତୁ, ତାର ବିବାହ ଆଦି ସବୁ ଆମେ କରିବୁ । ସମସ୍ତ ଖର୍ଚ୍ଚ ଆମେ ବହନ କରିବୁ । ତା’ପଛରେ ରମା ଦେବୀଙ୍କୁ ଟିକିଏ ଲଗାନ୍ତୁ ନା, ଦେଖିବୁ ସବୁ ଠିକ୍‌ ହୋଇଯିବ ।’’

 

‘‘ହଉ ଦେଖାଯାଉ’’ କହି ରାମବାବୁ ଉଠିଲେ । ନମସ୍କାର କରି ନିଜ ଘରଆଡ଼କୁ ଚାଲିଲେ । ଘରକୁ ଯାଇ ରମାକୁ ଡାକି କହିଲେ, ‘‘ରମା, ପ୍ରଥମ ଦଫା ଫତେ । ଏଥର ତୁମେ ଟିକିଏ ଲାଗ, ଦୀନକୃଷ୍ଣ ଲତାକୁ ଚାକିରିରେ ରଖିବା ପାଇଁ ହଁ ଭରିଛି । କହିଛି, କାଲି ସକାଳୁ ତା’କୁ ସଙ୍ଗରେ ନେବାପାଇଁ । ମୋର ମନେ ହେଉଛି, ଆମର ଭାଗ୍ୟ ଉଦୟ ହେଲା । ବୁଝିଲ’’ କହି ଟିକିଏ ହସିଦେଲେ । ପୁଣି କହିଲେ ‘‘ଲତା କାହିଁ ? ଡାକୁନ, ଏହି ସୁସମ୍ୱାଦ ଦେବି ।’’

 

ଲତାକୁ ରମା ଡାକିଲେ, ଲତା ଆସିଲା । ରାମବାବୁ କହିଲେ, ‘‘ଓ ଗୋ, ରାଧେ ! ତୁମ କୃଷ୍ଣ ହଁ ଭରିଲେ, ଏଥରେ ମନଭରି ପ୍ରେମ କର ।’’

 

‘‘ଯାଃ’’ କହି ଲତା ଭିତରକୁ ପଳାଇଲେ । ରମା କପଟ କ୍ରୋଧକରି କହିଲେ ‘‘ବୁଢ଼ା ହେଲଣି, ପିଲାଟାକୁ ଏମିତି କଣ କହୁଛ–ଲାଜ ମାଡ଼ୁ ନାହିଁ ?’’

 

‘‘ଲାଜ କାହିଁକି ଲାଗିବ ମ ! କଣ କମ୍‌ କଷ୍ଟରେ କୃଷ୍ଣଙ୍କୁ ମନାଇଁ ମାନଭଞ୍ଜନ କରାଇଛି । ଦ୍ୱାପର ଯୁଗରେ ଲଳିତା ଆଦି ଦୂତିକାମାନେ ପାରି ନ ଥିଲେ ପରା ।’’ ପୁଣି କହିଲେ ‘‘ଏ ଲତା ! କାଲି ସକାଳୁ ମୋ ସଙ୍ଗରେ ଯିବୁ । ଦୀନକୃଷ୍ଣ ବାବୁଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ ହୋଇ କାମ କରିବୁ । କିନ୍ତୁ ବୁଝିଲୁ, ଏହି ବୃଦ୍ଧ ପ୍ରେମିକକୁ ଯେମିତି ଭୁଲି ନ ଯାଉ’’ କହି ରମା ଆଡ଼କୁ ଆଖି ମାରିଲେ ।

 

ରାତ୍ରି ଭୋଜନରେ ଶୋଇଲାବେଳକୁ ରମାକୁ କହିଲେ, ‘‘ରମା ! ଏପରି ସୁଯୋଗ ସହଜରେ ମିଳେ ନାହିଁ, ବୁଝିଲ ? ଲତାକୁ କହ, ଯେକୌଣସି ପ୍ରକାରେ ଦୀନକୃଷ୍ଣଙ୍କୁ ହାତ କରୁ, ଓ୍ୱିଲ୍‌ ନାମା ଯେଉଁଠି ଥାଉ, ତାକୁ ହାତ କରିବାକୁ ପଡ଼ିବ । ଲତାର ବିବାହ ଆଦି ସମସ୍ତ ଭାର ଆମେ ବହନ କରିବା । ଦୀନକୃଷ୍ଣକୁ ଟିକିଏ ଫାନ୍ଦରେ ପକେଇଲେ ହେଲା । ଯୁବକ ଲୋକ, ଏପରି ସୁନ୍ଦରୀ ଝିଅ ସହିତ ସବୁବେଳେ ରହିଲେ ଆଉ କଣ ସେ ରହିବ ? ତା’ ମନକୁ ପଡ଼ିଯିବ ଯେ, କେବଳ ଲତା ଟିକିଏ ଆଗଭର ହୋଇ ଚେଷ୍ଟା କରିବା କଥା । ତା’କୁ ଭଲକରି ତାଲିମ୍‌ ଦିଅ । ନହେଲେ ଆମର ସବୁ ଉଦ୍ୟମ ପଣ୍ଡ ହୋଇଯିବ ।’’

 

‘‘ହଁ ମ, ସେ କୋଉ ବଡ଼ କଥା ଯେ’ ବ୍ୟାସ ବଶିଷ୍ଠ ଖସି ପଡ଼ିଛନ୍ତି । ଏ ଦୀନାଟା କଣ ବଡ଼େଇ ଦେଖଉଛି, ଟିକିଏ ସମୟ ଲାଗିବ, ମୁଁ ସବୁ ଠିକ୍‌ କରିଦେବି ଯେ’’ କହି ରମା ହସି ଦେଲେ-

 

ସକାଳୁ ଗାଧୁଆ ପାଧୁଆ କରି ରାମବାବୁ ରାତିରେ ରମେଶ ବାବୁଙ୍କୁ ଲେଖି ରଖିଥିବା ପତ୍ରଟିକୁ ଡାକ ବାକ୍‌ସରେ ପକାଇଲେ ଓ ଲତାକୁ ଧରି ଅଫିସ୍‌କୁ ଚାଲିଲେ ।

 

ଅଫିସ୍‌ରେ ଦୀନକୃଷ୍ଣ ବାବୁ ପହଞ୍ଚିନଥିଲେ । ରାମବାବୁ ଲତାକୁ ସବୁ ଦେଖାଇ ଦେଲେ-। କଣ କଣ କାମ କରିବାକୁ ହେବ, କେଉଁଠି ବସିବାକୁ ହେବ, ସବୁ କହି ତା’କୁ ଅଫିସ୍‌ କୋଠରୀରେ ଛାଡ଼ି ନିଜ ଅଫିସ୍‌କୁ ଗଲେ ।

 

ଲତା ବସି କାଗଜପତ୍ର ଫାଇଲ୍‌ ଆଦି ଦେଖାଦେଖି କଲା । ଦୀନକୃଷ୍ଣ ବାବୁଙ୍କ ଟେବୁଲ୍‌ ଉପରେ ଥିବା ଖବର କାଗଜ ଆଣି ପଢ଼ାପଢ଼ି କରୁଥାଏ । ଦୀନକୃଷ୍ଣ ବାବୁ ଅଫିସ ଭିତରକୁ ଆସିଲେ । ଲତା ନମସ୍କାର କରି ଖବର କାଗଜ ଖଣ୍ଡିକ ଆଣି ଦୀନକୃଷ୍ଣଙ୍କ ଟେବୁଲ୍‌ରେ ରଖିଦେଲା-

 

‘‘ଆଚ୍ଛା ଲତା ! ତୁମେ ଆସିଲ, ରାମବାବୁ କୁଆଡ଼େ ଗଲେ ? କାମଧାମ ସବୁ ବୁଝେଇ ଦେଇଛନ୍ତି ତ ? ଦେଖ, ଯେତେବେଳେ ଯେଉଁ ଅସୁବିଧା ହେବ, ବା’ ନ ଜାଣିବ, ରାମବାବୁଙ୍କୁ ପଚାରିବ । ଏହି ଅନୁଷ୍ଠାନର ସେ ହେଉଛନ୍ତି ମୁଖ୍ୟ, ବୁଝିଲ’’ କହି ଦୀନକୃଷ୍ଣ ବାବୁ ନିଜ ଚେୟାର୍‌ ଆଡ଼କୁ ଅଗ୍ରସର ହେଲେ ।

 

ରାମବାବୁ ଆସି, ହସିହସି କହିଲେ ‘‘ଆଜ୍ଞା, ହେଇ ଲତାକୁ ଆଣିଛି ।’’

 

‘‘ହଁ, ତାଙ୍କୁ କାମଧାମ ବୁଝେଇ ଶିଖେଇ ଦିଅନ୍ତୁ ।’’

 

‘‘ହଁ-ହଁ, ସେସବୁ ହୋଇଯିବ ଯେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ’’ କହି ଲତାର ପାଖ କୋଠରୀକୁ ଲତା ସହିତ ଯାଇ କାମ ବୁଝେଇବାରେ ଲାଗିଲେ ।

 

ଦୀନକୃଷ୍ଣ ନିଜର ଦୈନନ୍ଦିନ କାମରେ ଲାଗିଲେ । ଫୋନ୍‌ ଘଣ୍ଟି ବାଜିଲା, ଦୀନକୃଷ୍ଣ ରିସିଭରଟା ଉଠେଇ କହିଲେ–‘‘ହଲୋ, ଆଜ୍ଞା ମୁଁ ଦୀନକୃଷ୍ଣ କହୁଛି ।’’

 

‘‘ଆଜି ଆସିବି’’

 

‘‘ନା, ସେମିତି ଅସୁବିଧା ନାହିଁ ଯେ, ଯଦି କହିବେ ବର୍ତ୍ତମାନ ଆସିବି ।’’

 

‘‘ହଉ, ତା’ହେଲେ ଘଣ୍ଟେ ଦେଢ଼ଘଣ୍ଟାରେ ମୁଁ ସେଠିକି ପହୁଞ୍ଚି ଯିବି’’ କହି ରିସିଭର୍‌ଟା ରଖି ଉଠିଲେ ।

 

‘‘ରାମବାବୁ ! ମୁଁ ଚାଲିଲି ସମ୍ୱଲପୁରକୁ, କଲେକ୍‌ଟର ଡାକିଛନ୍ତି’’ କହି ଡ୍ରାଇଭର୍‌କୁ ଡାକିବାପାଇଁ ଚପରାଶୀକୁ କହିଲେ । ‘‘ବର୍ତ୍ତମାନ ଯିବେ ?’’ କହି ରାମବାବୁ ତାଙ୍କ ପାଖକୁ ଚାଲି ଆସିଲେ ।

 

‘‘ହଁ, ଏଇପରା ଫୋନ୍‌ ଆସିଲା । ଆଚ୍ଛା ଗହମ ଚିନିର ବର୍ତ୍ତମାନ ଷ୍ଟକ, ଗଲାମାସର ଆମଦାନୀ ବିକ୍ରୀ ଆଜିର ହିସାବ ଦେଇଥାଅ, କାଳେ ଦରକାର ପଡ଼ିପାରେ ।’’

 

ରାମବାବୁ କହିଲେ, ‘‘ଲତାକୁ ନେଇଯିବେ ?’’

 

ଦୀନକୃଷ୍ଣ କହିଲେ, ‘‘ଗଲେତ ହୁଅନ୍ତା । ।’’ ପୁଣି ଲତାକୁ ଡାକି ପଚାରିଲେ ‘‘କଣ ଯିବ-? ଅସୁବିଧା ହେବ ନାହିଁ ତ ?’’

 

‘‘ନା, ଅସୁବିଧା କଣ’’ କହି ଲତା ଆଦେଶପାଇଁ ଅପେକ୍ଷା କରି ରହିଲା ।

 

କିଛି ଟିକିଏ ଚିନ୍ତାକରି ଦୀନକୃଷ୍ଣ ବାବୁ କହିଲେ, ‘‘ନା, ଲତା ଆଜି ଥାଉ ବରଂ ତୁମେ ଘରକୁ ଯାଇ କୃଷ୍ଣାଙ୍କୁ କହିଦେବ ମୁଁ ସେଇଠି ଖାଇ ଦେବି । ମୋ ଅପେକ୍ଷାରେ ରହିବା ଦରକାର ନାହିଁ, ବୁଝିଲ ? ମୁଁ ଚାଲିଲି’’ କହି ନିଜ ବ୍ରିଫ୍‌ କେଶ୍‌ରେ କାଗଜ ପତ୍ର ସାଇତିରଖି କାର୍‌ରେ ବସିଲେ-

 

ସେ ଗଲାପରେ ଲତା ରାମବାବୁଙ୍କୁ କହିଲା ‘‘ମୁଁ ଚାଲିଲି’’ ।

 

‘‘ହଉ ଯା’’

 

ଲତା ଦୀନକୃଷ୍ଣ ବାବୁଙ୍କ ଘରକୁ ଗଲା । କୃଷ୍ଣା ବସି ବହି ଖଣ୍ଡିଏ ପଢ଼ୁଥିଲେ । କୃଷ୍ଣା କହିଲେ ‘‘ଆ, ଆ, ଏତେବେଳ ଯାଏ କେଉଁଠି ଥିଲୁ ?’’

 

‘‘ଆଜିଠୁ ପରା କାମରେ ଲାଗିଲି । ଦୀନକୃଷ୍ଣ ବାବୁ ସମ୍ୱଲପୁର ଗଲେ । ତୁମକୁ ଖବରଦେବା ପାଇଁ ମୋତେ କହିଗଲେ । ଆଉ କହିଲେ, ସେ ସେଠି ଖାଇନେବେ । ତୁମେ ପରା ଅପେକ୍ଷା କରିବ ନାହିଁ’’ କହି ଲତା କୃଷ୍ଣାଙ୍କ ପାଖରେ ବସି ପଡ଼ିଲା ।

 

‘ହଠାତ୍‌ କେମିତି ଗଲେ ? ଆଗରୁ ତ କିଛି ପ୍ରୋଗ୍ରାମ ନଥିଲା ।’’

 

‘‘କଲେକ୍‌ଟରଙ୍କ ଫୋନ୍‌ ଆସିଲା, ସଙ୍ଗେ ସଙ୍ଗେ ଚାଲିଗଲେ ।’’

 

‘‘ହଉ, ଆଉ କଣ ଖବର ?

 

‘‘କି ବହିପଢ଼ୁଛ ନାନୀ’’ କହି ଲତା ବହିଆଡ଼କୁ ଦୃଷ୍ଟି ପକାଇଲା ।

 

‘‘ଏହି ଗୋଟିଏ ଉପନ୍ୟାସ ଶରତ ବାବୁଙ୍କର ।’’

 

‘‘ହଉ ତେବେ ମୁଁ ଯାଏଁ ।’’

 

‘‘କୁଆଡ଼େ ଯିବୁ ଲୋକ ! ଆସିଛୁ ଯେତେବେଳେ ଖାଇଦେଇ ଯିବୁ ।’’ ପୁଣି କହିଲେ ‘‘ସାଙ୍ଗରେ ଖାଇବା, ନୋହିଲେ ମୋତେ ଏକା ଖାଇବାକୁ ଭଲ ଲାଗିବ ନାହିଁ ।’’

 

‘‘ନାଇଁ ମ ମୁଁ ଯାଏ ।’’

 

‘‘ନା ନା, ରୁହ । ଆଜି ତ ଆଉକିଛି କାମ ନ ଥିବ ! ଏତେ ତରବର କାହିଁକି ?’’ କହି ଲତାର ହାତଧରି ବସାଇଲେ ପୁଣି କହିଲେ ‘‘କଣ ଲତା, ଚାକିରି ତ ହେଲା, କାମ କଣ ବୁଝିଲୁଣି-?’’

 

‘‘ତୁମେ କହିବ, ଆଉ ଚାକିରି ମିଳିବ ନାହିଁ ? ମୁଁ ପରା ଜାଣେ, ତୁମକଥା କେବେ ସେ କାଟିବେ ନାହିଁ । ତା’ ପରେ କାମ ଯେତେହେଲେ ମୋର ଖାତିର ନାହିଁ । ଚାରିଜଣଙ୍କ କାମ ମୁଁ ଏକା କରିଦେବି । ଟିକିଏ ବୁଝିବାକୁ ସମୟ ଲାଗିବ, ନ ହେଲେ କି କାମ ଅଛି ଯେ ପାରିବି ନାହିଁ-?’’

 

‘‘ମୁଁ କହିଲେ ଚାକିରି ନିଶ୍ଚୟ ମିଳିବ, ତୁ କେମିତି ଜାଣିଲୁ ? ମୁଁ କହିଲି ସିନା, ପ୍ରକୃତରେ ରାମବାବୁଙ୍କ ମତାମତ ନେଇ ତୋତେ ଚାକିରିରେ ରଖିଛନ୍ତି, ଜାଣୁ ?’’

 

‘‘ବାଃ, ବାଃ ! ନାନି, ! ମୋତେ କଣ ଟୋକୀଟିଏ ଭାବୁଛ ? ମୁଁ ପ୍ରଥମଦିନ ତୁମ ଦୁଇଜଣଙ୍କୁ ଦେଖି ଜାଣିଲି ଯେ, ଦୀନକୃଷ୍ଣ ବାବୁ ତୁମକୁ କେତେ ଭଲ ପାଆନ୍ତି !’’

 

‘‘ଯାଃ, ତୁ ଗୋଟିଏ ଦୁଷ୍ଟା’’ କହି କୃଷ୍ଣା ଟିକିଏ ହସିଦେଲେ ।

 

‘‘ମୁଁ କଅଣ ଦୁଷ୍ଟାମି କଲି ଯେ ମୋତେ ଦୁଷ୍ଟା କହିଲ ? ସତକଥା କହିଲାରୁ ଦୁଷ୍ଟା ହୋଇଗଲି, ନା ? ହଉ, ତୁମେ କହିଲ–ମୁଁ ସତ କହିଛି କି ନାହିଁ ?’’

 

‘‘ହଁଲୋ ହଁ, ତୁ ସତ କହିଛୁ । ହେଲେ ତାଙ୍କର କାମ କଥାରେ ମୁଁ ମୁଣ୍ଡ ଖେଳାଏ ନାହିଁ, କି ଘର କଥାରେ ସେ ମୁଣ୍ଡ ଖେଳାନ୍ତିନାହିଁ । ତେଣୁ କାମ ବିଷୟରେ କେବେ କିଛି ମୁଁ କହେନାହିଁ ।’’

 

‘‘ତେବେ ମୋ ପାଇଁ କାହିଁକି କହିଲ ?’’

 

‘‘ସେଇ ତ ଆଶ୍ଚର୍ଯ୍ୟ, କହୁକହୁ କହିଦେଲି । ବୋଧହୁଏ ରମା ଭାଉଜଙ୍କ ଚାପରେ ପଡ଼ି କହିଲି ବା’ ତୋ ରୂପଗୁଣରେ ମୁଗ୍‌ଧ ହୋଇପଡ଼ିଲି ।’’

 

‘‘ଯାଃ, ନାନି ! ତୁମେ ସବୁବେଳେ ଇମିତି ।’’

 

‘‘ନାହିଁ ଲୋ ପାଗଳି ! ଏଥିରେ ଅଭିମାନ କରୁଛୁ କାହିଁକି ? ମଣିଷ ମଣିଷକୁ ଭଲପାଏ-। ଯେତେବେଳେ ଜଣେ ଜଣକୁ ଭଲପାଏ, ସେ ତା’ପାଇଁ ନିଜର ନୀତି ନିୟମ ଛାଡ଼ି ମଧ୍ୟ କାମକରେ । ତା’ର ଆଉ ଅନ୍ୟ କିଛି କାରଣ ନ ଥାଏ ।’’

 

‘‘ଆଚ୍ଛା ନାନି ! ଭଲ ପାଇବାଯୋଗୁଁ ଲୋକ ବିପଦରେ ପଡ଼େ । ତଥାପି କାହିଁକି ଏମିତି ଭୁଲ୍‌ କରେ ?’’

 

‘‘ସବୁ କ୍ଷେତ୍ରରେ ଯେ ବିପଦରେ ପଡ଼େ, ତା ତ ନୁହେଁ ? କେତେବେଳେ କେମିତି ପଡ଼େ; କିନ୍ତୁ ତହିଁରେ କିଛି ଯାଏଆସେ ନାହିଁ । ଭଲ ପାଇବାରେ ଯେଉଁ ଆନନ୍ଦ ମିଳେ, ସେ ସେହି ବିପଦ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ତା’ପରେ ଆଉ ଗୋଟିଏ କଥା–ଭଲ ନ ପାଇଲେ ଯେ ମଣିଷ ବିପଦରେ ନ ପଡ଼ିବ, ୟାର ମାନେ କ’ଣ ?’’

‘‘ଭଲ ପାଇଲେ ଲୋକ କିନ୍ତୁ ଦୁର୍ବଳ ହୋଇଯାଏ ।’’

‘‘ହେଉ କ୍ଷତି କ’ଣ । ସେହି ଦୁର୍ବଳତା ହିଁ ତାର ବଳ ।’’

‘‘ଅନେକ ଭୁଲ କରି ବସେ ।’’

‘‘ସେମିତି କଣ ଭୁଲ କରେନାହିଁ ? ଏଥିରେ କିନ୍ତୁ ଭଲ ପାଇବାର ଆନନ୍ଦ ଥାଏ । ତେଣୁ ଭୁଲ ଓ ତାର ଫଳଜନିତ ଦୁଃଖ ଲାଘବ ହୋଇଥାଏ । ପୁଣି ଭୁଲକୁ ସୁଧାରିବା ସହଜ ହୁଏ’’, କହି କୃଷ୍ଣା ଉଠିଲେ । କହିଲେ, ‘‘ଚାଲ, ଅନେକ ବେଳ ହେଲାଣି, ମୁଠାଏ ଖାଇନେବା ।’’

ଦୀନକୃଷ୍ଣ ସମ୍ୱଲପୁରରେ ପହଞ୍ଚି, କଲେକ୍‌ଟର କୋଠିକୁ ଗଲାବେଳକୁ ପ୍ରାୟ ଦିନ ଗୋଟାଏ । କଲେକ୍‌ଟର ସାହେବ ଉପରକୁ ଖାଇବାପାଇଁ ଚାଲିଯାଇଥିଲେ । ଚପରାଶି କହିଲା, ‘‘ଦିନ ଚାରିଟାରେ କଲେକ୍‌ଟର ତଳକୁ ଓହ୍ଲାଇବେ ଆପଣ ଚାରିଟା ବା ସାଢ଼େ ଚାରିଟାରେ ଆସନ୍ତୁ-!’’

ଦୀନକୃଷ୍ଣ ବାବୁ ଫେରିଲେ । ମନରେ ଅହରହ ଚିନ୍ତା, କାହିଁକି କଲେକ୍‌ଟର ଡକାଇଲେ-? କାରଣ କିଛି ଜଣାପଡ଼ିଲାନାହିଁ । ଏସ୍‌.ଡି.ଓ. ପୁଣି କଣ ଲଗାଇଲେ ନା କଣ-? ବଡ଼ ମୁଷ୍କିଲ୍‌, ତାଙ୍କ ଅଧଃସ୍ତନ ଅଫିସର୍‌ ଯାହା କହିବେ, ତାହା ହିଁ ସତ । ଆମେ ଯାହା କହିଲେ ମଧ୍ୟ ବିଶ୍ୱାସ କରିବେ ନାହିଁ । ଶୁଣିବାକୁ ମିଳେ ଯେ, କଲେକ୍‌ଟର ଭାରି କଡ଼ା ଲୋକ । ନୂଆହୋଇ ଆସିଛନ୍ତି-। ଆଇ.ଏ.ଏସ୍‌ମାନେ ସ୍ୱର୍ଗରୁ ଓହ୍ଲାଇ ଆସନ୍ତି । ତାଙ୍କର ପ୍ରତ୍ୟେକ ବିଷୟରେ ପୂର୍ଣ୍ଣ ଜ୍ଞାନ ଅଛି-। ତାଙ୍କୁ ଆଉ ଶିଖିବାପାଇଁ ବାକି କିଛି ନାହିଁ । କେବଳ ତାଙ୍କର ଉପର ହାକିମ ଯାହା କହିବେ, ତାହା ଭୁଲ ପଛେ ହେଉ, ସେମାନେ କରିବେ ଏବଂ ତାହା ଠିକ୍‌ ବୋଲି ପ୍ରମାଣ ମଧ୍ୟ କରିବେ ।

ଆଇ.ଏ.ଏସ୍‌.ର ଅଭିମାନ–ଦେଶର ଶାସନକାଳରେ କେତେ ଯେ ଦୋଷତ୍ରୁଟି ଭରିଦେଉଛି, ସେକଥା ବିଚାରକରିବା ପାଇଁ ତାଙ୍କର ସମୟ ନାହିଁ ।

ଦୀନକୃଷ୍ଣ ସପ୍ଳାଇ ଅଫିସରଙ୍କ ପାଖକୁ ଗଲେ । କାଳେ ସେ ଜାଣିଥିବେ, ତାଙ୍କୁ ଡକାଇବାର କାରଣ । ସି.ଏସ୍‌.ଓ. ସାହେବ ତାଙ୍କ ଅଫିସରେ ତାଙ୍କ ବନ୍ଧୁଗହଣରେ ଥିଲେ । ଚା’ ଖିଆ ଚାଲିଥିଲା, ଆଉ ଗପସପ ମଧ୍ୟ । ଦୀନକୃଷ୍ଣ ଦେଖିଲେ,ଏହି ଆସର ଶୀଘ୍ର ସମାପ୍ତ ହେବାର ନୁହେଁ । ତେବେ କ’ଣ କରିବେ ? ବାଧ୍ୟହୋଇ ବାହାରେ ଅପେକ୍ଷା କଲେ । ଅବଶ୍ୟ ଚପରାଶିକୁ ତାଙ୍କ ସ୍ଳିପ୍‌ଟା ଦେଇ ବାରଣ୍ଡାରେ ଟହଲ ମାରୁଥାନ୍ତି ।

ଅନେକ ସମୟପରେ ଧୀରେ ଧୀରେ ଭିତରେ ବସିଥିବା ବନ୍ଧୁଗଣ ଜଣ ଜଣ କରି ଉଠିଲେ । ତା’ପରେ ସି.ଏସ୍‌.ଓ. ସାହେବ ତାଙ୍କୁ ଡାକିଲେ । କହିଲେ, ‘‘କଣ ଦୀନକୃଷ୍ଣ ବାବୁ, ଆପଣ କୁଆଡ଼େ ?’’

‘‘ସାର କଲେକ୍‌ଟର ଡାକିଛନ୍ତି ପରା ! ଆପଣ ଜାଣିନାହାନ୍ତି ?’’

‘‘ନା ତ, ମୁଁ କିଛି ଜାଣିନାହିଁ, କାହିଁକି ଡାକିଲେ ?’’

 

‘‘ସେଇକଥା ଆପଣଙ୍କୁ ପଚାରିବି ବୋଲି ଭାବିଥିଲି, କାଳେ ଆପଣ ଜାଣିଥିବେ ! ମୋର ଏଇ ଧାରଣା ଥିଲା ।’’

 

‘‘ନା, ମୁଁ କିଛି ଜାଣିନାହିଁ । ତାଙ୍କ ସହିତ ଦେଖା ହୋଇନାହିଁ ।’’

 

‘‘ମୁଁ ପହୁଞ୍ଚିଲାବେଳକୁ ଲାଞ୍ଚ ପାଇଁ ସେ ଉପରକୁ ଚାଲିଯାଇଥିଲେ ।’’ ଚାରିଟା ଆଡ଼କୁ ଯିବି’’ କହି ଘଡ଼ି ଦେଖିଲେ । କହିଲେ, ‘‘ଆରେ ତିନିଟା ପଇଞ୍ଚାଳିଶ ହୋଇଗଲାଣି ।’’

 

‘‘ହେଉ, ସାକ୍ଷାତ୍‌ ପରେ ମୋତେ କହିଦେଇ ଯିବେ । ବୁଝିଲେ ?’’ କହି ତାଙ୍କ ଫାଇଲ୍‌ କାମରେ ବ୍ୟସ୍ତ ହୋଇପଡ଼ିଲେ ।

 

ଦୀନକୃଷ୍ଣ ବାବୁ, ପୁଣି କଲେକ୍‌ଟର ବଙ୍ଗଳାକୁ ଗଲେ । ଯା’ହେଉ ଏଥର କିନ୍ତୁ କିଛି ସମୟ ଅପେକ୍ଷା କଲାପରେ କଲେକ୍‌ଟର ଭିତରକୁ ଡାକିଲେ ।

 

ଦୀନକୃଷ୍ଣ ବାବୁ ନାନା ଆଶଙ୍କାରେ ସନ୍ଦୀହାନ ହୋଇ ନମସ୍କାର କରି ଛିଡ଼ାହେଲେ ।

 

‘‘ଆଚ୍ଛା ! ଆପଣ ଏତେ ବିଳମ୍ୱରେ ଆସିଲେ ?’’ କଲେକ୍‌ଟର କହିଲେ ।

 

‘‘ନା ସାର୍‌ ! ମୁଁ ଅନେକବେଳୁ ଆସିଲିଣି । ଆପଣ ଲଞ୍ଚ୍‌ ପାଇଁ ଚାଲି ଯାଇଥିଲେ ।’’

 

‘‘ହଉ, ବସନ୍ତ ! କଥା କଣ କି ଚିଫ୍‌ ମିନିଷ୍ଟରଙ୍କ ଫ୍ଳଡ଼୍‌ ରିଲିଫ୍‌ ପାଣ୍ଠି ଆଦାୟ କରିବା ପାଇଁ ଉପରୁ ଖବର ଆସିଛି । ଆପଣ କେତେ ଚାନ୍ଦା ଦେବେ । ଆମ ଜିଲ୍ଲାକୁ ସେମାନେ ଲକ୍ଷେ ଟଙ୍କା ଚାନ୍ଦା ପକାଇଛନ୍ତି’’ କହି କଲେକ୍‌ଟର ଦୀନକୃଷ୍ଣ ବାବୁଙ୍କ ଆଡ଼କୁ ଚାହିଁଲେ ।

 

ଦୀନକୃଷ୍ଣ ବାବୁ ଟିକିଏ ଆଶ୍ୱସ୍ତ ହେଲେ । କହିଲେ, ‘‘ସାର୍‌ ! ମୁଁ ଆଉ କଣ କହିବି ? ମୋ ଅବସ୍ଥା ଦେଖି, ଆପଣ ଯାହା କହିବେ ଦେବି । ଆପଣଙ୍କ କଥା ଆଉ କାଟିପାରିବି ?’’

 

‘‘ମୁଁ କେମିତି କହିବି ? ଆମର ତ ଏସବୁ କରିବା ମନା; କିନ୍ତୁ କ’ଣ କରିବି ? ଉପରୁ ହୁକୁମ ଆସିଛି । ନ କଲେ ନ ଚଳେ । ଆପଣଙ୍କ ଯାହା ଇଚ୍ଛା ଦିଅନ୍ତୁ ।’’

 

‘‘ଆଜ୍ଞା ମୋର ଅବସ୍ଥା ବର୍ତ୍ତମାନ ସେତେ ଭଲ ନୁହେଁ । ତଥାପି ଆପଣ ଯାହା ଉଚିତ ମନେକରିବେ ଦେବି ।’’

 

‘‘ହଉ ଆପଣ ପାଞ୍ଚହଜାର ଟଙ୍କା ଦିଅନ୍ତୁ ।’’

 

ଦୀନକୃଷ୍ଣ ବାବୁଙ୍କ ଛାତିରେ ସକ୍‌ ପଶିଗଲା । କହିଲେ, ‘‘ସାର୍‌, ପାଞ୍ଚହଜାର ଟଙ୍କା ମୋ ପାଇଁ ଅଧିକ ହୋଇଯାଇଛି,’’ କହି ଅତି ଦୟନୀୟ ଓ ବ୍ୟାକୁଳିତ ହୋଇ ଅନାଇଁଲେ ।

 

ଟିକିଏ ବିରକ୍ତ ହେଲାପରି କଲେକ୍‌ଟର କହିଲେ, ‘‘ହେଉ, ଆପଣଙ୍କର ଯାହା ଦେବାକଥା ଦିଅନ୍ତୁ ।’’

 

ଅତି ସଙ୍କୁଚିତ ହୋଇ ଦୀନକୃଷ୍ଣ ବାବୁ କହିଲେ, ‘‘ସାର୍‌ ! ହଜାରେ ଟଙ୍କା ପର୍ଯ୍ୟନ୍ତ ଦେଇପାରିବି । ତହିଁରୁ ଅଧିକ ହେଲେ ମୋତେ କଷ୍ଟହେବ’’ କହି ସତୃଷ୍ଣ ନୟନରେ ଚାହିଁରହିଲେ ।

 

‘‘ଦେଖନ୍ତୁ ଯାହାଦେବେ, ମୋର କିଛି କହିବାର ନାହିଁ; କିନ୍ତୁ ଏମିତି ହେଲେ ମୋ କୋଟାଟି ପୂରଣହେବ କିପରି ? ହଉ, ଆଉ ପାଞ୍ଚଶ ଟଙ୍କା ଦେବେ’’ କହି ଦୀନକୃଷ୍ଣବାବୁଙ୍କ କାମ ସରିଯିବାର ସୁଚନାଦେଲେ ।

 

ଦୀନକୃଷ୍ଣ ବାବୁ କୃତକୃତ୍ୟ ହୋଇ ଛିଡ଼ାହେଲେ । କହିଲେ, ‘‘ସାର୍‌, କାଲି ପଠାଇଦେବି-।’’

 

‘ହଉ’ କହି କଲେକ୍‌ଟର ନିଜ ଫାଇଲ ଦେଖାଦେଖିରେ ଲାଗିଲେ ।

 

ଦୀନକୃଷ୍ଣ ବାବୁ ବାହାରି ଆସି ଚପରାଶିକୁ ପାଣି ଗ୍ଳାସେ ମାଗି ପିଇଲେ ଏବଂ ତାର ପ୍ରାପ୍ୟ ଦେଇ ଆସି କାରରେ ବସିଲେ ।

 

ଫେରିଲାବେଳ ସି.ଏସ୍‌.ଓ, ସାହେବଙ୍କୁ ‘ତାଙ୍କ ନିର୍ଦ୍ଦେଶ ମତେ ଜଣାଇଦେଲେ । ସେତେବେଳକୁ ତାଙ୍କର ମନେପଡ଼ିଲା ଯେ ଦିନସାରା ସେ ଖାଇ ନାହାନ୍ତି । ଉତ୍କଣ୍ଠା ଓ ଆଶଙ୍କାରେ ଖାଇବା କଥା ଭୁଲିଯାଇଛନ୍ତି, କିନ୍ତୁ ବର୍ତ୍ତମାନ ତ ଆଉ ଖାଇବା ସମୟ ନୁହେଁ । ହୋଟେଲକୁ ଯାଇ ଚା’ କପେ ଖାଇ ଫେରିଲେ ।

 

ସମ୍ୱଲପୁରରୁ ବରଗଡ଼କୁ ଘଣ୍ଟାଏ ସମୟ ଲାଗେ । ରାସ୍ତାରେ ସେ ଭାବୁଛନ୍ତି, ଏତିକି କଥା ଫୋନରେ କହିଦେଇଥିଲେ ତ ହୋଇଥାନ୍ତା । ଏଇ କଥା ପାଇଁ ସମ୍ୱଲପୁରକୁ ଡାକି ଅଯଥା ଖର୍ଚ୍ଚାନ୍ତରେ ପକେଇଲେ, ପୁଣି ମୋର ଦିନକର କାର୍ଯ୍ୟକ୍ରମ ନଷ୍ଟ ହୋଇଗଲା । କେତେ କାମ ଥିଲା, ହେଉ କ’ଣ କରିବା ? ଅଫିସର୍‌ ତ, ‘ସାଇବ ଦାଇବ’ କଥା ଅଲଗା । ତାଙ୍କର ସିନା ସମୟର ମୂଲ୍ୟ ଥାଏ ବ୍ୟବସାୟୀର କି ମୂଲ୍ୟ ?

 

(ଦଶ)

 

ଦେଖୁ ଦେଖୁ ଲତାର ଚାକିରି ଛ’ମାସ ହେଲାଣି । କାମରେ ବେଶ୍‌ ପୋଖତ ହୋଇ ଗଲାଣି । କାମ ପାଇଁ ତାକୁ ଆଉ କହିବାକୁ ହେଉନାହିଁ । ଦୀନକୃଷ୍ଣ ବାବୁଙ୍କ ବିଶ୍ୱସ୍ତା ମଧ୍ୟ ହେଲାଣି-। ତାଙ୍କ ସହିତ କଥାବାର୍ତ୍ତା, ବ୍ୟବହାରରେ ଆଉ ସଂକୋଚ ଭାବ ନାହିଁ । କାମସରିଲା ପରେ ଅନେକ ସମୟରେ, ଅନେକ କଥା ମଧ୍ୟ ଆଲୋଚିତ ହୁଏ ଉଭୟଙ୍କ ମଧ୍ୟରେ । ରାମବାବୁଙ୍କ ଶାଳୀ ହିସାବରେ ସମୟ ସମୟରେ ପରିହାସ ମଧ୍ୟ ହୁଏ; କିନ୍ତୁ କଥା ସେତିକିରେ ରହିଯାଏ ।

 

ରାମବାବୁ ବଡ଼ ବ୍ୟସ୍ତହୋଇ ପଡ଼ିଲେଣି । ସେଆଡ଼ୁ ରମେଶ ବାବୁ ଓ ପ୍ରଫୁଲ୍ଲବାବୁଙ୍କ ଚାପ, ଏଆଡ଼େ ଲତାର ଅବହେଳା, ତାଙ୍କୁ ଅତିଷ୍ଠ କରିପକାଉଛି । ବାରମ୍ୱାର ରମାକୁ କହୁଛନ୍ତି, ‘‘କାହିଁ ଲତା ତ କିଛି କଲାନାହିଁ । କଣ ତୁମେ ତାକୁ କହୁଛ ?’’

 

ରମା ସବୁବେଳେ ଲତାକୁ କହୁଛନ୍ତି । ଲତା ହଁ, ହଁ କରୁଛି; କିନ୍ତୁ କିଛି କରୁନାହିଁ । ଶେଷରେ ଦିନେ ଖୋଲାଖୋଲି ଭାବରେ ରମା ତା’କୁ କହିଲେ, ‘‘ବୁଝିଲୁ ! ସେମିତି କେବଳ ହସାହସି କଲେ ତା’କୁ ଫାନ୍ଦରେ ପକାଇ ହେବନାହିଁ । ଆହୁରି ଅନେକ ଆଗକୁ ବଢ଼ିବାକୁ ହେବ ।’’

 

‘‘କଣ କରିବି ନାନି ! ମୁଁ କ’ଣ ଚେଷ୍ଟା କରୁନାହିଁ ? କିନ୍ତୁ କ’ଣ କରିବି । ଟିକିଏ କେବଳ ହସି ଦିଅନ୍ତି, ଆଉ କିଛି କହନ୍ତିନାହିଁ ।’’

 

‘‘ସେ ଯାହାହେଉ, ସେମିତି କହିଲେ ଚଳିବନାହିଁ । ଦୁନିଆଁ ସାରା ତ ରାଷ୍ଟ୍ର ହେଲାଣି ଯେ ତୁ ତାର ରକ୍ଷିତା ହୋଇଅଛୁ । ଆଉ ଯଦି ଓ୍ୱିଲ୍‌ନାମା ଆଣି ନ ପାରିଲୁ, ତା’ହେଲେ ଜାଣିଥା ଏକା–ପ୍ରଫୁଲ୍ଲବାବୁଙ୍କ ପଞ୍ଝାଏ ଗୁଣ୍ଡା ଅଛନ୍ତି, ସେ ତୋତେ ଓ ତୋ ଭିଣୋଇଁଙ୍କ ଶେଷ କରି ଦେବେ-।’’

 

ଲତା ଶିହରୀ ଉଠିଲା । କହିଲା, ‘‘ନାନି ! ମୁଁ ଚାକିରି ଛାଡ଼ିଦେଇ ଚାଲିଯାଉଛି ଗାଁକୁ । ମୁଁ ଏତେସବୁ ପାରିବି ନାହିଁ ।’’

 

‘‘ପାରିବୁ ନାହିଁ କଣ ? ନିଶ୍ଚୟ ପାରିବୁ । ଟିକିଏ ବୁଦ୍ଧି ଲଗା, ନ ପାରିଲେ ରକ୍ଷାନାହିଁ ଜାଣିଥା । ଆମେ ସମସ୍ତେ ବିପଦରେ ପଡ଼ିବା । ଆରେ, ତୋର ସୌନ୍ଦର୍ଯ୍ୟ ଅଛି, ଯୌବନ ଅଛି, ବିଦ୍ୟା ବୁଦ୍ଧି ଅଛି–ସାମାନ୍ୟ ଦୀନକୃଷ୍ଣକୁ ପାରିବୁନାହିଁ ? ସେ ହସି ଦେଉଛି, ସେଇ ତ ସୂଚନା ହେଲା । ତା’ପରେ ତୁ ଚୁପ୍‌ ରହିଲେ ହେବ ।’’

 

ଚୁପ୍‌ହୋଇ ରହିଲା ଲତା । ଟିକିଏ ପରେ ପୁଣି କହିଲା—‘‘ହଉ ଦେଖେଁ ।’’ ଲତା ଏ ଭିତରେ ଦୀନକୃଷ୍ଣ ଓ କୃଷ୍ଣାଙ୍କୁ ଭଲ ପାଇବାରେ ଲାଗିଛି । ସ୍ନେହ, ଶ୍ରଦ୍ଧା, ପ୍ରେମ, ତାର ଅନେକ ବଢ଼ିଯାଇଛି । ଦୀନକୃଷ୍ଣଙ୍କ ସହିତ ଯେ ଦୈହିକ ସଂପର୍କ ପାଇଁ ତା’ର ଇଚ୍ଛା ହୋଇନାହିଁ, ତା’ ନୁହେଁ, କିନ୍ତୁ ଦୀନକୃଷ୍ଣ ତାଙ୍କ କାମ ଓ ଅନ୍ୟାନ୍ୟ ବାହାରିଆ କଥାରେ ଏତେ ବ୍ୟସ୍ତ ଯେ ସେ ଏଆଡ଼କୁ ବିଶେଷ ଧ୍ୟାନ ଦେଇପାରୁନାହାନ୍ତି । ତା’ପରେ କୃଷ୍ଣାନାନୀଙ୍କ କଥା ଲତାକୁ ସବୁବେଳେ ଘାରୁଛି । କ’ଣ କରିବ, ଦୀନକୃଷ୍ଣ ବିବାହିତ । ତା’ ସହିତ କେତେବେଳେ କେମିତି ଦୈହିକ ସଂପର୍କ ହେଲେ କ’ଣ ଅନ୍ୟାୟ ହୋଇଯିବ ? କେତେ କଣ ହେଉନାହିଁ ? ତହିଁରେ କୃଷ୍ଣାନାନୀର କି କ୍ଷତି ବା ଦୀନକୃଷ୍ଣଙ୍କ କି କ୍ଷତି ହେବ ଯେ’ ଏତେ ଚିନ୍ତା କରୁଛି ? ଏ ସବୁ ଭାବି ସମୟ ସମୟରେ ଲତାକୁ ନିଦ ହୁଏନାହିଁ । ଦୀନକୃଷ୍ଣଙ୍କ କଥା ମନେ ପକାଏ । ସେଦିନ ଦୀନକୃଷ୍ଣ କହିଲେ, ‘‘ଲତା ! କଣ କରିବି ? କୃଷ୍ଣାକୁ ବାହାହୋଇ ସାରିଛି । ନ ହେଲେ ସତରେ ତୁମକୁ ମୁଁ ବାହାହୋଇପଡ଼ନ୍ତି ।’’

 

କୃଷ୍ଣା ହସି ହସି କହିଲେ, ‘‘ମୁଁ କଣ ବାଧା ଦେଉଛି କି ? ବାହା ହଉନ ? ମୋ ସାନ ଭଉଣୀ ତ, ଭଉଣୀ ହୋଇ ରହିବ । ମୋର କାମ ବୋଝ ହାଲୁକା ହେବ ସିନା, ମୁଁ କାହିଁକି ଆପତ୍ତି କରିବି ?’’

 

ଲତାର ମୁହଁ ଲାଜରେ ଲାଲ ଗୋଲାପୀ ହୋଇଗଲା । କୃଷ୍ଣାଙ୍କୁ ଚିମୁଟି ଦେଇ କହିଲା, ‘‘କଣ ନାନି ! ତୁମେ ବି ଏଇଆ....’’

 

‘‘ହଁ ମ, କ’ଣଟା ହୋଇଗଲା ଯେ ଏତେ ଦେଖେଇ ହଉଛୁ’’ କହି ଲତାକୁ କୋଳକୁ ଟାଣିନେଲେ । ଦୀନକୃଷ୍ଣ ବାବୁ ହସି ହସି କହିଲେ, ‘‘କୃଷ୍ଣ, ମୁଁ ଦେଖୁଛି ଲତା ମୋ ଅପେକ୍ଷା ତମକୁ ଅଧିକ ପ୍ରେମ କରୁଛି’’ କହି ଉଠିଲେ । କହିଲେ—‘‘ହଉ ମୁଁ ଯାଉଛି ।’’

 

ଲତା ଏଇକଥା ନେଇ ଅନେକ ଭାବିଛି । ଅନେକ ରାତ୍ରି ଉଜାଗର ରହିଛି । ଯୌବନ ତା’କୁ ବିଚଳିତ କରିପକାଉଛି । ଦୀନକୃଷ୍ଣ ଥରେ ତା’କୁ ଆଲିଙ୍ଗନ କରନ୍ତେ କି ? ତାଙ୍କୁ ତା’ର ବାହୁ ବନ୍ଧନୀରେ ଥରୁଟିଏ ପାଆନ୍ତା କି ?

 

ସେ କ’ଣ ପ୍ରକୃତରେ ଚେଷ୍ଟା କରିନାହିଁ । ତାଙ୍କୁ ଅନେକ ସୂଚନା ଦେଇନାହିଁ । ତଥାପି ତ ତାଙ୍କଆଡ଼ୁ କୌଣସି ପ୍ରତିକ୍ରିୟା ଦେଖୁନାହିଁ । ସବୁ କଥା ଥଟ୍ଟାରେ ଉଡ଼େଇ ଦିଅନ୍ତି । ତେବେ କ’ଣ ତାଙ୍କ ହୃଦୟର ପ୍ରେମ କେବଳ କୃଷ୍ଣା ନାନୀଙ୍କ ପାଇଁ ପର୍ଯ୍ୟାନ୍ତ । ଆଉ କଣ ତା’ପାଇଁ କିଛିନାହିଁ-? ବିଶ୍ୱକବି ରବୀନ୍ଦ୍ରନାଥ ଲେଖିଛନ୍ତି, ‘‘ପ୍ରେମ ଦିୟେ ପ୍ରେମେ ଭରେ ପ୍ରାନ ।’’ ତେବେ କଣ ତାହା କବିର କଳ୍ପନା ମାତ୍ର । ଯେତେ ପ୍ରେମ ଦେବେ ସେତିକି ବଢ଼ିବ । ପ୍ରେମ ସରିଯିବାର ନୁହେଁ-। କୃଷ୍ଣାଦେବୀଙ୍କ ଯେତେ ଦରକାର, ତାଙ୍କର ପ୍ରେମ ନିଅନ୍ତୁ; କିନ୍ତୁ ମୁଁ କ’ଣ ଦୋଷକଲି ଯେ ତାଙ୍କର ପ୍ରେମରୁ ବଞ୍ଚିତା ହେବି ? ମୋତେ ପ୍ରେମଦେଲେ କ’ଣ କମିଯିବ ? ନାଁ, ଲୋକଟା ଟିକିଏ ନିଷ୍ଠୁର ଭଳି ମନେଦେଉଛି ।

 

ଆଦର୍ଶ, ଶୁଷ୍କ ଆଦର୍ଶ ନେଇ ଜୀବନକୁ ନୀରସ କରିବା–ମୂର୍ଖାମି ଛଡ଼ା ଆଉ କ’ଣ ହୋଇପାରେ ?

 

ରାମବାବୁଙ୍କ ଚାପ କିନ୍ତୁ ତାକୁ ବ୍ୟତିବ୍ୟସ୍ତ କରୁଛି । ଦୀନକୃଷ୍ଣ ଓ କୃଷ୍ଣାଙ୍କ ସହିତ ସେ ଏମିତି ହୀନ ବ୍ୟବହାର କରିବ ? ତାଙ୍କୁ ବିଶ୍ୱାସରେ ବିଷ ଦେବ ? ଅତି ଅନ୍ୟାୟ । କେତେ ସରଳ ସେ ଦିହେଁ । ଦିନରାତି ନିଜ କାମରେ ମଜଗୁଲ୍‌ କେବେ କାହାରି ମନ୍ଦଚିନ୍ତା କରନ୍ତି ନାହିଁ । ନିଜ ନିଜର ହୀନ ସ୍ୱାର୍ଥନେଇ ଏମାନେ ସମସ୍ତେ ତାଙ୍କ ପଛରେ ଲାଗି, ତାଙ୍କର ସର୍ବନାଶ କରିବାକୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ଆଉ ସେ, ତାଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟସ୍ଥତା କରୁଛି । ଛିଃ ! ଜୀବନରେ ତାହା କେବେ ସମ୍ଭବ ହେବ ? ମୁଁ ମଣିଷ ମୋର କଣ ହୃଦୟ ନାହିଁ । ବୁଦ୍ଧି ବିବେକ ନାହିଁ ଯେ, ମୁଁ ତାଙ୍କ ସର୍ବନାଶର ସୂତ୍ରଧାରିଣୀ ହେବି ?

 

ରମା ନାନୀ କହୁଛି ଯେ ସମସ୍ତେ କହୁଛନ୍ତି–‘ମୁଁ ଦୀନକୃଷ୍ଣଙ୍କ ରକ୍ଷିତା ।’ ଏହି ଅପପ୍ରଚାର ପାଇଁ କ’ଣ ରାମବାବୁ ଦାୟୀ ନୁହନ୍ତି ? ରାମବାବୁଙ୍କ ବନ୍ଧୁ ପ୍ରଫୁଲ୍ଲ ବାବୁ କ’ଣ ଏହି ପ୍ରଚାର ପଛରେ ନାହାନ୍ତି ? ଥାଆନ୍ତୁ, ସେମାନେ ମୋର କ’ଣ କରିପକାଇବେ ? ଏମିତି ପ୍ରଚାରକରି ମୋର ଆଉ ଦୀନକୃଷ୍ଣଙ୍କ ନୈତିକ ବଳ ଭାଙ୍ଗିଦେବା ବୋଧହୁଏ ତାଙ୍କର ପରିକଳ୍ପନା; କିନ୍ତୁ କାହିଁ, ଦୀନକୃଷ୍ଣ ତ ମୋଟେ ବିଚଳିତ ହେଉନାହାନ୍ତି । ମୋର କଣ ଅଛି । ଯେତେଦିନ ମନକୁ ପାଇବ, ଏଇଠି ରହିବି । ନ ହେଲେ ଚାଲିଯିବି । ଏମାନେ ମୋର କ’ଣ କରିପାରିବେ । ହଁ, ଗୁଣ୍ଡା ରଖିଛନ୍ତି, ଅତ୍ୟାଚାର କରିବେ, ମାରିବେ, ପିଟିବେ । ହଉ, ଦେଖାଯାଉ କ’ଣ ହେଉଛି ? ବଡ଼ ବିପଦରେ ପଡ଼ିବାକୁ ହେଲା । ଆଗରୁ ତ ଜାଣି ନ ଥିଲି ରାମ ବାବୁଙ୍କ ଚକ୍ରାନ୍ତ । ଏମିତି ଅନେକ ଚିନ୍ତାକରି ମୁଣ୍ଡ ଭାରାକ୍ରାନ୍ତ ହୋଇପଡ଼େ, କିଛି ମୀମାଂସା କରିପାରେନାହିଁ ।

 

ପ୍ରଲୋଭନ ବି କମ୍‌ ନୁହେଁ, ଓ୍ୱିଲ୍‌ନାମା ଚୋରାଇ ଆଣି ପାରିଲେ ଦଶ ହଜାର ଟଙ୍କା–ବାହାଘର ଖର୍ଚ୍ଚ, ଆଉ କ’ଣ କ’ଣ ଦେବେ, ନ ହେଲେ ବିପଦ ଯୋଗ ।

 

ଦୀନକୃଷ୍ଣ ଗତ ଛ’ ମାସ ମଧ୍ୟରେ ଅନେକ କିଛି ଦେଖି ସାରିଲେଣି । ରେବତୀ ଅପାଙ୍କ ସହିତ ପତ୍ର ବିନିମୟ ସୁଦ୍ଧା ବନ୍ଦ ହୋଇଗଲାଣି । ପ୍ରଥମେ ଯେତେବେଳେ ରେବତୀ ଅପା, ରମେଶ ବାବୁଙ୍କ ଅଭିଯୋଗ ଶୁଣି ଗାଳି ଗୁଲଜ ଦେଇ ପତ୍ର ଲେଖିଥିଲେ, ଦୀନକୃଷ୍ଣ ତାଙ୍କର ଯଥାର୍ଥ ଅଜ୍ଞତା ଦର୍ଶାଇ ଉତ୍ତର ଦେଇଥିଲେ; କିନ୍ତୁ ସେ ଉତ୍ତର, ରେବତୀ ଅପାକୁ ଆହୁରି ଉତ୍ତେଜିତ କରିଥିଲା ଏବଂ ସେ ଆହୁରି କଡ଼ା ଭାଷାରେ ପତ୍ର ଦେଇଥିଲେ । ଦୀନକୃଷ୍ଣ ଓ କୃଷ୍ଣା ସେ ପତ୍ର ପାଠକରି, ଦୁଇଦିନ ଖିଆପିଆ ବନ୍ଦ କରିଦେଇଥିଲେ । ତା’ପରେ କିନ୍ତୁ ଦୀନକୃଷ୍ଣ ସେ ପତ୍ରର କିଛି ଉତ୍ତର ନ ଦେଇ ଚୁପ୍‌ ରହିଲେ । ରେବତୀ ଅପା ମଧ୍ୟ ଆଉ କିଛି ଲେଖି ନ ଥିଲେ । ଲତାକୁ ଚାକିରିରେ ରଖିବାର ପ୍ରାୟ ମାସେ ତଳେ ପୁଣି ଗୋଟିଏ କଡ଼ା ଚିଠି ଦେଇଥିଲେ । ସେଥରେ ଦୀନକୃଷ୍ଣ ବାବୁଙ୍କ ଚରିତ୍ର ସଂହାର ପୂର୍ଣ୍ଣରୂପରେ କରାହୋଇଥାଏ । ତଥାପି ଦୀନକୃଷ୍ଣ ଚୁପ୍‌ ରହିଲେ । ଆଉ କିଛି ଉତ୍ତର ଦେଲେନାହିଁ ।

 

ରମେଶ ବାବୁ ଘରକୁ ଆଉ ଆସନ୍ତିନାହିଁ । ତାଙ୍କର ଯାହା କଥାବାର୍ତ୍ତା ପ୍ରଫୁଲ୍ଲ ବାବୁଙ୍କ ସହିତ ଶେଷକରି ଗାଁକୁ ଫେରିଯାନ୍ତି । ଥରେ ଦୁଇଥର ଦୀନକୃଷ୍ଣ ରମେଶ ବାବୁଙ୍କ ଆସିବା ଖବର ପାଇଥିଲେ; କିନ୍ତୁ ଚୁପ୍‌ ରହିଥିଲେ ।

 

ଏସ୍‌.ଡି.ଓ. ସାହେବଙ୍କ ତରଫରୁ ତାଙ୍କ ଉପରେ ଯେତେ ପ୍ରକାର ସରକାରୀ ଚାପ ପ୍ରୟୋଗ କରାଯାଇପାରେ, କରାଗଲା । ତାଙ୍କ ଉପରେ ସରକାରଙ୍କ ତରଫରୁ ଅଠରଟି ମାମଲା କଚେରୀରେ ଚାଲୁହେଲା । କେଉଁଟା ଏନ୍‌କ୍ରୋଚମେଣ୍ଟ କେଶ୍‌ ତ କେଉଁଟା କଣ୍ଟ୍ରୋଲ ଆଇନ୍‌ ଭଙ୍ଗ । ସରକାରଙ୍କ ଯେତେ ବିଭାଗ, ସେତିକି ବେଶ୍‌ । ପ୍ରଫୁଲ୍ଲ ବାବୁଙ୍କ ପ୍ରେରଣା, ଏସ୍‌.ଡି.ଓ. ସାହେବଙ୍କ ପ୍ରୋତ୍ସାହନରେ ଗୁଣ୍ଡାମାନେ ଅନେକ ସମୟରେ କାରଣ ଥାଉ ବା ନଥାଉ, ଦୀନକୃଷ୍ଣ ବାବୁଙ୍କୁ ଅପମାନିତ ଓ ଲାଞ୍ଛିତ କଲେ । ଗୁଣ୍ଡା ଲଗାଇ ତାଙ୍କ ଘର ଭାଙ୍ଗିବାର ଚେଷ୍ଟା ମଧ୍ୟ କଲେ ।

 

ପ୍ରଫୁଲ୍ଲ ବାବୁଙ୍କ ଚେଷ୍ଟାରେ ଦୀନକୃଷ୍ଣ ବାବୁଙ୍କ ଚରିତ୍ର ସଂହାର କରିବା ପାଇଁ ସହରରେ ଅନେକ ପ୍ରକାର ଗୁଜବ ଉଠିଲା । ଦୀନକୃଷ୍ଣ ଭ୍ରଷ୍ଟ, ବ୍ୟଭିଚାରୀ କଳାବଜାରୀ, ମଦୁଆ, ଜୁଆରୀ କେତେକଥା ସର୍ବତ୍ର ଶୁଣାଗଲା । ଦୀନକୃଷ୍ଣଙ୍କ ଅନେକ ବନ୍ଧୁ ଶତ୍ରୁ ପାଲଟିଲେ । ଚାରିଆଡ଼େ ହୋ-ହୋ । ସତେ ଯେମିତି ଦୀନକୃଷ୍ଣଙ୍କ ବ୍ୟତୀତ ସହରରେ ଆଉ କେହି ନାହାନ୍ତି । ପାନ ଦୋକାନ, ହୋଟେଲ, ବଜାର, ସିନେମା ହଲ୍‌ ଯେଉଁଠି ପାଞ୍ଚ ଜଣ ଜମାହେଲେ; ସେଇଠି ତାଙ୍କ ନିନ୍ଦା, ତାଙ୍କର ସମାଲୋଚନା । ଅନେକ କ୍ଷେତ୍ରରେ ଯେଉଁମାନେ ଦୀନକୃଷ୍ଣ ବାବୁଙ୍କୁ କେବେ ଦେଖି ନାହାନ୍ତି, ସେମାନେ ମଧ୍ୟ ତାଙ୍କ ସମାଲୋଚନା କରିବାରେ ପଶ୍ଚାଦପଦ ହେଉ ନ ଥିଲେ । ସତେ ଯେପରି ଦେଶର ଦୁଃଖ, ଦୈନ୍ୟ, ଏପରିକି ବଢ଼ି ମରୁଡ଼ି ପାଇଁ ମଧ୍ୟ ଦୀନକୃଷ୍ଣ ବାବୁ ଓ ତାଙ୍କର କୁକର୍ମ ଦାୟୀ-

 

କଥାରେ ଅଛି, ଯେତେବେଳେ ବିପଦ ଆସେ ସବୁଆଡ଼ୁ ଘନେଇ ଆସେ । ନିଜର ବୋଲି ଯାହାକୁ ମନେ କରିଥିବେ ସେ ମଧ୍ୟ ପର ହୋଇଯାଏ ଓ କ୍ଷତି କରିବାକୁ ବସେ । ଯାହାଙ୍କୁ ବିଶ୍ୱାସ କରିବେ ସେଇମାନେ ହିଁ ବିଷ ଦେବେ ।

 

ରାମବାବୁ ମଧ୍ୟ କାମରେ ଆଉ ମନ ଦେଉ ନାହାନ୍ତି । ଯେମିତି ଦୀନକୃଷ୍ଣ ବିପଦରେ ପଡ଼ିବେ, ପ୍ରଚ୍ଛନ୍ନରେ ତା’ରି ଉଦ୍ୟମରେ ଲାଗିଛନ୍ତି । କହୁଛନ୍ତି, ‘‘ବୁଢ଼ା ହେଲି ! ଆଜ୍ଞା ଆଉ କାମ ସମ୍ଭାଳି ପାରୁନାହିଁ । ଯଦି ଦୟାକରି ଅବ୍ୟାହତି ଦିଅନ୍ତେ, ମୁଁ ଭାରି ଖୁସି ହୁଅନ୍ତି ।’’ ବହୁଦିନର ସମ୍ପର୍କ ରାମବାବୁଙ୍କ ସଙ୍ଗରେ, ଦୀନକୃଷ୍ଣ ବା କେମିତି ତାଙ୍କୁ ଛାଡ଼ିବେ । ବୁଢ଼ାବେଳେ ତାଙ୍କୁ ଛାଡ଼ିବା, ଦୀନକୃଷ୍ଣଙ୍କ ବିବେକ ବିରୋଧୀ କାର୍ଯ୍ୟ । ଯା’ ହେଉ ସେ ଅଧିକରୁ ଅଧିକ କାର୍ଯ୍ୟ ତୁଲାଇବାରେ ଲାଗିଲେ । ଯେକୌଣସି ପ୍ରକାରେ କାମ ଚଳାଇ ନେବାକୁ ହେବ ।

 

ଜୀବନରେ କଷ୍ଟ ଯେତିକି ଆସେ, ଭଗବାନ ତା’କୁ ସହିବାକୁ ଓ ତା’ର ସମ୍ମୁଖୀନ ହେବାକୁ ସେତିକି ସାହସ, ଶକ୍ତି ଓ ଧୈର୍ଯ୍ୟ ଦେଇଥାନ୍ତି । ଦୀନକୃଷ୍ଣଙ୍କ ଉପରେ ଯେତିକି କଷ୍ଟ ଓ ସମସ୍ୟା ମାଡ଼ି ପଡ଼ୁଥାଏ ସେ ସେତିକି କଠୋର ହେଉଥାନ୍ତି । ଧୈର୍ଯ୍ୟର ସହିତ ସେ ସବୁର ମୁକାବିଲା ପାଇଁ ପ୍ରସ୍ତୁତ ଓ ଚେଷ୍ଟିତ ହେଉଥାନ୍ତି । ଅବଶ୍ୟ କୃଷ୍ଣା ଓ ଲତାଙ୍କ ଅବଦାନ କମ୍‌ ନୁହେଁ । ଯେତେ କଷ୍ଟ ଓ ବିପଦ ଆସିଲେ ସୁଦ୍ଧା ଘରକୁ ଗଲେ କୃଷ୍ଣାଙ୍କ ସ୍ମିତ ହାସ୍ୟ ତାଙ୍କୁ ଅଶେଷ ସାନ୍ତ୍ୱନା ଦିଏ, ଦୀନକୃଷ୍ଣ ବାତାବରଣକୁ ସଂପୂର୍ଣ୍ଣ ଭୁଲିଯାନ୍ତି । କୃଷ୍ଣାଙ୍କ ଧୈର୍ଯ୍ୟ, ସାହସ ଓ ସାନ୍ନିଧ୍ୟ; ଲତାର ସମ୍ୱେଦନଶୀଳତା ଦୀନକୃଷ୍ଣଙ୍କ ମାନସିକ ଶକ୍ତିକୁ ଉତ୍ତରୋତ୍ତର ବୃଦ୍ଧି କରୁଥାଏ ।

 

କୌଣସି କଥା ପଡ଼ିଲେ କୃଷ୍ଣା କହନ୍ତି, ‘‘ଭଗବାନଙ୍କ ଯାହା ଇଚ୍ଛା ତାହା ହିଁ ହେବ । ଆମେ କାହାରି କେବେ ଅମଙ୍ଗଳ କରି ନାହୁଁ । ଭଗବାନ ଆମ ଅମଙ୍ଗଳ କାହିଁକି କରିବେ ?’’ ବାସ୍‌, ଏତିକିରେ ତାଙ୍କ କଥା ଶେଷ ହୋଇଯାଏ । ଦୀନକୃଷ୍ଣଙ୍କ ଆତ୍ମପ୍ରତ୍ୟୟ ଫେରିଆସେ । କାମରେ, ଲତା ଯେତେଦୂର ହେବ ଦୀନକୃଷ୍ଣଙ୍କୁ ଯେପରି କଷ୍ଟ ନହେବ ସେହି ଚେଷ୍ଟା କରୁଥାଏ । ତାଙ୍କ ମନକୁ ଭୁଲାଇ ଆଣିବାପାଇଁ ମଧ୍ୟ ଅନେକ ସମୟରେ ବିଭିନ୍ନ ଆଲୋଚନାର ଅବତାରଣା କରେ । ଏମିତି ଭାବରେ ଦିନ ଗଡ଼ିଚାଲେ ।

 

ସେ ଦିନ ସନ୍ଧ୍ୟା ହୋଇ ଯାଇଥିଲା । କାର୍ଯ୍ୟାଳୟର ସମସ୍ତ କର୍ମ୍ମୀ ଯେ ଯାହା ଘରକୁ ଚାଲି ଯାଇଥିଲେ । ଲତା କିନ୍ତୁ ତା’ ଅଫିସ୍‌ରେ ବସି ଟାଇପ୍‌ କରୁଥାଏ । କେତେ ପ୍ରକାର Statement, କେତେପତ୍ର, ସରକାରଙ୍କୁ ଗୋଟିଏ ୨୦ । ୨୨ ପୃଷ୍ଠାର ମେମୋରାଣ୍ଡମ୍‌ । ଦୀନକୃଷ୍ଣ ବାବୁ ସେହି Statement ମାନ ଚେକ୍‌ କରୁଥାନ୍ତି ।

 

ଟାଇପ୍‌ କାମ ସରିଲା । ଟାଇପ୍‌ କାଗଜ ଆଣି ଲତା ଦୀନକୃଷ୍ଣ ବାବୁଙ୍କ ଟେବୁଲ୍‌ରେ ରଖି ତାଙ୍କ ପାଖରେ ଛିଡ଼ା ହୋଇ ନିଜେ ମଧ୍ୟ ଦେଖିବାକୁ ଲାଗିଲା ।

 

ଦୀନକୃଷ୍ଣ ବାବୁ ମୁଣ୍ଡ ନୁଆଇଁ ଟାଇପ୍‌ କାଗଜ ଦେଖି ଚାଲିଥାନ୍ତି । ଲତା ତାଙ୍କର ଅତି ପାଖରେ ଛିଡ଼ା ହୋଇ, ସେହି କାଗଜଗୁଡ଼ାକ ଦେଖୁଥାଏ ଏତେ ନିକଟ ଯେ’ ଦେହରେ ଦେହ ଛୁଇଁ ହୋଇ ଯାଉଥାଏ ।

 

ଲତାର ଦେହର ବାସନା, ଦୀନକୃଷ୍ଣ ବାବୁଙ୍କୁ ବିଚଳିତ କରି ପକାଇଲା । ସେ ମୁଣ୍ତ ଟେକିଦେଲା, ଲତାର ଦେହରେ ଘସି ହେଲା । ଲତାକୁ ଦେଖିଲେ, ଲତା ହସିଲା । ଦୀନକୃଷ୍ଣ ବାବୁ ଛିଡ଼ା ହୋଇ ଲତାକୁ ଆଲିଙ୍ଗନ କଲେ । ଲତା ପ୍ରତିରୋଧ କରିନାହିଁ, ବରଂ ତାଙ୍କ ଦିହରେ ଲଦି ହେଲା । ତା’ର ଚିର ପୋଷିତ ଆକାଂକ୍ଷା ଯେପରି ଏତେ ଦିନ ପୂର୍ଣ୍ଣ ହେଲା ।

 

ଦୀନକୃଷ୍ଣ ବାବୁ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ, କିଛି ଗୋଟାଏ ଅନ୍ୟାୟ କରି ପକାଇଲା ଭଳି ମନେକରି, ଲତାକୁ ଛାଡ଼ି କହିଲେ, ‘‘ଆଜି ଥାଉ ଲତା, କାଗଜାତ୍‌ କାଲି ସକାଳୁ ଦେଖିବା । ବର୍ତ୍ତମାନ ଆଉ କାମକରି ହେବ ନାହିଁ, କ୍ଷଣିକ ଉତ୍ତେଜନାରେ ପଡ଼ିଗଲି । ମୋତେ କ୍ଷମା ଦେବ ।’’

 

ଲତା ଅତିଶୟ କ୍ଷୁବ୍ଧା ହୋଇ କହିଲା ‘‘କଣ ଭୁଲ୍‌ କରି ପକାଇଲେ ? ମୋର କଣ ପ୍ରାପ୍ୟ ତାହା ନୁହେଁ ? ମୋତେ ଏତେ ହତାଦର କରୁଛନ୍ତି କାହିଁକି, କହିଲେ ?’’

 

ଦୀନକୃଷ୍ଣ ମୁଣ୍ତ ତଳକୁ କହି ଚେୟାରରେ ବସିପଡ଼ି କହିଲେ ‘‘ଲତା, ମୁଁ ବିବାହିତ ।’’

 

‘‘ସେଠୁ କଣ ହେଲା ? କଣ ବିବାହିତ ଲୋକେ ଆଉ କାହାକୁ ପ୍ରେମ କରୁ ନାହାନ୍ତି କି-?’’

 

‘‘ମୁଁ ତ ତୁମକୁ ନିଜର କରି ପାରିବି ନାହିଁ ଲତା !’’

 

‘‘କାହିଁକି କରି ପାରିବେ ନାହିଁ ? ଆଦର୍ଶ-ସମାଜର ବନ୍ଧନ ଯୋଗୁ ତ, ନା ଆଉ କିଛି ? ଜାଣିଛନ୍ତି, ଆଦର୍ଶ ସମସ୍ତେ ଦେଖାଇ ହୁଅନ୍ତି । ସମାଜ ବନ୍ଧନ ଓ ଶୃଙ୍ଖଳାକୁ ମାନୁଛନ୍ତି ବୋଲି, କହି ହୁଅନ୍ତି, ଉପନ୍ୟାସରେ ଔପନ୍ୟାସିକମାନେ ଲେଖନ୍ତି, କିନ୍ତୁ ପ୍ରକୃତ କ୍ଷେତ୍ରରେ, କେତେଜଣ ଏ ଜଗତରେ ଏକ ପତ୍ନୀବ୍ରତ ଧାରଣ କରି ଅଛନ୍ତି ? ମୁଁ ଜାଣେ ଦୀନକୃଷ୍ଣ ବାବୁ, ସାମାଜିକ ଦୃଷ୍ଟିରୁ ମୁଁ ତୁମକୁ ବିବାହ କରିପାରିବି ନାହିଁ, କିନ୍ତୁ ତୁମ୍ଭଙ୍କୁ ଭଲପାଇବାରୁ, ଜଗତର କୌଣସି ଶକ୍ତି ମୋତେ ବଞ୍ଚିତ କରିପାରିବ ନାହିଁ । ମୁଁ ତୁମକୁ ଭଲ ପାଏ, ତୁମରି ସେବା କରିବି । ମୋତେ ସେ ସୁଯୋଗ ଦିଅନ୍ତୁ, ମୋର ରୂପ ଯୌବନ ଓ ପ୍ରେମକୁ ଅପମାନିତ କରନ୍ତୁ ନାହିଁ । ମୋଟ ଉପରେ, ମୋତେ ଆଉ ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ, ଉପେକ୍ଷିତା ହେଲେ ମୁଁ ଆଉ ବଞ୍ଚି ପାରିବି ନାହିଁ ।’’

 

‘‘କିନ୍ତୁ ଲତା, କୃଷ୍ଣା ପ୍ରତି କ’ଣ ଆମର କିଛି ଦାୟିତ୍ୱ ନାହିଁ, ତାଙ୍କ ପ୍ରତି କ’ଣ ଅନ୍ୟାୟ ହେବ ନାହିଁ ?’’

 

‘‘ଦାୟିତ୍ୱ ଅଛି, କିନ୍ତୁ ଏହି କ୍ଷଣିକ ମିଳନରେ ତାଙ୍କପ୍ରତି ଅନ୍ୟାୟହେଲା ବୋଲି ମୁଁ ଭାବେନା । ତୁମେ ଜାଣ, ମୁଁ ତାଙ୍କୁ କେତେ ଶ୍ରଦ୍ଧା ଭକ୍ତି ଓ ସ୍ନେହ କରେ । କିନ୍ତୁ ଦୀନକୃଷ୍ଣ ବାବୁ; ଏଇଟା ହେଉଛି ମୋର ଦୈହିକ କ୍ଷୁଧା, ମୋର ଏହି ଦୈହିକ କ୍ଷୁଧାକୁ ସମୟ ବିଶେଷରେ ଯଦି ଉପଶମ କରା ନ ଯାଏ, ତା’ ହେଲେ ମୁଁ ବଞ୍ଚିବି କିପରି ? ପ୍ରକାରାନ୍ତରେ ଯଦି ଏହାକୁ ପୂରଣ କରାଯାଏ, ତା’ହେଲେ କୃଷ୍ଣା ନାନୀର ତ, କୌଣସି କ୍ଷତି ହେବ ନାହିଁ ।’’

 

‘‘ଲତା, ତୁମେ ଅତ୍ୟନ୍ତ ଉତ୍ତେଜିତ ହୋଇ ପଡ଼ିଛ’’

 

‘‘ମୋର ଅନେକ ଦିନର ବାସନା ପୂର୍ଣ୍ଣ ହୋଇଛି’’ କହି ସୋଫାରେ ବସି ପଡ଼ିଲା ।

 

ଦୀନକୃଷ୍ଣ ବାବୁ ମୁଣ୍ଡରେ ହାତ ରଖି ବସି ରହିଲେ । ମନରେ ଅନେକ ଝଡ଼ । ପ୍ରଲୋଭନ କିଛି କମ୍‌ ନୁହେଁ, ବିବେକ ଓ ପ୍ରଲୋଭନ ମଧ୍ୟରେ ପ୍ରତିଯୋଗିତା, ଏ କ୍ଷେତ୍ରରେ ବିବେକ, ପ୍ରଲୋଭନର ବଶବର୍ତ୍ତୀ ହେଲା ।

 

ଅନେକ ସମୟ ପର୍ଯ୍ୟନ୍ତ ଚୁପ୍‌ ହୋଇ ଦିହେଁ ବସି ରହିଲେ । ତାପରେ ଦୀନକୃଷ୍ଣ ବାବୁ କହିଲେ ‘‘ଲତା ଚାଲ ଘରକୁ ଯିବା, ରାତି ଅନେକ ହେଲାଣି, ବାହାଦୁର ତୁମକୁ ତୁମଘରେ ଛାଡ଼ିଦେଇ ଆସିବ’’ କହି ଉଠିଲେ । ଲତା ଧୀରେ ଧୀରେ ଉଠି ତାଙ୍କ ପଛେ ପଛେ ବାହାରିଲା ।

 

ବାହାଦୁରକୁ ଡାକି ଲତାକୁ ଛାଡ଼ି ଆସିବା ପାଇଁ କହି, ଦୀନକୃଷ୍ଣ ବାବୁ ନିଜ ଘରକୁ ଚାଲିଲେ । ଆଜି ବିଶେଷ କ୍ଳାନ୍ତି ଅନୁଭବ କରୁଥିଲେ, ଶରୀର ଓ ମନ ଉଭୟେ କ୍ଳାନ୍ତ ।

 

ଖାଇ ପିଇ ସାରି ଚୁପ ହୋଇ ଖଟରେ ଶୋଇଲେ । ଖାଇଲାବେଳକୁ ମଧ୍ୟ ବିଶେଷ କଥାବାର୍ତ୍ତା ନାହିଁ । କୃଷ୍ଣା ଭାବିଲେ କୌଣସି କାମର ଚିନ୍ତାରେ ଅଛନ୍ତି । ସମସ୍ୟା ବହୁଳ ଜୀବନ, ତାଙ୍କୁ କିଛି ନ କହିବା ଭଲ ।

 

ଦୀନକୃଷ୍ଣ ଖଟରେ ପଡ଼ି ପଡ଼ି ଭାବୁଛନ୍ତି, କ୍ଷଣିକର ଦୁର୍ବଳତାରେ ସେ’ କଣ କରି ପକାଇଲେ, କୃଷ୍ଣା ସାମନାରେ ସେ ଆଜି ଦୋଷୀ ନୁହନ୍ତି ? କୃଷ୍ଣା ତାଙ୍କୁ କ’ଣ ଦେଇ ନାହାନ୍ତି ଯେ’ ସେ ପୁଣି ଏପରି ମୋହରେ ପଡ଼ିଲେ । ମାନସିକ ଓ ଦୈହିକ ସୁଖ ସମ୍ଭୋଗର ତ କୌଣସି ଅଭାବ ନାହିଁ, ତେବେ କାହିଁକି ଏପରି ଦୁର୍ବଳତା ତାଙ୍କୁ ଗ୍ରାସ କଲା । ନୂତନତ୍ୱ ପ୍ରତି ମଣିଷର ଯେଉଁ ଲୋଭ, ତାହାହିଁ କଣ ତାଙ୍କୁ ଦୁର୍ବଳ କଲା, ନବ ବିକଶିତ ପୁଷ୍ପକୁ ଆଘ୍ରାଣ କରିବା କଣ ଭୁଲ୍‌ ନା ଦୋଷ ? ଲତା ତ ନିଜେ ଚାହୁଁଥିଲା, ମୋର ହୁଏତ ଦୈହିକ କ୍ଷୁଧାର ଉପଶମ ପାଇଁ କୃଷ୍ଣା ଅଛନ୍ତି, କିନ୍ତୁ ତା’ର ତ ପୁଣି ଯୌନ କ୍ଷୁଧା ଉପଶମ ଦରକାର ।

 

ଆଃ, କି ସୌନ୍ଦର୍ଯ୍ୟ ଲତାର, କି ବ୍ୟାକୁଳତା ? ସେ କେବେ କୌଣସି ଦାବିକରି ନାହିଁ, କି’ କେବେ କିଛି ଚାହିଁ ନାହିଁ । ତେବେ ତା’ର ଇଚ୍ଛା ପୂରଣ କରିବାରେ ଦୋଷ କ’ଣ ? ତା’ପରେ ସେ କିଛି ଦାବି ମଧ୍ୟ ଉତ୍‌ଥାପିତ କରୁ ନାହିଁ, ତାହେଲେ ଅସୁବିଧା କଣ ? ଲତାକୁ ସନ୍ତୁଷ୍ଟ କରିବା ପାଇଁ, ଯଦି କିଛି କରାଗଲା, ତାହା ଅନ୍ୟାୟ ନୁହେଁ । କଣ କେବଳ ଲତାକୁ ସନ୍ତୁଷ୍ଟ କରିବା ପାଇଁ ? ତାଙ୍କର କ’ଣ ଇଚ୍ଛା ନ ଥିଲା ? ସେ ଆତ୍ମ ପ୍ରତାରଣା ମାତ୍ର, ଲତାକୁ ଉପଭୋଗ କରିବା ପାଇଁ ତାଙ୍କର ଅବଚେତନ ମନରେ କଣ ସବୁବେଳେ ଇଚ୍ଛା ନ ଥିଲା, ନିଶ୍ଚୟ ଥିଲା । ନହେଲେ କଣ ହଠାତ୍‌ ଏମିତି କିଛି ହୋଇଯାଏ ।

 

ତେବେ କଣ ଏଇଟା ମଣିଷର ସ୍ୱାଭାବିକ ଦୁର୍ବଳତା ବୋଲି ଧରି ନେବାକୁ ହେବ । ସମସ୍ତେ କଣ ଏଭଳି ଦୁର୍ବଳତାର ଶୀକାର ହୁଅନ୍ତି ନାହିଁ ? କେବଳ ସୁଯୋଗର ଅଭାବ ଯୋଗୁ ନିଜର ସଚ୍ଚୋଟ ପଣିଆଁ ଦେଖାଇ ହୁଅନ୍ତି ? ସମସ୍ତେ ଯଦି କେବଳ ସୁଯୋଗକୁ ଟାକି ରହିଥାନ୍ତି, ତେବେ କାହିଁକି ୟାକୁ ନିନ୍ଦା କରନ୍ତି ? ସମାଜ କାହିଁକି ବାଧା ଦିଏ ? ସମାଜରେ ସମସ୍ତେ ଯେଉଁ କଥା ଚାହାଁନ୍ତି, ତାକୁ ସମାଜ ସ୍ୱୀକାର କରିନେଲେ କ୍ଷତି କ’ଣ ? ଲୋକ, ନିଜେ ସେଇକଥା କରିବାକୁ ସବୁବେଳେ ତତ୍ପର ହୋଇ ସୁଦ୍ଧା, ପର କଥାରେ କାହିଁକି ଏତେ ନିନ୍ଦୁକ ହୋଇ ପଡ଼େ ? ବୋଧ ହୁଏ ଈର୍ଷା, ହଁ ଈର୍ଷା ଛଡ଼ା କିଛି ନୁହେଁ ସମାଜ, ଶୃଙ୍ଖଳା ରକ୍ଷା ପାଇଁ ଏପରି ନିୟମ କରିଛି, ନହେଲେ ସମାଜରେ ବିଶୃଙ୍ଖଳା ବଢ଼ିଯିବ । ଆଜି ପାଶ୍ଚାତ୍ୟ ଦେଶରେ, ବିଶେଷକରି ଆମେରିକା ଯୁକ୍ତରାଷ୍ଟ୍ରରେ ଯାହା ହେଉଛି, ସମାଜବିଜ୍ଞାନୀମାନଙ୍କର ବଡ଼ ସମସ୍ୟା ହୋଇ ପଡ଼ିଛି । ସେଇଥିପାଇଁ ଏଇ ବାଧା, ଏଇ ନିୟମ, କିନ୍ତୁ ତ୍ରୁଟୀ ବିଚ୍ୟୁତି କିଛି କମ୍‌ ନୁହେଁ । ହଉ, ହେଲେ ସୁଦ୍ଧା ନିୟମ ବାଧା ଥିବା ହେତୁ, ଖୋଲାଖୋଲି ତ କିଛି ହୋଇ ପାରୁ ନାହିଁ । ତ୍ରୂଟୀ ବିଚ୍ୟୁତିରେ ତ ପୁଣି ବିଶୃଙ୍ଖଳା ହେଉଛି । ବାଧା ବନ୍ଧନକୁ ଉଠାଇ ଦିଆ ଗଲେ ଅବସ୍ଥା ନିଶ୍ଚୟ ଅସମ୍ଭାଳ ହୋଇ ପଡ଼ିବ ।

 

ନୈତିକତା ଦୃଷ୍ଟିରୁ ନିଶ୍ଚୟ ତ୍ରୁଟୀ ହୋଇଛି, କିନ୍ତୁ ବୋଧହୁଏ ଏପରି କିଛି ସେ’ କରି ନାହାନ୍ତି, ଯାହାକି ତାଙ୍କୁ ରାତ୍ରିଟା ଉଜାଗର କରି ରଖିବ । ଏମିତି କେତେ ଭାବି, ଭାବି କେତେବେଳେ ଶୋଇ ପଡ଼ିଲେ ।

 

ଲତା ସେଆଡ଼େ ଆତ୍ମ-ତୃପ୍ତିରେ ବିଭୋର, ଉତ୍‌ଫୁଲ୍ଲ । ରମାକୁ ଆଜି, ଖାଇବା ପାଇଁ ମନା କରି ଶୋଇବା ଘରକୁ ଯାଇ ଖଟରେ ପଡ଼ି ରହିଲା । ପଡ଼ି ପଡ଼ି ଭାବୁଛି, ଅନେକ ଦିନର ତୃଷା ଆଜି ମେଣ୍ଟିଛି । ଆଜି ତାର ଜୀବନର ପରମ ସାର୍ଥକତା ଅନୁଭବ କରୁଛି । ଆଃ, ଆଲିଙ୍ଗନ, ଚୁମ୍ୱନ, ଆଉ....ପ୍ରକୃତରେ କୃଷ୍ଣା ନାରୀ ବଡ଼ ଭାଗ୍ୟବତୀ, ଏପରି ଜଣେ ସୁପୁରୁଷଙ୍କୁ ତାଙ୍କ ଜୀବନ ସାଥି ଭାବେ ପାଇଛନ୍ତି । ପ୍ରଥମ ଦିନରୁ ସେ’ ଦୀନକୃଷ୍ଣଙ୍କ ପ୍ରତି ଆକୃଷ୍ଟ ହୋଇଛି, ଭଲ ପାଇଛି । ଆଜି ଯାଇ ଭଲ ପାଇବାର ଶୀର୍ଷ ବିନ୍ଦୁରେ ଉପନୀତ ହୋଇପାରିଛି । କଣ ସେ’ ଅନ୍ୟାୟ କରିଛି ? ନା’ କିଛି ଅନ୍ୟାୟ ନୁହେଁ । ଯୌବନର ଯୌନ କ୍ଷୁଧାକୁ ଉପଶମ କରିଛି ମାତ୍ର । ତହିଁରେ ସେ’ କାହାରି କିଛି କ୍ଷତି କରିନାହିଁ । ପାପ ? କି ପାପ ? ଭଲ ପାଇବା କଣ ପାପ ? ଏଇଟା କଣ ଭଲ ପାଇବାର ଚରମ ପରିଣତି ନୁହେଁ ? ତେବେ ଏ ଚିନ୍ତା କାହିଁକି ? ନା’’ କିଛି ଚିନ୍ତା ନାହିଁ, ଏହି ଆନନ୍ଦ ଉତ୍ସବକୁ ଉପଭୋଗ କରିବା କଥା ।

 

କୃଷ୍ଣାନାନୀଙ୍କ ପ୍ରତି ମୁଁ କଣ ବିଶ୍ୱାସଘାତକତା କରିଛି ? କାହିଁ କଣ କଲି ? ତାଙ୍କର କୌଣସି ପ୍ରକାର କ୍ଷତି ମୁଁ କରିନାହିଁ ବା ଦୀନକୃଷ୍ଣଙ୍କୁ, ତାଙ୍କଠୁ ଛଡ଼େଇବାର ମୋର ଅଭିଳାଷ ନାହିଁ-

 

କୃଷ୍ଣା ନାନୀ ଜାଣିଲେ କଣ କହିବେ ? ତାଙ୍କୁ ମୁହଁ କେମିତି ଦେଖାଇବି ? ପଚାରିଲେ କଣ ଉତ୍ତର ଦେବି ? ମୁହଁ ଫୁଲାଇବେ, ତାଙ୍କ ସ୍ନେହରୁ ମୋତେ ବଞ୍ଚିତା କରିବେ । ତା’ହେଲେ ତ ଜୀବନ ଦୁର୍ବହ ହୋଇପଡ଼ିବ, ମୋତେ ସେ କେତେ ଭଲ ପାଆନ୍ତି କେତେ ସ୍ନେହ କରନ୍ତି । ଏହିକ୍ଷଣିକ ସୁଖ ପାଇଁ କଣ, ମୋତେ ଏତେ ବଡ଼ ମୂଲ୍ୟ ହରାଇବାକୁ ପଡ଼ିବ ? କୃଷ୍ଣା ନାନୀଙ୍କ ବିଶାଳ ଉଦାର ହୃଦୟ, କଣ ମୋତେ କ୍ଷମା କରିବେ ନାହିଁ ? ନିଶ୍ଚୟ କ୍ଷମା ଦେବେ, ତାଙ୍କ ଗୋଡ଼ ଧରିବି, ଦରକାର ପଡ଼ିଲେ ସବୁକଥା ସଫା ସଫା ତାଙ୍କୁ କହିଦେବି । ପଛେ ଯାହା କରନ୍ତୁ, ସେ ସାହାସ ମୋର ଅଛି ? ତାଙ୍କ ସାମନାରେ ଏତେ ନିର୍ଲ୍ଲଜ୍ଜୀ ଭାବେ କହିପାରିବି ?

 

ତା’ପରେ, ଏପରି ଭାବରେ କେତେଦିନ ଚଳିବ ? ସବୁଦିନ ତ ଚଳି ପାରିବ ନାହିଁ । ତେବେ କ’ଣ ମୋର ଏଠୁ ଚାଲିଯିବା ଉଚିତ ହେବ ? ଦୀନକୃଷ୍ଣ ବାବୁ ଓ କୃଷ୍ଣା ନାନୀଙ୍କ ମାୟା ଛାଡ଼ି ଦେଇପାରିବି ? ନ ଛାଡ଼ି ଉପାୟ କଣ ? ସେଆଡ଼େ ଯଦି ବାପା, ବିବାହ ପ୍ରସ୍ତାବ ସ୍ଥିର କରି ପଠାନ୍ତି ତା’ହେଲେ ଏଠି ତ ଆଉ ରହି ହେବ ନାହିଁ, ବାଧ୍ୟ ହୋଇ ଯିବାକୁ ହେବ କିନ୍ତୁ ସେହି ଅଜ୍ଞାତ ଯୁବକ କଣ ଏହି ଆନନ୍ଦ ଦେଇପାରିବ ? ଏମିତି କେତେ କଥା ସବୁ ଭାବୁ, କେତେବେଳେ ଲତା ଶୋଇ ପଡ଼ିଥିଲା ।

 

(ଏଗାର)

 

ଯେତିକି ଯେତିକି ଦିନ ଗଡ଼ି ଯାଉଛି, ରମେଶ ବାବୁ ଧୈର୍ଯ୍ୟଚ୍ୟୁତ ହୋଇ ପଡ଼ୁଛନ୍ତି । ତାଙ୍କର ଉତ୍କଣ୍ଠା ବଢ଼ି ଚାଲିଛି । କୌଣସି ଆଡ଼ୁ ତାଙ୍କର ଚେଷ୍ଟା ଫଳବତୀ ହୋଇପାରୁ ନାହିଁ । ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । କେତେଦିନ ଏପରି ଭାବରେ ଦିନ ଗଡ଼ାଉ ଥିବେ ? ପ୍ରଫୁଲ୍ଲ ବାବୁ ବିଚରା ସବୁ ଚେଷ୍ଟା କରୁଛି, କିନ୍ତୁ ରାମବାବୁ ଆଡ଼ୁ କିଛି ଖବର ମିଳୁ ନାହିଁ । ରାମବାବୁ, ଲତାର ଚାକିରି ବିଷୟ ଲେଖିଥିଲେ, ତା’ପରେ ଆଉ କିଛି ଖବର ନାହିଁ । ସେତେବେଳେ ରେବତୀଙ୍କୁ ରମେଶ ବାବୁ ଅନେକ ଶୁଣାଇଥିଲେ, କହିଥିଲେ ‘‘ଦେଖିଲ, ଦୀନାଟା ଟୋକୀ ରଖିଲାଣି, ‘ମଦ ଓ ଜୁଆ’ ଆଉ କେତେଦୂର ? ଛେଛେ ବୁଢ଼ାଙ୍କ ନାମକୁ ମାଟିରେ ମିଳେଇ ଦେଲା । ସମ୍ପତ୍ତି ତ ସରୁଛି ଓ ସରିବ, ବାପ’ର ନାଁରେ କଳଙ୍କ ଲେପି ଦେବ । ଭଗବାନ କାହିଁକି ଯେ ଏପରି କୁଳାଙ୍ଗାରକୁ ଜନ୍ମ ଦିଅନ୍ତି କେଜାଣି । ସେ ଦୃଷ୍ଟିରୁ ଆମେ ଭଲ, ଆମର ନାମ ବଦନାମ କରିବାକୁ କେହି ନ ଥିବେ । କଣ ଏମିତି ହେଲା ମ ତୁମ ଭାଇ ?’’ କହି ଟିକିଏ ସୈତାନି ହସ ହସି ଦେଲେ ।

 

ରେବତୀ କିଛି ନ କହି ଚୁପ୍‌ ହୋଇ ଶୁଣନ୍ତି । ବେଶୀ ବାଧିଲେ ଅନ୍ୟ ଆଡ଼କୁ ଯାଇ ଆଖିପୋଛି, ପୁଣି ନିଜ କାମରେ ଲାଗନ୍ତି । ଭଗବାନଙ୍କୁ ପ୍ରାର୍ଥନା କରନ୍ତି–ଦୀନକୃଷ୍ଣଙ୍କୁ ସୁବୁଦ୍ଧି ଦେବାପାଇଁ । ପତ୍ର ବିନିମୟ ତ’ ଅନେକଦିନୁ ବନ୍ଦ ହେଲାଣି, ଆଉ ଲେଖିବେ କାହିଁକି ? ଉତ୍ତର ତ ଆସିବ ନାହିଁ । ରମେଶ ବାବୁ କିନ୍ତୁ ଦୀନକୃଷ୍ଣ ବିରୁଦ୍ଧରେ ବରାବର ପ୍ରଚାର ଚଳେଇଥାନ୍ତି । ମିଛ ସତକଥା ସବୁକୁ ଯୋଡ଼ି, ମୋଡ଼ା ମୋଡ଼ି କରି ଓଲଟ ପାଲଟ କରି ଦିଅନ୍ତି, ଯେପରି ଦୀନକୃଷ୍ଣଙ୍କ ପ୍ରତି, ରେବତୀଙ୍କ ଘୃଣା କ୍ରମଶଃ ବଢ଼ି ଚାଲିବ ।

 

ରେବତୀ ଶୁଣନ୍ତି, କିଛି ପ୍ରତିବାଦ କରନ୍ତି ନାହିଁ, କିନ୍ତୁ ମନରେ ହୃଦୟରେ ଅନେକ ଆଘାତ ପାଆନ୍ତି । ସବୁବେଳେ ଭାବନ୍ତି—‘‘ମୋ ଭାଇ, ମୋ ମା ପେଟରୁ ଜନ୍ମ ହୋଇ, ଏତେ ନୀଚ କିପରି ହୋଇପାରିଲା ? ପୁଣି ସମୟ ସମୟରେ କ୍ଷୀଣ ସନ୍ଦେହ ଜାତ ହୁଏ–କଣ ରମେଶ ବାବୁ ବଢ଼େଇ ଚଢ଼େଇ ସତ ମିଛ କରି କହୁନାହାନ୍ତି ତ ? କିନ୍ତୁ ଏତେଗୁଡ଼ାଏ ମିଛ କେମିତି କହିବେ ? କିଛି ସତ୍ୟତା ନିଶ୍ଚୟ ଥିବ ! ନ ହେଲେ ଏତେକଥା କେମିତି କହନ୍ତେ ? ନିଆଁ ନ ଥିଲେ ଧୂଆଁ କ’ଣ ଉଠେ ? ହଁ, ଆଜିକାଲି ତ ସବୁକଥା ସମ୍ଭବ ହେଉଛି । ବିଜ୍ଞାନ ଅସମ୍ଭବ ବୋଲି ଆଉ କିଛି ରଖିଛି କି ? ଏମିତି ଅନେକ ଭାବନ୍ତି । ସମୟ ସମୟରେ–ଦୀନକୃଷ୍ଣଙ୍କ ଉପରେ ରାଗିଯାନ୍ତି । କେତେବେଳେ ବା ରମେଶବାବୁ ଉପରେ ରାଗିଯାଇ କହନ୍ତି, ‘‘ତୁମେ ତା’ କଥା କହି କାହିଁକି ମୋତେ ଜାଳିପୋଡ଼ି ମାରୁଛ ? ତା’ର ଯାହା କରିବା କରୁ, ମୋତେ ଆଉ ତା’ ବିଷୟରେ କିଛି କହିବନାହିଁ ।’’ ରମେଶବାବୁ ଖତେଇ ହୁଅନ୍ତି, ‘‘ଆ-ହା-ହ, ଭାଇ କଥା କହିଲାରୁ ବାଧିଯାଉଛି ! ଭାଇ ତ ପଚାରୁନାହିଁ ଯେ–ଅପା ମରିଛି ନା ବଞ୍ଚିଛି । ତୁମେ କାହିଁକି ଏମିତି ମରୁଛ–‘ଭାଇ ଭାଇ’ ହୋଇ ? ଯେଉଁ ଗୁଣମଣି ଭାଇ ତ, କହିଲେ ନ ସରେ !’’

 

ରେବତୀ ସେଇଠୁ ଚାଲିଯାନ୍ତି । ଦୁଃଖ ହୁଏ ! ନୀରବରେ ଅଶ୍ରୁ ଢାଳି ମନକୁ ହାଲୁକା କରନ୍ତି । ଏପରି ଭାବରେ ଦୁଇବର୍ଷ ଗଡ଼ିଗଲାଣି । ରମେଶ ବାବୁ ଦିନେ ବାହାରିପଡ଼ିଲେ । ରେବତୀଙ୍କୁ କହିଲେ, ‘‘ମୁଁ ବରଗଡ଼ ଯାଉଛି, ବୁଝିଲ ? ହୁଏତ ଆଜି ଫେରି ନ ପାରେ ।’’

 

ରେବତୀ କହିଲେ, ‘‘ବରଗଡ଼ କାହିଁକି ଯାଉଛ ?’’

 

‘‘କାମ ଅଛି’’ କହି ସେ ଘରୁ ବାହାରିଲେ । ପଛରୁ ରେବତୀ କହିଲେ, ‘‘ଦୀନା ଘରକୁ ଯାଇ ପିଲାମାନଙ୍କ ଖବର ବୁଝିବ ନା ?’’

 

‘‘ବାଃ-ବାଃ, ତା’ ଘରକୁ ଆଉ ଯିବି ? ସେ ଅପମାନ ମୁଁ ଭୁଲିନାହିଁ, ଆଉ ଜୀବନରେ କେବେ ଭୁଲିପାରିବି ନାହିଁ, ବୁଝିଲ ? କହି, ସେ ବେଗ୍‌ ଧରି ଚାଲିଗଲେ ।

 

ରେବତୀ ବିଚାରୀ ଚୁପ୍‌ ହୋଇ ଦୂର ଦିଗ୍‌ବଳୟକୁ ଚାହିଁରହିଲେ ।

 

ରମେଶବାବୁ ସନ୍ଧ୍ୟାକୁ ଆସି ପହଞ୍ଚିଲେ–ପ୍ରଫୁଲ୍ଲବାବୁଙ୍କ ବସାରେ । ତାଙ୍କୁ ଅତି ଆଦର ସହିତ ବସାଇଲେ, କହିଲେ, ‘‘କ’ଣ ଖବର ରମେଶବାବୁ ?’’

 

‘‘ଖବର ସବୁ ତ ଆପଣଙ୍କଠାରେ । ଏତେଦିନ ଗଡ଼ିଗଲାଣି, କିଛି ହୋଇପାରୁନାହିଁ । ବଡ଼ ବ୍ୟସ୍ତ ଲାଗିବାରୁ ଚାଲିଆସିଲି ।’’ ପୁଣି ପଚାରିଲେ, ସେ ରାମବାବୁଙ୍କ ଖବର କ’ଣ ? ସେ କିଛି କରୁଛନ୍ତି ନା ନାହିଁ ? କିଛି ଜାଣିପାରିଲି ନାହିଁ ।’’

 

‘‘ରାମବାବୁ ବିଚାରା ଲାଗିଛି । କ’ଣ କରିବ ସେ ? ଲତାକୁ ଚାକିରିରେ ରଖାଇ ପ୍ରତିଦିନ ତାକୁ କହୁଛି । ଲତା ଖୋଜାଖୋଜି କରୁଛି । ସେ ଜିନିଷ ପୁଣି ପାଇଲେ ତ ? ରାମବାବୁ ଓ ଲତା ଦିହେଁ ଆପ୍ରାଣ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ଦୀନଟା କଣ କମ୍‌ ବଜ୍ଜାତ୍‌ ! ପରେ ସହଜରେ କ’ଣ ଲତାକୁ ବିଶ୍ୱାସ କରି ତାକୁ ସବୁ ଧରାଇଦେବ ? କେଉଁଠି ସେଇଟା ରଖିଛି, ଠିକ୍‌ ତାର ପତ୍ତା ମିଳୁନାହିଁ । ରହନ୍ତୁ, ବର୍ତ୍ତମାନ ରାମବାବୁ ଆସିବେ । ପ୍ରାୟ ପ୍ରତ୍ୟହ ସେ’ ସନ୍ଧ୍ୟାପରେ ଆସନ୍ତି । ଆମେ ସଲହା ପରାମର୍ଶ କରୁଁ, ପୁଣି ଯେ ଯାହା ଘରକୁ ଯାଉ । ଆଜି ସେ ଆସିଲେ, ତାଙ୍କରି ମୁହଁରୁ ଶୁଣିବେ–ଲତା କିପରି ଜୋର୍‌ ସୋର୍‌ରେ ଚେଷ୍ଟା ଚଳେଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ପାଇପାରି ନାହିଁ ।’’

 

ଏମିତି କଥା ହେଲାବେଳକୁ ରାମବାବୁ ଆସି ପହଞ୍ଚିଲେ । ରମେଶବାବୁଙ୍କୁ ଦେଖି ଅତି ଆନନ୍ଦରେ–କହିଲେ, ‘‘ଯାହେଉ ରମେଶବାବୁ, ଏତେ ଦିନରେ ଆପଣ ଆମକୁ ମନପକାଇଲେ । ଆମେ ଯେ ଆପଣଙ୍କର କାମପାଇଁ ପ୍ରଣାନ୍ତକ ହେଲୁଣି; କିନ୍ତୁ କିଛି ଆଦିଅନ୍ତ ମିଳୁନାହିଁ । ସେ’ ଲତା ବିଚାରୀ ହଇରାଣ ହୋଇଗଲାଣି । ତଥାପି ଚେଷ୍ଟା ଚାଲିଛି ।’’

 

ରମେଶବାବୁ କହିଲେ, ସେ ତ ସବୁ ଠିକ୍‌ କଥା, ପ୍ରଫୁଲ୍ଲବାବୁ, ଏପରି ଭାବରେ କିନ୍ତୁ କେତେଦିନ ଟାକିଥିବା ? ଅନ୍ୟ କିଛି ଉପାୟ ଉଦ୍ଭାବନ କରନ୍ତୁ, ନ ହେଲେ ଅଯଥା ସେ ସମୟ ନଷ୍ଟ ହେଉଛି ।’’

 

‘‘ହଁ ସତ ଯେ, ମୁଁ ଚାହୁଁଥିଲି ଆମ କାମଟା ସହଜରେ ଛିଣ୍ଡାଇବା ପାଇଁ, କିନ୍ତୁ ଦେଖିଛି ସେ’ ହେବାର ନୁହେଁ । ଲୋକଟାତ ବିଶେଷ ଧୂର୍ତ୍ତ, ତେଣୁ ଆମକୁ ଆହୁରି ବେଶି କଷ୍ଟ କରିବାକୁ ହେବ ।’’

 

ରାମବାବୁ କହିଲେ, ‘‘ମୋର ମନେହେଉଛି ଆଜ୍ଞା, ଆଉ ଥୋଡ଼ା ଦିନ ଅପେକ୍ଷା କଲେ କେମିତି ହୁଅନ୍ତା ? ଲତା ଭାରି ଚାଲାକ୍‌ ଝିଅ, ସେ ଫେଲ୍‌ ମାରିବା କଥା ନୁହେଁ । କିଛିଦିନ ଅପେକ୍ଷା କରାଯାଉ ।’’

 

ରମେଶବାବୁ ବିରକ୍ତହୋଇ କହିଲେ, ଯଥେଷ୍ଟ ଅପେକ୍ଷା କରାହେଲାଣି, ଆଉ କେତେ କରିବା ?’’

 

‘‘ହଁ, ଲତା ପାଇଲେ ଆମ କାମ ସହଜ ହୋଇଯିବ, ନ ହେଲେ ବି କେଶ୍‌ କରାଯାଉ, ଦେଖାଯିବ । ଆମେ ଲେଖିବା ବୁଢ଼ା ଓ୍ୱିଲ୍‌ କରିନାହାନ୍ତି । ଯଦି ହାତକୁ ଆସିଯାଏ, ଅତି ଭଲ, ନ ହେଲେ କହିବା ସେଇଟା ଜାଲ୍‌ଓ୍ୱିଲ୍‌ ନାମା’’ କହି ପ୍ରଫୁଲ୍ଲବାବୁ ରମେଶବାବୁଙ୍କ ଆଡ଼କୁ ସମର୍ଥନ ପାଇଁ ଚାହିଁଲେ ।

 

‘‘ଜାଲ୍‌ ବୋଲି ପ୍ରମାଣ କରିବା କ’ଣ ସହଜ ହେବ ?’’

 

‘‘ସହଜ ହେବ ନାହିଁ ଭାବି ତ ଏତେ ଚେଷ୍ଟା କରାହେଲା, ଆଉ ଏତେ ସମୟ ନଷ୍ଟ କରାହେଲା, କିନ୍ତୁ ଆଉ ଅନ୍ୟ ଉପାୟ କ’ଣ ?’’

 

ରମେଶବାବୁ କହିଲେ ‘‘ହଉ ଦେଖନ୍ତୁ, କ’ଣ କଲେ ଭଲ ହେବ, ସେଇଆ କରନ୍ତୁ ।’’

 

ପ୍ରଫୁଲ୍ଲବାବୁ କହିଲେ, ‘‘ସବୁ କଥା ସତ ଯେ ରେବତୀ ଦେବୀଙ୍କୁ କରିବାକୁ ହେବ । ଆପଣ ବା ମୁଁ ତ ଆଉ ବେଶ୍‌ କରିପାରିବା ନାହିଁ, ଆପଣ ରେବତୀ ଦେବୀଙ୍କୁ ମଙ୍ଗେଇପାରିଲେ ସିନା ?’’

 

ରମେଶବାବୁ ମୁହଁ ଶୁଖେଇଦେଲେ, ଟିକିଏ ଗମ୍ଭୀର ହୋଇଗଲେ । କିଛିକ୍ଷଣ ଚୁପ୍‌ ରହିଲାପରେ କହିଲେ, ‘‘ଦେଖେଁ, ଚେଷ୍ଟାକରେଁ, କଣ ହେଉଛି ।’’

 

‘‘ତା ପରେ ସମ୍ପତ୍ତି ତାଲିକା ଦରକାର ହେବ, ଅବଶ୍ୟ ତାହା ରାମବାବୁ ଆଣିଦେବେ’’ କହି ରାମବାବୁଙ୍କ ଆଡ଼କୁ ପ୍ରଫୁଲ୍ଲବାବୁ ଚାହିଁଲେ ।

 

ରାମବାବୁ କହିଲେ, ‘‘ମୁଁ ବ୍ୟବସାୟ କଥା ସିନା ଜାଣିବି ଆଜ୍ଞା, ତାଙ୍କ ସମ୍ପତ୍ତି କଥା କ’ଣ ଜାଣିବି ?’’

 

‘‘ହଉ ହେଲା, ସେତିକି ଆଣନ୍ତୁ, ବାକିତକ ଆମେ ଗୋଟିଏ ଅନ୍ଦାଜ୍‌ କରି ବଢ଼େଇ ବଢ଼େଇ ଲେଖିଦେବା, ତହିଁରେ କ’ଣ ଅଛି ?’’ କହି ରମେଶ ବାବୁଙ୍କ ଆଡ଼କୁ ପୁଣି ଚାହିଁଲେ । ପୁଣି କହିଲେ–‘‘ହଁ ରାମବାବୁ, ଏସବୁ କାଗଜପତ୍ର ଠିକ୍‌ ହେଉଥାଉ; କିନ୍ତୁ ଲତା ତା’କାମରେ ଯେମିତି ଅବହେଳା ନ କରୁ ।’’

 

‘‘ଆଜ୍ଞା’’ କହି ରାମବାବୁ ଉଠିବା ପାଇଁ ପ୍ରସ୍ତୁତ ହେଲେ । ରାତି ପ୍ରାୟ ଦଶଟା ହେଲାଣି ।

 

ରମେଶବାବୁ କିନ୍ତୁ ଚିନ୍ତାମଗ୍ନ, ସେ ଯେଡ଼ିକି ସହଜରେ ସମ୍ପତ୍ତି ମାରିନେବେ ବୋଲି ଭାବୁଥିଲେ, ସେତିକି ସହଜ ନୁହେଁ ବୋଲି କ୍ରମେ ଉପଲବ୍‌ଧି କରିବା ଆରମ୍ଭ କଲେଣି ।

 

ପ୍ରଫୁଲ୍ଲବାବୁ କହିଲେ, ‘‘କ’ଣ ଏତେଗୁଡ଼ାଏ ଭାବୁଛନ୍ତି, ରମେଶବାବୁ ? ଆପଣ ବିଶେଷ ଚିନ୍ତା କରନ୍ତୁନାହିଁ । ମୁଁ ଅଛି, ସବୁ ଠିକ୍‌ ହୋଇଯିବ । ରେବତୀ ଦେବୀଙ୍କୁ ଆପଣ ରାଜିକରାନ୍ତୁ, ବାକି ଯାହା ଅସୁବିଧା ହେବ, ତାହା ଆମେ ପାରିବା ।’’

 

‘‘ସେଇଟା ହେଲେ କ’ଣ ସହଜ ଭାବୁଛନ୍ତି ପ୍ରଫୁଲ୍ଲବାବୁ ? ଗତ ଦୁଇ ବର୍ଷ ହେଲା ଦୀନା ବିରୁଦ୍ଧରେ କେତେ ସତ ମିଛ କହି ରେବତୀକୁ ଉତ୍ତେଜିତ କରିବାର ଚେଷ୍ଟାକଲିଣି । ଭାଇ ଭଉଣୀ ମଧ୍ୟରେ ଅସୂୟାଭାବ ଆଣିବା ପାଇଁ ଅନେକ ଉଦ୍ୟମ କଲିଣି, କିନ୍ତୁ, ତଥାପି ରେବତୀକୁ ମୁଁ ତିଆରି କରିପାରୁନାହିଁ ।’’ କହି ମୁଣ୍ଡରେ ହାତଦେଇ ବସିଲେ ।

 

‘‘ମାଈକିନିଆଁ ଲୋକ ନା, ସେଇଥିପାଇଁ ସେମିତି ହେଉଛନ୍ତି, କିନ୍ତୁ ଆପଣ ଚେଷ୍ଟାକଲେ କିଛି ଅସାଧ୍ୟ ନୁହେଁ, ବୁଝିଲେ ? ଆପଣ ଲାଗିପଡ଼ନ୍ତୁ, ମୁଁ କାଗଜାତ୍‌ ତିଆରି କରିବାରେ ଲାଗୁଛି’’ କହି ଉଠିଲେ । ପୁଣି କହିଲେ ‘‘ଅନେକ ବିଳମ୍ୱ ହେଲାଣି, ଚାଲନ୍ତୁ ଖିଆପିଆ କରି ଶୋଇବା ।’’

 

ସକାଳୁ ରମେଶବାବୁ ଘରକୁ ଫେରିଲେ । ମୁହଁ ଶୁଖେଇ କାହାକୁ କିଛି ନ କହି ନିଜ କାମରେ ଲାଗିପଡ଼ିଲେ । ରେବତୀ, ତାଙ୍କ ଶୁଖିଲା ମୁହଁ ଦେଖି ବିଶେଷ କିଛି ପଚରାପଚରି କଲେନାହିଁ, ଚୁପ୍‌ ହୋଇ ନିଜ କାମ କରିଗଲେ ।

 

ରାତିରେ ଖାଇବସିଲାବେଳେ ରେବତୀ ପଚାରିଲେ, ‘ବରଗଡ଼ରୁ ଫେରି ଏମିତି ମୁହଁ ଶୁଖେଇ କାହିଁକି ବୁଲୁଛ ? କଣ ହେଲା କି ?’’

 

‘‘ଛାଡ଼୍‌ ଛାଡ଼୍‌, ସେ କଥା କାହିଁକି ପଚାରୁଛ, ପ୍ରଫୁଲ୍ଲ ବାବୁଙ୍କଠୁ ଯାହା ଶୁଣିଲି, ମନ ଖରାପ ହୋଇଗଲା । ବୁଢ଼ା ଜୀବନସାରା ଖଟି ଖଟି ଯାହା କରିଗଲେ, ସବୁ ଗଲା । ମାନ, ମର୍ଯ୍ୟାଦା, ଧନ ସମ୍ପତ୍ତି, ଆଉ କ’ଣ ହେବ ?’’ କହି ଦୀର୍ଘଶ୍ୱାସ ଛାଡ଼ିଲେ । ରେବତୀ ଅତି ଉତ୍କଣ୍ଠିତା ହୋଇ କହିଲେ, ‘‘କ’ଣ ହେଲା ସଫା ସଫା କହୁନ, କେବଳ ଗୋଳେଇ ଘାଣ୍ଟି କାହିଁକି ମାରୁଛ ?’’

 

‘‘ଯେଉଁ ଗୁଣମଣି ଭାଇନା, ସବୁବେଳେ ସୁରା ଓ ସାକୀରେ ମଜଗୁଲ୍‌ ରହିଲେ ଆଉ ସବୁ ଯାହା ହୁଏ । ସରକାରୀ ଋଣ ପରିଶୋଧ ପାଇଁ ସମ୍ପତ୍ତି ବୋଧହୁଏ ବାଜ୍ୟାପ୍ତ ଓ ନିଲାମ ହେବ-।’’ କହି ଚୁପ୍‌ ରହିଲେ ।

 

‘‘କଣ ଯେ କହୁଛ ମୁଁ ବୁଝିପାରୁନାହିଁ । ଦୀନାଟା ଏମିତି ହୋଇଗଲା ? ମୁଁ ଯିବି ଦେଖିବି, କ’ଣ ସେ ଭାବିଛି ? କେହି ତାକୁ କହିବାକୁ ନାହିଁ ବୋଲି ଭାବିଛି ବୋଧହୁଏ । ତାକୁ ଠିକ୍‌ କରିଦେବି ।’’ କହି ରେବତୀ ଉତ୍ତେଜିତା ହେଲେ ।

 

‘‘ଖବରଦାର, ସେ କଥା କୁହ ନାହିଁ । ସେଠାକୁ ଯଦି ତୁମେ ଗଲ, ତା’ ହେଲେ ଏଇଠି ଆଉ ତୁମ ସ୍ଥାନ ନାହିଁ । ମୋର ଅପମାନ କରିଛି । ତା’ ଘରକୁ ତୁମେ ପୁଣି ଅପାପଣିଆଁ ଦେଖେଇ ଯିବ ନା !’’ କହି ରମେଶ ମଧ୍ୟ ଉତ୍ତେଜିତ ହୋଇପଡ଼ିଲେ ।

 

ରେବତୀ ଚୁପ୍‌ ରହିଲେ । ସତରେ ଦୀନା ତାଙ୍କ ସ୍ୱାମୀଙ୍କୁ ଅପମାନ କରିଛି । ତା’ଘରକୁ କେମିତି ଯିବେ ? କିନ୍ତୁ ନଗଲେ ଏଇଠି ଥାଇ କ’ଣ କରିପାରିବେ ?

 

ହେ ଭଗବାନ, କ’ଣ ସବୁ ହେଉଛି, ଦୀନା ଭଳି ପିଲା ଏମିତି ସବୁ କ’ଣ କଲା ? ବାପାଙ୍କ ମାନ ମହତ୍ତ୍ୱ ଗଲା । ଅସହାୟା ରେବତୀର ଏକମାତ୍ର ସହାୟ ହେଲା—ଅଶ୍ରୁପାତ । ଆଖିରୁ ପାଣି ଝରିବାରେ ଲାଗିଲା । ସେ ସେଇଠୁ ଉଠି ଚାଲିଗଲେ ।

 

ରମେଶ କହିଲେ, ‘‘ଶୁଣ ଯଦି ବାପାଙ୍କ ସମ୍ପତ୍ତି କିଛି ବଞ୍ଚେଇବାକୁ ଚାହୁଁଛ, ତେବେ ସମ୍ପତ୍ତି ଦାବିକର । ତେବେ ହୁଏତ କିଛି ବଞ୍ଚିଯାଇପାରେ ।’’

‘‘ମାନ ମହତ୍ତ୍ୱ ଗଲାଣି, ଆଉ ସମ୍ପତ୍ତି ରହିଲେ କେତେ, ଗଲେ କେତେ ? ବାପ ସବୁବେଳେ ମାନ ମହତ୍ତ୍ୱକୁ ଜଗି ଚଳୁଥିଲେ । ଧନସମ୍ପତ୍ତି ଆଜି ଅଛି କାଲିନାହିଁ । ଯେଉଁ ସମ୍ପତ୍ତି ଦୀନାଭଳି ପିଲାକୁ ଏତେ ତଳକୁ ଖସାଇପାରେ, ସେ ସମ୍ପତ୍ତି ଚାଲିଯିବା ହିଁ ଭଲ ।’’ କହି ଆଖି ପୋଛୁ ପୋଛୁ ରେବତୀ ଚାଲିଗଲେ ଭିତରକୁ ।

ରମେଶବାବୁଙ୍କ ଡାକ୍ତରୀ ଆଉ ଚଳୁନାହିଁ । ସରକାର, ଭ୍ରାମ୍ୟମାଣ ଡାକ୍ତରଖାନା ଖୋଲିଲେଣି । ପ୍ରତି ସପ୍ତାହରେ ଡାକ୍ତର ଓ ତାଙ୍କ ସହଯୋଗୀମାନେ ଗାଁକୁ ଆସନ୍ତି । ରୋଗୀ ପରୀକ୍ଷାକରି ଔଷଧ ଦିଅନ୍ତି । ସୁତରାଂ ଲୋକେ ଆଉ ରମେଶବାବୁଙ୍କ ପାଖକୁ କାହିଁକି ଆସିବେ ? ବିନା ମୂଲ୍ୟରେ ଔଷଧ ମିଳେ । ପୁଣି ବିନା ଫ୍ରିଜ୍‌ରେ ଡାକ୍ତର ପରୀକ୍ଷା କରନ୍ତି । ସିଏ ପୁଣି କେତେବର୍ଷ ଡାକ୍ତରୀ ପଢ଼ି ପାସ୍‌ ହୋଇ ଆସିଛନ୍ତି । ରମେଶବାବୁଙ୍କ ଭଳି ଅଯୋଗ୍ୟ ନୁହନ୍ତି । ରମେଶବାବୁଙ୍କ ମନ ବଡ଼ ଖରାପ । ଆଜିକାଲି ଆଉ ଲୋକେ ତାଙ୍କୁ ଖାତିରି କରୁନାହାନ୍ତି । ଏଇହେତୁ ସେ ସରକାର ଓ ଡାକ୍ତରଙ୍କ ବିରୁଦ୍ଧରେ ପ୍ରଚାର ଆରମ୍ଭ କରିଥିଲେ, କିନ୍ତୁ ବିଶେଷ କିଛି ଉପକାର ହେଲାନାହିଁ । ଆଉ କ’ଣ କରିବେ ? କେବଳ ଚାଷବାସରେ ମନ ଦେଲେ, କିନ୍ତୁ ଚାଷବାସରେ ମଧ୍ୟ, ଆଜିକାଲି ତାଙ୍କର ଅସୁବିଧା ହେଲାଣି । ମୂଲିଆମାନେ ଆଉ ବେଠି ଖଟିବାକୁ ନାରାଜ । ତା’ପରେ ମଜୁରୀ ବଢ଼େଇ ଦେଲେଣି । ମନେ ମନେ ରାଗରେ ଜଳିପୋଡ଼ି ଯାଉଛନ୍ତି; କିନ୍ତୁ ଉପାୟ ପାଉନାହାନ୍ତି ।

ମନେ ମନେ ଭାବୁଛନ୍ତି, ‘ଦେଖିବା, ସରକାର କେତେଦିନ ଏପରି ମାହାଳିଆ ଚିକିତ୍ସା କରିବ । ପୁଣି ମୋ ଗୋଡ଼ତଳେ ପଡ଼ିବାକୁ ବାଧ୍ୟ ହେବେ ଯେ । ସେତେବେଳେ ମୂଳ କଳନ୍ତର ସବୁ ଅସୁଲ କରିବି, କିନ୍ତୁ ସେ ଦେଖୁଛନ୍ତି ଭ୍ରାମ୍ୟମାଣ ଡାକ୍ତରଖାନା ବନ୍ଦ ହେବାର କିଛି ଲକ୍ଷଣ ନାହିଁ ।

 

ଦିନେ ସେ ଡାକ୍ତରବାବୁଙ୍କୁ ଓ ତାଙ୍କ ସହଯୋଗୀମାନଙ୍କୁ ଅତି ଆଗ୍ରହରେ ଘରକୁ ଖାଇବାକୁ ଡାକିଥିଲେ । ସେମାନେ ମଧ୍ୟ ତାଙ୍କର ଆଗ୍ରହକୁ ଏଡ଼ି ନ ପାରି ଆସିଥିଲେ । ଖୁବ୍‌ ଜୋର ଖିଆପିଆ ଚାଲିଥିଲା ।

 

ରମେଶବାବୁ କହିଲେ, ‘‘ଆପଣ କେତେ ବା ପାଆନ୍ତି, ସବୁବେଳେ ତ ବୁଲୁଛନ୍ତି । ପ୍ରାଇଭେଟ୍‌ ଚିକିତ୍ସା କରିପାରୁ ନ ଥିବେ, ଆଉ କେମିତି ଚଳୁଛନ୍ତି ?’’

 

ଡାକ୍ତରବାବୁ କହିଲେ, କ’ଣ କରିବା ଆଜ୍ଞା ଚାକିରିଆ ଲୋକ, ଯେ କୌଣସି ପ୍ରକାରେ ଚଳିଯାଉଛି, ସେଇଆ ବଡ଼ କଥା । ଘରୋଇ ଚିକିତ୍ସା କରିବା ପାଇଁ ସମୟ ଓ ସୁବିଧା କାହିଁ ? ଥିଲେ ମୁଁ ଚାକିରି କାହିଁକି କରନ୍ତି ?’’

 

‘ଆଜ୍ଞା, ଏହି ଔଷଧ ବଣ୍ଟାବଣ୍ଟିରେ, ସରକାରୀ ଔଷଧ ସହିତ ନିଜର କିଛି ଔଷଧ ରଖି ବିକ୍ରୀ କଲେ କ’ଣ ହୁଅନ୍ତା ନାହିଁ ?’’

 

‘‘ଆମେ ପରା ସେ ସବୁ କରିପାରିବୁ ନାହିଁ, ସରକାରୀ ନିୟମ ।’’

 

‘‘ସେ ଠିକ୍‌ କଥା ଯେ, ଗୋଟିଏ କାମ କଲେ ହୁଅନ୍ତା, ଆପଣଙ୍କ ଯେତେ ଔଷଧ ଦରକାର, ମୋତେ କହିଲେ ମୁଁ ଆପଣଙ୍କ ତରଫରୁ ଆଣି ରଖନ୍ତି । ଯାହା ବିକ୍ରୀ ଲାଭ ହୁଅନ୍ତା, ତାହା ଅଧେ ଅଧେ କରି ନେଲେ ତ କାହାରି କୌଣସି ଆପତ୍ତି ରହିବ ନାହିଁ ।’’

 

‘‘ନା, ନା, ତା ମଧ୍ୟ କରିବା ବେନିୟମ ହେବ ।’’

 

‘‘କିଏ ଦେଖୁଛି ଯେ, ନିୟମ ତ କେତେ ହେଉଛି ତାର ସୀମା ନାହିଁ, କିଏ ମାନୁଛି ଯେ ! ତା’ପରେ ଆପଣଙ୍କର ଆଉ ମୋର ଭିତିରି କଥା କିଏ ଜାଣିବ ଯେ ? ଆହୁରି ଆଜ୍ଞା, ସମସ୍ତେ ତ ସେଇଆ କରୁଛନ୍ତି । ଆମେ କେବଳ ତମ୍ୱା ତୁଳସୀ ସାଲେଗ୍ରାମ୍‌ ଧରି ବୁଲିଲେ, ଆମକୁ କିଏ ପଚାରିବ ?’’

 

‘‘ନାଇଁ, ଆଜ୍ଞା, ନୂଆ ଚାକିରିରେ ଲାଗିଛି । କିଏ କହିପାରେ, କେତେବେଳେ କଣ ହେବ, ସେ ସବୁ ମୁଁ କରିପାରିବି ନାହିଁ ।

 

ରମେଶବାବୁ ଟିକିଏ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ମନେ ମନେ ଭାବିଲେ ‘ହଉ ପୁଅ, କେତେଦିନ ଏଇ ହରିଶ୍ଚନ୍ଦ୍ରପଣିଆଁ ରଖିବୁ ଦେଖିନେବି ।

 

ଡାକ୍ତରବାବୁ ଓ ତାଙ୍କର ସହକର୍ମୀମାନେ, ଖାଇସାରିବା ପରେ ଧନ୍ୟବାଦ ଦେଇ ଚାଲିଗଲେ । ଦାମ ସାହୁ, ଗାଁର ମୁଖିଆ ଲୋକ ଜଣେ । ବାହାର ବାରଣ୍ଡାରେ ବସି ସବୁ ଶୁଣୁଥିଲେ-। ସେ ଯାଇ ଗାଁରେ ଏକଥା କହିବାରୁ ଗାଁଲୋକେ ରମେଶବାବୁଙ୍କ ଉପରେ ଉତ୍ୟକ୍ତ ହୋଇପଡ଼ିଲେ-। ଲୋକେ କହିଲେ, ‘‘ଦେଖ, ଲୋକଟାର କେତେ ଲୋଭ ! ଆରେ ବାବା, ଆଜି ପର୍ଯ୍ୟନ୍ତ ଗରିବଲୋକଙ୍କୁ ତ ଯାହା ଠକିଲ ଠକିଲ । ସେଥିପାଇଁ ତ ଭଗବାନ ବାଞ୍ଝା କରିରଖିଲେ, ତଥାପି ଲୋକର ଜ୍ଞାନୋଦୟ ହେଉନାହିଁ !’’ ସମସ୍ତେ ଛି-ଛି କଲେ । ତାଙ୍କ ପ୍ରତି ଲୋକଙ୍କର ଯାହା କିଛି ଆସ୍ଥା ବା ଭୟ ଭ୍ରାନ୍ତି ଥିଲା, ସବୁତକ ଘୃଣା ଓ କ୍ରୋଧରେ ପରିଣତ ହେଲା । ଲୋକେ ଏତେଦୂର ଘୃଣା କରିବା ଆରମ୍ଭ କଲେ ଯେ, କେହି ତାଙ୍କ ସହିତ କଥା ହେବାକୁ ସୁଦ୍ଧା ଚାହୁଁ ନ ଥିଲେ ।

 

ଏମିତି ଦିନ ଗଡ଼ିଯାଉଥାଏ । ରମେଶବାବୁଙ୍କ ଗାଁ ଲୋକଙ୍କ ପ୍ରତି ଅସୂୟାଭାବ ବଢ଼ିଚାଲିଥାଏ । ଗାଁ ଲୋକଗୁଡ଼ାକ ଚୋର ତସ୍କର ବୋଲି ତାଙ୍କ ଧାରଣା ଦୃଢ଼ରୁ ଦୃଢ଼ତର ହେଉଥାଏ; କିନ୍ତୁ କିଛି କରିପାରୁ ନ ଥାନ୍ତି ।

 

ଦିନେ ଦାମ ସାହୁଙ୍କ ପୁଅ, ଗାଁ ଚାହାଳୀରୁ ଫେରିବାବେଳେ ରମେଶବାବୁଙ୍କ ବାଡ଼ିରୁ ପିଜୁଳି ଗଛରୁ କିଛି ପିଜୁଳି ଖାଉଥାଏ, ତାହାଦେଖି ରମେଶବାବୁ ତ ନିଆଁ ପାଲଟିଗଲେ । ପିଲାକୁ ନିର୍ଧୂମ ମାଡ଼ଦେଲେ । ପିଲାଖଣ୍ଡିଆ ଖାବରା ହୋଇ ସେଇଠି ପଡ଼ିଗଲା । ଲୋକ ଜମା ହୋଇଗଲେ । ଦାମ ସାହୁ ଘରେ ନ ଥିଲେ । ରାତିରେ ଘରକୁ ଫେରି ଏସବୁ କଥା ଶୁଣି ସଙ୍ଗେ ସଙ୍ଗେ ପାଖ ଗାଁ ଥାନାକୁ ଯାଇ ଇତଲା ଦେଲେ । ପୋଲିସବାବୁ ଦୀଓଟି ସିପାହୀଙ୍କୁ ଧରି ଗାଁରେ ହାଜର । ପୋଲିସ୍‌ବାବୁ ସରଜମିନ୍‌ ତଦନ୍ତକଲେ । ଆଉ ରମେଶ ବାବୁଙ୍କୁ ଡାକି ସବୁକଥା ପଚାରିଲେ ।

 

‘‘ଗାଁବାଲାଏ ମେଳି ବାନ୍ଧି, ମୋ ବିରୁଦ୍ଧରେ ଏସବୁ ମିଥ୍ୟା ଅଭିଯୋଗ ଆଣିଛନ୍ତି ଆଜ୍ଞା, ହଁ ସେ ପିଲାଟା ପିଜୁଳି ଗଛରେ ଚଢ଼ୁଥିଲାବେଳେ ମୁଁ ତାକୁ ଧମକ୍‌ ଦେଲି । ସେ ତରବରରେ ଗଛରୁ ଓହ୍ଲାଇବା ପାଇଁ ଚେଷ୍ଟା କଲାବେଳେ ପଡ଼ିଯାଇଛି । ମୁଁ କିନ୍ତୁ ତାକୁ ପିଟାପିଟି କରିନାହିଁ । ପିଲାଲୋକ ଟିକିଏ ଧମକ୍‌ ଚମକ୍‌ ଦେଇ ଛାଡ଼ିଦେବା କଥା ସିନା, ଆଉ ଏପରି ମାଡ଼ ମୁଁ ଦେବି ମୋର କଣ ବୁଦ୍ଧି ନାହିଁ ?’’

 

ଗାଁ ଲୋକ ଉତ୍ତେଜିତ ହୋଇପଡ଼ିଲେ, କହିଲେ, ‘‘କିହୋ ଏତେ ମିଛକଥା କହୁଛ, ଆମେ ଦେଖିଛୁ, ଆଉ ଆମ ସାମନାରେ ଏତେ ମିଛ କହି ପାର ହୋଇଯିବ ?’’

 

ପୋଲିସ ବାବୁ ସବୁ ଲେଖାଲେଖି କରି କହିଲେ–‘‘ତୁମେ ପିଲାକୁ ଡାକ୍ତରଖାନାକୁ ନେଇଯାଅ, ମୁଁ ବାକି ସବୁ କାମ ସାରି ଆସୁଛି ।’’ ରମେଶବାବୁଙ୍କୁ କହିଲେ ‘‘ରମେଶବାବୁ, ଆପଣଙ୍କୁ ଥାନାକୁ ଯିବାକୁ ହେବ, ମୁଁ ଆପଣଙ୍କୁ ଏରେଷ୍ଟ୍‌ କରିବାକୁ ବାଧ୍ୟ ହେଉଛି ।’’

 

ରମେଶବାବୁ ବଡ଼ ବ୍ୟସ୍ତ ହୋଇପଡ଼ିଲେ କ’ଣ କରିବେ । କହିଲେ, ‘‘ଆଜ୍ଞା, ମୋତେ ଅଯଥାରେ ଆପଣ ଏରେଷ୍ଟ କରି ମୋ ମାନ ମହତ୍‌ ସବୁ ନେବେ ?’’

 

‘‘ମୁଁ କଣ କରିବି ମୋର ଅନ୍ୟ ଉପାୟ ନାହିଁ । ତା’ପରେ ଆପଣ କ’ଣ କରିଛନ୍ତି, ନ କରିଛନ୍ତି ସେ କଥା କୋର୍ଟରେ ବିଚାର ହେବ । ଆପଣ ଶୀଘ୍ର ଚାଲନ୍ତୁ, ନ ହେଲେ ବାଧ୍ୟ ହୋଇ ଆପଣଙ୍କୁ ଜୋର୍‌ କରି ହାତକଡ଼ି ପିନ୍ଧାଇ ଦେବି ।’’

 

ରମେଶବାବୁ ଆଉ କ’ଣ କରିବେ, କିଛି ବୁଦ୍ଧି ଦିଶିଲାନାହିଁ । ଯାହା ଟଙ୍କା ହାତରେ ଥିଲା, ସବୁତକ ପୋଲିସବାବୁଙ୍କୁ ଦେବାପାଇଁ ପ୍ରସ୍ତୁତ ହେଲେ; କିନ୍ତୁ ପୋଲିସ୍‌ବାବୁ ରାଜି ହେଲେନାହିଁ ।

 

ରାତିରେ ଥାନାକୁ ଯିବାକୁ ପଡ଼ିଲା, ସେଇଠି ହାଜତ୍‌ କୋଠରୀରେ ବନ୍ଦ୍‌ ହୋଇ ରହିବାକୁ ହେଲା । ଦରଦାମ୍‌ କଷାକଷି ଚାଲିଲା । ଜାମିନ୍‌ରେ ଛାଡ଼ିବାକୁ ହେଲେ ଦଶହଜାର ଟଙ୍କା ଦାବି ହେଲା । ଠିକ୍‌ ସେତିକିବେଳେ ଖବର ଆସିଲା ଯେ, ପିଲାଟିର ବଞ୍ଚିବା ଆଶା କମ୍‌ ।

 

ରେବତୀ, ଘରେ ଛାନିଆ ହୋଇ ପଡ଼ିରହିଲେ । କ’ଣ କରିବେ, କିଛି ବୁଝିପାରୁନଥାନ୍ତି । ଗାଁରେ ଆଉ କେହି ଲୋକ ନାହାନ୍ତି, ଯାହାକୁ ବିଶ୍ୱାସ କରିହେବ । ତଥାପି ବୁଧି କକେଇକୁ ଡାକି, ତାଙ୍କ ପାଖରେ ବହୁତ କାନ୍ଦିଲେ, କହିଲେ, ‘‘କକେଇ ଯାହାପଛେ ହେଉ, ମୋତେ ଏଥିରୁ ବଞ୍ଚାଅ । ମୋର କିଏ ଅଛି ?’’ ବୁଧି କକେଇ ବୁଢ଼ାଲୋକ, ରେବତୀଙ୍କ କରୁଣ କାନ୍ଦଣା ଦେଖି ଅତିଶୟ ବିହ୍ୱଳ ହୋଇପଡ଼ିଲେ । ଗାଁର ମୁଖିଆମାନଙ୍କୁ ଡାକି ବୁଝାଶୁଝା କଲେ, ‘‘କହିଲେ, ‘‘ଆରେ ସେ ସେମିତି ହେଲା ଯେ, ଆମେ ଆମର ସବୁ ହରେଇ ତା’ ପରି ହେଲେ ଭଲ ହେବ ? ଯା ହେବାର ତ ହୋଇସାରିଲାଣି, ଆଉ ଅଯଥା ତା’କୁ ହଇରାଣ କରି କ’ଣ ଲାଭଟା ପାଇବା ? ବରଂ ଭଗବାନ ସେ ପିଲାଟିକୁ ଭଲ କରିଦିଅନ୍ତୁ, ଆମେ ସମସ୍ତେ ପ୍ରାର୍ଥନା କରୁ ।’’ ଅନେକ ବୁଝାଇ ଲୋକଙ୍କୁ ଟିକିଏ ଶାନ୍ତକଲେ । ସକାଳୁ ଥାନାକୁ ଯାଇ ରମେଶବାବୁଙ୍କ ମୁକ୍ତି ପାଇଁ ଚେଷ୍ଟା କଲେ ।

 

ଯା’ହେଉ, ତାଙ୍କର ଚେଷ୍ଟା ଓ ଓକିଲମାନଙ୍କ ପରାମର୍ଶରେ ରମେଶବାବୁଙ୍କୁ ପାଞ୍ଚହଜାର ଟଙ୍କାରେ ଜାମିନ ଛାଡ଼ କରାହେଲା । ଜାମିନ୍‌ ହେଲେ ବୁଧିଆ କକେଇ ।

 

ଦାମ ସାହୁଙ୍କ ପୁଅ କ୍ରମେ ଭଲ ହୋଇଆସିଲା; କିନ୍ତୁ ରମେଶବାବୁଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଚାଲିଲା । ଅନେକ ଖର୍ଚ୍ଚ, ଓକିଲ ଫି, ସାକ୍ଷୀ ମାନଙ୍କ ଫି, ପୋଲିସ୍‌ ଫି, ଏଇଥିରେ ସେ’ ନୟାନ୍ତ ହୋଇପଡ଼ିଲେଣି । ମକଦ୍ଦମା ପ୍ରାୟ ବର୍ଷେକାଳ ଚଳିବା ପରେ ସେ’ ଛାଡ଼ପାଇଲେ । ଛାଡ଼ ପାଇଲେ ସିନା କିନ୍ତୁ ଏତେ କରଜ ହୋଇଗଲା ଯେ, ତାଙ୍କୁ ତାଙ୍କର ଅଧିକାଂଶ ଜମି ବିକ୍ରୀ କରି ଋଣ ପରିଶୋଧ କରିବାକୁ ପଡ଼ିଲା । ଅବଶିଷ୍ଟ ଯେତିକି ଜମି ରହିଲା, ତହିଁରେ ବର୍ଷକର ଖାଇବା ଖର୍ଚ୍ଚକୁ ନିଅଣ୍ଟ ହେଲା । ପୁଣି ବଢ଼ି ମରୁଡ଼ି ତ ଅଲଗା କଥା ।

 

ନିଜ ସମ୍ପତ୍ତି ଗଲାପରେ, ଶ୍ୱଶୁର ସମ୍ପତ୍ତି ପାଇବା ପାଇଁ ସେ ବିଶେଷ ଲାଳାୟିତ ହେଲେ ସୁଦ୍ଧା, ରେବତୀ ଅମଙ୍ଗ ହେଲେ । ସେ କହିଲେ, ‘‘ବିଷଖାଇ ମରିଯିବି ପଛେ, ମୋ ଭାଇ ବିରୁଦ୍ଧରେ ମାଲିମକଦ୍ଦମା କରିବିନାହିଁ । ଆମେ କେଉଁ ପାପ କରିଥିଲେ ଯେ, ଆଜି ଏସବୁ ଭୋଗ କରିବାକୁ ହେଉଛି । ପୁଣି ଏଭଳି ଅନ୍ୟାୟ କଲେ, ଫଳ କ’ଣ ହେବ ବୁଝିପାରୁନ ? ନା, ଯେତିକି ଅଛି ସେତିକିରେ ଦୁଇ ପ୍ରାଣୀ ଚଳିଯିବା, ଆଉ ତୁମେ କିଛି ଉତ୍ପାତ କରନାହିଁ । ଯାହା ହେବାର ହେଲାଣି, ଏଥିରେ ଶାନ୍ତିରେ ଭଗବାନଙ୍କ ନାମ ନେଇ, ଏ ପାପରୁ ଉଦ୍ଧାର ହେବାପାଇଁ ଚେଷ୍ଟା କରିବା ।’’

 

ରାମବାବୁ, ପ୍ରଫୁଲ୍ଲବାବୁଙ୍କ ଘରେ କିଛି କହିପାରିଲେ ନାହିଁ । ହେଲେ ତାଙ୍କର ଭୀଷଣ ରାଗ ହେଉଥାଏ ଯେ’ ସେ, ଆଜି ପର୍ଯ୍ୟନ୍ତ କିଛି କରିପାରିନାହାନ୍ତି । ରମା ଓ ଲତା, ବିଶେଷକରି ଲତା, ଏଥିପାଇଁ ଦାୟୀ । ତା’ରି ପାଇଁ ଆଜି ଏ ଅବସ୍ଥା । ସେ ବଡ଼ ଅପମାନ ବୋଧକଲେ । ତାଙ୍କର ଅପାରଗତା ସମସ୍ତଙ୍କୁ ଜଣାପଡ଼ିଗଲା । ଭାରି ରାଗ ହୋଇ ଘରକୁ ଫେରିଲେ ।

 

ଘରକୁ ଯାଇ ରମାକୁ କହିଲେ, ‘‘ଲତା ଏତେଦିନ ହେଲା ଏଇଠି ରହିଲାଣି, କିନ୍ତୁ କିଛି କଲାନାହିଁ । ସେ ଗୋଟାଏ ଅପଦାର୍ଥ, ପ୍ରଫୁଲ୍ଲବାବୁ କିପରି ଲୋକ ଜାଣିନାହିଁ ? ସେ ଗୁଣ୍ଡା ଲଗାଇ ମାରି ପକେଇବେ । ମୋତେ ତୁମକୁ ଓ ସାରାବଂଶକୁ ନିପାତ କରିପାରନ୍ତି । ଲତାଟା ଏମିତି ଗୋଟାଏ ମୂର୍ଖ, ଜାଣିନଥିଲି ।’’

 

ଏମିତି କହିଲାବେଳକୁ ଲତା ଭିତରକୁ ଆସିଲା । ବୋଧହୁଏ ତା’ର ନାମ ଶୁଣି ତା’ରି ବିଷୟରେ କିଛି କଥା ଚାଲିଛି ଭାବି, ସାମନାରେ ଆସି ଛିଡ଼ାହେଲା । ରାମବାବୁ କହିଲେ–‘‘ଲତା, ତୁ ଏତେଦିନ ହେଲା କ’ଣଟା କରୁଛୁ ? କେବଳ ଫୁର୍ତ୍ତିମାରିଲା ଭଳିଆ ଲାଗୁଛି । ତୋର ବର୍ତ୍ତମାନ ଓ ଭବିଷ୍ୟତ ୟାରି ଉପରେ ନିର୍ଭର କରେ ବୋଲି ବୋଧହୁଏ ତୁ ଜାଣିପାରୁନାହିଁ । କେବଳ ତୋର ନୁହେଁ, ଆମର ମଧ୍ୟ । ଦୀନା ସାମନାରେ ତୁ ଖାଲି ହେଁ-ଫେଁ-ଫେଁ ହେଉଛୁ ଅଣ୍ଟା ହଲାଇ ଚାଲୁଛୁ; କିନ୍ତୁ ଅସଲ କାମ କିଛି କରୁନାହୁଁ । ପରେ ତୁ ବିପଦରେ ପଡ଼ିବୁ, ଆଉ ଆମକୁ ବିପଦରେ ପକାଇବୁ-।’’

 

ଲତା କହିଲା, ‘‘ତୁମେ ଭୁଲ୍‌ ବୁଝିଛ । ମୁଁ ମୋର ଆପ୍ରାଣ ଚେଷ୍ଟା ଚଳେଇଛି । ତାଙ୍କ ଆଲମାରୀ ଆଉ କାଗଜାତ୍‌ ରଖିବା ସ୍ଥାନ ସବୁ ଦେଖିସାରଲିଣି । ଆଉ କିଛି ବାକି ନାହିଁ; କିନ୍ତୁ କାହିଁ କିଛିତ ସେମିତି କାଗଜ ପାଉନାହିଁ । ମୋର ତ ମନେହେଉଛି, ବୋଧହୁଏ ସେମିତି କିଛି ନାହିଁ । ତୁମେ ଅଯଥା ଘାବଡ଼ାଉଛ ।’’

 

‘‘ହଁ-ହଁ, ତୋତେ ବେଶି ମାଲୁମ୍‌ । ମୁଁ ଜାଣିଲିନାହିଁ, ତୁ ଜାଣିଲୁ, ନା ?’’ କହି ଫଁ ଫଁ ହେଲେ ।

 

ଲତା ଟିକିଏ ଚିନ୍ତିତ ହେଲାଭଳି ମୁହଁ କରି କହିଲା–‘‘ଘରେ ଯଦି ଟେଜେରୀରେ ଥାଏ, ତେବେ ହୋଇଥିବ; କିନ୍ତୁ ସେଇଟା ତ ମୁଷ୍କିଲ୍‌ । ସେ ମୋତେ ଚାବି ଦେଲେ ସିନା । ତା’ପରେ ଚାବି ଦେଲେ ମଧ୍ୟ, ଘରେ ତ ସବୁବେଳେ କୃଷ୍ଣାନାନୀ ଥାଆନ୍ତି, ଖୋଜି ବାହାର କରିବାକୁ ସମୟ ପାଇବି କେମିତି ?’’

 

ପୁଣି ଉତ୍ତେଜିତ ହୋଇ ରାମବାବୁ କହିଲେ, ‘‘ସେ କଥା କହିଲେ ଚଳିବନାହିଁ । ପ୍ରଫୁଲ୍ଲବାବୁଙ୍କୁ ସେ କଥା କହି ଭୁଲାଇ ପାରିବୁନାହିଁ, ବୁଝିଲୁ ? କଳେ ବଳେ କୌଶଳେ ତାକୁ ଆଣିବାକୁ ହିଁ ହେବ । ତା ପରେ ତୁ ଯାହାକର ।’’

 

ଲତା ଟିକିଏ ଆତଙ୍କିତା ହୋଇପଡ଼ିଲା । କହିଲା, ‘‘ରାମବାବୁ, ଏପରି ଏକ ବିପଦପୂର୍ଣ୍ଣ କାମ ମୁଁ ନେଇ ବଡ଼ ଭୁଲ୍‌ କରିଛି । ମୁଁ ଯେଉଁ କଥା, ଏତେ ଚେଷ୍ଟାସତ୍ତ୍ୱେ ପାରୁନାହିଁ, ସେଇଟାରେ ମୁଁ କ’ଣ କରିବି ? ମୋତେ ଏଥିରୁ ଅବ୍ୟାହତି ଦିଅ ! ରକ୍ଷାକର ! ମୁଁ ଆଉ ସମ୍ଭାଳି ପାରିବିନାହିଁ । ଘରକୁ ଫେରିଯିବି । ମୋତେ ଗାଁକୁ ପଠେଇଦିଅ ।’’ କହି ବଡ଼ ଆତୁରତା ସହିତ ରାମବାବୁ ଓ ରମାଦେବୀଙ୍କ ଆଡ଼କୁ ଅନାଇଁଲା ।

 

ରାମବାବୁ ଟିକିଏ ଥଣ୍ଡା ହେଲେ । କହିଲେ, ‘‘ଆରେ, ଆରେ ପାଗଳୀ, ତୁ ଏମିତି ହେଲେ ଆମ କାମ ଚଳିବ କିପରି ? ଟିକିଏ ଧୈର୍ଯ୍ୟଧରି ଚେଷ୍ଟା କର, ନିଶ୍ଚୟ ସଫଳତା ହାସଲ୍‌ କରିବୁ । ନହେଲେ ବୁଝୁନାହିଁ, ପୁରସ୍କାର ପାଇବା ପରିବର୍ତ୍ତେ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ-।’’

 

ପୁଣି ଗୋଟିଏ ଦୀର୍ଘଶ୍ୱାସ ପକାଇ କହିଲେ, ‘‘କଣ କରିବି, ମୁଁ ମଧ୍ୟ ଲୋଭରେ ପଡ଼ି ଭୁଲ କରିବସିଲି, ଏହି ପ୍ରଫୁଲ୍ଲ ଓ ରମେଶ ପାଲାରେ ପଡ଼ି । ବର୍ତ୍ତମାନ ଅନ୍ୟ ଉପାୟ କିଛି ଦେଖୁନାହିଁ । ପ୍ରଫୁଲ୍ଲଟା ଅତି ନୀଚ ଲୋକ । ସେ ସବୁ କରିପାରେ । ତେଣ ତାକୁ ମୋର ପ୍ରାଣେ ଭୟ । ସେଇଥିପାଇଁ ତ ବଡ଼ ବ୍ୟସ୍ତ ଲାଗୁଛି । ଆଉ ଏ ବିପଦରୁ ଉଦ୍ଧାର ପାଇବାର ଏକମାତ୍ର ଉପାୟ ହେଉଚି, ସେ ଓ୍ୱିଲ୍‌ନାମା ହାତକରି ତାକୁ ପ୍ରଫୁଲ୍ଲକୁ ଦେଇଦେବା ।’’

 

ଲତା କହିଲା, ‘‘ମୁଁ ଚେଷ୍ଟା ସିନା କରିବି । ପାଇବି କି ନାହିଁ ତା’ କେମିତି କହିହେବ ?’’

 

‘‘ଭଲକରି ଚେଷ୍ଟା କର, ନିଶ୍ଚୟ ପାଇବୁ ।’’ କହି ଘର ଭିତରକୁ ଗଲେ ।

 

ଦିନସାରା କାମକରି ସମସ୍ତେ ବ୍ୟସ୍ତ ହେଲେଣି । ସନ୍ଧ୍ୟାକୁ ଗୋଟିଏ ବିଲ୍‌ ପେମେଣ୍ଟ୍‌ ଆସିଲା, ଦଶ ହଜାର ଟଙ୍କାର । ଏତେଗୁଡ଼ାଏ ଟଙ୍କା ଦୋକାନରେ ରଖିବା ନିରାପଦ ନୁହେଁ । ତେଣୁ ଦୀନକୃଷ୍ଣ ବାବୁଙ୍କୁ, କେସିୟର୍‌ ଆଣି ଦେଇ ଦେଲା । କହିଲା, ‘‘ଏଇଟା ରଖିଦିଅନ୍ତୁ, କାଲି ବେଙ୍କ୍‌ରେ ଜମା କରିଦେବା ।’’ ଦୀନକୃଷ୍ଣବାବୁ ଟଙ୍କା ରଖିଲେ । କହିଲେ, ‘‘ଠିକ୍‌ ଅଛି, ମୁଁ ଗଲାବେଳକୁ ଘରକୁ ନେଇଯିବି ।’’ ସମସ୍ତେ ଚାଲିଗଲେଣି । ଦୀନକୃଷ୍ଣବାବୁ ଦେଖିଲେ ତାଙ୍କ ଯିବାରେ କିଛି ବିଳମ୍ୱ ହୋଇପାରେ । ତେଣୁ ଲତାକୁ ଡାକି କହିଲେ, ‘‘ଲତା, ଏ ଟଙ୍କା ନେଇ ଘରେ ଟ୍ରେଜେରୀରେ ରଖିଦିଅ, ଏଇ ଚାବି ନେଇ ଯାଆ’’ କହି ଚାବି ବାହାର କରି ତାଙ୍କୁ ବଢ଼େଇଦେଲେ-। ଲତା ତା’ ବେଗ୍‌ରେ ଚାବି ଓ ଟଙ୍କା ରଖି କହିଲା, ‘‘ଟଙ୍କା ରଖି ମୁଁ ସେଇବାଟେ ଘରକୁ ଚାଲିଯିବି. ନା ଆସିବି ?’’

 

ଦୀନକୃଷ୍ଣ ବାବୁ କହିଲେ, ‘‘ନା ବର୍ତ୍ତମାନ ଆଉ ଆସିବାର ପ୍ରୟୋଜନ କଣ ? ମୁଁ ପଛେ ପଛେ ଯାଉଛି ଯେ । ମୋର ଯିବାରେ ବିଳମ୍ୱ ହେଲେ,ଚାବିଟା କୃଷ୍ଣାଙ୍କୁ ଦେଇ ଚାଲିଯିବ ।’’

 

ଲତା ଘରକୁ ଗଲେ । ‘‘ନାନୀ ନାନୀ’’ କହି ଡାକପକାଇଲେ, କୃଷ୍ଣା ରନ୍ଧା ଘରେ ଥାଇ କ’ଣ କରୁଥାନ୍ତି । କୃଷ୍ଣା କହିଲେ, ‘‘କ’ଣ କିଲୋ ? ମୁଁ କାମ କରୁଛି ତୁ ଏଠିକି ଆ ।’’ କହି ନିଜ କାମରେ ଲାଗିଲେ । ଲତା ରନ୍ଧାଘରକୁ ଯାଇ କୃଷ୍ଣାଙ୍କୁ କହିଲା, ‘‘ଏଇ ଟଙ୍କା–ରଖିବାର ଥିଲା ଯେ ଆସିଛି ।’’

 

‘‘ରଖିଦେଉନୁ, ଚାବି ଆଣିଛୁ ?’’

 

‘‘ହଁ ଆଣିଛି ।’’

 

‘‘ଯା ତେବେ ରଖିଦେଇ ଆ । ଗପ କରୁଥିବା କାମ ହେଉଥିବ’’

 

ଲତା ଯାଇ ଟ୍ରେଜେରୀ ଖୋଲି ଟଙ୍କା ରଖିଲା । ତାପରେ ଟିକିଏ ଦେଖିଲା, ଟ୍ରେଜେରୀର ଗୋଟିଏ କୋଣରେ ଲମ୍ୱା ଲଫାପାଟାଏ ଅଛି । ବାହାରକରି ଦେଖିଲା, ‘ଓ୍ୱିଲ୍‌ନାମା ।’ ଲତାର ଛାତିରେ ଛନକା ପଶିଲା । କିଛି ସ୍ଥିର କରି ପାରୁ ନଥାଏ । ଲଫାପା ବାହାର କରି ଟ୍ରେଜେରୀ ବନ୍ଦ କଲା । ମନେ ମନେ ଭାବିଲା, ଏଇ ହେଉଛି ରାମବାବୁଙ୍କ ଚିରବାଞ୍ଛିତ ଓ୍ୱିଲ୍‌ନାମା । ଏଇଥିପାଇଁ ମୋ ଉପରେ ଏତେ ଦୌରାତ୍ମ୍ୟ । ଦୀନକୃଷ୍ଣବାବୁଙ୍କ ସତ୍ୟାନାଶ କରିବା ପାଇଁ ଏଇ ହେଉଛି–ଆୟୁଧ । ମନେ ମନେ ଭାବିଲା, ‘‘କଣ କରେ ?’’

 

‘‘ରାମବାବୁ ଓ ପ୍ରଫୁଲ୍ଲବାବୁଙ୍କ ଚକ୍ରାନ୍ତରେ ମୁଁ ସାହାଯ୍ୟ କରିବି । ଦୀନକୃଷ୍ଣବାବୁଙ୍କ କ୍ଷତିରେ ତାଙ୍କର କ’ଣ ଲାଭ ? ମୋର ବା କଣ ଲାଭ ? ଦୀନକୃଷ୍ଣ ବାବୁ ଆଉ କୃଷ୍ଣା, ଏମାନଙ୍କ ସହିତ ବିଶ୍ୱାସଘାତକତା କରିବା ମୋ ପକ୍ଷରେ ଅସମ୍ଭବ; କିନ୍ତୁ ରାମବାବୁ ଓ ପ୍ରଫୁଲ୍ଲବାବୁଙ୍କଠୁ ବଞ୍ଚିବାର ଉପାୟ କଣ ? ଏହି ମାନସିକ ଦୁଶ୍ଚିନ୍ତା କେତେଦିନ ମୁଣ୍ଡରେ ବୋଝେଇ ଚଳିବି ? ଦିନୁଦିନ ରାମବାବୁଙ୍କ ଦୌରାତ୍ମ୍ୟଜନିତ ଧମକ୍‌ ବଢ଼ିଚାଲିଛି । ତେବେ ରକ୍ଷା ପାଇବାର ଉପାୟ କଣ ?’ ଏମିତି କେତେ କଥା ଭାବି, ସେଇଠି ଅନେକ ସମୟ କାଠଭଳି ଛିଡ଼ାହୋଇ ରହିଲା ।

 

ରାମବାବୁ ଓ ପ୍ରଫୁଲ୍ଲବାବୁ ଦୁହେ ଅତି ନୀଚ ପ୍ରକୃତିର ଲୋକ । ତାଙ୍କ ମତଲବ୍ ହାସଲ କରିବା ପାଇଁ ସବୁ କିଛି କରିପାରନ୍ତି । ଜୀବନରେ ବୋଧହୁଏ ତାଙ୍କର କିଛି ନୀତି ନିୟମ, ଚରିତ୍ର ବୋଲି ନାହିଁ । ଈର୍ଷା ଓ ଲୋଭରେ ସେମାନେ ମରିଯାଉଛନ୍ତି ।

 

ଦୀନକୃଷ୍ଣ ଓ କୃଷ୍ଣା, ଆଃ’ କେଡ଼େ ସରଳ ବିଶ୍ୱାସୀ ଦିହେଁ । କେତେ ସରଳ, କାହାରି ଭଲମନ୍ଦରେ ନଥାନ୍ତି । ତଥାପି ତାଙ୍କ ବିରୁଦ୍ଧରେ ଏମାନେ ଲାଗିଛନ୍ତି । କୃଷ୍ଣା ଓ ଦୀନକୃଷ୍ଣ, ରମା ଓ ରାମବାବୁ, କେତେ ପ୍ରଭେଦ । ରମା ନିଜ ସଂପର୍କୀୟ ଭଉଣୀ ହେଲେ ସୁଦ୍ଧା, କୃଷ୍ଣାଠୁ ଯେଉଁ ସ୍ନେହ, ପ୍ରେମ, ଶ୍ରଦ୍ଧା, ବିଶ୍ୱାସ ପାଇଛି ଲତା, ତା’ ମା’ଠାରୁ ମଧ୍ୟ ପାଇନାହିଁ, କୃଷ୍ଣାଙ୍କ ସ୍ଥାନ କେତେ ଉଚ୍ଚରେ, ପ୍ରକୃତରେ ସେ ଦେବୀ ।’’

 

କୃଷ୍ଣା ସେଠୁ ଡାକପକାଉଛନ୍ତି, ‘‘ହେ ଲତା, କଣ ଏତେବେଳ କରୁଛୁ ଲୋ, ଟ୍ରେଜେରୀ ଖୋଲି ପାରୁନାହୁଁ ନା କଣ ? ନା ପାରିଲୁଣି ?’’

 

ଲତା ହାତରେ ଲଫାଫା ଧରି ଆସି, କୃଷ୍ଣାଙ୍କୁ ବଢ଼େଇଦେଲେ, କହିଲେ; ‘‘ନାନୀ, ୟାକୁ ଭଲଭାବରେ ରଖ । ତୁମେ ଦିହେଁ ଯେମିତି ଲୋକ ନା, ବଡ଼ ବିପଦରେ ପଡ଼ିବ ।’’ କହି ଲଥ୍‌ କରି ବସିପଡ଼ିଲେ ।

 

କୃଷ୍ଣା କହିଲେ, ‘‘ସେଇଟା କ’ଣ ?’’

 

ଏପରି ସମୟରେ ଦୀନକୃଷ୍ଣ ମଧ୍ୟ ଆସିଲେ । ‘‘କଣହେଲା ? ଲତା ତୁମେ ଯାଇ ନାହଁ-?’’

 

ଲତା କହିଲା, ‘‘ନା, ଏହି ଓ୍ୱିଲ୍‌ନାମା ଚୋରି କରୁଥିଲି ।’’

 

ଓ୍ୱିଲ୍‌ନାମା ଚୋରି କରୁଥିଲ ?’’ କହି ଦୀନକୃଷ୍ଣ ହସିଲେ । କହିଲେ ‘‘କଥା କଣ ?’’

 

ଲତା କହିଲା, ‘‘ଆପଣ ଆଉ ମୋ ନାନୀ, ଯେମିତି ସରଳ ବିଶ୍ୱାସୀ, ଦିନେ ନା ଦିନେ ବିପଦରେ ପଡ଼ିବେ, ବୁଝିଲେ ? ୟାକୁ ଭଲକରି ଲୁଚାଇ ରଖନ୍ତୁ ଓ ଟ୍ରେଜେରି ଚାବି, କେବେ କାହାକୁ ଦେବେନାହିଁ । ଲତାକୁ ସୁଦ୍ଧା ନୁହେଁ ।’’

 

କୃଷ୍ଣା କହିଲେ, ‘‘କଣ ପାଗଳୀଙ୍କ ଭଳି କଥା କହୁଛୁ ?’’ କହି ଲଫାଫାଟା ଦୀନକୃଷ୍ଣଙ୍କ ଆଡ଼କୁ ବଢ଼େଇଦେଲେ ।

 

ଦୀନକୃଷ୍ଣ କହିଲେ ‘‘କ’ଣ ଅଛି ?’’ ‘‘ଓ୍ୱିଲ୍‌ନାମା ପରା’’

 

‘‘ଆଚ୍ଛା ଲତା, ତୁମେ କେଉଁଠୁ ପାଇଲ ?’’

 

‘‘ଟ୍ରେଜେରୀରୁ ପାଇଲି ?’’

 

‘‘ଟ୍ରେଜେରୀରୁ ପାଇଲ ? କାହିଁ, ମୁଁ ତ ଏତେଥର ଟ୍ରେଜେରୀ ଖୋଲେ, କେବେ ଦେଖିନଥିଲି, ତୁମେ କେମିତି ପାଇଗଲ ?’’ କହି ଲଫାଫାରୁ ଓ୍ୱିଲ୍‌ନାମା ବାହାରକରି ଦେଖିଲେ ।

 

‘‘ଆପଣ ତ ଓ୍ୱିଲ୍‌ନାମା ଖୋଜୁନଥିଲେ ଯେ ପାଇବେ, ଆପଣ ଟଙ୍କା ରଖିବା ବା ବାହାର କରିବା ପାଇଁ ଟ୍ରେଜେରୀ ଖୋଲୁଥିଲେ । ମୁଁ କିନ୍ତୁ ଓ୍ୱିଲ୍‌ନାମା ଚୋରି କରିବାପାଇଁ ଖୋଜି ପାଇଗଲି’’ ପୁଣି ଟିକିଏ ପରେ କହିଲା, ‘‘ଦେଖ ନାନି, ମୋ କାମ ସଇଲା, ଆଉ ମୁଁ କାମ କରିବିନାହିଁ । ଆସନ୍ତା କାଲି ଘରକୁ ଚାଲିଯିବି । କାମ କରିବାକୁ ଆଉ ମନ ନାହିଁ; ମାତ୍ର ଏତିକି କହୁଛି ଯେ, ଏଡ଼େ ସରଳ ବିଶ୍ୱାସୀ ହୋଇ ଦୁନିଆଁରେ ଚଳିପାରିବ ନାହିଁ ।’’

 

କୃଷ୍ଣା ଓ ଦୀନକୃଷ୍ଣ ଏସବୁ କଥାରେ ଆଶ୍ଚର୍ଯ୍ୟ ହେଉଥାନ୍ତି, ଲତାର କିଛି କଥା ବୁଝିପାରୁ ନଥାନ୍ତି । ଦୀନକୃଷ୍ଣ କହିଲେ–‘‘ଚାକିରି କରିବନାହିଁ, ଘରକୁ ଚାଲିଯିବି, ଏ ସବୁ କଥା କ’ଣ କହୁଛ ? କଣ ଅସୁବିଧା ହେଲା ତୁମର ?’’

 

‘‘ଆଉ ରହି ପାରିବିନାହିଁ, ମୋତେ ଯିବାକୁହିଁ ହେବ’’ କହି ମୁହଁ ଗମ୍ଭୀର କରି ବସିରହିଲା ।

 

କୃଷ୍ଣା କହିଲେ,–‘‘କଣ ଯେ ତୁ କହୁଛୁ, ମୁଁ କିଛି ବୁଝିପାରୁନାହିଁ, ସଫା ସଫା ସବୁ କହୁନୁ କାହିଁକି ? କ’ଣ ତୋର ସୁବିଧା ଅସୁବିଧା, କହିଲେ ସିନା ଇଏ ଜାଣିବେ । ସେମିତି ‘ଚାକିରି କରିବ ନାହିଁ’ କହିଲେ ହେବ ?’’

 

ଲତା ଆଉ ସମ୍ଭାଳି ପାରିଲା ନାହିଁ, କେବଳ କାନ୍ଦିଲା । ଦୀନକୃଷ୍ଣ ଓ କୃଷ୍ଣା କିଂକର୍ତ୍ତବ୍ୟବିମୂଢ଼ ହୋଇରହିଲେ ।

 

କୃଷ୍ଣା, ଲତାକୁ ପାଖକୁ ଟାଣିଆଣି ମୁଣ୍ଡରେ ହାତ ଆଉଁସି କହିଲେ, ‘‘କଣ ହେଲା କହ, ମୋ ରାଣ !’’

 

ଲତା କହିଲା, ‘‘ନାନୀ, କିଛି ହୋଇନାହିଁ । ମୋତେ ସେ ସବୁ ପଚାର ନାହିଁ । କେବଳ ତୁମକୁ ଓ ଦୀନକୃଷ୍ଣବାବୁଙ୍କୁ ମୋର ଗୋଟିଏ–ଅନୁରୋଧ ଯେ’ ତୁମେ ସମସ୍ତଙ୍କୁ କହିବ, ‘ଲତା ଟ୍ରେଜେରୀରୁ ଓ୍ୱିଲ୍‌ନାମା ଚୋରି କରୁଥିବା ବେଳେ ଆମେ ଧରିଲୁ, ତେଣୁ ତାକୁ ଚାକିରିରୁ ବାହାର କରିଦେଲୁ ।’’ ନହେଲେ ମୋର ରକ୍ଷାନାହିଁ ।’’

 

ଲତାର କଥା ଆହୁରି ରହସ୍ୟମୟ ଭଳି ମନେହେଲା । ଦୀନକୃଷ୍ଣାବାବୁ ଓ କୃଷ୍ଣାଙ୍କ ଉତ୍କଣ୍ଠା ବଢ଼ିଚାଲିଲା । ସେମାନେ ଯେତେ ପଚାରୁଥାନ୍ତି, ଲତା ସେତିକି କାନ୍ଦୁଥାଏ । ସେ ନିଜେ ଭାବିପାରୁନଥାଏ, ତା’କୁ ଏତେ କାନ୍ଦ ମାଡ଼ୁଛି କାହିଁକି ? କିନ୍ତୁ ସେ ସମ୍ଭାଳି ପାରୁନଥାଏ ।

 

କୃଷ୍ଣା ଓ ଦୀନକୃଷ୍ଣବାବୁ ଚୁପ୍‌ ହୋଇ ବସିରହିଲେ । ତା’ପରେ, ଲତା ଟିକିଏ ଶାନ୍ତ ହେଲାପରେ, କୃଷ୍ଣା ଓ ଦୀନକୃଷ୍ଣବାବୁ, ପୁଣି ତାକୁ ପଚାରିଲେ ।

 

ଲତା ସବୁକଥା କହିଲା, ତା’କୁ ତା ଗାଁରୁ କିପରି ଅଣାହେଲା; ତା’ ବାପାଙ୍କର ଦାରିଦ୍ର୍ୟର ସୁଯୋଗ ନେଇ । ତା’ପରେ ତାକୁ କେମିତି ଏଇଠି କାମ କରିବାକୁ କୁହାଗଲା । କିପରି ଦୀନକୃଷ୍ଣବାବୁଙ୍କ ବିଶ୍ୱାସଭାଜନ ହେବାପାଇଁ ଓ ତାଙ୍କୁ ଫାନ୍ଦରେ ପକାଇବା ପାଇଁ ଦୈହ୍ୟିକ ସମ୍ପର୍କର ପ୍ରଲୋଭନ ଦେଖାଇବା ସକାଶେ ବାଧ୍ୟ କରାଗଲା ! ପ୍ରଫୁଲ୍ଲବାବୁ ଓ ରାମବାବୁ, କିପରି ତା’ ପଛରେ ଗୁଣ୍ଡା ଲଗାଇ ଭୟ ଦେଖାଇଲେ ଇତ୍ୟାଦି ସମସ୍ତ କଥା କହି ତାଙ୍କୁ ଆଶ୍ୱସ୍ତ କଲା ।

 

ଦୀନକୃଷ୍ଣବାବୁ ଓ କୃଷ୍ଣା ହତଚକିତ ହୋଇପଡ଼ିଲେ । ସେ’ କେବେ କଳ୍ପନା କରି ନଥିଲେ ଯେ’ ରାମବାବୁ ଏତେଦୂରକୁ ଯାଇପାରନ୍ତି । ପ୍ରଫୁଲ୍ଲବାବୁ ତ’ ନୀଚଲୋକ ଜାଣିଛନ୍ତି କିନ୍ତୁ ରାମବାବୁଙ୍କର କ’ଣ ହେଲା ? ସେ କାହିଁକି ଏପରି କଲେ ।

 

ଦୀନକୃଷ୍ଣ ପଚାରିଲେ, ‘‘ଆଚ୍ଛା ଲତା, ରାମବାବୁ ଏପରି କାହିଁକି କଲେ ?’’

 

‘‘କିଛି ଭୟ ଓ କିଛି ପ୍ରଲୋଭନ; ତାଙ୍କୁ କୁହା ହୋଇଛି ଯେ, ଏ ସମ୍ପତ୍ତିରୁ ଅଧେ ପାଇଲେ ରମେଶବାବୁ ତାଙ୍କୁ ଏହି ବ୍ୟବସାୟରେ ପୂରାପୂରି ଭାଗଦେବେ, ମାନେ ପାର୍ଟନର୍‌ କରିବେ । ନ ହେଲେ ତ ବିଷମୟ ପରିଣାମ ହେବ । ମୋତେ କୁହାହୋଇଛି ଯେ ‘ଓ୍ୱିଲ୍‌ନାମା ଚୋରି କରି ଆଣି ତାଙ୍କୁ ଦେଲେ ଦଶହଜାର ଟଙ୍କା ଓ ମୋର ସମସ୍ତ ବିବାହ ଖର୍ଚ୍ଚ ମିଳିବ ନ ହେଲେ ଗୁଣ୍ଡାମାନଙ୍କଦ୍ୱାରା ବଜାର ମଝିରେ ମୋର ଇଜ୍ଜତ୍‌ ନିଆହେବ, ଓ ମାରି ଦିଆହେବ ।’’

Unknown

 

‘‘ତା’ହେଲେ ତୁ ଓ୍ୱିଲ୍‌ନାମା ଦେଇଦେଲୁ କାହିଁକି ?’’

 

ମୁଁ ଏତେ ନୀଚ ହୋଇପାରିଲି ନାହିଁ, ନାନୀ ଓ ଦୀନକୃଷ୍ଣବାବୁ ମୋର ଯେତେ ମଙ୍ଗଳ କରିଛନ୍ତି, ମୋତେ ଯେତେ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ବିଶ୍ୱାସ ଦେଇଛି, ତହିଁରେ ମୁଁ ବିଶ୍ୱାସଘାତକତା କରିପାରିବି ନାହିଁ ।

 

‘‘ତେବେ ଏତେଦିନ ପର୍ଯ୍ୟନ୍ତ ତୁ କାହିଁକି କଥାଟା ଲୁଚେଇ ରଖିଲୁ, ଆଗରୁ କହିଲୁନାହିଁ କାହିଁକି ? ଆମେ ସତର୍କ ହୋଇଥାନ୍ତୁ । କହିଲେ ଦୀନକୃଷ୍ଣବାବୁ ।

 

ଦରକାର ନ ଥିଲା, ତାପରେ ମୁଁ ନିଜେ ରାମବାବୁ, ପ୍ରଫୁଲ୍ଲବାବୁ ଓ ରମେଶବାବୁଙ୍କ କ୍ରିୟାକଳାପ ଲକ୍ଷ୍ୟ କରୁଥିଲି । ଆଗରୁ କଥା ଖୋଲି ଦେଇଥିଲେ, ହୁଏତ ମୋତେ ମାରି ଦେଇଥାନ୍ତେ ଓ ଅନ୍ୟ କିଛି ଉପାୟ କରିଥାନ୍ତେ ।

 

ବର୍ତ୍ତମାନ ତା’ହେଲେ ତୁ ଚାକିରି ଛାଡ଼ି ଚାଲିଯିବାକୁ କାହିଁକି କହୁଛୁ ? ଦୀନକୃଷ୍ଣବାବୁ କହିଲେ ।

 

ସେମାନେ ମୋତେ ରଖେଇ ଦେବେନାହିଁ, ବର୍ତ୍ତମାନ ଯାଇ ମୁଁ କହିବି ଏମିତି ଓ୍ୱିଲନାମା ଯାଇ ବାହାର କରି ଆଣିଲାବେଳେ କୃଷ୍ଣନାନୀ ଧଇଲେ ଏବଂ ଦୀନକୃଷ୍ଣବାବୁ ଅନେକ ଭର୍ତ୍ସନା କରି କହିଲେ ।

 

ଓ୍ୱିଲ୍‌ନାମା କଥା ନ ଉଠେଇଲେ ତ ଏ ଯାଏଁ । ଦୀନକୃଷ୍ଣ କହିଲେ ।

 

ଆପଣ ଜାଣିନାହାନ୍ତି, ଦିନୁଦିନ ମୋ ଉପରେ କିପରି ଚାପପଡ଼ୁଛି । ମୋ ଜୀବନ ଅତିଷ୍ଠ ହୋଇପଡ଼ିଲାଣି । ପ୍ରତିଦିନ ମୋତେ ଧମକ ଦିଆ ହେଉଛି । ତେଣୁ ଆଉ ଏଇଠି ରହିବା ମୋ ପକ୍ଷରେ ଅସମ୍ଭବ । ତେଣୁ ଓ୍ୱିଲ୍‌ନାମା ଚୋରି କଲାବେଳେ, ଧରା ପଡ଼ିଲି ଏବଂ ଚାକିରିରୁ ବରଖାସ୍ତ ହେଲ’ କହି ଜୀବନ ରକ୍ଷା କରିବାକୁ ହେବ । ମୁଁ ଯେତେବେଳେ ତାଙ୍କୁ କହିଲି ଯେ, ‘ମୁଁ ଏ କଥା ପାରିବି ନାହିଁ, ମୋତେ ଆମ ଗାଁରେ ଛାଡ଼ିଦିଅ, ଆଉ ଚାକିରି କରିବି ନାହିଁ, ସେତେବେଳେ ମଧ୍ୟ ଧମକ୍‌ ଦେଲେ ଯେ ନା, ତୋତେ କରିବାକୁ ହିଁ ହେବ । ତେଣୁ ମୋର ଅନ୍ୟ ଉପାୟ ଆଉ ନ ଥିଲା । ଆଜି କିନ୍ତୁ ତାଙ୍କୁ କହିଦେବି, ଆଉ ସେମାନେ ମୋତେ ଦୋଷ ଦେଇପାରିବେ ନାହିଁ । ଆପଣ କିନ୍ତୁ ମୋତେ ସାହାଯ୍ୟ କରନ୍ତୁ ନୋହିଲେ ମୋ ଜୀବନ ବିପଦାପନ୍ନ ।’’

 

ଦୀନକୃଷ୍ଣବାବୁଙ୍କ ମୁଣ୍ଡରେ ଝଡ଼, ସେ କିଛି ଭାବିପାରୁନାହାନ୍ତି କଣ କରିବେ । ରାମବାବୁ ଏତେ ପୁରୁଣା ଲୋକ, ଯାହାକୁ ସେ ନିଜେ ବଡ଼ଭାଇ ପରି ଭଲପାଆନ୍ତି, ସେ ପୁଣି ପ୍ରପୁଲ୍ଲବାବୁଙ୍କ ହାତବାରିସୀ ହେଲେ । ରମେଶବାବୁ ଯେତେବେଳେ ଯାହା କହିଲେ କଲି । ଜାଣିଶୁଣି ପ୍ରଫୁଲବାବୁଙ୍କ ଆଶ୍ରୟ ନେଲେ । ହେ ଭଗବାନ୍‌, ଲୋଭ ମଣିଷକୁ ଏତେ ତଳକୁ ନେଇପାରେ ? କ’ଣ ଅଭାବ ଅଛି—ରମେଶବାବୁ ଓ ରାମବାବୁଙ୍କ ? ତାଙ୍କର ନୀଚ କର୍ମରେ ପୁଣି ଲତାଭଳି ଝିଅକୁ ଲଗେଇଲେ ? କ’ଣ ଏସବୁ ହେଉଛି ଭଗବାନ ?

 

‘‘ଲତା, ଦେଖେ, ବର୍ତ୍ତମାନ ମୁଁ ଆଉ କିଛି ଭାବିପାରୁନାହିଁ, ମୋତେ ସମୟ ଦରକାର, ଏସବୁ ଭାବିବା ପାଇଁ ।’’

 

‘‘ହଁ, ମୁଁ ଜାଣେ, ଆପଣଙ୍କୁ ଓ ନାନୀଙ୍କୁ ବିମୂଢ଼ କରିଦେବ; କିନ୍ତୁ ତଥାପି ବାସ୍ତବତାର ସମ୍ମୁଖୀନ ହେବାକୁ ପଡ଼ିବ । ଆପଣ ଏତେ ସରଳବିଶ୍ୱାସୀ ହୋଇ, ଏ ଜଗତରେ ଚଳିବା କଷ୍ଟ । ତେଣୁ ମୋର ଅନୁରୋଧ, ଆପଣ ଓ୍ୱିଲ୍‌ନାମାକୁ ଭଲଭାବରେ ରଖନ୍ତୁ ଓ କାହାକୁ ବିଶ୍ୱାସ କରନ୍ତୁନାହିଁ । ରାମବାବୁଙ୍କୁ ନୁହେଁ, କି ଲତାକୁ ମଧ୍ୟ ନୁହେଁ ।’’

 

ପୁଣି କିଛି ସମୟ ପରେ ଲତା ଉଠି ଛିଡ଼ାହେଲା, ତା’ପରେ କହିଲା, ନାନୀ, ‘କହିପାରୁନାହିଁ ଆଉ ତୁମ ସାଙ୍ଗରେ ଦେଖାହେବ କି ନାହିଁ; କିନ୍ତୁ କେବଳ ଏତିକି ଅନୁରୋଧ ଯେ, କେହି ପଚାରିଲେ କହିବ ‘ଲତା ଚୋରି କରୁଥିଲାବେଳେ ଧରାପଡ଼ିବାରୁ ତାକୁ ତୁମେ ବାହାର କରିଦେଇଛି, ମୁଁ ଚାଲିଲି ।’’

 

ଆଗକୁ ଟିକିଏ ବଢ଼ି ପୁଣି କହିଲା, ‘‘ନାନୀ, ତୁମେ ଆଉ ଦୀନକୃଷ୍ଣବାବୁ ମୋତେ କ୍ଷମାକରିବ, ଅନେକ ଦୋଷ କରିଛି । ନାନୀ, ତୁମ ପାଖରେ ମୁଁ ବିଶେଷ ଋଣୀ,’’ କହି ଆଖି ପୋଛି ପୋଛି ଚାଲିଗଲା ।

 

ଦୀନକୃଷ୍ଣ ଓ କୃଷ୍ଣା, ହତବାକ୍‌ ହୋଇ ବସିରହିଲେ ।

 

ଲତା ଘରକୁ ଫେରି ରମା ପାଖରେ ବହୁତ କାନ୍ଦିଲା । ରମା ଓ ରାମବାବୁ କ’ଣ ହେଲା ବୋଲି ଅନେକ ପଚାରିଲେ । ଲତା କିଛି କହିପାରୁ ନ ଥାଏ । ଅନେକ ସମୟପରେ ରାମବାବୁ ଓ ରମା ଯେତେବେଳେ ବହୁତ ପଚରାପଚରି କଲେ, କହିଲା ‘ଅପା, ମୁଁ ଘରକୁ ଯିବି, ଏଠି ଆଉ ରହିବି ନାହିଁ ।’’ ରାମବାବୁ କହିଲେ—‘‘କାହିଁ କାମ କରିବୁନାହିଁ ? କ’ଣ ହେଲା ? ଲତା ଆଖି ପୋଛୁପୋଛୁ କହିଲା, କାମରୁ ମୋତେ ବରଖାସ୍ତ କରିଦେଲେ ।

 

‘‘ଏଁ—କ’ଣ କହିଲୁ, କ’ଣ ହେଲା’’ କହି ରାମବାବୁ ଛିଡ଼ା ହୋଇପଡ଼ିଲେ ।

 

ଲତା ସବୁ ଘଟଣା ବର୍ଣ୍ଣନା କରିଗଲା । କେବଳ ଏତିକି ଯୋଡ଼ିଲା ଯେ, ଓ୍ୱିଲ୍‌ନାମା ମୋ ବେଗ୍‌ରେ ପୂରାଇଲାବେଳେ, କୃଷ୍ଣାନାନୀ କ’ଣ ସେଇଟା ବୋଲି ଛଡ଼େଇ ନେଲେ । ତା’ପରେ ଦୀନକୃଷ୍ଣବାବୁ ବହୁତ କଡ଼ା କଥା କହିଲେ, ଆଉ କହିଲେ ‘‘ଲତା, ରାମବାବୁଙ୍କ ଭଳି ବିଶ୍ୱାସୀ ଓ ନିଜ ଲୋକ କହି ନ ଥିଲେ, ମୁଁ ତୁମକୁ ଏତେ ବିଶ୍ୱାସକରି ରଖିନଥାନ୍ତି । ତୁମେ ଯେ କେବଳ ମୋ ବିଶ୍ୱାସ ହରାଇଲ ତା’ ନୁହେଁ, ରାମବାବୁଙ୍କ ପ୍ରତି ମୋର ଯେଉଁ ପ୍ରଗାଢ଼ ବିଶ୍ୱାସ, ତା’ ମଧ୍ୟ ଦୋହଲାଇ ଦେଇଛ । ହଉ, ତୁମକୁ ଆଉ କାମରେ ରଖିବା ମୋ ପକ୍ଷରେ ସମ୍ଭବ ନୁହେଁ ।’’ କହି, ପୁଣି କାନ୍ଦିଲା ।

 

ରାମବାବୁ ହତବାକ୍‌ ହୋଇପଡ଼ିଲେ । କିଛି ଭାବିପାରୁନଥାନ୍ତି ଇଏତ ଏକ ମାରାତ୍ମକ ବ୍ୟାପାର ହେଲା । କ’ଣ କରିବେ ? ଲତାକୁ କ’ଣ କହି ସାନ୍ତ୍ୱନା ଦେବେ । ଲତାକୁ ସାନ୍ତ୍ୱନା ଦେବେ ସିନା, ତାଙ୍କର ଅବସ୍ଥା କଣ କିଛି ବୁଝିପାରୁନଥାନ୍ତି । ଲତା କେବଳ ସେହି ଗୋଟିଏ କଥା ଧରିଥାଏ, ସେ ଆଉ ବରଗଡ଼ରେ ରହିବନାହିଁ । ତାଙ୍କୁ ସଙ୍ଗେ ସଙ୍ଗେ ତା’ ଘରକୁ ନେଇ ଛାଡ଼ିଆସିବା ପାଇଁ ଅଝଟ କଲା । ରମାଙ୍କ ଗୋଡ଼ ଧରି କହିଲା, ଅପା, ମୋତେ ବାପ; ମା’ଙ୍କ ପାଖକୁ ନେଇଯା, ନୋହିଲେ ମୁଁ ବିଷ ଖାଇଦେବି । ମୁଁ ଆଉ ଦଣ୍ଡେ ଏଠି ରହିବି ନାହିଁ ।

 

ରାମବାବୁ କହିଲେ, ‘‘ଆରେ ଏମିତି କାହିଁକି ହେଉଛୁ ? ରାତି ଅନେକ ହେଲାଣି । ବଡ଼ିସକାଳୁ ଯାଇ ତୋତେ ଘରେ ଛାଡ଼ିଆସିବି । ମୋ ଚାକିରିତ ଗଲା, ଆଉ କଣ କରିବି ? ମୋ ଲୋଭ ପାଇଁ ତୁ ଯେମିତି ହିନସ୍ଥା ହେଲୁ ମୁଁ ବି ହେଲି । କୋଉ ମୁହଁ ନେଇ ମୁଁ ଦୀନକୃଷ୍ଣ ପାଖକୁ ଯିବି । ହେ ଭଗବାନ୍‌, କ’ଣ ହେଲା ଏସବୁ କହି ହତାଶ ହୋଇପଡ଼ିଲେ ।

 

ସକାଳୁ ଯାଇ ଲତାକୁ ତା ବାପାଙ୍କ ପାଖରେ ପହଞ୍ଚାଇଦେଲେ, ସେ ପଚାରିଲାରୁ କିଛି କହିପାରିଲେ ନାହିଁ । କ’ଣ ବା କହନ୍ତେ ? କେବଳ ଏତିକି କହିଲେ, ଲତା ଘରକୁ ଆସିବାକୁ ଖୁବ୍‌ ଅଝଟ କଲାରୁ ଆଣିଦେଇଛି, କିଛିଦିନ ରହୁ ଏଇଠି ।’’

 

ସେଠି ଲତାକୁ ଛାଡ଼ି ସଙ୍ଗେ ସଙ୍ଗେ ସେ ଫେରିଲେ । ଲତାର ବାପା, ମା’ ଅନେକ ଆଗ୍ରହ କଲେ ଖାଇଯିବାପାଇଁ, କିନ୍ତୁ ରାମବାବୁ ସେହି ମାନସିକ ପରିସ୍ଥିତିରେ ନ ଥିଲେ । ଫେରି ବସ୍‌ ଷ୍ଟାଣ୍ଡରୁ ଘରକୁ ଚାଲିଗଲା ବାଟରେ, ରାସ୍ତାରେ ହଠାତ୍‌ ମୁଣ୍ଡ ବୁଲେଇଲାରୁ ତଳେ ପଡ଼ିଗଲେ । ଲୋକେ ଜମା ହୋଇଗଲେ । ଡାକ୍ତରଖାନାରୁ ଏମ୍ୱୁଲେନ୍‌ସ ଆସି ତାଙ୍କୁ ନେଇଗଲା । ଲୋକେ ଜମା ହୋଇଥାନ୍ତି । ଖବର ପାଇ ରମାଦେବୀ ଦୀନକୃଷ୍ଣବାବୁ, ପ୍ରଫୁଲ୍ଲବାବୁ ସମସ୍ତେ ଦେଖିବାକୁ ଗଲେ ।

 

ଡାକ୍ତରବାବୁ କହିଲେ, ‘‘ହାର୍ଟଷ୍ଟ୍ରୋକ୍‌ ହୋଇଛି, କେଶ୍‌ ବଡ଼ ସିରିଅସ୍‌ !’’

 

ଦୀନକୃଷ୍ଣବାବୁ ଡାକ୍ତରବାବୁଙ୍କୁ ଅନୁରୋଧ କଲେ, ଯେତେ ଖର୍ଚ୍ଚ ହେଉପଛେ, ତାଙ୍କୁ ଅତ୍ୟାଧୁନିକ ଚିକିତ୍ସା କରାଯାଉ ।

 

ଦୀର୍ଘ ୨୪ ଘଣ୍ଟା ପରେ ଚେତା ଫେରିଲା । ଚେତା ଫେରିଲା ସିନା, କାହାକୁ ଚିହ୍ନିପାରୁ ନ ଥିଲେ, କି କିଛି କହିପାରୁ ନ ଥିଲେ । ଏମିତି ପଡ଼ିରହିଲେ ଦୀର୍ଘ ଆଠଦିନ, ତା’ପରେ କଣ କଣ ଅସ୍ପଷ୍ଟ ଭାଷାରେ କହନ୍ତି, କିନ୍ତୁ ଖଟରୁ ଉଠି ପାରୁନଥିଲେ । ତାଙ୍କ ବାମଅଙ୍ଗ ପଡ଼ିଯାଇଥିଲା ।

 

ଦୀନକୃଷ୍ଣ ପ୍ରତିଦିନ ଯାଇ ତଦାରଖ କରନ୍ତି; କିନ୍ତୁ ବିଶେଷ କିଛି ଉନ୍ନତିର ଲକ୍ଷଣ ଦେଖିଲେ ନାହିଁ । ଡାକ୍ତରବାବୁଙ୍କ ସହିତ ପରାମର୍ଶ କଲେ ‘‘କଣ କରିବା ?’’

 

ଡାକ୍ତରବାବୁ କହିଲେ, ‘‘କରିବାର ଆଉ କିଛି ନାହିଁ, ଆପଣ ଯଦି ଚାହାନ୍ତି, ବୁର୍ଲାକୁ ନେଇଯାଇପାରନ୍ତି; କିନ୍ତୁ ସେଠି ଯେ କିଛି ହେବ, ଏ ଆଶା ମୋର ନାହିଁ । ହୁଏତ କିଛିଦିନ ପରେ ଆପେ ଆପେ ଉନ୍ନତି ହୋଇପାରେ, କିନ୍ତୁ ଆଶା କମ୍‌ ।’’

 

ରାମବାବୁଙ୍କ ପୁଅମାନେ ସେତେବେଳକୁ ପହଞ୍ଚି ସାରିଥିଲେ । ସମସ୍ତ ଖର୍ଚ୍ଚ ଦୀନକୃଷ୍ଣବାବୁ ବହନ କରୁଥିଲେ; କିନ୍ତୁ ତଥାପି ତିନିମାସ ଖଟରେ ପଡ଼ିଲାପରେ ରାମବାବୁଙ୍କ ମୃତ୍ୟୁ ହେଲା । ଶେଷପର୍ଯ୍ୟନ୍ତ ତାଙ୍କ ମନକଥା, ମନରେ ରହିଗଲା । ଦୀନକୃଷ୍ଣବାବୁଙ୍କୁ କିଛି କହିପାରିବେ ନାହିଁ ବା କ୍ଷମା ମାଗିପାରିଲେ ନାହିଁ ।

 

ପ୍ରଫୁଲ୍ଲବାବୁ ହତାଶ ହେବା ଲୋକ ନୁହନ୍ତି । ଲତା ଓ୍ୱିଲ୍‌ ଆଣିଲାବେଳକୁ ଧରାପଡ଼ି ଚାକିରିରୁ ବରଖାସ୍ତ ହୋଇ ତା ଘରକୁ ଯିବାର ଖବର ସେ ପାଇଲେ । ରାମବାବୁଙ୍କ ହାର୍ଟ୍‌ ଫେଲ୍‌ ଓ ମୃତ୍ୟୁ ସେ ସବୁ ଜାଣି ତାଙ୍କର ଦୀନକୃଷ୍ଣ ପ୍ରତି ରାଗ ଆହୁରି ବଢ଼ିବାରେ ଲାଗିଲା । ସେ ପତ୍ର ଦେଇ ରମେଶବାବୁଙ୍କୁ ଡକାଇଲେ ।

 

ରମେଶବାବୁ ସେତେବେଳେ ତାଙ୍କ ଫୌଜଦାରୀ ମକଦ୍ଦମାରେ ବ୍ୟସ୍ତ । ପଇସା ପତ୍ରର ଅଭାବ । ତଥାପି ପ୍ରଫୁଲ୍ଲବାବୁଙ୍କ ଡାକରା ପାଇ ବାଧ୍ୟ ହୋଇ ଆସିଲେ ।

 

ପ୍ରଫୁଲ୍ଲବାବୁ କହିଲେ ରମେଶବାବୁ, ରାମବାବୁଙ୍କ ଖବର ତ ପାଇଥିବେ, ବିଚାରୀ ଦୀନକୃଷ୍ଣର ଗୋଲାମୀ କରି କରି ଶେଷରେ ମଲା । ଲତା ବି ପଳେଇଲା, ଆଉ ଓ୍ୱିଲନାମା ପାଇବାର ଆଶା ନାହିଁ । କାରଣ ଦୀନକୃଷ୍ଣ ଏଥର ବିଶେଷ ଭାବରେ ସତର୍କ ହୋଇଯାଇଛି । ଏଥର ଯଦି ସମ୍ପତ୍ତି ପାଇବାର ଇଚ୍ଛା ଅଛି, ତେବେ ଆମକୁ ତାର ଓ୍ୱିଲନାମାକୁ ଜାଲ୍‌ ବୋଲି ପ୍ରମାଣିତ କରିବାକୁ ହେବ । ତେଣୁ ରେବତୀ ଦେବୀଙ୍କ ସହଯୋଗ ଆଉ ଟଙ୍କା ଦରକାର । ନ ହେଲେ କେମିତି ହେବ ?

 

ମୁଁ ଗୋଟିଏ ଫୌଜଦାରୀ କେଶ୍‌ରେ ଏପରି ପଡ଼ିଯାଇଛି, ଆଉ ଏତେ ଖର୍ଚ୍ଚ ବଢ଼ିଯାଇଛି ଯେ, ତହିଁରୁ ତ୍ରାହି ନ ମିଳିବା ପର୍ଯ୍ୟନ୍ତ କିଛି କହିହେଉନାହିଁ । ତା’ପରେ ରେବତୀ ତ ମୁଷ୍କିଲ୍‌ କରୁଛି, ଜମା ମଙ୍ଗୁ ନାହିଁ । ଏ କେଶ୍‌ ନ ଥାଆନ୍ତା କି ତାକୁ ବାଧ୍ୟ କରି ହୁଅନ୍ତା; କିନ୍ତୁ ବର୍ତ୍ତମାନ କିଛି କରି ହେଉନାହିଁ । ଆଉ କିଛିଦିନ ଅପେକ୍ଷା କରାହେଉ, ପରେ ତାର ବ୍ୟବସ୍ଥା କରିବା ।

 

‘‘ଅପେକ୍ଷା କରି କରି ତ ଏତେବର୍ଷ ଗଲାଣି, ହେଉ ଆପଣଙ୍କ ମକଦ୍ଦମା ଶୀଘ୍ର ଶେଷକରନ୍ତୁ । ମୁଁ ଆହୁରି କିଛି ଫନ୍ଦିଫିକର କରେ କହି ପ୍ରଫୁଲବାବୁ ଗମ୍ଭୀର ହୋଇପଡ଼ିଲେ । ତାଙ୍କର ରାଗ ବଢ଼ିଚାଲିଛି । କେତେବେଳେ ରମେଶବାବୁ ଉପରେ ତ କେତେବେଳେ ରେବତୀ ଉପରେ । ଆଉ କେତେବେଳେ ରାମବାବୁଙ୍କ ଉପରେ ତ, କେବେ ପୁଣି ଲତା ଉପରେ, କିନ୍ତୁ ଆଉ ଅନ୍ୟ କିଛି ଉପାୟ ଦେଖୁନାହାନ୍ତି । କଣ କରିବେ ?

 

ବର୍ତ୍ତମାନ କେବଳ ପ୍ରଚାର କରି ଦୀନକୃଷ୍ଣବାବୁଙ୍କୁ ସରକାରୀ କଳ ମାଧ୍ୟମରେ ଜବତ୍‌ କରିବା ଛଡ଼ା ଆଉ କିଛି ଉପାୟ ନାହିଁ । ତାଙ୍କର ଏସ୍‌ ଡ଼ି.ଓ ବନ୍ଧୁ ମଧ୍ୟ ବଦଳି ହୋଇଗଲେଣି । ନୂଆଲୋକ ସଙ୍ଗରେ ତାଙ୍କର ପରିଚୟ ମଧ୍ୟ ହୋଇନାହିଁ, ତେଣୁ ସେଆଡ଼େ ମଧ୍ୟ କିଛି କରିବାର ଉପାୟ ନାହିଁ । ନିଜ ମୁଣ୍ଡ ବାଳ ଟାଣି ଓପାଡ଼ିବା ଛଡ଼ା ଅନ୍ୟ ଗତି ନାହିଁ ।

 

ରମେଶବାବୁ ଆରଦିନ ସକାଳୁ ଫେରିଲେ । ଘରକୁ ଯାଇ ରେବତୀଙ୍କୁ ଆଉ କିଛି କହିଲେନାହିଁ । ରେବତୀ ବାରମ୍ୱାର ପଚାରୁଥାନ୍ତି । ଇଏ ହୁଁ–ହାଁ କହି ଚୁପ ମାରୁଥାନ୍ତି ।

 

ରେବତୀ କହିଲେ, ପ୍ରଫୁଲ୍ଲବାବୁ କାହିଁକି ଡକାଇଥିଲେ ?

 

‘‘ଛାଡ଼, ତହିଁରୁ କ’ଣ ପାଇବ ? ରାମବାବୁଟା ବିଚରା ମରିଗଲା । ବଡ଼ କଷ୍ଟ ପାଇଲା ।’’

 

‘‘ହେଁ-, ରାମଭାଇ ମରିଗଲେ ? ଆହାଃ ବାପାଙ୍କ କେଡ଼େ ବିଶ୍ୱସ୍ତ ଲୋକ, କ’ଣ ହୋଇଥିଲା ?’’

 

‘‘କିଛି ନାହିଁ, ବୟସ ହୋଇଥିଲା, ଆଉ ପୁଣି କାମର ଚାପରେ ହାର୍ଟ୍‌ଫେଲ ହୋଇଗଲା-।’’

 

‘‘ଆହା ହା–, ବିଚାରା, ତା ପିଲାମାନେ ତ ପାରିଲେଣି ?’’

 

‘‘କେଜାଣି, କଣ କଣ କରୁଛନ୍ତି !’’

 

‘‘ଆମ ଦୀନାର କିଛି ଖବର ପାଇଲ ? ସେ ଆଡ଼କୁ ତୁ ଯାଇନଥିବୁ ?’’

 

‘‘ନା, ଖବର ଆଉ କ’ଣ, ତା କାରବାର ଚଳେଇଛି । ସେ–ଟୋକୀ ଛାଡ଼ି ପଳାଇଲାଣି ବୋଲି ଶୁଣିଲି, ପୁଣି କାହା ଖୋଜରେ ଥିବ, ଆଉ କଣ ?’

 

‘‘ଆଉ ପ୍ରଫୁଲ୍ଲ ବାବୁ କ’ଣ କହିଲେ ?’’

 

‘‘ସେ ଆଉ କ’ଣ କହିବେ, ସେ କହିଲେ ‘ସେଇ ମକଦ୍ଦମା କଥା, ସମ୍ପତ୍ତି ସରିଗଲାପରେ ଆଉ କଣ ମାମଲା କରିବ ଯେ, ‘ହେବ’ ବୋଲି କହିଲେ । ମୁଁ କହିଲି ‘ରେବତୀ ମଙ୍ଗୁ ନାହାନ୍ତି ।’’

 

‘‘ଆଚ୍ଛା, ମୁଁ ଗୋଟିଏ କଥା ବୁଛିପାରୁନାହିଁ, ପ୍ରଫୁଲ୍ଲବାବୁ ମୋ ବାପାଙ୍କ ସମ୍ପତ୍ତି ଓ ମୋର ପାଇବା ନ ପାଇବା ବିଷୟରେ ଏତେ ଚିନ୍ତିତ କାହିଁକି ?’’

 

ରମେଶବାବୁ ବିଗିଡ଼ିଗଲେ, କହିଲେ, ‘‘ତୁମେ ତ ଆଚ୍ଛା ଲୋକ ! ସେ ବିଚାରା ଆମ ବନ୍ଧୁ ବୋଲି, ଆମ ପାଇଁ ଏତେ ଚିନ୍ତା କରୁଛନ୍ତି, ନହେଲେ ତାଙ୍କର ଯାଏ ନା ଆସେ, ତା’ପରେ ତୁମେ ତ ଜାଣିଛ ତୁମ ବାପା ପ୍ରଫୁଲ୍ଲବାବୁଙ୍କୁ କେତେ ଭଲ ପାଉଥିଲେ । ନିଜଲୋକ ବୋଲି ସିନା ଏତେ ଚିନ୍ତା କରୁଛନ୍ତି, ନହେଲେ ଆଉମାନେ କରୁନାହାନ୍ତି ଯେ ।’’ ପୁଣି କହିଲେ–‘‘ଏଇଟା କଳିଯୁଗ କିନା, ଯେ ଭଲକଥା କହିବ, ତାକୁଇ ଲୋକେ ଭୁଲ୍‌ ବୁଝନ୍ତି ।’’

 

ରେବତୀ ଆଉକିଛି କହିଲେ ନାହିଁ । ସେଠୁ ଉଠି ଚାଲିଗଲେ ।

 

ରମେଶବାବୁ ପୁଣି ତାଙ୍କ ଫୌଜଦାରୀ ମାମଲାରେ ବ୍ୟସ୍ତ ହୋଇପଡ଼ିଲେ । ରମେଶବାବୁଙ୍କ ପରିସ୍ଥିତି ଖୁବ୍‌ ବଦଳିଗଲାଣି । ପୂର୍ବର ଆତ୍ମାଭିମାନ ଆଉ ନାହିଁ, ପୂର୍ବର ଆୟ ବା ସମ୍ପତ୍ତି ନାହିଁ । ମାନ ସମ୍ମାନ, ପ୍ରତିପତ୍ତି ଚାଲିଗଲାଣି । ସାରା ଗାଁ, ଆଜି ତାଙ୍କୁ ଛି-ଛି, ଥୁ-ଥୁ କରୁଛନ୍ତି-। ଗାଁରେ ସାକ୍ଷୀଟିଏ ପାଉନାହାନ୍ତି । ଯଦି ଯୋଗାଡ଼ କରୁଛନ୍ତି, ତେବେ ଅନେକ ମୂଲ୍ୟ ଦେବାକୁ ହେଉଛି । ତଥାପି, ପୂରାପୂରି ଭରସା ରଖି ହେଉନାହିଁ । ବର୍ତ୍ତମାନ ନିଜେ କିପରି ମାମଲାରୁ ଉଦ୍ଧାର ପାଇବେ, ସେ; ବିଷୟରେ ଉଦ୍‌ବିଗ୍ନ । ଦୀନକୃଷ୍ଣ ପାଇଁ ଚିନ୍ତା କରିବାକୁ ତାଙ୍କର ଆଉ ଅବସର ନାହିଁ; କିନ୍ତୁ ପ୍ରକୃତି ଓ ଅଭ୍ୟାସ ଗତ ଦୋଷରୁ, ସମୟ ସମୟରେ–ତାଙ୍କର ଗୁପ୍ତ କ୍ରୋଧ ଦୀନକୃଷ୍ଣବାବୁଙ୍କ ଉପରେ ଅଜାଡ଼ି ଦେଉଅଛନ୍ତି । ତାଙ୍କର ସମସ୍ତ ଦୁଃଖ ଦୈନ୍ୟ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ ହେଉ ଦୀନକୃଷ୍ଣବାବୁ ହିଁ ଦାୟୀ, ବୋଲି କହି ବୁଲୁଛନ୍ତି । ଯଦିଓ ମନରେ ସେ ପୂରାପୂରି ବିଶ୍ୱାସ କରିପାରୁନାହାନ୍ତି, ତଥାପି ପ୍ରଚାର ଚଳେଇଛନ୍ତି ।

 

ମଣିଷ ନିଜ ଭୁଲ୍‌ ସ୍ୱୀକାର କରିବା ପାଇଁ କେତେବେଳେ ରାଜି ନୁହେଁ । ସେ ନିଶ୍ଚୟ ନିଜ ଭୁଲ୍‌କୁ ଲୁଚାଇବା ପାଇଁ ଚେଷ୍ଟା କରିବ । ଯଦି ନିହାତି ଲୁଚାଇ ନ ପାରେ, ତେବେ ଆଉ କାହା ଉପରେ ଲଦି ଦେବାକୁ ଚେଷ୍ଟା କରିବ । ସେଥିରେ ମଧ୍ୟ ଅସଫଳ ହେଲେ କାହାର ବୁଦ୍ଧିରେ ପଡ଼ି ଭୁଲ୍‌ କରି ବସିଲି ବୋଲି, ପରୋକ୍ଷରେ ହେଲେ ଦୋଷାରୋପ କରି କହିବ ଏବଂ, ତହିଁରେ ମଧ୍ୟ ସନ୍ତୁଷ୍ଟ ହୋଇ ନ ପାରିଲେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେବା ଅତି ସହଜ, କାରଣ, ଭାଗ୍ୟ ବା’ ଭଗବାନ ତା’ର ପ୍ରତିବାଦ କରିବେ ନାହିଁ, ଅଥବା କିଛି ଉତ୍ତର ଦେବେ ନାହିଁ ।

 

ସେହି ପରିସ୍ଥିତି ଘଟିଛି ବର୍ତ୍ତମାନ ରମେଶବାବୁଙ୍କର । ଦୀନକୃଷ୍ଣଙ୍କୁ ସାହାଯ୍ୟ ମାଗିବା ପାଇଁ ବା ଖବର ଦେବା ପାଇଁ ତାଙ୍କର ଆଉ ସାହସ ହେଉନାହିଁ । ଗାଁ ବାଲାଏ ତାଙ୍କ କଥା ମାନିବାକୁ ପ୍ରସ୍ତୁତ ନୁହନ୍ତି, ବର୍ତ୍ତମାନ ସେ’ ନ ନୀରେ ନ ତୀରେ । ତେଣୁ ସବୁ ଦୋଷ ଦୀନକୃଷ୍ଣଙ୍କ ଉପରେ ଲଦି ଦେଇ, ମନକୁ ପ୍ରତାରିତ କରିବାରେ ବ୍ୟସ୍ତ ।

 

(ତେର)

 

ପ୍ରଫୁଲ୍ଲବାବୁଙ୍କ ଜୀବନ ବଡ଼ ବିଚିତ୍ର ଭାବରେ ଗତିକରି, ଆଜି ପର୍ଯ୍ୟନ୍ତ ଭିନ୍ନ ପ୍ରକାରେ ଗଡ଼ିଆସିଛି । ସେ ଥିଲେ ଗୋଟିଏ ସମ୍ଭ୍ରାନ୍ତ ଚାଷୀ ପରିବାରର । ଓକିଲାତି ପାସ୍‌ କଲାପରେ କିଛି ଦିନ ଓକିଲାତି କଲେ; କିନ୍ତୁ ତହିଁରେ ସେ’ ବିଶେଷ କୃତକାର୍ଯ୍ୟ ହୋଇପାରି ନ ଥିଲେ । ମଦ୍ୱକିଲ୍‌ମାନଙ୍କ ବିଶ୍ୱାସ ହରାଇ ସେ ଯେତେବେଳେ ହତୋତ୍ସାହ ହୋଇପଡ଼ୁଥିଲେ, ସେତେବେଳେ ଭଗବାନ ତାଙ୍କୁ ଗୋଟିଏ ସୁଯୋଗ ଜୁଟାଇ ଦେଇଥିଲେ ।

 

ଦୀନକୃଷ୍ଣବାବୁ, ଗୋଟିଏ ଗରିବ ପିଲାକୁ ଆଣି ଚପରାସୀ ଭାବରେ ରଖିଥିଲେ, କିନ୍ତୁ ଯେତେବେଳେ ଦେଖିଲେ ଯେ ଦିନେ ସେ ଦୋକାନ ଖୋଲି ଟ୍ରେଜେରୀ ତାଲା ଭାଙ୍ଗୁଛି, ସେତେବେଳେ ତା’କୁ ଦୁଇ ଚାପୁଡ଼ା ମାରି ବାହାର କରିଦେଇଥିଲେ । ତା’ ପରେ ଦଲେଇର ଜୀବନର ଗତି ଅତି ପ୍ରଖର ହୋଇପଡ଼ିଥିଲା । ସେ ଅନେକ ଚୋର, ପିକ୍‌ପକେଟ୍‌ ଗୁଣ୍ଡାମାନଙ୍କ ସରଦାର ହୋଇ ବେଶ୍‌ ପଇସା ରୋଜଗାର କଲା । ଥରେ ଧରାପଡ଼ି ପ୍ରଫୁଲ୍ଲବାବୁଙ୍କ ସହିତ ପୂର୍ବ ପରିଚୟର ସୁବିଧା ନେଇ ଅତି କଷ୍ଟରେ ଜେଲ୍‌ରୁ ବଞ୍ଚିଯାଇଥିଲା । ସେହି ଦିନଠୁ ତା’ର ପ୍ରପୁଲ୍ଲ ବାବୁଙ୍କ ସହିତ ଅତି ଘନିଷ୍ଠ ସମ୍ପର୍କ ଗଢ଼ିଉଠୁଥାଏ ।

 

ଏ ମଧ୍ୟରେ ଦଲେଇ ମାଝି, ଦୌଲତରାମ ହୋଇସାରି ଥିଲାଣି । ଅତି ଜାକ୍‌ଜମକ୍‌ରେ ଚଳୁଥାଏ । ତା’ର ବ୍ୟବସାୟର ପରିସର ଓ ଦିଗ ମଧ୍ୟ ବଢ଼ିଚାଲୁଥାଏ । ଚୋରା ସୁନା ବେପାର, ଅଫିମ, ଗଞ୍ଜେଇ ଆଦି ଚୋରା ଚାଲାଣ, ବିଦେଶୀ ଜିନିଷର ଚୋରା କାରବାର ଆଦିରେ ସେ ବେଶ୍‌ ଅଗ୍ରଗତି କରିସାରିଥାଏ । ବର୍ତ୍ତମାନ ତା’ପରିସର କେବଳ ବରଗଡ଼ ବା’ ଓଡ଼ିଶା ନୁହେଁ । ବମ୍ୱେ, କଲିକତା, ମାଡ଼୍ରାସ, ଦିଲ୍ଲୀ, ସାରାଭାରତ, ଏପରିକି ଭାରତ ବାହାରେ ମଧ୍ୟପ୍ରାଚ୍ୟ ସହିତ ମଧ୍ୟ ଯୋଗାଯୋଗ ହେଉଥାଏ । ତେଣୁ ତା’କୁ ସବୁବେଳେ ପ୍ରାୟ ବାହାରେ ରହିବାକୁ ପଡ଼ୁଥାଏ । ଯେତେବେଳେ ବରଗଡ଼ ଆସେ, ସେତେବେଳେ ତା’ର ପୁରୁଣା ଦୋସ୍ତ୍‌ ଓ ସ୍ତାବକମାନେ କହନ୍ତି ‘‘ଦଲେଇ, ଏତେ ବଡ଼ଲୋକ ହେଲଣି, ଆମକୁ ଏଭଳି ଅବସ୍ଥାରେ ଛାଡ଼ିଗଲ ?’’

 

ନା, ସେ ବରଗଡ଼ର ମାୟା ଛାଡ଼ି ପାରିନାହାନ୍ତି, ସେ ବରାବର ବରଗଡ଼ ପ୍ରତି ଅନୁରାଗ ରଖିଥାନ୍ତି । ସେହି ତାଙ୍କ ପୁରୁଣା ଦୋସ୍ତ୍‌ମାନଙ୍କୁ, ପ୍ରଫୁଲ୍ଲବାବୁଙ୍କ ଜିମାରେ ରଖିଥାନ୍ତି ।

 

ନିଜେ ନିରକ୍ଷର ହୋଇଥିବାରୁ, ପ୍ରଫୁଲ୍ଲବାବୁଙ୍କୁ ମଧ୍ୟ ମୋଟା ପଇସା ଦେଇ ରଖିଥାନ୍ତା । ତା’ପରେ ସରକାରୀ ଅଫିସରମାନଙ୍କୁ ତାଙ୍କରି ଜରିଆରେ ପଇସା ଆଦି ଦେଇ ଜବତ୍‌ କରି ରଖିଥାନ୍ତି । ତାଙ୍କ ଦଳକୁ ମଧ୍ୟ ସବୁବେଳେ ସାହାଯ୍ୟ କରିବା ପାଇଁ ପ୍ରଫୁଲ୍ଲ ବାବୁଙ୍କ ପ୍ରତି ନିର୍ଦ୍ଦେଶ ଥାଏ ।

 

ତା’ପରେ, ମୀରା..... ?

 

ମୀରା ହେଉଛନ୍ତି ପ୍ରଫୁଲ୍ଲବାବୁଙ୍କ ସ୍ତ୍ରୀ, ଅତ୍ୟାଧୁନିକା, ସୁନ୍ଦରୀ । ଗୋଟିଏ ଝିଅ ହେଲାପରେ ମଧ୍ୟ ସେ ତାଙ୍କ ରୂପ ଓ ଯୌବନ ଅକ୍ଷୁଣ୍ଣ ରଖିଥାନ୍ତି । ଦଲେଇ ଓରଫ୍‌ ଦୌଲତରାମ ଯେତେବେଳେ ବରଗଡ଼ ଆସନ୍ତି, ମୀରା ତାଙ୍କରି ପ୍ରାସାଦରେ ରହନ୍ତି । ଦୌଲତରାମଙ୍କ ଅନୁପସ୍ଥିତିରେ, ତାଙ୍କର ପ୍ରାସାଦ ଓ ଉଦ୍ୟାନ, ଚାକରବାକର ସମସ୍ତଙ୍କର ଭାର ମୀରାଦେବୀଙ୍କ ଉପରେ । ଅବଶ୍ୟ ଦୌଲତରାମ ନ ଥିଲେ, ମୀରାଦେବା ପ୍ରଫୁଲ୍ଲବାବୁଙ୍କ ସହିତ ତାଙ୍କ ବସାରେ ଥାଆନ୍ତି ।

 

ଏଇହେତୁ, ଓକିଲାତି କରିବା ପାଇଁ ପ୍ରଫୁଲ୍ଲବାବୁଙ୍କ ସମୟ ନ ଥାଏ । ଏହିପରି ଭାବରେ ତାଙ୍କର ଦିନକାଳ କଟୁଥାଏ ।

 

ଦୌଲତରାମ, ଔଦାର୍ଯ୍ୟରେ ସେ ଧନୀ, ତାଙ୍କ ଦଳ ପାଇଁ ସେ ବଳୀୟାନ୍‌ । ଅଫିସରମାନଙ୍କ ବନ୍ଧୁତା ଯୋଗୁ ସେ ସମ୍ମାନନୀୟ । ତାଙ୍କର ଶକ୍ତି ଏତେବେଶି ଯେ, ସମସ୍ତେ ତାହାଙ୍କୁ ଭୟକରନ୍ତି ।

 

ଦଳ ଯେ କେବଳ ମୂର୍ଖ ଅପାଠୁଆ ଚୋରଙ୍କୁ ନେଇ ଗଢ଼ିଛନ୍ତି ତା’ ନୁହେଁ । ତହିଁରେ ଅଛନ୍ତି ଚୋରା ବେପାରୀ, ଓ ଡାକ୍ତରଙ୍କ ଭଳି ବୁଦ୍ଧିଜୀବୀ ଏବଂ ପହେଲ୍‌ମାନ ଓ ଶାରୀରିକ ଶକ୍ତିସମ୍ପନ୍ନ ବ୍ୟକ୍ତି । ବରଗଡ଼ରେ ଧନବଳ, ଜନବଳ ଓ ବୁଦ୍ଧିବଳରେ ସେ ବଳୀୟାନ୍‌ । ପ୍ରଫୁଲ୍ଲବାବୁ ବରଗଡ଼ରେ ଦୌଲତରାମଙ୍କ ପ୍ରତିନିଧିରୂପେ କାର୍ଯ୍ୟ ତୁଲାଇ ନେଉଥିଲେ ।

 

ହଠାତ୍‌ ଦିନେ ଶୁଣିଲେ ଯେ ସି.ବି.ଆଇରୁ ଦଳେ ଆସି ଦୌଲତରାମଙ୍କ ପ୍ରାସାଦକୁ ତନ୍ନ ତନ୍ନ କରି ଯାଞ୍ଚ୍‌ କରୁଛନ୍ତି । ସ୍ଥାନୀୟ ପୋଲିସ୍‌ମାନେ ସେହି ପ୍ରାସାଦ ଚାରିଆଡ଼େ ଘେରିରହିଛନ୍ତି । ଆହୁରି ଶୁଣିଲେ ଯେ ଦୌଲତରାମ କୁଆଡ଼େ ଦିଲ୍ଲୀରେ ଧରାପଡ଼ି ଜେଲ୍‌ରେ ଅଛନ୍ତି । ତାଙ୍କର ସମସ୍ତ ସମ୍ପତ୍ତି ଯାଞ୍ଚ୍‌ ହେବ ଓ କୋରକ ହେବ ।

 

ପ୍ରଫୁଲ୍ଲବାବୁ ଦୌଡ଼ିଗଲେ ସମ୍ୱଲପୁର ପୋଲିସ ସାହେବଙ୍କ ପାଖକୁ; କିନ୍ତୁ ପୋଲିସ୍‌ସାହେବ ତାଙ୍କ ସମୟର ଅଭାବ ଦର୍ଶାଇ, ତାଙ୍କୁ ଫେରାଇଦେଲେ ।

 

ଦୌଲତରାମଙ୍କ ଘରେ କାଗଜାତ୍‌ ଦେଖାଦେଖି ଚାଲିଥାଏ । ପ୍ରଫୁଲ୍ଲବାବୁ ବଡ଼ ସନ୍ଦିଗ୍‌ଧ ହୋଇପଡ଼ିଲେ । ହୁଏତ ତାଙ୍କ ଘର ମଧ୍ୟ ଯାଞ୍ଚ୍‌ ହୋଇପାରେ । ତାଙ୍କର ବନ୍ଧୁମାନଙ୍କର ପୁଣି କି ଅବସ୍ଥା ହେବ, କିଛି ଭାବିପାରୁ ନ ଥିଲେ । କ’ଣ କରିବେ ? ସେ ଓ ମୀରା କିଛିଦିନ ପାଇଁ କଲିକତା ବା ବମ୍ୱେ ଚାଲିଯିବାକୁ ମନସ୍ଥ କଲେ; କିନ୍ତୁ ତାଙ୍କ ସାଙ୍ଗସାଥୀଗୁଡ଼ାକ ତାଙ୍କୁ କହିଲେ, ‘‘ଏପରି ବିପଦ ସମୟରେ ଆମକୁ ଛାଡ଼ି କୁଆଡ଼େ ଯିବେ ? କେତେବେଳେ କେଉଁକଥା, ଏତେ ଖରଚ ହେଉଛି, ସବୁ ଟଙ୍କା କେଉଁଠୁ ଆସିବ ?’’ ଇତ୍ୟାଦି ।

 

ଦୀର୍ଘ ଚାରିଦିନ ଯାଞ୍ଚ୍‌ ହୋଇ ସାରିଲାପରେ, ଘରେ ସିଲ୍‌ ମାରି ସବୁ କାଗଜାତ୍‌ ସଙ୍ଗରେ ନେଇ ଦିଲ୍ଲୀରୁ ଆସିଥିବା ସି.ବି. ଆଇ ଲୋକେ ଚାଲିଗଲେ ।

 

ଏଆଡ଼େ ତାଙ୍କ ଦଳର ଲୋକେ, ଦୌଲତରାମଙ୍କ ଚାକରବାକରମାନେ ସମସ୍ତେ ପ୍ରଫୁଲ୍ଲବାବୁଙ୍କୁ ପଇସା ପାଇଁ ଲଗେଇଲେ । ପ୍ରଫୁଲ୍ଲବାବୁ ଦେବେ କୁଆଡ଼ୁ ? ତାଙ୍କୁ ବୁଝାଇବାକୁ ଚେଷ୍ଟାକଲେ; କିନ୍ତୁ କିଏ କାହିଁକି ବୁଝିବ ? କାହାର ମଦ ପାଇଁ ପଇସା ନାହିଁ ତ, କାହାର ଜୁଆରେ ପଇସା ହାରିଯାଇଥିବାରୁ ଟଙ୍କା ଦରକାର । ପ୍ରଫୁଲ୍ଲବାବୁଙ୍କ ପାଖରେ ଆଉ ପଇସା ନାହିଁ । ଚାକରମାନଙ୍କ ଦରମା ଦରକାର, କିନ୍ତୁ ପ୍ରଫୁଲ୍ଲବାବୁ ଦେବେ କୁଆଡ଼ୁ ?

 

ଦୌଲତରାମଙ୍କ ପ୍ରାସାଦ ଖାଲି ହୋଇଗଲା, କିନ୍ତୁ ପ୍ରଫୁଲ୍ଲବାବୁଙ୍କ ଉପରେ ଚାପ ଦିନକୁ ଦିନ ବଢ଼ିଚାଲିଲା । କ’ଣ କରିବେ ? ସବୁବେଳେ ଶଙ୍କା ଯେ ସରକାର ତାଙ୍କୁ ଧରିନେବ କି ? ତାଙ୍କ ଘର ମଧ୍ୟ ଯାଞ୍ଚ୍‌ ହେବ କି ? ଅନ୍ୟଆଡ଼େ ଏଇମାନଙ୍କ ଦୌରାତ୍ମ୍ୟ; ସେମାନଙ୍କୁ ଦରକାର ପଇସା, କିନ୍ତୁ କେଉଁ ବିପଦ ପଡ଼ିଛି ସେକଥା ସେମାନଙ୍କର ଭାବିବା ଦରକାର ନାହିଁ ।

 

ଦିନେ ମାନକିରାମ ଦଳେ ଲୋକଙ୍କୁ ନେଇ ଠେଙ୍ଗାବାଡ଼ି ଧରି ପ୍ରଫୁଲ୍ଲବାବୁଙ୍କ ଘରେ ହାଜର । ସମସ୍ତେ ମାତାଲ୍‌, କେହି କାହାରି କଥା ଶୁଣୁନାହାନ୍ତି । ଆସି ପ୍ରଫୁଲ୍ଲବାବୁଙ୍କ ଘର ଦରଜା ପିଟିଲେ । ପ୍ରଫୁଲ୍ଲବାବୁ ଆତଙ୍କିତ ହୋଇପଡ଼ିଲେ । ପୋଲିସ୍‌କୁ ଖବର ଦେବାପାଇଁ ସାହସ ନାହିଁ; କାରଣ ଏ ସମସ୍ତେ ତାଙ୍କରି ଲୋକ, ତାଙ୍କୁ ନେଇ ସେ କେତେ କୁଟୁମ୍ୱକୁ ଧରାଶାୟୀ କରିପାରିଛନ୍ତି, କେତେ କୁମାରୀ ଯୁବତୀଙ୍କ ସର୍ବସ୍ୱ ଅପହରଣ କରିଛନ୍ତି ଓ କରେଇଛନ୍ତି । ଏହାଙ୍କ ବିରୁଦ୍ଧରେ ପୋଲିସ୍‌କୁ ଖବରଦେଲେ ତାଙ୍କ ମୁଖା ଏମାନେ ଖୋଲି ଦେବେ, ତା’ହେଲେ ତାଙ୍କ ଅବସ୍ଥା କ’ଣ ହେବ ? କ’ଣ କରିବେ ? ଦରଜା ନ ଖୋଲି ଭିତରେ ଚୁପ୍‌ ହୋଇରହିଲେ । ଆଖପାଖ ଲୋକେ ଜମା ହୋଇଗଲେ, ସେମାନଙ୍କର କି ସାହସ, ଯେ ଏମାନଙ୍କୁ ବୁଝେଇ ଶୁଝେଇ ବିଦା କରିପାରିବେ-। ଏତେବେଳେ, ସେହିମାନଙ୍କ ଭିତରୁ ଜଣେ ଯାଇ ପୋଲିସ୍‌କୁ ଖବରଦେଲେ । ପୋଲିସ୍‌ ଆସି ସେମାନଙ୍କୁ ସେଇଠୁ ଘଉଡ଼ାଇଦେଲେ । ପ୍ରଫୁଲ୍ଲବାବୁ ସେହି ସମୟରେ ସିନା ରକ୍ଷା ପାଇଗଲେ, କିନ୍ତୁ ମାନିକରାମ ଓ ତାଙ୍କ ଦଳର ଲୋକେ କ’ଣ ମାନିଯାଇ ଚୁପ୍‌ ରହିବେ ? ଆହୁରି ରାଗିଗଲେ-। କହିଲେ ‘‘ଶଳା ମାଇଚିଆ, ମାଇଚିଆଙ୍କ ଭଳି ଘରେ ଲୁଚିଛି । ଆମେ ଆମ ଜୀବନ ବିପନ୍ନ କରି, ଭୋକରେ ମଲାବେଳକୁ ଶଳା ଘରେ ରହି ମଉଜ କରୁଛି, ଆଚ୍ଛା ଦେଖିନେବା ।’’

 

ଦୌଲତରାମଙ୍କ ଛାଡ଼ ପାଇବା କୌଣସି ଆଶା ନାହିଁ, ତାଙ୍କର ସବୁ ସମ୍ପତ୍ତି କୋରକ ହୋଇ, ସରକାର ନିଜ ହାତକୁ ନେଇ ସାରିଲେଣି ।

 

ପ୍ରଫୁଲ୍ଲବାବୁ ଘରୁ ବାହାରି ପାରୁନାହାନ୍ତି, ଲୋକେ ସବୁ ଜାଣିଗଲେଣି । ତାଙ୍କର ଆୟ ପନ୍ଥା ଏକବାରେ ବନ୍ଦ ହୋଇଗଲାଣି, ଅଥଚ ତାଙ୍କରି ଦଳର ଲୋକେ ତାଙ୍କୁ ସବୁବେଳେ ପଇସା ଦାବିକରି ଅଥୟ କରିପକାଉଛନ୍ତି, ଦାବିର ସୀମା ନାହିଁ କି ଅନ୍ତ ନାହିଁ । ଦଳର ଅସନ୍ତୁଷ୍ଟ ଲୋକେ, ସବୁକଥା ପ୍ରଚାର କରି ବୁଲୁଛନ୍ତି ଓ ସୁଯୋଗ ଖୋଜୁଛନ୍ତି । ତାଙ୍କୁ ସମୁଚିତ ଶିକ୍ଷା ଦେଇଦେବା ପାଇଁ-

 

ପ୍ରଫୁଲ୍ଲ ବାବୁ, ସେମାନଙ୍କୁ ଶାନ୍ତ କରିବା ସକାଶେ ଅନେକ ଚେଷ୍ଟା କରୁଛନ୍ତି, ଅନେକ ଭବିଷ୍ୟତ ପ୍ରଲୋଭନ ଦେଖାଉଛନ୍ତି, କିନ୍ତୁ ସବୁ ବିଫଳ ହେଉଛି । ଲୋକଙ୍କର ବିଶ୍ୱାସ ଥରେ ହରାଇବସିଲେ, ତା’କୁ ପୁଣି ଫେରିପାଇବା ଦୁଃସାଧ୍ୟ । ଲୋକମତ ତ ମେଣ୍ଢାଦଳ ପରି, ଯେଉଁ ଆଡ଼କୁ ମାଡ଼ିଯାଏ, ମାଡ଼ିଯାଏ, ଆଉ ଏଆଡ଼େ ସେଆଡ଼େ ହୁଏନାହିଁ । ଅଫିସର୍‌ମାନେ ଆଉ ୟାଙ୍କ ପାଖ ମାଡ଼ୁ ନାହାନ୍ତି, କାରଣ ଆଉ ୟାଙ୍କ ସାଙ୍ଗରେ ସାମାନ୍ୟ କିଛି ସମ୍ପର୍କ ରଖିଲେ ନିଜର ଚାକିରି ମଧ୍ୟ ବିପଦାପନ୍ନ, ଏ କଥା ସେମାନେ ପରିଷ୍କାର ବୁଝୁଛନ୍ତି । ଏଭଳି ପରିସ୍ଥିତିରେ କ’ଣ କରିବେ ପ୍ରଫୁଲ୍ଲବାବୁ ?

 

ମୀରାଦେବୀଙ୍କ ଅସନ୍ତୋଷ କିଛି କମ୍‌ ନୁହେଁ । ପ୍ରଫୁଲ୍ଲବାବୁ, ମୀରାଦେବୀଙ୍କ ପାଇଁ କିଛି କରିପାରୁନାହାନ୍ତି । ଦୌଲତରାମ, ମୀରାଦେବୀଙ୍କ ପାଇଁ ଯାହା କରୁଥିଲେ, ତାହା ମୀରା, ପ୍ରଫୁଲ୍ଲବାବୁଙ୍କଠୁଁ ଆଶା କରିବା ଯଦିଓ ଅବାନ୍ତର, ତଥାପି ଅଭ୍ୟାସଗତ ଅନେକ ଚାହିଦା ତ ପୁଣି ଅଛି । ସେ ସାମାନ୍ୟ ଚାହିଦା ମଧ୍ୟ, ପ୍ରଫୁଲ୍ଲବାବୁ ପୂରଣ କରି ପାରୁନଥିବାରୁ, ପ୍ରତିଦିନ ଘରେ ଗୃହଯୁଦ୍ଧ । ଲୋକେ କୁହାକୁହି ହେଉଛନ୍ତି ଯେ’ ‘ମୀରାଦେବୀ ଥରେ ଦି’ଥର ପ୍ରଫୁଲ୍ଲବାବୁଙ୍କୁ ମାଡ଼ ମଧ୍ୟ ଦେଲେଣି ।’

 

‘ବର୍ତ୍ତମାନ ପ୍ରଫୁଲ୍ଲବାବୁଙ୍କ ପ୍ରାଣଭୟ ଅତ୍ୟଧିକ ହେଲାଣି । ବିପଦ ଆସିଲେ ଚାରିଆଡ଼ୁ ମାଡ଼ିପଡ଼େ । ପ୍ରଫୁଲ୍ଲବାବୁଙ୍କ ଗୋଟିଏମାତ୍ର ଅଲିଅଳ ଝିଅ ‘ଗୀତା’ ଅହମ୍ମଦ୍‌ ସହିତ କୁଆଡ଼େ ପଳେଇଲାଣି । ଅହମ୍ମଦ ଅବଶ୍ୟ ପ୍ରଫୁଲ୍ଲବାବୁଙ୍କ ଦଳର । ହେଲେ ଭୀଷଣ ମଦ୍ୟପୀ ଓ ଗୁଣ୍ଡା । ଗୀତା, ସ୍ୱଇଚ୍ଛାରେ ଯାଇଛି ନା ଅହମ୍ମଦର ବଳାତ୍କାରରେ ଝିଙ୍କିହୋଇ ଯାଇଛି, ତା’ କେହି କହି ପାରୁନାହାନ୍ତି । ମୀରା ମଧ୍ୟ ଏଇଥିପାଇଁ ପ୍ରଫୁଲ୍ଲବାବୁଙ୍କୁ ଦାୟୀ କରୁଛନ୍ତି ।

 

‘‘ଏମିତି ଗୁଡ଼ାଏ ଲୋକଙ୍କ ସହିତ ସମ୍ପର୍କ ରଖିଲ ଯେ, ଶେଷକୁ ଆମରି ଉପରେ ମାଡ଼ ପଡ଼ିଲା । ଗୀତାକୁ ସେ ଗୁଣ୍ଡା ନେଇଗଲା ଓ ତୁମେ ବାପହୋଇ ଚୁପ୍‌ ହୋଇଅଛ ।’’

 

ପ୍ରଫୁଲ୍ଲବାବୁ ଅସହାୟ, କ୍ରୋଧରେ ଯେତେ ବିବ୍ରତ ହେଲେ କ’ଣ ହେବ ?

 

ମୀରା ଏସବୁ ଦୁଃଖ କଷ୍ଟ ସହି ନ ପାରି ପାଗଳୀଙ୍କ ଭଳି ବ୍ୟବହାର କରିବାକୁ ଲାଗିଲେ-। ଘରେ ସବୁ ଜିନିଷପତ୍ର ଭଙ୍ଗାରୁଜା, ଫିଙ୍ଗାଫିଙ୍ଗି ଓ ପାଖ ଲୋକଙ୍କୁ ପିଟିବା ଆରମ୍ଭ କଲେଣି-। ପ୍ରଫୁଲ୍ଲବାବୁ କିଛି କରିପାରୁନଥାନ୍ତି, ଡାକ୍ତର ଡାକିଲେ ଆସୁନାହାନ୍ତି । କ’ଣ କରିବେ ? ଶେଷରେ ଜୋର ଜବରଦସ୍ତି ଗୋଟିଏ କୋଠରୀରେ ଭରି, ଉପରେ ତାଲା ପକାଇ ମୀରାଙ୍କୁ ରଖିଲେ-। ଭିତରୁ କିନ୍ତୁ ମୀରା ଅତି ଅଶ୍ଳୀଳ ଭାଷାରେ ବଡ଼ପାଟିରେ ଗାଳିଗୁଲଜ କରୁଥାନ୍ତି ।

 

ପ୍ରଫୁଲ୍ଲବାବୁଙ୍କ ଏହି ଅବସ୍ଥା ଦେଖି, ଘରେ ଆଉ ଚାକରବାକର କେହି ରହିଲେନାହିଁ ! ସେ ବର୍ତ୍ତମାନ ନିଃସହାୟ ଅବସ୍ଥାରେ, ଏକୁଟିଆ ହୋଇ ରହୁଛନ୍ତି । ତାଙ୍କ ଜୀବନ ନିତାନ୍ତ ଦୁର୍ବିହ ହୋଇପଡ଼ିଲା ।

 

ରାନ୍ଧି ଦେବାକୁ ଲୋକ ନାହାନ୍ତି, ଏପରିକି ପିଇବା ପାଣି ଦେବାପାଇଁ ମଧ୍ୟ କେହି ନାହାନ୍ତି । ମୀରା କୋଠରୀ ଭିତରୁ ଚିତ୍କାର କରୁଛନ୍ତି ।

 

ରାତ୍ରି ପ୍ରାୟ ୧୦ ଟାରେ ପ୍ରଫୁଲ୍ଲବାବୁଙ୍କୁ ଭୀଷଣ ଭୋକ ହେଲା, କଣ କରିବେ ? ରନ୍ଧା ଘରକୁ ଯାଇ ଦେଖିଲେ କିଛି ନାହିଁ । ପୁଣି ଫେରିଆସି ତାଙ୍କ ଶୋଇବାଘର ଆଲମାରୀ ଖୋଲିଲେ-। ଦେଖିଲେ, ସେଇଠି ଥାକ ଥାକ ଶହେଟଙ୍କିଆ ନୋଟ୍‌ ଓ ହଜାର ଟଙ୍କିଆ ନୋଟ୍‌ ଠେସା ହୋଇଛି-। ନା’ ଏହି ନୋଟ୍‌ଖାଇ କ୍ଷୁଧାର ଉପଶମ ହେବନାହିଁ ଆଉ । ଗୋଟିଏ ଆଲମାରୀ ଖୋଲିଲେ, ସୁନାର ଅଳଙ୍କାରରେ ଭର୍ତ୍ତି । କ’ଣ ହେବ ସୁନା ?

 

ସୁନା ଓ ଟଙ୍କା, ତାଙ୍କ କ୍ଷୁଧା ମେଣ୍ଟାଇ ପାରିବନାହିଁ, କେଡ଼େ ତୁଚ୍ଛ ଜିନିଷ । ସାମାନ୍ୟ ବେଳକର କ୍ଷୁଧା ମେଣ୍ଟାଇବା ପାଇଁ ମଧ୍ୟ, ୟାର ଶକ୍ତି ନାହିଁ । ତଥାପି ସାରାଜୀବନ ତା’ରି ପଛରେ ଧାଇଁ ସେ କ’ଣ କରିନାହାନ୍ତି । କେତେ ଅନ୍ୟାୟ, ଅତ୍ୟାଚାର ଓ ନୀଚତା ୟାରି ପାଇଁ । ୟାରିପାଇଁ ଧୋକାବାଜି କରି କେତେ ପରିବାର ଧ୍ୱଂସ କରିନାହାନ୍ତି ? କିନ୍ତୁ କାହିଁ, ଆଜିତ ଏସବୁ କିଛି କାମ ଦେଉନାହିଁ । ତେବେ ଘରେ କିଛି ନାହିଁ, ହୋଟେଲ୍‌କୁ ଯିବେ ଖାଇବାକୁ । ନା’ ବର୍ତ୍ତମାନ ଘରୁ ପଦାକୁ ବାହାରିବା ହିଁ ବିପଦ, ସବୁଆଡ଼େ ଶତ୍ରୁ ଘେରି ରହିଛନ୍ତି, ତେବେ ? ପୁଣି ସେ ଖୋଳ୍‌ ତୋଡ଼୍‌ ଆରମ୍ଭକଲେ । ଦେଖିଲେ ଡାଇନିଂରୁମ୍‌ ଆଲମାରୀରେ ବିସ୍କିଟ୍‌ ଟିଣ ପଡ଼ିଛି, ଖୋଲି ଦେଖିଲେ ବିସ୍କିଟ୍‌ ଅଛି । କିଛି ବିସ୍କିଟ୍‌ ବାହାର କରି ଖାଇଲେ । ଖାଉ ଖାଉ ତଣ୍ଟିରେ ଲାଗି ଅଟକିଯାଉଛି । ପାଣି ପିଉଛନ୍ତି, ପୁଣି ଖାଉଛନ୍ତି, ଏପରି ଭାବରେ କ୍ଷୁଧା ମେଣ୍ଟିଲା ସତ, କିନ୍ତୁ ମୀରାର ଚିତ୍କାର ଓ ଅଶ୍ଳୀଳଭାଷା ବନ୍ଦ ହେଲାନାହିଁ ।

 

ଯାଇ ଖଟରେ ପଡ଼ି ପଡ଼ି, ସାରା ଜୀବନରେ କରିଥିବା ଅପକର୍ମ ସବୁ ମନେପକାଇ, କେତେ ପ୍ରକାର ଚିନ୍ତାକରି ଚାଲିଲେ । ରାତି କେତେ ହେଲାଣି, ତାଙ୍କୁ ଜଣାନାହିଁ, କେତେବେଳେ ଆଖି ଲାଗିଗଲା ତା’ମଧ୍ୟ ସେ’ ଜାଣି ନାହାନ୍ତି । ସକାଳୁ ପୁଣି ଘର ଦରଜା ସାମାନ୍ୟ ଫିଟା ହେବା ଶୁଣି ହଠାତ୍‌ ଆଖି ଖୋଲିଗଲା । ବଡ଼ ଆତଙ୍କିତ ହୋଇପଡ଼ିଲେ । ଇଏ ପୁଣି କିଏ ? ଉଠିଲେ, ଦରଜା ପିଟା ଶବ୍ଦ ବେଳକୁବେଳ ବଢ଼ିଚାଲିଛି । ନା’ ରକ୍ଷାନାହିଁ, ଉଠି ଶୋଇବାଘର ଝରକା ଖୋଲି ଦେଖିଲେ, ଘର ଚାରିଆଡ଼େ ବନ୍ଧୁକଧାରୀ ପୋଲିସ୍‌ ଛିଡ଼ା ହୋଇଛନ୍ତି । କଥାଟା ବୁଝିଗଲେ, କିନ୍ତୁ କ’ଣ କରିବେ–କିଛି ସ୍ଥିର କରିପାରିଲେ ନାହିଁ । ଦରଜାରୁ କିଏ ଜଣେ କହିଲେ ‘‘ଦରଜାଖୋଲ, ନ ହେଲେ ଭଙ୍ଗା ହେବ ।’’ ଆଉ ଉପାୟ ନାହିଁ, ଦରଜା ଖୋଲି ଛିଡ଼ାହେଲେ, ଦୁଇଜଣ ବନ୍ଧୁକ ଧାରୀ ପୋଲିସ୍‌ ତାଙ୍କ ଆଡ଼କୁ ବନ୍ଧୁକ ଲକ୍ଷ୍ୟ କରି ଛିଡ଼ା ହୋଇଥାନ୍ତି । ଆଉ ଜଣେ ଅଫିସର କହିଲେ–‘‘ସରଣ୍ଡର୍‌ କର’’ ।

 

ପ୍ରଫୁଲ୍ଲବାବୁଙ୍କ ମଥା ଘୂରିଗଲା । ହାତ ଆପେ ଆପେ ଟେକି ହୋଇଗଲା । ତାଙ୍କୁ ପୋଲିସ୍‌ ହାତକଡ଼ି ପିନ୍ଧାଇ ଦେଲାପରେ, ପଚାରିଲେ ‘‘ମୀରାଦେବୀ କାହାନ୍ତି ?’’ ପ୍ରଫୁଲ୍ଲବାବୁ ମୁହଁ ଖୋଲି କିଛି କହିପାରିଲେ ନାହିଁ । କେବଳ ଇସାରାରେ କୋଠରୀ ଦେଖାଇଦେଲେ ।

 

ପୋଲିସ ଅଫିସର ଦେଖିଲେ, କୋଠରୀ ବାହାରପଟୁ ବନ୍ଦ, ପଚାରିଲେ ‘‘କଥା କ’ଣ-?’’

 

‘‘ଆଜ୍ଞା, ତାଙ୍କର ମସ୍ତିଷ୍କ ବିକୃତି ଘଟିଛି’’

 

ପୋଲିସ୍‌ ଅଫିସର୍‌ ଦରଜା ଖୋଲି ଭିତରକୁ ପଶିଲେ, ଭିତରେ ମୀରା ତଳେ ଶୋଇଛନ୍ତି । ଅଫିସର୍‌ ତାଙ୍କୁ ଡାକିଲେ । ସେ ଉଠିବସି କହିଲେ, ‘‘ଆସିଗଲେ ଯା ହେଉ, ବର୍ତ୍ତମାନ ସେ ସଇତାନ୍‌କୁ ଆରେଷ୍ଟ୍‌ କରନ୍ତୁ, ତାକୁ ବାଡ଼ାନ୍ତୁ, ତାକୁ ଏ ଘରୁ ନେଇଯାଆନ୍ତୁ ।’’

 

ଅଫିସର ଜଣକ କହିଲେ ‘‘ମୀରା ଦେବୀ, ଆପଣ ମଧ୍ୟ ଏରେଷ୍ଟ୍‌ ହେଲେ ।’’

 

ମୀରାଦେବୀ ଆଶ୍ଚର୍ଯ୍ୟ ହୋଇ ଛିଡ଼ାହେଲେ, କହିଲେ, ‘‘ମୋତେ କାହିଁକି ଏରେଷ୍ଟ୍‌ କରିବେ ? ମୁଁ କ’ଣ କରିଛି ? ଯାହା କିଛି ମୁଁ କରିଛି, ଏଇ ସଇତାନ୍‌ର ପ୍ରରୋଚନାରେ କରିଛି । ତାକୁ ହିଁ ବାନ୍ଧି ନେଇଯାଆନ୍ତୁ । ମୁଁ ଏକବାରେ ନିର୍ଦ୍ଦୋଷ !’’

 

ଅଫିସର ବାହାରି, ମୀରାଦେବୀଙ୍କୁ ନିର୍ଦ୍ଦେଶ ଦେଲେ ବାହାରକୁ ଆସିବାକୁ । ମୀରାଦେବୀ, ବାହାରକୁ ଆସି ଦେଖିଲେ, ପ୍ରଫୁଲ୍ଲବାବୁଙ୍କ ହାତରେ ହାତକଡ଼ି ।

 

ଖୁବ୍‌ ଜୋର୍‌ରେ ହସିଲେ । ହସି ହସି ଲୋଟିପଡ଼ିଲେ । ଅନେକକ୍ଷଣ ପରେ ଗମ୍ଭୀର ହୋଇ ଉଠି କହିଲେ, ‘‘ସଇତାନ, ଆଜି ଧରାପଡ଼ିଛି, ଆପଣା ପାପର ଦଣ୍ଡ ଭୋଗିବ । ହାଃ ହାଃ ହାଃ ହାଃ ।’’

 

ପ୍ରଫୁଲ୍ଲବାବୁ ମୁଣ୍ଡ ତଳକୁ କରି ବସିଥାନ୍ତି, କିଛି କହୁନଥାନ୍ତି । ମୀରା ହଠାତ୍‌ ଦଉଡ଼ିଆସି, ପ୍ରଫୁଲ୍ଲବାବୁଙ୍କୁ ଜୋର୍‌ ଚାପୁଡ଼ାଟାଏ କସି ଦେଲେ । ପୁଣି ହାତ ଉଠାଇଲାବେଳକୁ ଅଫିସର୍‌ ଜଣଙ୍କ ତାଙ୍କ ସାମନାରେ ଛିଡ଼ାହୋଇ ବାଧାଦେଲେ ।

 

ମୀରା କହିଲେ, ‘‘ମୋତେ ବାଧା ଦିଅନ୍ତୁ ନାହିଁ, ଆଜି ମୋର ଜୀବନର ଶାନ୍ତି ପାଇଁ ମୋତେ ତାକୁ ବାଡ଼େଇବାକୁ ଦିଅନ୍ତୁ । ଏହି ସୈତାନ ପାଇଁ ମୋତେ ବେଶ୍ୟାବୃତ୍ତି କରିବାକୁ ପଡ଼ିଛି-। ଏହାରି ମାପ ପାଇଁ ମୋର ଏକମାତ୍ର ଝିଅ ଗୀତାର ହରଣଚାଳ ହୋଇଛି । ୟାରି ଲୋଭ ଓ ଈର୍ଷା କେତେ ପରିବାରକୁ ଧ୍ୱଂସକରିଛି । କେତେ କୁମାରୀ କନ୍ୟାଙ୍କ ସତୀତ୍ୱ ନଷ୍ଟ ହୋଇଛି ।’’ କହି ପୁଣି ବାଡ଼େଇବାକୁ ଦୌଡ଼ିଲେ, କିନ୍ତୁ ଅଫିସର୍‌ ତାଙ୍କୁ ଧରିପକାଇଲେ । ଦୁଇଜଣ ସିପାହୀଙ୍କୁ ଏ ଦୁଇଜଣଙ୍କୁ ଥାନାକୁ ନେଇଯିବା ପାଇଁ ନିର୍ଦ୍ଦେଶ ଦେଇ ଘର ଖାନ୍‌ତଲାସ କରିବାରେ ଲାଗିଲେ-

 

ଘର ଖାନତଲାସ୍‌ ହେଲା । ନୋଟ୍‌, ସୁନା, ସବୁ କୋରକ ହେଲା, ଘର ସିଲ୍‌ ହେଲା । ଥାନାକୁ ଗଲା ବାଟରେ ମୀରାଦେବୀଙ୍କ ପାଗଳାମି ଆହୁରି ଉତ୍କଟ ଆକାର ଧାରଣ କଲା । ଡାକ୍ତରବାବୁଙ୍କୁ ଡକାହେଲା, ସେ ପରୀକ୍ଷା କରି କହିଲେ ‘‘ୟାଙ୍କ ମସ୍ତିଷ୍କ ବିକୃତି ହୋଇଛି, ୟାଙ୍କୁ ରାଞ୍ଚି ପାଗଳଖାନାକୁ ନେବାକୁ ହେବ ।’’

 

ପୋଲିସ୍‌ ତରଫରୁ ତାଙ୍କୁ ରାଞ୍ଚି ନିଆହେଲା ଓ ସେଇଠି ପାଗଳଖାନାରେ ତାଙ୍କୁ ଭର୍ତ୍ତି କରାହେଲା ।

 

ପ୍ରଫୁଲ୍ଲବାବୁ ଚୁପ୍‌ ହୋଇ ବସିଛନ୍ତି, ମୁହଁ ଖୋଲୁନାହିଁ ।

 

ଦୌଲତ ରାମଙ୍କ କାଗଜାତ୍‌ ତନଖି କରୁ କରୁ, ପ୍ରଫୁଲ୍ଲବାବୁ ଓ ମୀରାଦେବୀଙ୍କ ନାମ ବାହାରିଛି, ଅବଶ୍ୟ ଅନ୍ୟାନ୍ୟ ଅନେକ ବାହାରିଛି, କିନ୍ତୁ ବରଗଡ଼ରେ ଏ ଦୁଇଜଣଙ୍କ ନାମ ବିଶେଷ ଭାବରେ ବାହାରିଛି ତାଙ୍କ କାରବାର ନେଇ । ତେଣୁ ଉପରୁ ଅର୍ଡ଼ର ଆସିଛି ଯେ’ ଏମାନଙ୍କୁ ଧରିବା ପାଇଁ ।

 

ପ୍ରଫୁଲ୍ଲବାବୁଙ୍କୁ ମାଜିଷ୍ଟ୍ରେଟ୍‌ ସାମନାରେ ହାଜର କରାହେଲା । ମାଜିଷ୍ଟ୍ରେଟ୍‌ ତାଙ୍କୁ ଜେଲ କଷ୍ଟଡ଼ିରେ ରଖିବା ପାଇଁ ହୁକୁମ ଦେଲେ । ପ୍ରଫୁଲ୍ଲବାବୁଙ୍କୁ ଜେଲଖାନାକୁ ପଠାଇଦିଆଗଲା ।

 

ଜେଲଖାନାରେ ତଳେ କମ୍ୱଳ ଉପରେ ଶୋଇ ସେ ଭାବୁଛନ୍ତି ଜୀବନର କେତେକ ଘଟଣା; କିନ୍ତୁ ଭାବିବାପାଇଁ ମଧ୍ୟ ନିଜର ସାହସ ପାଉନାହାନ୍ତି । ପୁଣି ଉକ୍ତ ଘଟଣାଗୁଡ଼ିକ ଆପେ ଆପେ ଆସିଯାଉଛି, ଏଭଳି ଭାବନାରେ ଏବଂ ଜେଲଖାନାର ମଶା ଯୋଗୁ ନିଦ ହେଉନଥାଏ ।

 

ଜେଲଖାନା ଘଣ୍ଟାରେ ରାତ୍ରି ଗୋଟାଏ ହେଲା, ତଥାପି ନିଦନାହିଁ । ପେଟରେ ହଠାତ୍‌ ପୀଡ଼ା ଆରମ୍ଭ ହେଲା । ବେଳୁ ବେଳ, ପୀଡ଼ା ଅତି ଉତ୍କଟ ରୂପ ଧାରଣ କଲା, ସେ ରଡ଼ି ଛାଡ଼ିଲେ । ରାତ୍ରି ଓ୍ୱାଡ଼ର୍‌ ଆସି ପଚାରିଲା, ‘‘କଣ ହେଲା କି ?’’

 

‘‘ପେଟ କ’ଣ ହୋଇଯାଉଛି, ମୁଁ ମରିଯିବି । ଡାକ୍ତରବାବୁଙ୍କୁ ଡାକ’’ କହି, ପୁଣି ‘‘ମା’ ଲୋ ବାପାଲୋ’’ କହି ରଡ଼ି ଛାଡ଼ିଲେ ।

 

ରାତ୍ରିର ତୃତୀୟ ପ୍ରହରରେ ଡାକ୍ତରଙ୍କୁ ଡାକିବା ସହଜ ନୁହେଁ । ତେଣୁ ଓ୍ୱାଡ଼ର୍‌ ଟିକିଏ, ଟାଲ୍‌ଟୁଲ୍‌ କରିବାର ଚେଷ୍ଟାକଲେ; କିନ୍ତୁ ପ୍ରଫୁଲ୍ଲବାବୁଙ୍କ ଆର୍ତ୍ତନାଦକୁ ଆଉ ସମ୍ଭାଳି ନପାରି, ଡାକ୍ତରବାବୁଙ୍କୁ ଖବର ଦେଲେ ।

 

ପ୍ରାୟ ଅଧ ଘଣ୍ଟା ପରେ ଡାକ୍ତରବାବୁ ଆସିଲେ । ପରୀକ୍ଷା କରି କିଛି ଔଷଧ ବଟିକା ଦେଲେ । ଓ୍ୱାଡ଼ର୍‌ଙ୍କୁ କହିଲେ ‘‘ଯଦି ଦଶ ପନ୍ଦର ମିନିଟ୍‌ରେ ସେ ଶୋଇ ନ ପଡ଼ନ୍ତି, ତେବେ ପୋଲିସ୍‌କୁ ଖବରଦେଇ ଡାକ୍ତରଖାନାକୁ ପଠାଇଦେବେ । ଇନ୍‌ଡ଼ୋର୍‌ ପେସେଣ୍ଟ କରି ଦାଖଲ୍‌ କରିବାକୁ ହେବ ।’’

 

ବଟିକା ଖାଇଲେ ସିନା, ପେଟ ଦରଜ କମିଲା ନାହିଁ; ସେ ସେହିପରି ଆର୍ତ୍ତ ଚିତ୍କାର କରୁଥାନ୍ତି । ଶେଷରେ ବାଧ୍ୟ ହୋଇ ଭୋର୍‌ରୁ ନେଇ ତାଙ୍କୁ ଡାକ୍ତରଖାନାରେ ଦାଖଲ୍‌ କରାହେଲା । ଥନାରୁ ଦୁଇଟି ସିପାହୀ ସେଠି ଜଗି ରହିଲେ ।

 

ଡାକ୍ତରବାବୁ ଆସି ପୁଣି ଦେଖା ଦେଖି କଲେ, ନର୍ସ୍‌କୁ କହିଲେ ‘‘ବୋଧହୁଏ ଏପେଣ୍ଡି ସାଇଟିସ୍‌ ପାଇଁ ଏମିତି ଦରଜ କରୁଛି, ସବୁ ବ୍ୟବସ୍ଥାକର ଅପରେସନ୍‌ କରିବାକୁ ହେବ, ଶୀଘ୍ର, ଏପେଣ୍ଡିସାଇଟିସ୍‌ ଫାଟିଗଲେ କିନ୍ତୁ ଆଉ କିଛି କରିହେବନାହିଁ ।’’

 

ପ୍ରଫୁଲ୍ଲବାବୁଙ୍କୁ ଏନେସ୍ଥିଆ ଦିଆହେଲା । ଏପେଣ୍ଡିସାଇଟିସ୍‌ ଅପରେସନ୍‌ କରାହେଲା । ଏସବୁ କରୁକରୁ ଦିନ ବାରଟା ହୋଇଗଲା । ସନ୍ଧ୍ୟାବେଳକୁ ପ୍ରଫୁଲ୍ଲବାବୁଙ୍କ ଚେତା ଫେରିଲା । ଟିକିଏ ସୁସ୍ଥ ହେଲାଭଳି ଲାଗୁଥାଏ, ନିଶା ପୂରାପୂରି ଦୂର ହୋଇ ନ ଥାଏ । ଡାକ୍ତରବାବୁଙ୍କୁ ସେ କହିଲେ, ‘‘ଆଜ୍ଞା, ଦୟାକରି ଦୀନକୃଷ୍ଣ ବାବୁଙ୍କୁ ଟିକିଏ ମୋ ସଙ୍ଗରେ ଦେଖା କରାଇ ପାରନ୍ତେ କି-?’’

 

ଡାକ୍ତରବାବୁ କହିଲେ, ‘‘ସେ ତ ବର୍ତ୍ତମାନ ସମ୍ଭବ ନୁହେଁ, କାରଣ ଆପଣ ବନ୍ଦୀ, ପୋଲିସ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ବିନା ଅନୁମତିରେ କେହି ଆପଣଙ୍କ ସହିତ ଦେଖା କରିପାରିବେ ନାହିଁ-।’’

 

‘‘ଆଜ୍ଞା, ଦୟାକରି ମୋ ପାଇଁ ଏତିକି କରନ୍ତୁ ।’’

 

‘‘ହଉ କାଲିକି ଦେଖିବା’’ କହି ପୁଣି ତାଙ୍କୁ ନିଶା ବଟିକା ଦେଇ ଅଚେତ କରି ରଖିଲେ ।

 

ଆରଦିନ ସକାଳୁ ଉଡ଼ି ଯାଇଥାଏ । ପ୍ରଫୁଲ୍ଲବାବୁ ପୁଣି ଡାକ୍ତରବାବୁଙ୍କୁ ଅନୁରୋଧ କଲେ । ଡାକ୍ତରବାବୁ ପୋଲିସ୍‌ ସିପାହୀ ମାର୍ଫତ୍‌ରେ ମାଜିଷ୍ଟ୍ରେଟ୍‌ ଓ ପୋଲିସ୍‌ଙ୍କ ଅନୁମତି ମାଗିଲେ-। ଅନୁମତି ଆସୁ ଆସୁ ରାତ୍ରି ହୋଇଯାଇଥାଏ । ଆସି କହିଲେ, ‘‘ପ୍ରଫୁଲ୍ଲବାବୁ, ଅନୁମତି ମିଳିଛି-। କାଲି ସକାଳୁ ଦୀନକୃଷ୍ଣବାବୁଙ୍କୁ ଡକାଇ ଦେବି ।’’

 

ପ୍ରଫୁଲ୍ଲବାବୁ ଆଶ୍ୱସ୍ତ ହେଲେ । ଡାକ୍ତରବାବୁ ପୁଣି ତାଙ୍କୁ ନିଶା ଔଷଧ ଦେଇ ଶୁଆଇଦେଲେ ।

 

ଆରଦିନ ସକାଳୁ ଡାକ୍ତରବାବୁ ଆସିଲାପୂର୍ବରୁ ଦୀନକୃଷ୍ଣବାବୁଙ୍କ ପାଖକୁ ଖବର ପଠାଇଦେଲେ ଓ ନିଜେ ରୋଗୀକୁ ଦେଖିବାକୁ ଆସିଲେ । ସେତେବେଳେ ନିଶା ନ ଥାଏ । ପ୍ରଫୁଲ୍ଲବାବୁ କିନ୍ତୁ ପେଟରେ ଦରଜ ଅନୁଭବ କରୁଥାନ୍ତି । ସେ ଡାକ୍ତରବାବୁଙ୍କୁ କହିଲେ, ‘‘ଆଜ୍ଞା, ପେଟରେ ପୁଣି ଦରଜ ଆରମ୍ଭ ହୋଇଛି, ଆଉ ମୁଁ ବଞ୍ଚିବି ନାହିଁ । ଦୀନକୃଷ୍ଣବାବୁଙ୍କୁ ଟିକିଏ ଡାକି ଦିଅନ୍ତୁ ।’’

 

ଡାକ୍ତରବାବୁ କହିଲେ, ‘‘ମୁଁ ଖବର ପଠାଇଛି, ବୋଧହୁଏ ଆସୁଥିବେ, ଆଉ ଏଇ ଦରଜ କମିଯିବ, କିଛି ଚିନ୍ତା କରନ୍ତୁନାହିଁ ।’’

 

‘‘ନା ଆଜ୍ଞା, ଆଉ କମିବ ନାହିଁ । ଏଇ ଦରଜରେ ମୁଁ ଆଉ ବଞ୍ଚି ପାରିବିନାହିଁ । ବେଳୁ ବେଳ ବଢ଼ୁଛି, ଆଉ ସହି ହେଉନାହିଁ ।’’

 

ଏତିକିବେଳେ ଦୀନକୃଷ୍ଣବାବୁ ଅତି ଗମ୍ଭୀର ମୁହଁ ନେଇଆସିଲେ । ପୋଲିସ୍‌ ପହରା ସାଙ୍ଗରେ ଥାଏ । ଦୀନକୃଷ୍ଣବାବୁ ସବୁ ଶୁଣି ସାରିଥିଲେ; କିନ୍ତୁ ଯେବେଳେ ଲୋକ ଆସି କହିଲା, ‘ପ୍ରଫୁଲ୍ଲବାବୁ ଆପଣଙ୍କ ସହିତ ଦେଖାକରିବାକୁ ଚାହୁଁଛନ୍ତି’, ସେ ଟିକିଏ ଇତସ୍ତତଃ ହୋଇପଡ଼ିଲେ । କାରଣ ଗତ ପନ୍ଦରବର୍ଷ ହେଲା ତାଙ୍କ ସହିତ କଥାବାର୍ତ୍ତା ତ ଦୂରର କଥା, ଦେଖା ସାକ୍ଷାତ ମଧ୍ୟ ହୋଇ ନଥିଲା । ଏହି ପନ୍ଦର ବର୍ଷ ଭିତରେ ପ୍ରଫୁଲ୍ଲବାବୁ, ତାଙ୍କ ବିରୁଦ୍ଧରେ ଯାହା ଯାହା କରିଥିଲେ, ସେସବୁ ଦୀନକୃଷ୍ଣବାବୁଙ୍କୁ ଅଜ୍ଞାତ ନଥିଲା । ଅବଶ୍ୟ ଏହି ପନ୍ଦରବର୍ଷ ପୂର୍ବରୁ ପ୍ରଫୁଲ୍ଲବାବୁ, ଦୀନକୃଷ୍ଣବାବୁଙ୍କ ଅତି ଆତ୍ମୀୟ ବନ୍ଧୁ ଥିଲେ; କିନ୍ତୁ ପରେ ଅତି ଦୁର୍ଦ୍ଦାନ୍ତ ହୋଇ ଶତ୍ରୁତା ଆଚରଣ କରି ଦୀନକୃଷ୍ଣଙ୍କୁ ଶେଷ କରିବାର କୌଣସି ଚେଷ୍ଟାରେ ସେ ପଛେଇ ନାହାନ୍ତି । ପୁଣି ସେ ବନ୍ଦୀହେବା ଓ ତାଙ୍କ ଘର କୋରକ ହେବାକଥା, ସବୁ ଶୁଣିସାରିଥିଲେ ।

 

ହଠାତ୍‌ ପ୍ରଫୁଲ୍ଲବାବୁଙ୍କ ଡାକରା ପାଇ, ଦୀନକୃଷ୍ଣବାବୁ ଇତସ୍ତତଃ ହେବା ସ୍ୱାଭାବିକ । ସାକ୍ଷାତ ପାଇଁ ଯିବେ ନା ନାହିଁ, ଏମିତି ଘଡ଼ିଏ କାଳ ଚିନ୍ତାକରି ଶେଷରେ ସ୍ଥିରକଲେ ‘ଲୋକଟା ବିପଦରେ ପଡ଼ି ଡକାଇଛି, ନ ଗଲେ ଅନ୍ୟାୟ ହେବ ।’ ତେଣୁ ସେ ବାଧ୍ୟ ହୋଇ ଗଲେ ।

 

ବେଳୁବେଳ ପୀଡ଼ା ବଢ଼ିଚାଲିଥାଏ । ଦୀନକୃଷ୍ଣଙ୍କୁ ଦେଖି ନମସ୍କାର କରି, ପ୍ରଫୁଲ୍ଲବାବୁ ପାଖ ଚେୟାର୍‌ ଦେଖାଇଦେଲେ । କହିଲେ, ‘‘ଦୀନକୃଷ୍ଣବାବୁ, ଏଇ ଶେଷ ଅବସ୍ଥାରେ ଆପଣଙ୍କୁ ଡକାଇ କଷ୍ଟଦେଲି, ଅନେକ କଷ୍ଟ ଦେଇଛି । ଆପଣଙ୍କର ଅନେକ କ୍ଷତି ସାଧନ କରିଛି । ଆପଣଙ୍କର ସତ୍ୟାନାଶ କରିବାରେ କମ୍‌ ଚେଷ୍ଟା କରିନାହିଁ । ତେଣୁ କ୍ଷମାମାଗିବା ପାଇଁ ସାହସ ହେଉନାହିଁ । ତଥାପି ମୁଁ ଜାଣେ, ଆପଣ କେଡ଼େ ଉଦାର ଓ ମହାନ୍‌ । ଜୀବନରେ ମୋର ଅନେକ ଉପକାର କରିଛନ୍ତି । ମୋର ଶେଷ ସମୟରେ ମଧ୍ୟ ଆପଣ ଆପଣଙ୍କର ଉଦାରତା ଛାଡ଼ିବେନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ ।’’ କହି, ଦୀନକୃଷ୍ଣଙ୍କ ଗୋଡ଼ ଧରି କହିଲେ, ‘‘ମୋତେ କ୍ଷମାକରନ୍ତୁ ଦୀନକୃଷ୍ଣବାବୁ, ମୁଁ ଆଉ ବଞ୍ଚିବିନାହିଁ ।’’

 

ଦୀନକୃଷ୍ଣବାବୁ ‘‘ଆହାହା କ’ଣ କରୁଛନ୍ତି’’ କହି ପ୍ରଫୁଲ୍ଲବାବୁଙ୍କୁ ଶୁଆଇଦେଲେ । ତା’ପରେ ପ୍ରଫୁଲ୍ଲବାବୁଙ୍କ ଆର୍ତ୍ତନାଦ ।

 

ମୁଣ୍ଡ ତଳକୁ କରି ଦୀନକୃଷ୍ଣବାବୁ ବସି ରହିଲେ । ଆଖିରେ ତାଙ୍କର ପରିବର୍ତ୍ତନ ଆସିଲା, ମୁଣ୍ଡ ଭାରି ହୋଇଗଲା । ଛାତି ଭିତରଟା କେମିତି ଶ୍ୱାସରୁଦ୍ଧ ହେଲାଭଳି ହୋଇ କିଛି କହିପାରିଲେନାହିଁ ।

 

କିଛିକ୍ଷଣ ଗଲାପରେ ପ୍ରଫୁଲ୍ଲ କହିଲେ ‘‘ଦୀନକୃଷ୍ଣବାବୁ, ମୁଁ ଜାଣେ, ମୁଁ କ୍ଷମା ପାଇବାର ଯୋଗ୍ୟ ନୁହେଁ, ତଥାପି ମାଗୁଛି । କାରଣ ଆପଣଙ୍କୁ ମୁଁ ଭଲଭାବରେ ଚିହ୍ନେ ।’’

 

ଆଖି ପୋଛୁ ପୋଛୁ ଦୀନକୃଷ୍ଣବାବୁ କହିଲେ, ‘‘ପ୍ରଫୁଲ୍ଲବାବୁ ଏସବୁ କହି ମୋତେ ଦୁଃଖ ଦିଅନ୍ତୁନାହିଁ । ଆପଣଙ୍କୁ କ୍ଷମାଦେବାର ଯୋଗ୍ୟତା ମୋର କ’ଣ ଅଛି ? ଆପଣ ମୋ’ଠାରୁ ବୟସରେ ବଡ଼ । ଆନ୍ତରିକତାର ସହିତ ଆପଣଙ୍କୁ କ୍ଷମାଦେବାପାଇଁ ଭଗବାନଙ୍କଠାରେ ମୁଁ ପ୍ରାର୍ଥନା କରୁଛି, ସେହି ଏକା କ୍ଷମା ଦେଇପାରିବେ । ଆପଣ ମନରେ କିଛି ଭାବନ୍ତୁନାହିଁ । ମଣିଷ ଜୀବନରେ ଅନେକ ଭୁଲ୍‌ କରିଥାଏ, ଅନ୍ତରର ସହିତ ପଶ୍ଚାତ୍ତାପ କଲେ ଆପେ ଆପେ ତା’ର ପ୍ରାୟଶ୍ଚିତ୍ତ ହୋଇଯାଏ । ଆପଣଙ୍କ ଶରୀର ସୁସ୍ଥ ହେଉ, ଏହାହିଁ ମୋର ଇଚ୍ଛା ।’’ କହି ପୁଣି ଆଖି ପୋଛିଲେ ।

 

ଦୀନକୃଷ୍ଣବାବୁ ଆଖି ପୋଛୁ ପୋଛୁ ଉଠିଲେ, ପ୍ରଫୁଲ୍ଲବାବୁଙ୍କ ଆଖିରେ ଦି’ଧାର ଲୁହ । ଦୀନକୃଷ୍ଣବାବୁ ତାଙ୍କ ମୁଣ୍ଡରେ ହାତ ଆଉଁସି ବାହାରକୁ ବାହାରିଲାବେଳେ ଦେଖିଲେ ‘ପ୍ରଫୁଲ୍ଲବାବୁ ଦୁଇହାତ ଯୋଡ଼ି ପ୍ରଣାମ କରୁଛନ୍ତି ।

 

ମୁହଁରେ ଭାଷା ନ ଥାଏ । ଆଖିରୁ ଲୁହ ଝରୁଥାଏ । ଦୀନକୃଷ୍ଣବାବୁ ଆଖି ପୋଛି ପୋଛି ଫେରିଲେ ଘରକୁ । ବାଟରେ ଭାବି ଭାବି ଯାଉଛନ୍ତି ‘ଆଃ, କାଳର କି ବିଚିତ୍ର ଗତି ! ଏକଦା ଯେ’ ପ୍ରବଳ ପ୍ରତାପୀ ଥିଲେ, ଆଜି ତାଙ୍କର ଏଇ ପରିଣତି । ହଉ, ଯାହା ଭଗବାନଙ୍କ ଇଚ୍ଛା ।’

 

ପ୍ରଫୁଲ୍ଲବାବୁଙ୍କ ଆର୍ତ୍ତନାଦ ଓ ଚିତ୍କାର ଥମିବାର ନୁହେଁ, କ୍ରମଶଃ ବଢ଼ିଚାଲିଲା । ଡାକ୍ତରବାବୁ ପୋଲିସ୍‌କୁ ଲେଖି ଜଣାଇଲେ ଯେ ରୋଗୀକୁ ବୁର୍ଲ୍ଲା ନେଇଯିବା ଆବଶ୍ୟକ । ଡାକ୍ତରବାବୁ, ଅନେକ ପ୍ରକାର ଔଷଧ ଦେଲେ; କିନ୍ତୁ କିଛି କାଟୁ କଲାନାହିଁ । ଆଉଥରେ ପେଟ ଚିରି ଦେଖିବା ଦରକାର; ମାତ୍ର ତାଙ୍କର ସାହସ ହେଲାନାହିଁ । ତେଣୁ ବାଧ୍ୟ ହୋଇ ବୁର୍ଲ୍ଲାକୁ ନେଇଯିବା ପାଇଁ ପରାମର୍ଶ ଦେଲେ ।

 

କ୍ରମଶଃ ତାଙ୍କ ଚିତ୍କାରର ସ୍ୱର କ୍ଷୀଣ ହୋଇଯାଉଥାଏ । ମାଜିଷ୍ଟ୍ରେଟ୍‌ ଓ ପୋଲିସ୍‌ର ଅନୁମତି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରୁ କରୁ, ଦୁଇଦିନ ସେଭଳି ଅବସ୍ଥାରେ କଟିଗଲା । ଅନୁମତିପତ୍ର ଓ ଗାଡ଼ି ଆସିଲାବେଳକୁ ପ୍ରଫୁଲ୍ଲବାବୁ ଚିତ୍କାର କରି କରି ଶେଷ ହୋଇଯାଇଥିଲେ ।

 

ଡାକ୍ତରବାବୁ ଆସି ନାଡ଼ୀ ପରୀକ୍ଷା କରି କହିଲେ, ‘‘ରୋଗୀ ମଲେଣି’’ । ପୁଣି ସରକାରୀ କଳ ଚାଲିଲା, ‘ବନ୍ଦୀଥିବା ସମୟରେ ମୃତ୍ୟୁ ହୋଇଛି, ଶବ ବ୍ୟବଚ୍ଛେଦ ଓ ମାଇନା ନ କଲେ ନ ଚଳେ । ତେଣୁ ସେହି ଶବକୁ, ଜୀରାନଦୀ ଆର ପାରିରେ ଥିବା ଶବ ବ୍ୟବଚ୍ଛେଦ ସ୍ଥାନକୁ ନିଆହେଲା । ଶବ ବ୍ୟବଚ୍ଛେଦ ହେଲାପରେ ଡାକ୍ତରବାବୁ ହାତଧୋଇ ଚାଲି ଆସିଲେ, ପୋଲିସ୍‌ ଓ ମାଜିଷ୍ଟ୍ରେଟ୍‌ ମଧ୍ୟ ସେଇଠୁ ଚାଲିଆସିଲେ । ବର୍ତ୍ତମାନ ଶବ ମୁକ୍ତ, ଯେ କେହି ନେଇ ପାରନ୍ତି କିନ୍ତୁ କାହିଁ ? କେହି ତ ଆସିଲେ ନାହିଁ । ବାଧ୍ୟହୋଇ ଡାକ୍ତରଖାନାର ମେହେନ୍ତରମାନେ ଶବକୁ ନେଇ, ଜୀରା ନଦୀର ବଢ଼ିପାଣିରେ ଫୋପାଡ଼ି ଦେଲେ, ଶବଟି ଭାସିଗଲା ।

 

ସେଆଡ଼େ ମୀରାଦେବୀଙ୍କ ଅବସ୍ଥା ମଧ୍ୟ ସେଇଭଳି । ରାଞ୍ଚି ଡାକ୍ତରଖାନାରେ ତୃତୀୟ ସକ୍‌ ଦେଲାବେଳକୁ, ସେ ସେହି ସକ୍‌ରେ ମରିଗଲେ । ପ୍ରଫୁଲ୍ଲବାବୁଙ୍କ ଜୀବନ କାହାଣୀର ଅବସାନ ଘଟିଲା ।

 

କେହି ଜଣେ ଆଖିରୁ ଲୁହ ଝରାଇବା ପାଇଁ ବା ଆହା କରିବା ପାଇଁ, ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ନଥିଲେ । ଧନ୍ୟ ଏଇ ମଣିଷ ଜୀବନ । ଜୀବିତାବସ୍ଥାରେ ସେ କେତେ କ’ଣ କରେ, କେତେଲୋକ କେତେ କଥା କୁହନ୍ତି, କିନ୍ତୁ ମଲାପରେ ?

 

(ଚଉଦ)

 

ଦୀନକୃଷ୍ଣବାବୁ କଟକରୁ ଫେରି ଘରକୁ ଗଲେ । ରାତ୍ରି ହୋଇଯାଇଥାଏ । କୃଷ୍ଣା ତାଙ୍କରି ଅପେକ୍ଷାରେ ବସିଥାନ୍ତି । ଗଲାବେଳକୁ କହିଯାଇଥିଲେ—ସେହିଦିନ ଫେରିଆସିବା କଥା । କୃଷ୍ଣା ହସି ହସି କହିଲେ, ‘‘ବାଃ, ଏତେ ବିଳମ୍ୱ କେମିତି ହେଲା ? ସନ୍ଧ୍ୟାରୁ ବସିଛି–ତୁମ ଅପେକ୍ଷାରେ ।’’

 

ଦୀନକୃଷ୍ଣ କହିଲେ, ‘‘ସମ୍ୱଲପୁରରେ ଟିକିଏ ବିଳମ୍ୱ ହୋଇଗଲା ସି. ଏସ୍‌. ଓ. ସାହେବଙ୍କ ସଙ୍ଗେ କଥାବାର୍ତ୍ତା କରିବାରେ । ହଉ, ଖାଇବାକୁ ଦିଅ, ଭାରି ଭୋକ । ସାରାଦିନ ଆଜି ଖିଆ ହୋଇନାହିଁ ।’’

 

‘‘ହାତ ଗୋଡ଼ ଧୁଆଧୋଇ କର, ମୁଁ ସଙ୍ଗେ ସଙ୍ଗେ ବାଢ଼ୁଛି’’ କହି କୃଷ୍ଣା ଚାଲିଗଲେ ରନ୍ଧା ଘରକୁ ।

 

ଦୀନକୃଷ୍ଣା ଖାଇବା ଆରମ୍ଭ କଲେ ।

 

କୃଷ୍ଣା କହିଲେ, ‘‘କ’ଣ କାମ ହେଲା ?’’

 

ଦୀନକୃଷ୍ଣ କହିଲେ ‘‘ସରକାରୀ କାମ କଣ ଥରକରେ ହୁଏ ? ଦୌଡ଼ି ଦୌଡ଼ି ଲୋକ ନୟାନ୍ତ ହେଲେ ଯାଇ ଭାଗ୍ୟରେ ଥିଲେ ହୁଏ । ନ ହେଲେ ନାଇଁ, କାହାରି କିଛି ତ ଭାସି ଯାଉନାହିଁ-। ଦରମା ଓ ଉପୁରି ତ ମିଳୁଛି, ଯାଏ କେତେ, ଆସେ କେତେ !’’

 

କୃଷ୍ଣା କହିଲେ ‘‘ଆରେ ହଁ, ଲତା’ର ଚିଠି ଆସିଛି । ବାହାଘର ପାଇଁ ପିଲା ଗୋଟିଏ ଠିକ୍‌ ହୋଇଛି । ତା’ ବାପା ମା’ ଦୁନିଆସାରା ଦାବିକରି ଅଡ଼ି ବସିଛନ୍ତି ।’’

 

‘‘ଲତାର ଚିଠି କେବେ ପାଇଲ ? ପିଲାଟି କ’ଣ କାମକରେ ?’’ ‘ସେ’ ପରା ତାଙ୍କ କଲେଜରେ ଅଧ୍ୟାପକ ଅଛି, ଚିଠିଟା କାଲି ପାଇଲି ।’’

 

‘‘ଆଉ କ’ଣ ଲେଖିଛି ?’’

 

‘‘ଅନେକ କଥା ଲେଖିଛି, ଖାଇସାର, ପରେ ନିଶ୍ଚିନ୍ତରେ ପଢ଼ିବ ।’’

 

‘ଆମ ପିଲାଏ କେମିତି ଅଛନ୍ତି ? ତାଙ୍କ ମାଷ୍ଟ୍ରେ ପଢ଼ାଇବାକୁ ଆସୁଛନ୍ତି ନା ନାଇଁ ?

 

‘‘ସମସ୍ତେ ଭଲରେ ଅଛନ୍ତି, ମାଷ୍ଟ୍ରେ ମଧ୍ୟ ଆସୁଛନ୍ତି ।’’

 

ଏମିତି ଘରୁଆ କଥା ଅନେକ ଚାଲିଥାଏ । ଖାଇସାରି ଦୀନକୃଷ୍ଣବାବୁ ଉଠିଲେ, କୃଷ୍ଣା ପାନ ବଢ଼ାଇଦେଲେ । ଦୀନକୃଷ୍ଣବାବୁ କହିଲେ ‘‘ତୁମେ ସାଙ୍ଗରେ ବସି ଖାଇ ନେଇଥିଲେ ହୋଇଥାନ୍ତା ।’’

 

‘‘ମୁଁ ଖାଇନେବି ଯେ, ଆହୁରି କେତେ କାମ ପଡ଼ିଛି । ତୁମେ ଆରାମ କର, ମୁଁ ବେଗି ବେଗି କାମସାରି ଆସୁଛି ।’’

 

ଦୀନକୃଷ୍ଣବାବୁ ଯାଇ ଖଟରେ ଗଡ଼ିଲେ । ସେ ଦିନର ଖବର କାଗଜ ଓଲଟାଉଥାନ୍ତି ।

 

କୃଷ୍ଣା ଆସି କହିଲେ, ‘‘ଚିଠି ଦେବି, ପଢ଼ିବ ? ନା ସକାଳୁ ପଢ଼ିବ ? ଲମ୍ୱା ଚିଠି ।’’

 

‘‘ଥାଉ ବାବା, ବର୍ତ୍ତମାନ ଥକ୍‌କା ଲାଗୁଛି, ତୁମେ ତ ପଢ଼ିଛ, ସକାଳୁ ଦେଖିବା ।’’

 

ରାତ୍ରିରେ ଶୋଇପଡ଼ିଲେ । ସକାଳୁ ନିତ୍ୟକର୍ମ ସାରି, ଦୀନକୃଷ୍ଣବାବୁ ବାହାରିଗଲେ ଅଫିସକୁ । ଗତ ଚାରିଦିନ ଧରି ସେ ଅନୁପସ୍ଥିତ ଥିଲେ, ଗୁଡ଼ାଏ କାମ ବାକିଆ ରହିଯାଇଛି, ତା’କୁ ପୁଣି ନ କଲେ ନ ଚଳେ । ଦିନ ଗୋଟାଏରେ ଘରକୁ ଖାଇବାପାଇଁ ଯାଇ, ସଙ୍ଗେ ସଙ୍ଗେ ପୁଣି ଫେରିଆସିଲେ । କୃଷ୍ଣା ସାଙ୍ଗରେ ମଧ୍ୟ କଥାବାର୍ତ୍ତା କରିବାପାଇଁ ତାଙ୍କର ସମୟ ନଥିଲା । ସନ୍ଧ୍ୟାରେ ଟିକିଏ ବିଳମ୍ୱରେ ଘରକୁ ଫେରିଲେ, ଅବଶ୍ୟ ବାକିଆ କାମ ସବୁ ସାରି ଦେଇଛନ୍ତି; କିନ୍ତୁ ପୁଣି କେତେ ସମସ୍ୟା । ସମାଧାନ ପାଇଁ ମୁଣ୍ଡ ଖେଳାଉଛନ୍ତି । ଘରକୁ ଚୁପ୍‌ଚାପ୍‌ ଆସି ଖିଆ ପିଆକରି ବସିଲେ ।

 

କୃଷ୍ଣା କହିଲେ ‘‘କ’ଣ ଏତେ ଗମ୍ଭୀର ହୋଇଯାଇଛ ଯେ, ପୁଣି କ’ଣ ହେଲା କି ?’’

 

‘‘ସେ କଥା ଆଉ କାହିଁକି ପଚାରୁଛ ? ବର୍ତ୍ତମାନ ସମୟ ଯାହା ହୋଇଛି, ତହିଁରେ ଆମଭଳି ଲୋକ ବ୍ୟବସାୟ କରି କୁଟୁମ୍ୱ ପୋଷିବା ଦୁସ୍ତର । ନିଜେ ଚୋରୀ କର, ତହିଁରୁ ପୁଣି ସମସ୍ତଙ୍କୁ ଭାଗ ଦିଅ । ଆଉ ଲକ୍ଷ ଲକ୍ଷ ଟଙ୍କା, ବେନିୟମ ଭାବରେ ରୋଜଗାର କରି କୋଠତୋଳ-। ନ ହେଲେ ଯାହା ଅଛି; ତାହା ମଧ୍ୟ ହରାଇବାକୁ ପଡ଼ିବ ।’’

 

ପୁଣି ଟିକିଏ ରହି କହିଲେ, ‘‘ମଣିଷ କେମିତି ଚଳିବ, ତାହା ବୁଝିବା କଷ୍ଟ । ହଉ ଦେଖାଯାଉ, ଛାଡ଼ ସେ କଥା । ଆଉ କ’ଣ ଖବର ?’’

‘‘ତୁମକୁ ତ ସମୟ ନାହିଁ, ଲତା ବିଚାରି ଚିଠି ଲେଖିଛି ତା’କୁ ପଢ଼ିବାକୁ । କ’ଣ କରିବା କହିଲ ?’’

‘‘କୋଉ କଥା କ’ଣ କରିବା ?’’

‘‘ଲତାର ବାହାଘର ବିଷୟରେ କ’ଣ କିଛି ଚିନ୍ତା କରୁଛ ନା ନାହିଁ ।’’

‘‘ସେ ସବୁ ଚିନ୍ତା ଆଉ କେତେବେଳେ କଲି ? ତୁମେ କ’ଣ ଭାବୁଛ କହୁ ନ ?’’

‘‘ଲତା ଓ ସେ ଅଧ୍ୟାପକ, ଦୁହେଁ ଦୁହିଁଙ୍କୁ ବାହା ହେବାପାଇଁ ଚାହୁଁଛନ୍ତି, ତେଣୁ ସେ ବିବାହ ହେବା କଥା; କିନ୍ତୁ ବୁଢ଼ାମାନେ ତ ତାଙ୍କ କୁସଂସ୍କାର ଛାଡ଼ିପାରିଲେନାହିଁ । ତାଙ୍କୁ ମଧ୍ୟ ପୁଣି ସନ୍ତୋଷ କରିପାରିଲେ ସିନା । ଲତାଙ୍କ ବାପାଙ୍କର ତ ସେ ଶକ୍ତି ନାହିଁ, ଆମେ କିଛି କଲେ ହୁଅନ୍ତା ।’’

‘‘କିଏ ମନାକଲା, ଲେଖିଦିଅ ବିବାହର ସବୁ ଖର୍ଚ୍ଚ ଆମର । ଲତା ଆମର କେତେ ଉପକାର କରିଛି, ଆମକୁ କେତେ ମାନେ, ତା’ର ବିବାହର ଖର୍ଚ୍ଚ କରିବାନାହିଁ ?’’

‘‘ମୁଁ ସେଇକଥା କହୁଥିଲି । ତୁମେ ତା’ର ବାପାଙକୁ ଚିଠି ଲେଖି ଜଣାଇ ଦିଅ । ସେ ଭଲ ହେବ । ମୁଁ ଲତାକୁ ସିନା ଲେଖିବି । ସେ ତା’ ବାପାଙ୍କ ପାଖରେ କହିବାକୁ ହୁଏତ ସଙ୍କୋଚ ବୋଧ କରିବ ।’’

‘‘ତା ବାପାଙ୍କୁ ମୁଁ ଚିଠି ଲେଖିବି ଯେ, ସେ ପୁଣି କ’ଣ ଭାବିବେ ? ସେ ହୁଏତ ଭାବିପାରନ୍ତି ଯେ, ତାଙ୍କ ଦାରିଦ୍ର୍ୟକୁ ଆମେ ଉପହାସ କରୁଛୁ ।’’

‘‘ନା’ ସେମିତି କାହିଁକି ଭାବିବେ, ଟିକିଏ ବାଗେଇ ଲେଖିବାକୁ ହେବ ନା ।’’

ଏମିତି କଥାବାର୍ତ୍ତା ହେଉ ହେଉ, ଖିଆ ପିଆ ସରିଲା । ଦୀନକୃଷ୍ଣବାବୁ କହିଲେ, ‘‘ଚିଠି ଆଣିଲ ପଢ଼ିବା ।’’

କୃଷ୍ଣା ଚିଠିଟି ଆଣି ବଢ଼େଇଦେଲେ ।

ନାନି !

ଅନେକ ଦିନ ପରେ ତୁମକୁ ଚିଠି ଲେଖୁଛି । ମନରେ ନିଶ୍ଚୟ ତୁମେ ରାଗି ନିଆଁ ହୋଇଥିବ । ଭାବୁଥିବ ମୁଁ କେତେ ଠକ । ପାଖରେ ଥିଲାବେଳେ ନାନୀ ନାନୀ କହି ପ୍ରାଣ ଖାଇଯାଉଥିଲା, କିନ୍ତୁ ଏତେ ଦିନ ହେଲା ଗଲାଣି ଯେ ଚିଠି ଖଣ୍ଡେ ଦେଉନାହିଁ; କିନ୍ତୁ ନାନି, ମୋତେ ବିଶ୍ୱାସ କରେ, ମୁଁ ଚିଠି ନ ଦେବାର କେତେକ କାରଣ ଅଛି, ତାହାପରେ କହିବି । କିନ୍ତୁ ଗୋଟିଏ କଥା ତୁମକୁ ମୁଁ କହିପାରେ ଯେ’ ଆସିଲା ଦିନଠୁ ଏପରି ସମୟ ନାହିଁ, ଯେତେବେଳେ କି’ ମୁଁ ତୁମକୁ ଭୁଲିଯାଇଛି । ତୁମର ଅମାୟିକ ଓ ଆନ୍ତରିକ ସ୍ନେହ ଜୀବନରେ ଭୁଲିବାର ନୁହେଁ । ତୁମଠାରେ ମୁଁ ଚିର କୃତଜ୍ଞ । ଚିଠି ଲେଖୁ ନଥିବା କାରଣ, ତୁମେ ନିଶ୍ଚୟ ଅନୁମାନ କରିଥିବ । ରାମବାବୁ ତ ମୋତେ ଏଇଠି ଛାଡ଼ି ଫେରିଲାବେଳେ ହୃଦ୍‌ରୋଗରେ ପୀଡ଼ିତ ହୋଇଗଲେ; କିନ୍ତୁ ତୁମ ବରଗଡ଼ର ପ୍ରବଳ ପ୍ରତାପୀ, ଦୁର୍ଦ୍ଦାନ୍ତ, ଗୁଣ୍ଡା ସର୍ଦ୍ଦାର ପ୍ରଫୁଲ୍ଲବାବୁ ବଞ୍ଚିଥିଲେ, ସେ ଯଦି ମୋ ଚିଠି ଦିଆ ନିଆ କଥା ଜାଣିପାରିଥାନ୍ତେ, ତା’ହେଲେ ମୋ ଅବସ୍ଥା କ’ଣ ହୋଇଥାନ୍ତା ଟିକିଏ ଅନୁମାନ କର । ଦୀନକୃଷ୍ଣ ବାବୁଙ୍କର ସିନା ହୃଦୟ ଟାଣ ଯେ, ସେ ସମସ୍ତ ଆକ୍ରମଣର ସମ୍ମୁଖୀନ ହୋଇ ପାରିଲେ; କିନ୍ତୁ ମୋର ସେ ମନୋବଳ ବା ଶକ୍ତି କାହିଁ ? ତେଣୁ ମୁଁ ଜାଣିଶୁଣି ତୁମ ପାଖକୁ ଚିଠିପତ୍ର ଆଦାନ ପ୍ରଦାନ କରିବା ପାଇଁ ଚାହୁଁନଥିଲି ।

 

ଯାହେଉ ଖବର ପାଇଲି ଯେ ସେ ଭଦ୍ରଲୋକ ଅତି ଦୟନୀୟ ଅବସ୍ଥାରେ । ବନ୍ଦୀଥିବା ଅବସ୍ଥାରେ ଉଦରପୀଡ଼ା ରୋଗରେ ଆକ୍ରାନ୍ତ ହୋଇ ଧରାକ୍ଷେତ୍ରରୁ ଚିର ବିଦାୟ ନେଇଛନ୍ତି । ବୋଧହୁଏ ବରଗଡ଼ରେ ଅନେକେ ତ୍ରାହି, ତ୍ରାହି କହି ଆଶ୍ୱସ୍ତ ବୋଧକରିଥିବେ । ସେ ଯା ହେଉ, ବର୍ତ୍ତମାନ ମୋର ଚିଠି ଲେଖିବାରେ କୌଣସି ବାଧା ନାହିଁ, ଭାବି ଲେଖୁଛି ।

 

ମୁଁ ତୁମମାନଙ୍କୁ ଛାଡ଼ି ଆସିବା ଦିନରୁ ଘରେ ବସିଛି । କିଛି ଭଲ ଲାଗୁନାହିଁ । ତୁମମାନଙ୍କର ସରଳ ପ୍ରେମ ଓ ମଧୁର ସ୍ମୃତି ମୋତେ ସବୁବେଳେ ଆନନ୍ଦ ଦେଉଛି । ଯଦିଓ ପ୍ରଫୁଲ୍ଲ ଓ ରାମବାବୁଙ୍କ ଚକ୍ରାନ୍ତର ସାହାଯ୍ୟକାରିଣୀ ଭାବେ ମୋର ତୁମମାନଙ୍କ ସଙ୍ଗରେ ସମ୍ପର୍କ ରହିଥିଲା; ତଥାପି ତୁମେ ତୁମର ସରଳ ହୃଦୟରେ ମୋତେ ନିଜର ସାନଭଉଣୀ ପରି ବ୍ୟବହାର ଦେଖାଇ, ମାର ମନକୁ କିଣି ନେଇଥିଲ ।

 

ମା ଓ ବାବା ମୋ ଭବିଷ୍ୟତ ଚିନ୍ତାରେ ଗତ ବର୍ଷେହେଲା ବ୍ୟସ୍ତ ହୋଇ ପଡ଼ିଛନ୍ତି, ଅନେକ ସ୍ଥାନକୁ ଦୌଡ଼ାଦୌଡ଼ି କରିଛନ୍ତି । କେଉଁଠି ଜାତକ ମିଳୁନାହିଁ ତ, କେଉଁଠି ଘର ପସନ୍ଦ ହେଉ ନାହିଁ, ତ ଆଉ କେଉଁଠି ଏତେ ଯୌତୁକ ଦାବି କରୁଛନ୍ତି ଯେ ତାହା ବାବାଙ୍କ ଶକ୍ତି ସାମର୍ଥ୍ୟ ବହିର୍ଭୂତ ବିଷୟ ।

 

ଆମ କଲେଜକୁ ନୂଆ ହୋଇ ଲେକ୍‌ଚରର୍‌ ଜଣେ ଆସିଛନ୍ତି, ବେଶ୍‌ ଭଲଲୋକ । ବାପା ମାଆଙ୍କ ପସନ୍ଦ ହେଲା, ତାଙ୍କ ବାପାଙ୍କ ପାଖକୁ ଯାଇ ପ୍ରସ୍ତାବ ଦେଲେ । ସେ ମଧ୍ୟ ରାଜି, କିନ୍ତୁ ଯାହା ଦାବି କରୁଛନ୍ତି, ଆମର ସମସ୍ତ ସମ୍ପତ୍ତି ବିକ୍ରୀକଲେ ସୁଦ୍ଧା ପୂରଣ କରି ପାରିବୁ ନାହିଁ । ମୋତେ ଆଉ ଭଲ ଲାଗୁନାହିଁ । ନାନୀ, କ’ଣ କହିବି ? ଲୋକେ ଏତେ ନିଷ୍ଠୁର ହୋଇଥାନ୍ତି ? ଦୁଇ ଜଣଙ୍କ ହୃଦୟର ଭାବ ବୁଝିପାରୁ ନାହାନ୍ତି । ବିମଳବାବୁ–(ଲେକ୍‌ଚରର୍‌) ଚାହାଁନ୍ତି, ମୁଁ ଚାହେଁ, କିନ୍ତୁ କେବଳ ମାତ୍ର ପଇସାପାଇଁ, ଆମର ବିବାହ ହୋଇପାରିବ ନାହିଁ । ସତେ ଯେମିତି କି ପଣ୍ୟଦ୍ରବ୍ୟ କିଣା ବିକା ହେଉଛି । ହୃଦୟର ମିଳନ ପଇସା ମାର୍ଫତରେ ହୋଇପାରିବ । ପଇସା, କେତେ ଶକ୍ତିଶାଳୀ, ମୁଁ ବେଶ୍‌ ବୁଝିପାରୁଛି । ହଉ, ଛାଡ଼ ସେ କଥା ।

 

ଘରେ ବସି ବସି ଜମା ଭଲ ଲାଗୁନାହିଁ । ପୁଣି ସମୟ ସମୟରେ ତୁମ ପାଖକୁ ଫେରି ଯିବାକୁ ଇଚ୍ଛା ହେଉଛି । କାମ ଧାମ କରି ସମୟ ବେଶ୍‌ କଟିଯାଉଥିଲା । ବର୍ତ୍ତମାନ ଆଉ ସମୟ କଟୁନାହିଁ ।

 

ଆଉ ସବୁ ପରେ, ପିଲାଙ୍କୁ ସ୍ନେହ ଦେବ । ଦୀନକୃଷ୍ଣ ବାବୁଙ୍କୁ ମୋର ନମସ୍କାର । ଚିଠି ଦେବ ମୋ ରାଣ, ନଦେଲେ ମୋର ବହୁତ ଦୁଃଖ ହେବ ।

 

। ଇତି ।

ତୁମର ଅତି ଆପଣାର-

ହତଭାଗିନୀ ‘ଲତା’

 

ଦୀନକୃଷ୍ଣ ବାବୁ ଚିଠିଟା ଫେରାଇ, କୃଷ୍ଣାଙ୍କୁ କହିଲେ, ‘‘କାହିଁ, କଣ ସେମାନେ ଦାବି କରୁଛନ୍ତି ? ମୋଟ ଖର୍ଚ୍ଚ କେତେ ହେବ, ଲତାର ବାପା କେତେ ଖର୍ଚ୍ଚ କରି ପାରିବେ, କିଛି ତ ଲେଖା ନାହିଁ । ମୁଁ ଲେଖିଲେ କ’ଣ ଲେଖିବି ? ବରଂ ତୁମେ ଲତାକୁ ଏ ସବୁ ପଚାର, ଯଦି ଆମ ଦ୍ୱାରା କିଛି ହୋଇପାରେ, କରିବା ।’’

 

କୃଷ୍ଣା କହିଲେ ‘‘ହଉ, କାଲି ମୁଁ ଚିଠି ଲେଖି ପଚାରୁଛି । କିନ୍ତୁ ଆମେ ଆଗଭର ନ ହେଲେ ପିଲାଟା ରହିଯିବ ।’’

 

‘‘ତୁମେ ଠିକ୍‌ କହୁଛ କୃଷ୍ଣା; କିନ୍ତୁ ଆମର ଶକ୍ତି ମଧ୍ୟ ସୀମିତ, ତଥାପି ଦେଖାଯାଉ ଯଦି ଆମେ କିଛି ସାହାଯ୍ୟ କଲେ ତା’ର ବାହାଘର ହୋଇଯାଏ ଏବଂ ସେ ସୁଖରେ ରହେ, ତା’ହେଲେ ଆମକୁ କଷ୍ଟ ହେଉ ପଛେ ନିଶ୍ଚୟ ସାହାଯ୍ୟ କରିବା । ତୁମେ ଚିଠି ଲେଖ, ଦେଖାଯାଉ କ’ଣ ହେଉଛି ।’’

 

କୃଷ୍ଣା, ତା’ପରଦିନ ଚିଠି ଲେଖିଲେ । ଆଠଦିନ ପରେ ଉତ୍ତର ଆସିଲା । ଲତା ଲେଖିଛି; ସମସ୍ତ ଖର୍ଚ୍ଚ ପ୍ରାୟ ଦଶହଜାର ଟଙ୍କା ହେବ । ବାପା; ପେନ୍‌ସନ୍‌ ଭୋଗୀ ଶିକ୍ଷକ, କଉଠୁ ଆଣିବେ-? ଧାର ଉଧାର କରି, ଜମି ବିକାବିକି କରି ହୁଏତ ତିନି ଚାରି ହଜାର ଯୋଗାଡ଼ କରିପାରିବେ, ତେଣୁ ତାହା ନ ହେବା କଥା ।

କୃଷ୍ଣ, ଦୀନକୃଷ୍ଣବାବୁଙ୍କୁ ସବୁକଥା ଜଣାଇଲେ । ଦୀନକୃଷ୍ଣ ଚିନ୍ତିତ ହେଲେ । କହିଲେ ‘‘କ’ଣ କରିବା ? ଦଶହଜାର ଟଙ୍କା, ବର୍ତ୍ତମାନ ବ୍ୟବସାୟରୁ ବାହାର କରିବା ମାନେ; ବ୍ୟବସାୟ ଚଳାଇବା ମୁସ୍କିଲ, ତା’ପରେ ଆମର ତ ପୁଣି ଘର ସଂସାର ଅଛି ।’’

କୃଷ୍ଣା କହିଲେ ‘‘ଆମକୁ ପଛେ କଷ୍ଟ ହେଉ, ତା’ର–ବାହାଘର ହେଉ । ଜୀବନସାରା ବିଚାରୀ ମନେରଖିବ । ସେ ଆମର ଉପକାର କରିଛି, ଆମର ତ ପୁଣି ଦାୟୀତ୍ୱ ଅଛି ।’’

‘‘ହଉ ଦେଖାଯାଉ, ମୁଁ ଟିକିଏ ଭାବିସାରେ; ଯଦି ପାରିବା, ତେବେ ନିଶ୍ଚୟ ସାହାଯ୍ୟ କରିବା ।’’

ଏମିତି କେତେ ବାର୍ତ୍ତାଳାପ ହେଲାପରେ, ସେମାନେ ଶୋଇଲେ ।

ଆରଦିନ, ଦୀନକୃଷ୍ଣବାବୁ ଅଫିସକୁ ଯାଇ ସବୁ ଦେଖା ଦେଖି କଲେ । କେତେ ବେଲେନ୍‌ସ ଅଛି, କେତେ ଆୟକର ଦେବାର ଅଛି; ବିକ୍ରୀକର ଆଦି କେତେ ବାକିଆ ଅଛି । ମାଲ୍‌ ଛଡ଼ାଇବା ପାଇଁ ହଠାତ୍‌ କେତେ ଟଙ୍କା ଦରକାର । କେତେ ମାଲ୍‌ ପରେ ଛଡ଼ାଇଲେ ମଧ୍ୟ ହେବ । କେତେ ବାହାରୁ ପାଇବାର ଅଛି, ଏସବୁ ହିସାବ କରି ସ୍ଥିରକଲେ ଯେ ପାଞ୍ଚ ହଜାର ଟଙ୍କାଖଣ୍ଡେ ସେ ଦେଇପାରିବେ । କିନ୍ତୁ; ତହିଁରେ ତ ଲତାର ବାହାଘର ହୋଇପାରୁ ନାହିଁ, କ’ଣ କରିବେ ? ଯା ହେଉ କିନ୍ତୁ ଲତାର ବାହାଘର ନିଶ୍ଚୟ ହେବ । ତା’ ମନଲାଖି ଲୋକ ପାଇଛି, ହାତରୁ ଖସିଗଲେ ବିଚାରୀ ଜୀବନସାରା ପସ୍ତେଇବ ।

ଘରକୁ ଆସି ସବୁକଥା କୃଷ୍ଣାଙ୍କୁ କହିଲେ ।

କୃଷ୍ଣା କହିଲେ ‘‘ଏତେ କଥା ମୁଁ କ’ଣ ବୁଝିବି; ଆମ ଝିଅ ହୋଇଥାନ୍ତା କି’ ଆମ ନିଜ ଭଉଣୀ ହୋଇଥାନ୍ତା, ତେବେ ତ ପୁଣି ଆମେ ସବୁ କରିଥାନ୍ତେ । ଲତାପାଇଁ ଆମକୁ ଟିକିଏ ଯଦି କଷ୍ଟପଡ଼େ, ପଡ଼ୁ । କିନ୍ତୁ ନିଶ୍ଚୟ କରିବା ।’’

 

‘‘ହଉ ହେଲା, ତେବେ ତୁମେ ଚିଠି ଲେଖିଦିଅ । ତା’ ବାପା–ଯେମିତି ରାଜି ହୋଇଯିବେ-। ମୁଁ ସାତ ଆଠ ଦିନରେ ଟଙ୍କା ଯୋଗାଡ଼ କରୁଛି । ପରେ ପଠାଇଦେବା ।’’

‘‘ମୁଁ ଲେଖିବି ନା’ ତୁମେ ଲେଖିବ ।’’

‘‘ସେଇ ଏକା କଥା, ତୁମେ ଆଉ ମୁଁ କ’ଣ ଅଲଗା ?’’ କହି ଦୀନକୃଷ୍ଣ ହସିଦେଲେ ।

କୃଷ୍ଣା ତା’ପର ଦିନ ଅନେକ ବୁଝେଇ ଶୁଝେଇ ଲତାକୁ ଲେଖିଲେ ଯେ ‘‘ତୋର ବିବାହ ପାଇଁ ଯାହା ଖର୍ଚ୍ଚ ଅଟକଳ କରିଛୁ, ସେ ଅନୁସାରେ ୮ । ୧୦ ଦିନ ଭିତରେ ଦୀନକୃଷ୍ଣବାବୁ ଟଙ୍କା ଯୋଗାଡ଼ କରୁଛନ୍ତି, ଅତି ଶୀଘ୍ର ପଠାଇ ଦେବେ, କିନ୍ତୁ ବାହାହେଲାପରେ ଆମକୁ ଯେମିତି ଭୁଲି ନ ଯାଉ ।’’

ଦୀନକୃଷ୍ଣବାବୁ ଯୋଗାଡ଼ କରି, ପ୍ରାୟ ପନ୍ଦର ଦିନ ପରେ, ଟଙ୍କା ଚେକ ପଠାଇଦେଲେ-

ଲତାର ବାପା ପ୍ରଥମେ ମନାକଲେ । କହିଲେ, ‘‘ଏତେ ଗୁଡ଼ିଏ ଟଙ୍କା, ଅନ୍ୟ କାହାଠୁ ଆଣି ମୋ ଝିଅ ବାହାଘର କରିବା, ମୁଁ ପସନ୍ଦ କରୁନାହିଁ । ଆମେ ଗରୀବ ଲୋକ, ସେମାନେ ଧନୀ ଲୋକ, ଆମେ ତାଙ୍କର କ’ଣ ବା ଉପକାର କରିପାରିବା, ଏକଥା ମୋ ମନକୁ ପାଉନାହିଁ ।’’

କିନ୍ତୁ ପରେ, ଲତାର ଓ ତା’ ମାଆର ଚାପରେ ପଡ଼ି ରାଜିହେଲେ । ବିମଳବାବୁଙ୍କ ଗାଁକୁ ଯାଇ ତାଙ୍କ ବାପାଙ୍କ ସହିତ ସବୁ କଥାବାର୍ତ୍ତା କରି, ବିବାହ ଦିନ ଧାର୍ଯ୍ୟକରି ଫେରିଲେ । ବିବାହର ଆୟୋଜନ ହେଲା ।

କୃଷ୍ଣାଙ୍କୁ, ବିବାହର ଆଠଦିନ ପୂର୍ବରୁ ଆସିବା ପାଇଁ ଲତା ଆଗ୍ରହ ପ୍ରକାଶ କରି, ବିଶେଷ ଅନୁରୋଧ କରିଥିଲା । ଲତାର ବାପା ଓ ମା ଆସି, ଦୀନକୃଷ୍ଣବାବୁଙ୍କୁ ମଧ୍ୟ ନିମନ୍ତ୍ରଣ କରି ଯିବାପାଇଁ ଅତିଶୟ ବାଧ୍ୟ କଲେ । କୃଷ୍ଣାଙ୍କୁ ଆଗରୁ ଯିବାପାଇଁ ମଧ୍ୟ, ବାଧ୍ୟ କଲେ ।

ଦୀନକୃଷ୍ଣବାବୁ କହିଲେ, ‘‘ବିବାହ ଦିନ ଆମେ ଯିବୁ, ଆଗରୁ ଯିବା ମୁସ୍କିଲ୍‌ ହେବ, କାରଣ ସବୁ କାମ ଛାଡ଼ି ଗଲେ ଚଳିବ କେମିତି ?’’

ସେମାନେ ଶେଷରେ କୃଷ୍ଣାଦେବୀଙ୍କୁ, ଅନ୍ତତଃ ଦୁଇଦିନ ପୂର୍ବରୁ ଯିବାକୁ ବାଧ୍ୟକରି ଫେରିଗଲେ ।

କୃଷ୍ଣା ପଚାରିଲେ କ’ଣ କରିବା ? ତୁମ ଖାଇବା ପିଇବାରେ ଅସୁବିଧା ହେବ ଯେ ।

ଦୀନକୃଷ୍ଣବାବୁ କହିଲେ ‘‘ହଉ ତୁମେ ଯାଅ, ଦୁଇଦିନ ମୁଁ ଚଳେଇ ନେବି, ଏଇ ହୋଟେଲ୍‌ରୁ ଆଣି ଖାଇଦେବି’’ ପୁଣି କହିଲେ ‘‘ବିବାହ ଦିନ ମୁଁ ଯିବି, ଏକା ସାଙ୍ଗରେ ଫେରି ଆସିବ ।’’

‘ଏ ସବୁ କଥାବାର୍ତ୍ତାରେ ସ୍ଥିର ହେଲା ଯେ, କୃଷ୍ଣା ବିବାହର ଦୁଇଦିନ ଆଗରୁ ଯିବେ, ଓ ଦୀନକୃଷ୍ଣବାବୁ ବିବାହ ଦିନ ଯାଇ ଫେରିବାବେଳେ କୃଷ୍ଣାଙ୍କୁ ସଙ୍ଗରେ ନେଇ ଆସିବେ ।

କୃଷ୍ଣା ପଚାରିଲେ, ‘‘ଆଚ୍ଛା ବିବାହରେ ଲତାକୁ କ’ଣ ଦେବି ?’’

 

ଦୀନକୃଷ୍ଣ ଟିକିଏ ହସି କହିଲେ ‘‘ସବୁ ତ ଦେଇଛ, ଆଉ କ’ଣ ଦେବ ?’’

 

‘‘ନା, ନା, ସେ ଅନ୍ୟ କଥା, କିନ୍ତୁ ବିବାହବେଳେ ତ ନିଶ୍ଚୟ କିଛି ଦେବାକୁ ହେବ, ନ ହେଲେ ଲୋକେ କ’ଣ ଭାବିବେ ?’’

 

‘‘ହଉ ଦେଖ, ତୁମର ଇଚ୍ଛା, ଯାହା କରୁଛ କର ।’’

 

‘‘ତୁମେ କ’ଣ ଦେବ, କହିଲ ?’’

 

ଦୀନକୃଷ୍ଣବାବୁ କହିଲେ, ‘‘ମୁଁ ଆଉ କ’ଣଟା ଦେବି ? ସବୁ ତ ଦିଆହେଲା, ପୁଣି ତୁମେ କଣ ଦେବ । ତା’ ସାଙ୍ଗକୁ ମୁଁ ଆଉ କାହିଁକି ଦେବି ?’’ ପୁଣି ଟିକିଏ ଭାବି କହିଲେ, ‘‘ତୁମେ ଦେଲେ ତ ହେଲା, ଆଉ ମୋର ଦେବା କ’ଣ ଦରକାର ।’’

 

‘‘ନା, ସେମିତି କ’ଣ ହୁଏ ? ବିବାହ ବେଦୀରେ ନିଶ୍ଚୟ କିଛି ଦେବାକୁ ପଡ଼ିବ ।’’

 

ଅନେକ ଚର୍ଚ୍ଚା ଆଲୋଚନା ପରେ ସ୍ଥିର ହେଲା ଯେ, ଶାଢ଼ୀ କପଡ଼ା ଆଦି ବ୍ୟତୀତ, ଦୀନକୃଷ୍ଣବାବୁ ଗୋଟିଏ ସୁନା ମୁଦି ଓ କୃଷ୍ଣା ଗୋଟିଏ ପାତଳା ଚେନ୍‌ ଦେବେ ।

 

ବିବାହ ଦୁଇଦିନ ପୂର୍ବରୁ କୃଷ୍ଣା ଯାଇ ଲତା ଘରେ ପହୁଞ୍ଚିଲେ । ଲତା’ର ଆନନ୍ଦ କହିଲେ ନ ସରେ । କୃଷ୍ଣାଙ୍କୁ ଦଣ୍ଡେ ଛାଡ଼ୁ ନଥାଏ । କୃଷ୍ଣା ସବୁ ଦେଖା ଦେଖି ଓ ଗପସପ କରି ବେଶ୍‌ ଆନନ୍ଦରେ ଦୁଇଦିନ କଟାଇ ଦେଲେ ।

 

ବିବାହ ଦିନ, ଦୀନକୃଷ୍ଣବାବୁ ଆସିଲେ । ସେ ଭୋଜି ଭାତ ଆଡ଼େ ଲାଗି ପଡ଼ିଲେ । ରାତିରେ ଭୋଜି ସାରି, ସମସ୍ତଙ୍କ ଖିଆପିଆ ଦେଖି ନିଜେ ଖିଆପିଆ କଲେ । ଲତା’ର ବାପା ମନାକରୁଛନ୍ତି, ସେ ଆଡ଼େ ଲତାର ମା’ କୃଷ୍ଣାଙ୍କୁ କିଛି କାମ କରିବାକୁ ମନା କରୁଥାନ୍ତି, କିନ୍ତୁ କିଏ କାହିଁକି ଶୁଣିବ ? କୃଷ୍ଣା, ଘରେ ଯେମିତି କାମରେ ଲାଗିପଡ଼ିଥିଲେ, ବାହାରେ ଦୀନକୃଷ୍ଣବାବୁ ମଧ୍ୟ ସେମିତି ।

 

ସୁରୁଖୁରୁରେ ବିବାହ କାମ ଶେଷ ହେଲା । ଆରଦିନ ସକାଳୁ ବରଯାତ୍ରୀ ଦଳ କନ୍ୟାକୁ ନେଇ ଫେରିଲେ ।

 

ଦୀନକୃଷ୍ଣବାବୁ ଓ କୃଷ୍ଣା ମଧ୍ୟ ଫେରିଆସିଲେ ।

 

ଲତା ଗଲାବେଳେ, କୃଷ୍ଣାଙ୍କୁ ଯାବୁଡ଼ି ଧରିଲା । ତାଙ୍କ ପଦଧୂଳି ନେଲା, କୃଷ୍ଣା ଆଶୀର୍ବାଦ କଲେ । ‘‘ସୁବିଧା ଦେଖି, ଦିହେଁ ବରଗଡ଼ ଆସିବ’’ ବୋଲି କହିଲେ । କୃଷ୍ଣାଙ୍କ ଆଖିରେ ପାଣି, ସତେଯେପରି ନିଜର ସାନଭଉଣୀକୁ, ଶାଶୁଘରକୁ ବିଦା କରୁଛନ୍ତି ।

 

ଦୀନକୃଷ୍ଣବାବୁ, ସେଇଠୁ ବାହାରିଲା ବେଳକୁ ଲତାର ବାପା ଓ ମା କାନ୍ଦି ପକାଇଲେ । କହିଲେ ‘‘ବାବୁ ତୁମେ ଆମର ମାନ ସମ୍ମାନ ବଢ଼ାଇ ଦେଲ । ତୁମେ ସାହାଯ୍ୟ କରି ନଥିଲେ ଏତେ ବଡ଼ କାମ ଆମେ କରି ପାରି ନଥାନ୍ତୁ । ଲତାର ମାଁ କୃଷ୍ଣାଙ୍କୁ ଆଶୀର୍ବାଦ କଲେ । କୃଷ୍ଣା କହିଲେ ‘‘ମାଉସୀ, ବରଗଡ଼ ଆସିବ ନିଶ୍ଚୟ ।’’

 

‘‘ଯିବି ମାଁ ଯିବି, ତୋ ଘରକୁ ନଯିବି ତ ଆଉ କାହା ଘରକୁ ଯିବି ।’’ କହି ଆଖି ପୋଛିଲେ ।

 

ଅନେକ ସମୟରେ ନିଜ ଲୋକ ପର ହୁଅନ୍ତି, ଏବଂ ପରଲୋକ ନିଜର ହୁଅନ୍ତି । ଏଇଟା ହିଁ ଜୀବନର ଗୋଟିଏ ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟ ।

 

ଲତାର ମା ବାପା କୃଷ୍ଣାଙ୍କ ମାଉସୀ ମଉସା ହୋଇ ଯାଇଛନ୍ତି । ଯେତେ ସ୍ନେହ, ନିଜ ଲୋକଙ୍କ ଠୁଁ କୃଷ୍ଣା ପାଇ ନାହାନ୍ତି, ସେଇ ସ୍ନେହ ପାଇଲେ ଲତାର ମାଆଙ୍କଠୁ । ସ୍ୱାର୍ଥ ବା କୃତଜ୍ଞତା ଏହି ବନ୍ଧନ ପାଇଁ ଉପଲକ୍ଷ ହୋଇପାରେ, କିନ୍ତୁ ଆନ୍ତରିକତା, ସହୃଦୟତା, ଏବଂ ହାର୍ଦ୍ଦିକ ସହାନୁଭୂତି ଓ ପ୍ରେମକୁ କେବେ ମୂଲ୍ୟ ଦେଇ କିଣା ଯାଇ ପାରେନା । ସ୍ୱାର୍ଥ ଜନିତ ପ୍ରେମ, କେଡ଼େ କୃତ୍ରିମ ଓ କ୍ଷଣସ୍ଥାୟୀ । ସେ କଣ ଲୋକ ବୁଝିବାରେ ବିଶେଷ କଷ୍ଟ ହେବ ? ନା, ଯେ କୌଣସି ଲୋକ ସହଜରେ ବୁଝି ପାରିବ । କୃତ୍ରିମତା, ବାସ୍ତବତାକୁ କେତେ ଦିନ ଘୋଡ଼ାଇ ରଖି ପାରିବ ?

 

(ପନ୍ଦର)

 

ଜୀବନର ଉତ୍‌ଥାନ ପତନ, ସୁଖ ଦୁଃଖ, ଭଲ ମନ୍ଦ ନେଇ ଯେଉଁ ଘଟଣା ପ୍ରବାହ ବହି ଚାଲେ, ତାହା ବଡ଼ ବିସ୍ମୟକର । ମଣିଷ କେତେ ସ୍ୱପ୍ନ ଦେଖେ, କେତେ କଳ୍ପନା କରେ, କେତେ ଉଦ୍ୟମ କରେ, କିନ୍ତୁ କ’ଣ ସେ ତା ଇଚ୍ଛା ପୂରଣ କରିପାରେ ? ଈର୍ଷା, ଦ୍ୱେଷ, ଲୋଭ, କ୍ରୋଧ, ଦୟା, ମାୟା, କ୍ଷମା ଔଦାର୍ଯ୍ୟ ପ୍ରଭୃତି ଆସୁରୀ ଓ ଦୈବୀ ପ୍ରବୃତ୍ତି ସମୂହକୁ, ମଣିଷ କେବେ ଏଡ଼ାଇଦେଇ ପାରେନା; ବରଂ ସେ ସବୁ ମଣିଷକୁ ପ୍ରଭାବିତ କରେ ଓ ପ୍ରେରଣା ଯୋଗାଏ । ଫଳତଃ, ମଣିଷ ତା’ର ଚିନ୍ତା ଓ କଳ୍ପନାର ସୌଧ ଗଢ଼େ ଏବଂ ତା’ର ଜୀବନର ଗତିକୁ ନିୟନ୍ତ୍ରିତ କରେ ।

 

ପ୍ରତ୍ୟେକ ଜୀବନରେ ସୁଖ ଦୁଃଖ, ସମ୍ପଦ ବିପଦ ପର୍ଯ୍ୟାୟକ୍ରମେ ଆସିଥାଏ । କିନ୍ତୁ ଦୈବୀ ପ୍ରବୃତ୍ତି ନେଇ ଚାଳିତ ବ୍ୟକ୍ତି ବିପଦ ଓ ଦୁଃଖରୁ ଉଦ୍ଧାର ପାଇଥାଏ ଏବଂ ଆସୁରୀ ପ୍ରବୃତ୍ତି ନେଇ ପରିଚାଳିତ ହେଉଥିବା ବ୍ୟକ୍ତି ପ୍ରାୟ ଉଦ୍ଧାର ପାଇପାରେ ନାହିଁ । ତେଣୁ ବୋଧହୁଏ ଆବହମାନ କାଳରୁ ଆମର ପୂର୍ବସୂରୀୟ ମହାମାନବଗଣ, ବିଜ୍ଞ ପଣ୍ଡିତ ଓ ଶାସ୍ତ୍ରାଦି ସମସ୍ତେ ଦୈବୀ ପ୍ରକୃତି ଓ ପ୍ରବୃତ୍ତିକୁ ପ୍ରଶଂସା କରିଛନ୍ତି । ଲୋକଙ୍କୁ ତା’ର ଅନୁଶୀଳନ ପାଇଁ ଉପଦେଶ ଦେଇଛନ୍ତି । କିନ୍ତୁ ଲୋକ କରିପାରୁଛି କି ? କରି ନ ପାରି ଦୁଃଖ ଓ ବିପଦକୁ, ଆମନ୍ତ୍ରଣ କରୁ ନାହିଁ କି ?

 

ସମୟର ଚକ ଘୂରିଯାଇଛି । ରମେଶବାବୁ ଆଉ ଗାଁର ସର୍ବଶକ୍ତିମାନ୍‌ ଡାକ୍ତର, ବଡ଼ଚାଷୀ ବା ଧନୀ ନୁହନ୍ତି । ତାଙ୍କ ଫୌଜଦାରୀ କେଶ୍‌ ପରେ ଏବଂ ସରକାରୀ ଭ୍ରାମ୍ୟମାଣ ଡାକ୍ତରଖାନା ଗାଁ ଗାଁ ବୁଲିଲା ପରେ ତାଙ୍କର ସବୁ ପ୍ରତିପତ୍ତି ଚାଲିଯାଇଛି । ବର୍ତ୍ତମାନ ସେ ଜଣେ ସାଧାରଣ ଚାଷୀ, ଅତି କଷ୍ଟରେ ଦୁଇଜଣଙ୍କ ଜୀବନ ନିର୍ବାହ କରୁଛନ୍ତି ।

 

ଗତ ଛ’ମାସ ହେଲା ସେ’ ବେମାର ଅଛନ୍ତି । ଦେହ ଭଲ ରହୁନାହିଁ । ଦୁଇଦିନ ଭଲ ତ ଚାରିଦିନ ଖରାପ । ଦିନୁଦିନ ଶରୀର କ୍ଷୀଣ ଓ ଦୁର୍ବଳ ହୋଇ ଚାଲିଛି । ଛାତିରେ ବ୍ୟଥା, କ’ଣ କରିବେ ? ରେବତୀ ଦେବୀ ଅତି ଚିନ୍ତିତ । ଘରକାମ, ଚାଷକାମ ଓ ରମେଶବାବୁଙ୍କ ସେବା ଶୁଶ୍ରୁଷାରେ ଅତିଷ୍ଠ ହୋଇପଡ଼ିଲେଣି । ଭ୍ରାମ୍ୟମାଣ ଡାକ୍ତରଖାନାର ଡାକ୍ତରବାବୁ, ଅନେକଥର ପରୀକ୍ଷାକରି ଅନେକ ଔଷଧ ଦେଲେଣି ଇଞ୍ଜେକ୍‌ସନ ମଧ୍ୟ ଦେଲେଣି, କିନ୍ତୁ କିଛି ଦିନପରେ ଯେଉଁଟାକୁ ସେଇଟା । ଏମିତି ଆଉ କେତେ ଦିନ ଚଳିବ ?

 

ଡାକ୍ତରବାବୁଙ୍କୁ ରେବତୀ ଅତି ଅନୁନୟ କରି କହିଲେ, ‘‘ଡାକ୍ତରବାବୁ ମୁଁ କ’ଣ କରିବି ? କିଛି ରାସ୍ତା ଦେଖାନ୍ତୁ । ଅନେକ କଷ୍ଟ ମୁଁ ଆପଣଙ୍କୁ ଦେଲିଣି । ଅନେକ ଚିକିତ୍ସା ଆପଣ କଲେଣି । କିନ୍ତୁ ସ୍ଥାୟୀ ଭାବରେ ତ କିଛି ହେଉନାହିଁ ।’’

 

ଡାକ୍ତରବାବୁ କହିଲେ, ‘‘ଆପଣ ଯଦି ବ୍ୟବସ୍ଥା କରି ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଯାଆନ୍ତେ, ତା’ହେଲେ ଭଲ ହୁଅନ୍ତା । ମୋର କାହିଁକି ସନ୍ଦେହ ହେଉଛି ଯେ....’’ ସେ ତାଙ୍କର ଅବସ୍ଥା ଦେଖି ଉଚ୍ଚ ଡାକ୍ତରୀ ଚିକିତ୍ସା ପାଇଁ କହିବାକୁ ପ୍ରଥମେ ପ୍ରଥମେ ଟିକିଏ ଦ୍ୱିଧା ବୋଧ କରୁଥିଲେ । କିନ୍ତୁ ଶେଷରେ ସେ ବାଧ୍ୟହୋଇ ସେଭଳି ପରାମର୍ଶ ଦେଇ କହିଲେ ।

 

ରେବତୀ ଓ ରମେଶ ଆତଙ୍କିତ ହୋଇପଡ଼ିଲେ, କହିଲେ, ‘‘କ’ଣ କ’ଣ ଡାକ୍ତରବାବୁ ? ଖୋଲାଖୋଲି କହନ୍ତୁ ।’’

 

ଡାକ୍ତର କହିଲେ ମୁଁ କହିବି କିପରି, ରୋଗ ପରୀକ୍ଷା କରିବା ପାଇଁ ତ ମୋ ପାଖରେ ଉପକରଣ କିଛି ନାହିଁ । ସାମାନ୍ୟ ରୋଗ ଚିକିତ୍ସା କରିବା ପାଇଁ ମାମୁଲି ଉପକରଣ ଅଳ୍ପ କିଛି ଅଛି-। ତେଣୁ ମୋ କହିବା କଥାରେ ଆଶଙ୍କା କରିବା ଭୁଲ୍‌ ହେବ । ଅବଶ୍ୟ ମୋର ଯେତିକି ଶକ୍ତି ମୁଁ ତାଙ୍କର ଚିକିତ୍ସା କରିଛି । କିନ୍ତୁ ବଡ଼ ଡାକ୍ତରଖାନାକୁ ନଗଲେ କିଛି କହି ହେବନାହିଁ-

 

ରମେଶବାବୁ ଓ ରେବତୀ ନିର୍ବାକ୍‌ ହୋଇ ରହିଲେ । କିଛି ଭାବି ପାରୁ ନାହାନ୍ତି । କ’ଣ କରିବେ ? ରେବତୀ ଆଖିରେ ପାଣି ଶୁଖୁ ନାହିଁ । କିଛି ବାଟ ପାଉନାହାନ୍ତି ।

 

ରମେଶବାବୁ ନୀରବ ନିଶ୍ଚଳ ହୋଇ ଖଟରେ ପଡ଼ିରହିଲେ । କିଛିକ୍ଷଣ ଗଲାପରେ କହିଲେ, ରେବତୀ ଯା ହେବାର ଥିବ ହେବ, ଆଉ ଅଯଥା ଚିନ୍ତାକରି ବା ଅର୍ଥଶ୍ରାଦ୍ଧ କରି କିଛି ଲାଭ ନାହିଁ । ମଣିଷ ଜନ୍ମିଛି-ମରିବା ପାଇଁ, ତେଣୁ ସେ ବିଷୟରେ ବୃଥା ଆଉ ଭାଳି ହେବା ଉଚିତ ନୁହେଁ-। ଆମ ଘର ଓ ବାକିଆ ଜମି ବିକ୍ରୀକରି ଟଙ୍କା ବେଙ୍କ୍‌ରେ ଜମା କରିଦେବା । ତହିଁରୁ ମାସିକ ସୁଧ ଯାହା ଆସିବ, ତହିଁରେ ଚଳିବା । ମୁଁ ମଲାପରେ ମଧ୍ୟ ତୁମକୁ ଆଉ ଅସୁବିଧା ହେବନାହିଁ-। ଗାଁରେ ଛୋଟ ଘରଟିଏ ଭଡ଼ାରେ ନେଇ ରହିଯିବ ।’’

 

ରେବତୀ କାନ୍ଦି କାନ୍ଦି କହିଲେ, ‘‘ଆଉ ସେ ସବୁ କହନାହିଁ ।

 

ବାସ୍ତବତାକୁ ଏଡ଼େଇ ହେବନାହିଁ ରେବତୀ, ମଣିଷ ସବୁବେଳେ ବାସ୍ତବତାକୁ ଏଡ଼େଇବାକୁ ଯାଇ ଦୁଃଖ ପାଏ । ମଣିସାହୁଙ୍କୁ ଡାକ, ସେ ଥରେ କହୁଥିଲେ, ଯଦି ନେବେ ସବୁ ଦେଇ ଟଙ୍କାତକ ବେଙ୍କ୍‌ରେ ମୋ ଜୀବିତାବସ୍ଥାରେ ଜମାକରି ତୁମ ଭବିଷ୍ୟତ ସୁରକ୍ଷିତ କରିପାରିଲେ ଶାନ୍ତିରେ ମୁଁ ମରିପାରିବି ।’’

 

ରେବତୀ ଚୁପ୍‌ ହୋଇ ମୁଣ୍ଡ ତଳକୁ ପୋତି କାନ୍ଦୁଥାନ୍ତି । ହେ ଭଗବାନ୍‌, ମୋର ଆଉ କିଏ ଅଛି ? ୟାଙ୍କ ଏପରି ଅବସ୍ଥାରେ ଚିକିତ୍ସା କରିବାପାଇଁ ମଧ୍ୟ ହାତରେ ପଇସା ନାହିଁ ବା ନିଜର ବୋଲି କେହି ଲୋକ ନାହାନ୍ତି ।

 

ଏତେବେଳେ ହାରା ବୁଢ଼ୀ ଆସିଲେ । ହାତରେ ଖଣ୍ଡେ ବାଡ଼ିଧରି, କହିଲେ, ‘‘ହଇଲୋ ରେବ, ରମେଶ କେମିତି ଅଛି ?’’ ରେବତୀଙ୍କ ମନର ବନ୍ଧ ଭାଙ୍ଗିଗଲା, ଭୋ ଭୋ ହୋଇ କାନ୍ଦିପକାଇଲେ । ହାରାବୁଢ଼ୀ ଆସି, ରେବତୀ ମୁଣ୍ଡରେ ହାତ ଆଉଁସି, ସାନ୍ତ୍ୱନା ଦେଇ ଅନେକ ବୁଝେଇଲେ । ବୁଢ଼ୀ, ଗାଁ ସାରାର ଆଈ, ସମସ୍ତେ ତାଙ୍କ କଥା ଶୁଣନ୍ତି । ସମସ୍ତଙ୍କ ସୁଖ ଦୁଃଖରେ ସେ ଥାନ୍ତି । ବୁଢ଼ୀ ପଚାରିଲେ, ‘‘ହଇଲୋ, ଡାକ୍ତରବାବୁ କଅଣ କହିଲେ ?’’

 

‘‘ଡାକ୍ତରବାବୁ, କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ କହୁଛନ୍ତି ।’’

 

‘‘ସେଥିପାଇଁ ଏତେ ଛାନିଆଁ କାହିଁକି ହେଉଛ ? କେତେ ଲୋକ ଯାଉଛନ୍ତି, କେତେ ବଡ଼ ବଡ଼ ଡାକ୍ତର ଚିକିତ୍ସା କରିବେ । ରମେଶ ଭଲ ହୋଇଯିବ ।’’

 

‘‘ହଁ ଯେ’ ଆଈ, ସେ ମନା କରୁଛନ୍ତି, କହୁଛନ୍ତି ଆଉ କିଛି କରିବାର ନାହିଁ । ଜମି ବାଡ଼ି, ଘର ଦ୍ୱାର ବିକ୍ରୀକରି ଯାହା ମିଳିବ, ତାକୁ ବେଙ୍କ୍‌ରେ ଜମା ଦେଇ, ତା’ର ସୁଧରୁ ଚଳିବାପାଇଁ ବ୍ୟବସ୍ଥା କରିବାକୁ କହୁଛନ୍ତି ।’’

 

‘‘ହଉ, ବିକ୍ରୀକରି ଜମାକର, ତହିଁରେ କ୍ଷତି କ’ଣ ? ନ କଲେ ଚଳିବ କେମିତି । ଚାଷବାସ ତୁ କେତେଦିନ ପାରିବୁ, ୟାକୁ ଦେଖିବୁ ନା ଚାଷବାସ ଦେଖିବୁ ? ତା’ପରେ ଆଜିକାଲି ଲୋକଙ୍କ ଇମାନ୍‌ ନାହିଁ, ବୁଝିଲୁ ? ଯାହାକୁ ଚାଷ କରିବାକୁ କହିବୁ, ସେ ମାଲିକ ହୋଇ ବସିବ ।’’

 

ରମେଶ କଡ଼ ଲେଉଟାଇ କହିଲେ, ‘‘ସେଇ କଥା ଭାବି, ମୁଁ ସେଇଆ କହିଲି ଆଈ, ମୋ ପରେ ରେବତୀ ଅବସ୍ଥା କ’ଣ ହେବ ?’’

 

‘‘ମଲା ଯା, ତୁ ପର କଥା କଣ ଭାବୁଛୁ ? ତୁ କାଲିର ପିଲା । ମୋ ଭଳି ବୁଢ଼ୀ ବଞ୍ଚି ଥାଉଁ ଥାଉଁ, ତୁ ସେମିତି କ’ଣ କହୁଛୁ ? ଗୋଟିଏ କାମ କର, ଘର ଓ ଜମି ବିକ୍ରୀକରି, ସବୁ ଟଙ୍କା ବେଙ୍କ୍‌ରେ ରଖିଦିଅ । କିଛି ଟଙ୍କା ସଙ୍ଗରେ ନେଇ କଟକ ବଡ଼ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଅ-। ଦେଖିବ ଭଲ ହୋଇଯିବ ।’’

 

‘‘ଆଈ, କଟକ ଭଳି ସହରରେ ଆମକୁ କିଏ ପଚାରେ ? କେଡ଼େ କେଡ଼େ ଲୋକ ତ ସେଇଠି ହାରିଯାଉଛନ୍ତି ।’’

 

‘‘ନାଇ ମ, ରମା’ର ପୁଅ ସେଇଠି କଣ ସାହେବ ହୋଇଛି, ସେ କ’ଣ ସାହାଯ୍ୟ କରିବନାହିଁ ? ମୁଁ ରମାକୁ କହିଦେବି, ଚିଠିଖଣ୍ଡେ ଲେଖିଦେବି । ତହିଁରେ କାହିଁ ଏତେ ଚିନ୍ତା ? ସବୁ ହୋଇଯିବ, ମନରେ ଦମ୍ଭ ଆଣି ଭଗବାନଙ୍କୁ ଡାକ, ସବୁ ଭଲ ହୋଇଯିବ ।’’

 

ରମେଶ କହିଲେ, ‘‘ଏକା ମାଇକିନିଆଁ ଲୋକ, ମୁଁ ତ ଆଉ କିଛି ନୁହେଁ, ସାଙ୍ଗରେ କୌଣସି ପୁରୁଷ ପିଲା ନ ଥିଲେ ଯିବା କେଡ଼େ ଅସୁବିଧା, ବୁଝୁନାହୁଁ ଆଈ ?’’

 

‘‘ହଁ ହେଲା, ସେ ରଘୁଆ ପରା କ’ଣ ତୋ ବଂଶର ଭାଇନା କ’ଣ ହେବ ? ତା’ପୁଅ ତ ସେମିତି ବୁଲୁଛି, ତାକୁ ନେଇଗଲେ ହେବ ନାହିଁ ?’’

 

ରମେଶ ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । କହିଲେ, ‘‘ଆଈ ଆଜି ଆଉ ସେ ମୋ ପାଖକୁ ଆସିବ ? ଆଜିପରା ମୁଁ ନିଃସ୍ୱ, ମୋ ପାଖରେ କ’ଣ ଅଛି ଯେ ସେ ଆସିବ ?’’

 

ବୁଢ଼ୀ ରେବତୀକୁ କହିଲେ, ‘‘ହଇଲୋ ରେବ, ତୁ ତୋର ସାମାନ ବନ୍ଧାବନ୍ଧି କରି ମୋ ଘରର ବାହାର ଘରେ ରଖି ତାଲାଦେଇ ଦେ । ଏ ଘର ଆଉ ଜମି କାହାକୁ କଣ ବିକ୍ରୀ କରିବା କଥା କରିଦିଅ । କଟକ କଥା ମୁଁ ବ୍ୟବସ୍ଥା କରିବି, ଆଜି ଯାଇ ରମାକୁ କହୁଛି, ତା’ପୁଅକୁ ଚିଠି ଲେଖୁ । ଆଉ ସେ ରଘୁଆକୁ ବି କହିବି । ଏ କି କଥା ? ଏପରି ସମୟରେ ମଣିଷ ମଣିଷକୁ ସାହାଯ୍ୟ ନ କରିବ ତ କରିବ କେବେ ? ହଉ ମୁଁ ଚାଲିଲି, ପୁଣି ସବୁ ଠିକ୍‌ ଠାକ୍‌ କରି କାଲିକି ଆସିବି ।’’

 

ସବୁ ଠିକ୍‌ ହୋଇଗଲା । ମଣି ସାହୁଙ୍କୁ ଘର ଓ ବାକିଆ ଜମି, ପଚିଶ ହଜାର ଟଙ୍କାରେ ବିକ୍ରୀହେଲା । ରମେଶ ଓ ରେବତୀ ଆସି, ହାରା ବୁଢ଼ୀର ଦାଣ୍ଡଘର ବଖରାରେ ସାମାନ ରଖି, ରଘୁଆର ପୁଅ ଯଦୁକୁ ଧରି କଟକ ଗଲେ । କଟକକୁ ଯାଇ ରମାର ପୁଅ କିଶୋରୀ ଘରେ ଯାଇ ରହିଲେ । କିଶୋରୀବାବୁ ବଡ଼ ଡାକ୍ତରଖାନାକୁ ନେଇ, ରମେଶବାବୁଙ୍କ ସମସ୍ତ ପରୀକ୍ଷା କରାଇ, ଡାକ୍ତରଖାନାରେ ଭର୍ତ୍ତି କରାଇଲେ ।

 

ରମେଶବାବୁଙ୍କୁ ଦେଖିବା ପାଇଁ, ରେବତୀ ଓ ଯଦୁ ପ୍ରତିଦିନ ଡାକ୍ତରଖାନାକୁ ଯାଆନ୍ତି । ବାକି ସମୟ କିଶୋରୀବାବୁ ଘରେ କଟାନ୍ତି । ଔଷଧ, କ୍ଷୀର, ପାଉଁରୁଟି, ଯେତେବେଳେ ଯାହା ଦରକାର, ଯଦୁ ବଜାରରୁ ଆଣିଦିଏ । ସେ ସବୁ ଧରି ପୁଣି ଡାକ୍ତରଖାନାକୁ ଯାଆନ୍ତି ।

 

ପ୍ରାୟ ପନ୍ଦରଦିନପରେ ବଡ଼ ବଡ଼ ଡାକ୍ତରମାନେ କହିଲେ ଯେ, ରମେଶ ବାବୁଙ୍କୁ କେନ୍‌ସର୍‌ ହୋଇଛି । ତାଙ୍କୁ କେନ୍‌ସର୍‌ ଓ୍ୟାର୍ଡ଼୍‌ରେ ଭର୍ତ୍ତି କରାହେଲା । କିଶୋରୀବାବୁ ଯାଇ ଡାକ୍ତରବାବୁଙ୍କ ସହିତ କଥାବାର୍ତ୍ତା କରି ଜାଣିଲେ ଯେ’ ଆଉ ବଞ୍ଚିବା ଆଶା କମ୍‌, ତଥାପି ସେମାନେ ଚେଷ୍ଟା କରୁଅଛନ୍ତି ।

 

ରୋଗୀ ମରିଯିବା ପର୍ଯ୍ୟନ୍ତ, ଡାକ୍ତର ତାଙ୍କ ଚେଷ୍ଟାରୁ ବିରତ ହେବେ ନାହିଁ; କିନ୍ତୁ କିଶୋରୀବାବୁ ବଡ଼ ବ୍ୟସ୍ତ ହୋଇପଡ଼ିଲେ, କ’ଣ କରିବେ । ରେବତୀ କିମ୍ୱା ରମେଶଙ୍କୁ କହିଲେ, ସେମାନେ ଏକବାରେ ଭାଙ୍ଗିପଡ଼ିବେ । ତେଣୁ ନିଜେ କେବଳ ବ୍ୟସ୍ତ ହେଉଥାନ୍ତି ।

 

ଦିନେ ରେବତୀ, ରମେଶ ପାଇଁ କ୍ଷୀର ନେଇଗଲାବେଳକୁ ରମେଶ କହିଲେ ‘‘ରେବତୀ, ଗୋଟିଏ କଥା କହିବି, ଭୁଲ ବୁଝିବ ନାହିଁ ତ ? ଆଜି ମୋତେ କାହିଁକି ଟିକିଏ ଭଲ ଲାଗୁଛି । ଡାକ୍ତରମାନଙ୍କ ଔଷଧ ଯୋଗୁ ହେଉ ବା ଅନ୍ୟ କିଛି କାରଣ ଥାଉ ।’’

 

ରେବତୀ, ରମେଶବାବୁଙ୍କ ସ୍ୱାସ୍ଥ୍ୟୋନ୍ନତି ଦେଖି ଟିକିଏ ଖୁସି ହୋଇ କହିଲେ ‘‘କହୁନ’’ ।

 

‘‘ରେବତୀ, ଦୀନକୃଷ୍ଣଙ୍କୁ ଟେଲିଗ୍ରାମ୍‌ କର ।’’

 

‘‘ଦୀନାକୁ ଟେଲିଗ୍ରାମ୍‌ କରିବି ? ଏତେଦିନ ପରେ କ’ଣ ବା ଟେଲିଗ୍ରାମ୍‌ କରିବି ?’’

‘‘ମୁଁ ବେମାର ଓ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛି, ବାସ୍‌ ଏତିକି ।’’

‘‘ଲାଭ କ’ଣ ? ଏତେଦିନ ଯାଏ ମୁହଁ ଦେଖାଦେଖି ନାହିଁ, ଚିଠିପତ୍ର ନାହିଁ । ଆଜି ହଠାତ୍‌ ତାର କଲେ କ’ଣ ହେବ ?’’

‘‘କଣ ହେବ ନ ହେବ କହିପାରିବି ନାହିଁ; କିନ୍ତୁ ଆଜି ସକାଳୁ ମୋର କାହିଁକି ଦୀନା କଥା ମନେପଡ଼ୁଛି । କେବଳ ଇଚ୍ଛାହେଉଛି, ତା’କୁ ମୋ ବେମାର କଥା ଜଣାଇଦେଲେ ଭଲହେବ ।’’

‘‘ଆମେ ତା’ପ୍ରତି ଯାହା ବ୍ୟବହାର କରିଛୁଁ, ସେ ଆମ ମୁହଁ ଦେଖିବ କି ନାହିଁ ସନ୍ଦେହ, ଆଉ ତା’କୁ କାହିଁକି ଖବର ଦେବା ? ଆମ ଭାଗ୍ୟରେ ଯାହା ଅଛି ଭୋଗିବା । ସେ’ କାହିଁକି ମନରେ ଭାବିବ ଯେ ମୋର ଦରକାର ପଡ଼ିଲାବେଳେ ମୁଁ ତା’କୁ ମନେପକାଇଲି ।’

‘‘ନା ରେବତୀ, ଦୀନ ସେପରି ଭାବିବନାହିଁ । ତାକୁ ମୁଁ ଜାଣେ । ମୋର ନୀଚ ସ୍ୱାର୍ଥ, ଈର୍ଷା ଓ ପ୍ରଫୁଲ୍ଲବାବୁଙ୍କଠୁ ଅଯଥା ଉତ୍ସାହ ପାଇ ସିନା, ସତ ମିଛ କହିଛି, କରିଛି କିନ୍ତୁ ତା ଆଡ଼ୁ କେବେ ଖରାପ ବ୍ୟବହାର ପାଇନାହିଁ । ତା’ର ହୃଦୟର ପରୀକ୍ଷା ବିଶେଷ କରିସାରିଛି । ତାକୁ ଖବରଦିଅ, ମୋର ଶେଷ ସମୟରେ ଅନ୍ତତଃ ତାକୁ ଥରେ ଦେଖିବି । ମୋର ଭୁଲ୍‌ ସୁଧାରିବା ପାଇଁ ହୁଏତ, ଆଉ ବିଶେଷ ସମୟ ମୋ’ ହାତରେ ନାହିଁ ।’’

‘‘କିନ୍ତୁ ଆମର ବର୍ତ୍ତମାନ ଅବସ୍ଥା ଦେଖିଲେ, ମନରେ ସେ କ’ଣ ଭାବିବ ?’’

‘‘କିଛି ଭାବିବ ନାହିଁ, ଆଉ ସେ ଯାହା ଭାବୁ, ଅନ୍ୟାୟ ଭାବିବ ନାହିଁ । ଆମର ଅମଙ୍ଗଳ ଭାବିବ ନାହିଁ, ମୁଁ କହୁଛି ତାକୁ ଖବର ଦିଅ, ତାର କର ।’

‘ସେ କ’ଣ ଆସିବ ?’

‘‘ମୋର କାହିଁକି ବିଶ୍ୱାସ, ସେ ନିଶ୍ଚୟ ଆସିବ ।’’

ଓ୍ୱାର୍ଡ଼୍‌ରେ ରହିବା ସମୟ ଶେଷ ହେଲାରୁ, ରେବତୀ ଉଠି ଚାଲିଲେ, କହିଲେ ‘ଆଜି ତା’ର କରିଦେଉଛି ତା’ହେଲେ ।’

‘ହଁ ନିଶ୍ଚୟ କର’ କହି ଚୁପ୍‌ ହୋଇ ରମେଶ ଶୋଇଲେ । ଆଜି କାହିଁକି ତାଙ୍କୁ ଭଲ ଲାଗୁଛି । ଦୀନକୃଷ୍ଣଙ୍କୁ ଖବରଦେବା ପାଇଁ କହିବା ପରେ, ଆହୁରି ସେ ସନ୍ତୋଷ ଅନୁଭବ କଲେ । ତା’ପରେ କହିଲେ ‘ଭଗବାନ ଜୀବନର ଦୀର୍ଘ ୨୦ ବର୍ଷକାଳ ଚଳଚ୍ଚିତ୍ର ଭଳି କଟିଗଲା । ପୁଣି କାଶ ଆରମ୍ଭହେଲା ଶ୍ୱାସରୁଦ୍ଧ ହେଲା ଭଳି ଲାଗିଲା । ନର୍ସ୍‌ ଆସି ଅକ୍‌ସିଜେନ୍‌ ନଳୀ ନାକରେ ଲଗାଇଦେଲା ।

ଦୀନକୃଷ୍ଣବାବୁ ତାର ପାଇଲେ, ଦେଖାଅଛି–‘ରମେଶ ଗୁରୁତର ଅସୁସ୍ଥ ହୋଇ, କଟକ ଡାକ୍ତରଖାନାରେ ଅଛନ୍ତି ।’

ହଠାତ୍‌ ରେବତୀଠୁ ତାର ପାଇ, ଟିକିଏ ଆଶ୍ଚର୍ଯ୍ୟ ଓ ଆତଙ୍କିତ ହୋଇପଡ଼ିଲେ ସେ । ମନରେ ନାନା ଆଶଙ୍କା, କଥା କ’ଣ ? ରେବତୀ ଅପା ଓ ରମେଶ ଭଳି ଜିଦ୍‌ଖୋର ଲୋକ, ଆଜି ତାର କରିଛନ୍ତି । ନିଶ୍ଚୟ ଅତି ଗୁରୁତର ଅବସ୍ଥାରେ ଥିବେ, କ’ଣ କରିବେ ? କ’ଣ ହୋଇଛି କିଛି ଜଣାନାହିଁ । ବଡ଼ ଡାକ୍ତରଖାନାରେ କେଉଁଠି ଅଛନ୍ତି ସେମାନେ, କେଉଁଠି ତାଙ୍କୁ ଖୋଜିବେ, ସେ ଯାହାହେଉ ବର୍ତ୍ତମାନ ସେ କ’ଣ କରିବେ, ଭାବିପାରୁ ନାହାନ୍ତି । ରମେଶ ବାବୁଙ୍କ ବୟସ ତ ସେପରି କିଛି ବେଶି ନୁହେଁ, ହେଲା କ’ଣ ? ରେବତୀ ଅପା, ଝିଅ ବାହାଘରକୁ କେତେକରି ଲେଖିଥିଲି, ଆସିଲା ନାହିଁ । ତା’ର କେତେ ରାଗ; କିନ୍ତୁ ବର୍ତ୍ତମାନ ସେ ସବୁ ଭାବିବାର ସମୟ ନୁହେଁ-

 

ଏମିତି ଅନେକ କଥା ଭାବି ଭାବି, କାମ ଛାଡ଼ି ଘରକୁ ଗଲେ । କୃଷ୍ଣା; ଅସମୟରେ ଦୀନକୃଷ୍ଣଙ୍କ ଘରକୁ ଆସିବା ଦେଖି ଆଶ୍ଚର୍ଯ୍ୟହୋଇ ପଚାରିଲେ ‘‘ବର୍ତ୍ତମାନ କେମିତି ଆସିଲ ? କୁଆଡ଼େ ପୁଣି ଯିବ ନା କଣ ?’’

 

ଦୀନକୃଷ୍ଣ ତାରଟି କୃଷ୍ଣାଙ୍କ ଆଡ଼କୁ ବଢ଼େଇ ଚୁପ୍‌କରି ଚେୟାର୍‌ରେ ବସିପଡ଼ିଲେ । ମନେ ମନେ ଭାବୁଛନ୍ତି ‘କଣ କରିବେ ?’

 

କୃଷ୍ଣା ତାର ପଢ଼ି ହତବାକ୍‌ ହୋଇ ପଡ଼ିଲେ । ସେ ମଧ୍ୟ ପାଖ ଚେୟାର୍‌ରେ ବସିପଡ଼ିଲେ-

 

କିଛି ସମୟ ପରେ ଦୀନକୃଷ୍ଣ କହିଲେ ‘କୃଷ୍ଣା କ’ଣ କରିବା ?’

 

କୃଷ୍ଣା ଅତି ଦୃଢ଼କଣ୍ଠରେ କହିଲେ ‘କରିବାର ଆଉ କ’ଣ ଅଛି ? ସଙ୍ଗେ ସଙ୍ଗେ ଯିବାକୁ ହେବ, ଅପାଙ୍କ ଦୁଃଖବେଳେ ଯଦି ନ ଯିବା, ତେବେ ଘୋର ଅନ୍ୟାୟ ହେବ ।’

 

‘‘ତା’ ହେଲେ ସୁଟ୍‌କେଶ ଓ ବେଗ୍‌ଟା ଦିଅ, ସୁଟ୍‌କେଶ୍‌ରେ କପଡ଼ା ଦି’ଖଣ୍ଡ ଦିଅ, ମୁଁ ଯାଏଁ ।’’

 

କୃଷ୍ଣା କହିଲେ, ‘‘ତୁମେ ଏକା ଗଲେ ଚଳିବନାହିଁ, ମୁଁ ମଧ୍ୟ ଯିବି । ଅପାଙ୍କ ବିପଦ ସମୟରେ ମୁଁ ନଗଲେ, ଅପା ଭାବିବେ ମୁଁ ରାଗ କରି ଯାଇନାହିଁ ।’’

 

‘‘ତୁମେ ଗଲେ ପିଲାଏ କେମିତି କରିବେ ?’’

 

‘‘କ’ଣ ଆଉ କରିବେ, ଆଉ କ’ଣ ପିଲା ହୋଇଛନ୍ତି ? ଘରେ ରହିବେ । ଦିନବେଳେ ହୋଟେଲ୍‌ରେ ଖାଇଦେବେ, ପରେ ସୁବିଧା ଦେଖି କୁନୀକୁ ତା ଶାଶୁଘରୁ କିଛି ଦିନ ପାଇଁ ଧରି ଆସିଲେ, ଆଉ କିଛି ଅସୁବିଧା ହେବନାହିଁ; କିନ୍ତୁ ବର୍ତ୍ତମାନ ଆମେ ଦିହେଁ ନଗଲେ ବଡ଼ ଅସୁନ୍ଦର ହେବ ।

 

‘‘ତା ହେଲେ ଗୋଟାଏ କାମ କର, ତୁମେ ବନ୍ଧାବନ୍ଧି କର, ଆଉ ବୁଲୁକୁ କାର୍‌ ଦେଇ ପଠାଇଦେଉଛି; କୁନୀକୁ ଧରି ଆସିବ । ତା ଶ୍ୱଶୁରଙ୍କୁ ଚିଠି ଲେଖିଦେଉଛି, ସେ ସବୁ ବୁଝିବେ ।’’ ଏହା କହି ଦୀନକୃଷ୍ଣ ବାବୁ ତାଙ୍କ ବଡ଼ ପୁଅ ବୁଲୁକୁ ଡାକିଲେ । କହିଲେ କାର୍‌ ନେଇ ଯା କୁନୀକୁ ନେଇ ଆସିବୁ, ଜୋଇଁ ବାବୁଙ୍କୁ ବହିବୁ ମୁଁ ଆଉ ତୋ ମା ଯାଉଛୁ କଟକ । ପିଉସା ଗୁରୁତର ଅସୁସ୍ଥ, କିଛିଦିନ ଲାଗିଯିବ । ତେଣୁ କୁନୀ ଏଇଠି ରହିଲେ ତୁମ ଦୁଇ ଭାଇଙ୍କି ଆଉ କିଛି ଅସୁବିଧା ହେବନାହିଁ । ସନ୍ଧ୍ୟା ପୂର୍ବରୁ ପଳେଇ ଆସିବ, ଆମେ ଆଜି ରାତିରେ ଯିବା ।’’ କହି ଦୀନକୃଷ୍ଣ ବାବୁ ଅଫିସ୍‌କୁ ଗଲେ ।

 

ଅଫିସକୁ ଯାଇ ଜଣ ଜଣ କରି ଡାକି ତାଙ୍କ କାମ ବୁଝେଇ ସମସ୍ତଙ୍କୁ କହିଦେଲେ–ତାଙ୍କ ଯିବା କଥା । ତା’ପରେ କେତେଦିନ ଲାଗିବ ତାର ମଧ୍ୟ ଠିକ୍‌ ନାହିଁ, ସମସ୍ତେ ସମ୍ଭାଳି ଚଳିବା ପାଇଁ କହିଲେ । ଆଉ ବାକିଆ କାମ ସାରୁ ସାରୁ ସନ୍ଧ୍ୟା ହୋଇଗଲା ।

 

ବୁଲୁ, କୁନୀକୁ ନେଇ ଆସିଲା । କୁନୀକୁ ସବୁକଥା ବୁଝେଇ ଦୀନକୃଷ୍ଣ ଓ କୃଷ୍ଣା ବାହାରି ପଡ଼ିଲେ କାର୍‌ରେ କଟକ ଯିବା ପାଇଁ ।

 

ଭୋର ବେଳକୁ କଟକ ପହଞ୍ଚି କଟକ ହୋଟେଲ୍‌କୁ ଗଲେ । ସେଇଠି ଗାଧୁଆ ପାଧୁଆକରି ବଡ଼ ଡାକ୍ତରଖାନାକୁ ଗଲେ । ସେଇଠି ଖୋଜା ଖୋଜି କରୁ କରୁ ଦିନ ଆଠଟା ହେଲା-। ଏମିତି ବାରଣ୍ଡାରେ ବୁଲି ଖୋଜାଖୋଜି କରୁଛନ୍ତି, ଦୂରରୁ ରେବତୀ ଦେଖିଲେ-। ରେବତୀ, ଦୀନକୃଷ୍ଣଙ୍କୁ ଦେଖି ଏତେ ଖୁସି ହୋଇଗଲେ ଯେ ହସୁଥାନ୍ତି; କିନ୍ତୁ ଆଖିରୁ ଲୁହ ବାହାରି ଯାଉଛି-। କିଛି କହିପାରୁ ନ ଥାନ୍ତି ।

 

ଦୀନକୃଷ୍ଣ ଅପାକୁ ଦେଖି କହିଲେ, ‘‘ସକାଳୁ ଖୋଜୁଛି କେଉଁଠି ଅଛନ୍ତି ରମେଶ ବାବୁ ପାଉନାହିଁ ।’’

 

ରେବତୀ ଆନନ୍ଦରେ ଗଦ୍‌ଗଦ । କେବଳ କହିଲେ ‘‘ଆ’’ କହି ଚାଲିଲେ । ଦୀନକୃଷ୍ଣ ତାଙ୍କ ପଛେ ପଛେ ଓ ଦୀନକୃଷ୍ଣଙ୍କ ପଛରେ କୃଷ୍ଣା । ରେବତୀ କୃଷ୍ଣାଙ୍କୁ ସେତେବେଳେ ପର୍ଯ୍ୟନ୍ତ ଦେଖି ନ ଥାନ୍ତି, ସେ ତରତର ହୋଇ ଆଗକୁ ଚାଲିଲେ ।

 

ଦୀନକୃଷ୍ଣ ବାବୁ କହିଲେ, ‘‘ଅପା ଏତେ ତରତର କାହିଁକି ହେଉଛୁ, ଦେଖିଲୁ ମୋ ସାଙ୍ଗରେ ଆଉ କିଏ ଆସିଛି ।’’

 

ରେବତୀ ଅଟକି ଗଲେ, ପଛକୁ ଫେରି ଚାହିଁଲେ ! ଆଁ–କୃଷ୍ଣା ତୁ ମଧ୍ୟ ଆସିଛୁ ?’’ କହି ଦୌଡ଼ି ଯାଇ ତାଙ୍କୁ ଯାବୁଡ଼ି ଧରି କାନ୍ଦିଲେ । ସେ କାନ୍ଦ, ହର୍ଷ ବିଷାଦର ମିଶ୍ରଣ, ଅତି କରୁଣ । ଦୀନକୃଷ୍ଣ ଓ କୃଷ୍ଣାଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା । ଦୀନକୃଷ୍ଣ କହିଲେ, ହଉ ହେଲା, ଚାଲ ଯିବା-। ରମେଶବାବୁ କେମିତି ଅଛନ୍ତି ?

 

ରେବତୀ କହିଲେ ଗତ ଦୁଇ ତିନି ଦିନ ହେଲା ତ ବେଶ୍‌ ଭଲରେ ଅଛନ୍ତି । ଟିକିଏ ସ୍ୱାସ୍ଥ୍ୟର ଉନ୍ନତି ହେଲା ଭଳି ଲାଗୁଛି; କିନ୍ତୁ କିଛି କହି ହେଉନାହିଁ ।’’ କହି ଆଗକୁ ଚାଲିଲେ, ପଛରେ ଦୀନକୃଷ୍ଣ ଓ କୃଷ୍ଣା ।

 

ଓ୍ୟାର୍ଡ଼ ଭିତରକୁ ପଶିଲେ, ଦେଖିଲେ ଅତି ଅପରିଷ୍କାର । ବୋଧହୁଏ ପରିଷ୍କାର ରଖିବା ଦାୟିତ୍ୱ ଡାକ୍ତରଖାନାର ମେହେନ୍ତରମାନଙ୍କର ନୁହେଁ । ଡାକ୍ତରମାନେ ମଧ୍ୟ ସବୁ ଦେଖି ନ ଦେଖିଲା ପରି ଚାଲି ଯାଉଛନ୍ତି । କାରଣ କିଛି କହିଲେ ତ ଧର୍ମଘଟ ସ୍ଳୋଗାନ୍‌ ଆଦି ଚାଲିବ । ପୁଣି ସରକାର ତ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ତେଣୁ ଡାକ୍ତର କଥାକୁ କିଏ ପଚାରେ । ସେମାନେ ହେଲେ ସରକାରଙ୍କ ବରପୁତ୍ର । ସେ ଯା ହେଉ ଯାଇ ଦେଖିଲେ ରମେଶ ଆଖି ବନ୍ଦକରି ଶୋଇଛନ୍ତି । ପାଖକୁ ଯାଇ, ରେବତୀ କହିଲେ ‘କଣ ଶୋଇଛ, ଦେଖ ଦୀନୁ ଆସିଛି ସଙ୍ଗରେ କୃଷ୍ଣା ମଧ୍ୟ ଆସିଛି-।’’

 

ହଠାତ୍‌ ରମେଶ ଚମକି ପଡ଼ି ଖଟରେ ବସି ପଡ଼ିଲେ । ଦୀନୁ ମୁଁ ଜାଣିଥିଲି ତୁ ନିଶ୍ଚୟ ଆସିବୁ । ଆଉ ବିଶେଷ କିଛି କହି ପାରିଲେ ନାହିଁ । ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ଆଖି ପୋଛି ଟିକିଏ ପରେ କହିଲେ, ‘‘ମୋର ଭାଗ୍ୟ ଯେ କୃଷ୍ଣା ମଧ୍ୟ ଆସିଛନ୍ତି ।’’

 

ରେବତୀ କହିଲେ, ‘‘ପିଲାମାନଙ୍କୁ ଏକା ଛାଡ଼ିଆସିଲୁ ?’’

 

‘‘ନା, କୁନୀକୁ ତା’ ଶ୍ୱଶୁର ଘରୁ ଆଣି ଘରେ ଛାଡ଼ି ଆସିଛି । ସମସ୍ତେ ତ ବଡ଼ ବଡ଼ ହେଲେଣି, ଆଉ ଅସୁବିଧା କ’ଣ ?’’

 

ଅନେକ ଦିନପରେ ଦେଖାହୋଇଛି । କଥାର କିଛି ଅନ୍ତ ନାହିଁ । ଦୀନକୃଷ୍ଣ କହିଲେ, ‘‘କ’ଣ ରମେଶବାବୁ, କେମିତି ଲାଗୁଛି ? ଅତିଶୀଘ୍ର ଭଲ ହୋଇଯିବ ଯେ’’

 

‘‘ଦୁଇଦିନ ହେଲା ଟିକିଏ ଭଲ ଲାଗୁଛି, କିନ୍ତୁ କିଛି କହି ହେଉନାହିଁ, ହଠାତ୍‌ ପୁଣି ଛାତିରେ ଦରଦ ଉଠିଲେ କେତେବେଳେ ମରିଯିବି ତା’ର ଠିକ୍‌ ନାହିଁ । ତେଣୁ ତୋ’ ଅପାକୁ କହି ‘ଦୀନକୃଷ୍ଣକୁ ଡାକିଦେ’ ଜୀବନରେ ଆଉ ଦେଖାହେବ କି ନାହିଁ, ଯିବା ପୂର୍ବରୁ ଦେଖାହୋଇଯାଉ ।’’

 

ପୁଣି କିଛି ସମୟ ଚୁପ୍‌ ରହି କହିଲେ, ‘‘ଦୀନକୃଷ୍ଣ, ମୁଁ ତୋ ପ୍ରତି ଖୁବ୍‌ ଅନ୍ୟାୟ କରିଛି ଭାଇ, ଲୋଭ ଈର୍ଷା ଓ ମୋର ଦୁର୍ଦ୍ଦିନ ମୋତେ ଅନ୍ଧ କରିପକାଇଲା । ଏପରିକି ଭଲ, ମନ୍ଦ, ଆପଣା, ପର ସବୁ ଭୁଲିଗଲି । ତୁ ମୋଠୁ ବୟସରେ ଅନେକ ଛୋଟ ହେଲେ ମଧ୍ୟ, ତୁ ଯେଉଁ ଧୈର୍ଯ୍ୟ ଓ ସାହସ ନେଇ ସବୁ କଥାର ସମ୍ମୁଖୀନ ହୋଇପାରିଲୁ, ଏଇହେତୁ ତୁ ମୋର ନମସ୍ୟ ହୋଇ ସବୁ କଥାର ସମ୍ମୁଖୀନ ହୋଇପାରିଲୁ, ଏଇହେତୁ ତୁ ମୋର ନମସ୍ୟ ହୋଇପଡ଼ିଛୁ । ମୋତେ ଭାଇ କ୍ଷମା କର’’ କହି ପୁଣି ଆଖି ପୋଛିବାରେ ଲାଗିଲେ ।

 

ଦୀନକୃଷ୍ଣ କହିଲେ, ‘‘ରମେଶବାବୁ, ଗତକଥାସବୁ ବର୍ତ୍ତମାନ ମନେପକାଇ ଦୁଃଖ କରିବା ଭୁଲ୍‌ । ଯାହା ଘଟିଗଲା–ଘଟିଗଲା । ବର୍ତ୍ତମାନ ଆମ ସମସ୍ତଙ୍କ କାମ୍ୟ ହେଉଛି ତୁମର ଆରୋଗ୍ୟଲାଭ । ଭଗବାନ ନିଶ୍ଚୟ ଭଲ କରିବେ । ସେ ସବୁ ପୁରୁଣା କଥା ଛାଡ଼ ।’’

 

ଆଃ, ଛାଡ଼ି ଦେବା କଥା କହୁଛୁ ଦୀନୁ, କିନ୍ତୁ ତା’ ବି ଏଡ଼େ ସହଜ । ମୋର ଅପକର୍ମ ମୋତେ ତିଳ ତିଳ କରି ଜାଳି ପୋଡ଼ି ମାରୁଛି ।’’

 

‘‘ହଉ ହଉ ଛାଡ଼, କ’ଣ ଔଷଧ ଖାଉଛ ? ଆଜି ସକାଳୁ କିଛି ଖାଇଛ ନା ନାହିଁ, ଆଉ ସବୁ ଖବର କ’ଣ କୁହ । ଏତେଦିନ ପରେ ଦେଖା, ବର୍ତ୍ତମାନ ଆନନ୍ଦିତ ହେବା, ମନକୁ ପ୍ରଫୁଲ୍ଲ କରିବା । ପୁରୁଣା ଦୁଃଖକୁ ଆଉ ଘାଣ୍ଟିବା ନାହିଁ ।’’

 

‘‘ଦେଖ ଦୀନୁ, ଘରଦ୍ୱାର ଜମିବାଡ଼ି ସବୁ ବିକ୍ରୀକରି କୋଡ଼ିଏ ହଜାର ଟଙ୍କା ବେଙ୍କ୍‌ରେ ତୋ ଅପା ନାମରେ ଜମା କରିଦେଇଛି । ତା ସୁଧରୁ ସେ ବେଶ୍‌ ଚଳିଯାଇ ପାରିବ, ଆଉ ପାଞ୍ଚହଜାର ଟଙ୍କାରୁ, କେତେ ଆଗର ଧାର ଉଧାର ପରିଶୋଧ କଲାପରେ ବାକିଆ ଟଙ୍କା ହାତରେ ଧରି ଏଠାକୁ ଆସିଛୁ, କେତେ ରହିଲା କେତେ ଗଲା ମୁଁ ଜାଣିନାହିଁ, ତୋ’ ଅପା ଜାଣିଥିବ-।’’

 

‘‘ଭଗବାନଙ୍କ ନାମ ନିଅ ରମେଶବାବୁ, ସେଇ ଏକା ଏ ଦୁଃଖରୁ ପାର କରିପାରିବେ । ଆଉ ଟଙ୍କା ପଇସା ଚିନ୍ତାକରିବା ବେଳ ବର୍ତ୍ତମାନ ନୁହେଁ । ଅପା ପାଖରେ ଟଙ୍କା ଥାଉ ବା ନ ଥାଉ, ମୁଁ–ଆସିଲିଣି, ଆଉ କୌଣସି କଥାର ଅଭାବ ହେବନାହିଁ ।’’

 

ଏମିତି କଥା ହେଉଁ ହେଉଁ, ସମୟ ପୂରିଗଲା । ଦୀନକୃଷ୍ଣ, କୃଷ୍ଣା ଓ ରେବତୀ ଉଠିଲେ । ସନ୍ଧ୍ୟାକୁ ପୁଣି ଆସିବୁ ବୋଲି କହିଲେ ।

 

କୃଷ୍ଣା ଓ ରେବତୀକୁ ବିଦାୟକରି, ଦୀନକୃଷ୍ଣବାବୁ ଡାକ୍ତରବାବୁଙ୍କ ପାଖକୁ ଗଲେ, ତାଙ୍କ ସହିତ ପରାମର୍ଶ କରିବାପାଇଁ । ଡଃ ଦାସ ଚେମ୍ୱରରେ ଥାଆନ୍ତି, ଦୀନକୃଷ୍ଣବାବୁ ଯାଇ ତାଙ୍କୁ ନମସ୍କାର କରି ନିଜର ପରିଚୟ ଦେଲେ ଓ କହିଲେ, ‘‘ଆଜ୍ଞା, ରମେଶବାବୁଙ୍କ ଅବସ୍ଥା କେମିତି ଦେଖୁଛନ୍ତି, ଆହୁରି କିଛି କରାଯାଇ ପାରିବ କି ?’’

 

‘‘ଦେଖନ୍ତୁ ଦୀନକୃଷ୍ଣବାବୁ, ଆମର ଯାହା କରିବାକଥା କରୁଛୁ, ତହିଁରେ କିଛି ତ୍ରୁଟୀ ନାହିଁ-। ମୁଁ ନିଜେ ବରାବର ଖବର ରଖୁଛି; କିନ୍ତୁ ଭାଗ୍ୟର କଥା, ସେ ଦୁରାରୋଗ୍ୟ ରୋଗରେ ପୀଡ଼ିତ-। ତାଙ୍କୁ କେନ୍‌ସର୍‌ (କର୍କଟ ରୋଗ) ହୋଇଛି । ଆରୋଗ୍ୟ ଲାଭକରିବା–ଅସମ୍ଭବ ନ ହେଲେ ମଧ୍ୟ, ଅତି କଷ୍ଟକର ବ୍ୟାପାର ।’’

 

‘‘ତା ହେଲେ କ’ଣ କରିବା ?’’

 

‘‘କିଛି କରିବାର ନାହିଁ । ଅତି ବେଶିହେଲେ ଆପଣ ବମ୍ୱେ କେନ୍‌ସର୍‌ ଇନିଷ୍ଟିଚ୍ୟୁଟ୍‌କୁ ନେବେ; କିନ୍ତୁ କିଛି ଲାଭହେବ ବୋଲି ମୋର କାହିଁକି ମନେ ହେଉନାହିଁ । ଅଯଥା ଗୁଡ଼ାଏ ଖର୍ଚ୍ଚହେବ’’ ପୁଣି ଟିକିଏ ରହି କହିଲେ ‘‘ଦେଖନ୍ତୁ ଆଜ୍ଞା, କିଛି ଭୁଲ୍‌ ଭାବିବେନାହିଁ, ଆପଣଙ୍କୁ ଖୋଲି କହୁଛି ବର୍ତ୍ତମାନ କେବଳ ତାଙ୍କର ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ, ଆଉ ଆମର କିଛି ନାହିଁ, ବର୍ତ୍ତମାନ ଯାହା ଔଷଧ ଦିଆହେଉଛି, ତାହା କେବଳ ତାଙ୍କର କଷ୍ଟ ଲାଘବ କରିବା ପାଇଁ, ଆଉ କିଛି ନୁହେଁ ।’’

 

ପୁଣି ଟିକିଏ ରହି କହିଲେ ‘‘ତଥାପି ଆପଣ ଯଦି ଭାବୁଥାନ୍ତି ଅନ୍ୟ କେଉଁଠିକି ନେବାପାଇଁ, ତେବେ ମୁଁ ବାଧା ଦେବିନାହିଁ ।’’

 

‘‘ନା ନା ନା, ଆମର ସେମିତି କିଛି ନାହିଁ । ଆପଣଙ୍କଠୁ ଆମେ କ’ଣ ବେଶି ଜାଣୁ ? ହଉ ତେବେ ମୁଁ ଆସେ’’ କହି ଦୀନକୃଷ୍ଣବାବୁ ବାହାରିଲେ । କଟକ ହୋଟେଲକୁ ଫେରିଆସିଲେ । କୃଷ୍ଣା ଓ ରେବତୀ କେତେ ଗପୁଥାନ୍ତି, ଦୀନକୃଷ୍ଣବାବୁଙ୍କ ମନ କିନ୍ତୁ ଠିକ୍‌ ନାହିଁ ।

 

ସନ୍ଧ୍ୟାକୁ ପୁଣି ଡାକ୍ତରଖାନାକୁ ସମସ୍ତେ ଗଲେ । ବେଶ୍‌ ପ୍ରଫୁଲ୍ଲ ମନରେ ରମେଶବାବୁ ପଛଆଡ଼େ ତକିଆ ଦେଇ ବସିଥାନ୍ତି । ଅପେକ୍ଷା କରିଥାନ୍ତି–ଏଇ ସମସ୍ତଙ୍କୁ, ଗଲାପରେ ଅନେକ କଥାବାର୍ତ୍ତା, କେତେ କଥା କହିଲେ ଦୀନକୃଷ୍ଣବାବୁଙ୍କୁ, କେତେ ଥଟ୍ଟା ଚାଲିଲା, ହସ ଖୁସି, ସତେ ଯେମିତି ରମେଶବାବୁ ଭଲ ହୋଇଗଲେଣି ।

 

ସନ୍ଧ୍ୟାରେ ଫେରି ଦୀନକୃଷ୍ଣବାବୁ, ରେବତୀ ଅପା ସହିତ ବିମଳବାବୁଙ୍କ ବସାକୁ ଗଲେ-। ସେ ବିଚାରା ଅତିଶୟ ଆଗ୍ରହ କଲେ–ଘରେ ରହିବାକୁ । ଦୀନକୃଷ୍ଣବାବୁ କହିଲେ ‘ଆଜ୍ଞା, ଆପଣ ବହୁତ କଷ୍ଟ କଲେଣି, ତା’ପରେ ଆମେ ତ ବେଶ୍‌–କଟକ ହୋଟେଲ୍‌ରେ ଅଛୁ, ଅପା ତ ଏଇଠି ରହୁଛି ରହୁ ।’

 

ବିମଳବାବୁ ପଚାରିଲେ, ‘ରମେଶବାବୁ କେମିତି ଅଛନ୍ତି ? ଦୁଇଦିନ ହେଲା ମୁଁ ତାଙ୍କୁ ଦେଖିଯାଇ ପାରି ନାହିଁ, କାଲି ଗଲାବେଳକୁ ଡାକିବେ, ସାଙ୍ଗ ହୋଇଯିବା ।’ ଏମିତି ଅନେକ କଥାବାର୍ତ୍ତା ପରେ ଦୀନକୃଷ୍ଣ ଓ କୃଷ୍ଣାଙ୍କୁ ବିମଳବାବୁ ଖାଇବାକୁ ବାଧ୍ୟକଲେ । ସେଇଠି ଖିଆପିଆ ସାରି, ଦୀନକୃଷ୍ଣବାବୁ ଓ କୃଷ୍ଣା ଫେରିଆସିଲେ ହୋଟେଲ୍‌କୁ ।

 

ଆରଦିନ ସକାଳୁ ଗାଧୁଆ ପାଧୁଆ ସାରି, ଦୀନକୃଷ୍ଣ ଓ କୃଷ୍ଣା କାର୍‌ରେ ବାହାରିଲେ ବିମଳବାବୁଙ୍କ ବସାକୁ, ସେଇଠୁ ରେବତୀ ଅପା ଓ ବିମଳବାବୁଙ୍କୁ ନେଇ ଯିବେ ଡାକ୍ତରଖାନା ।

 

ଡାକ୍ତରଖାନାରେ ପହୁଞ୍ଚି ଦେଖିଲେ, ୪ । ୫ ଜଣ ଡାକ୍ତର ଆଉ ୪ । ୫ ଜଣ ସିଷ୍ଟର୍‌, ରମେଶବାବୁଙ୍କ ଖଟ ପାଖରେ ଛିଡ଼ା ହୋଇଛନ୍ତି । ଅକ୍‌ସିଜେନ୍‌ ନଳୀ ତାଙ୍କ ନାକରେ ଲଗାହୋଇଛି-। ଡ: ଦାସ୍‌ ରମେଶବାବୁଙ୍କ ନାଡ଼ୀଧରି ବସିଛନ୍ତି । ରମେଶବାବୁ ଅଚେତ ଅବସ୍ଥାରେ ଶୋଇରହିଛନ୍ତି । ଇନ୍‌ଜେକ୍‌ସନ୍‌ ଦିଆହେଉଛି, ଅନ୍ୟ କେହି ଷ୍ଟେଥସ୍‌କୋପ୍‌ରେ ଛାତି ପରୀକ୍ଷା କରୁଅଛନ୍ତି; କିନ୍ତୁ ସମସ୍ତ ଚେଷ୍ଟା ବ୍ୟର୍ଥ ପ୍ରମାଣକରି, ରମେଶବାବୁ ପ୍ରାୟ ଅଧଘଣ୍ଟା ଭିତରେ ଇହଲୋକ ତ୍ୟାଗକଲେ ।

 

(ଷୋହଳ)

 

ଦୀନକୃଷ୍ଣବାବୁ ବଗିଚା ମଝି ସିମେଣ୍ଟ ଚଉତରାରେ ବେତଚେୟାର୍‌ ଉପରେ ଆଖିବୁଜି ବସିଛନ୍ତି ।

ଆଜି ରେବତୀ ଅପା, ଗାଁରୁ ଫେରିଛନ୍ତି, ରମେଶବାବୁଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷକରି ଘରକୁ, ଦୀର୍ଘ ୧୫ ଦିନପରେ । ହାଲିଆ ଲାଗୁଛି । ମୁଣ୍ଡରେ ଘନ ଘନ ସ୍ମୃତି, ମୃତ୍ୟୁଦୃଶ୍ୟ ଓ ପରକଥା, ଏ ସବୁ ମୁଣ୍ଡରେ ଭିଡ଼ ଜମେଇଛନ୍ତି ।

ଆଃ, ବିଚାରା ରମେଶବାବୁ ଚାଲିଗଲେ । ରେବତୀଅପାର ଆଉ କେହି ନାହିଁ, ସେ ଏକା । ମୋଛଡ଼ା ଆଉ କିଏ ଅଛି ତାର ? ରମେଶବାବୁଙ୍କ ଭାଇ ବିରାଦରମାନେ, ଜୀବନରେ ରମେଶବାବୁଙ୍କ ଛାଇ ମାଡ଼ି ନ ଥିଲେ, ମୁହଁ ଦେଖିବାକୁ ଘୃଣା କରୁଥିଲେ, ସେହିମାନେ, ବିପଦରେ ଆଗଭର ହୋଇ କ୍ରିୟା କର୍ମ୍ମପାଇଁ ପୁଣି ତତ୍ପର ହୋଇପଡ଼ିଲେ–ସମ୍ପତ୍ତି ପାଇବା ଆଶାରେ । ବୋଧହୁଏ ଜାଣିନାହାନ୍ତି ଯେ, ରମେଶବାବୁ ସମସ୍ତ ସମ୍ପତ୍ତି ବିକ୍ରୀକରି, ରେବତୀ ଅପା ନାଁରେ ବେଙ୍କରେ ଟଙ୍କା ଜମା କରିଦେଇଛନ୍ତି । ଅବଶ୍ୟ ସେ ଟଙ୍କାରେ ମଧ୍ୟ ଲୋଭ ଥାଇପାରେ; କିନ୍ତୁ ରେବତୀ ଅପା କ’ଣ ଏଡ଼ିକି ଓଲୁ ହେବ, ତାଙ୍କୁ ସବୁ ଧରାଇଦେବ ? ହେଲେ ହେଉ, ମୁଁ ବା କ’ଣ କରିପାରିବି । ରମେଶ ଯା’ହେଉ ଶେଷକୁ ବୁଝିଲେ ତାଙ୍କର ଭୁଲ୍‌ । ରେବତୀଅପା ନିଶ୍ଚୟ ବୁଝିଥିବ ଯେ’ ଯା ହେଲେ ‘ଭାଇ’ ଥିଲାବୋଲି ସିନା ଦୌଡ଼ିଆସିଲା । ତା’ ସାହାସ କେତେ ବଢ଼ିଗଲା । ଆଉ ମୋ ଖର୍ଚ୍ଚ ? ହେଉ ହେଲା, କେତେ ଆଡ଼େ କେତେ ଯାଉଛି । ନିଜ ଅପାପାଇଁ ତ କରିଛି ? ହେଉ କିଛି ଯାଏଆସେ ନାହିଁ ।

କୃଷ୍ଣା ସଙ୍ଗରେ ଯିବାଟା ଭଲହେଲା, ନ ହେଲେ ବଡ଼ ଅସୁବିଧା ହୋଇଥାନ୍ତା । ଅପାକୁ ସମ୍ଭାଳନ୍ତି ନା–ବାହାର କଥା ବୁଝନ୍ତି । ସେ ଯାହାହେଉ ବିମଳବାବୁ ବିଚାରା କଟକରେ ବଡ଼ ସାହାଯ୍ୟ କଲେ, ନ ହେଲେ ତ କେଜାଣି କେମିତି ହୋଇଥାନ୍ତା । ଗାଁ ଲୋକେ, ସମସ୍ତେ ସବୁ କଥା ଭୁଲି ଲାଗିପଡ଼ିଥିଲେ । କାମଧାମରେ ବେଶ୍‌ ସାହାଯ୍ୟ କରିଥିଲେ । ରମେଶବାବୁ ଲୋକଙ୍କର କେଡ଼େ ଅପ୍ରିୟ ହୋଇପଡ଼ିଥିଲେ; କିନ୍ତୁ ଗାଁଲୋକେ ସେସବୁ କଥାକୁ ମନରେ ନଧରି, ସବୁ କ୍ରୋଧ ଭୁଲିଯାଇ ଏକାହୋଇ ଲାଗିପଡ଼ିଲେ । ପ୍ରକୃତରେ ବର୍ତ୍ତମାନ ସୁଦ୍ଧା ଗାଁ ଜୀବନରେ ଭାରତୀୟ ସଂସ୍କୃତି ବଞ୍ଚିରହିଛି । ଅବଶ୍ୟ ସହରୀସଭ୍ୟତା ଓ ବ୍ୟବସାୟୀ ସଂସ୍କୃତି, ସମାଜକୁ ଅନେକ ପରିମାଣରେ କଳୁଷିତ କରିସାରିଲାଣି, ତଥାପି ପାରମ୍ପରିକ ରୀତିନୀତି ଓ ପବିତ୍ର ସଂସ୍କୃତିକୁ ମୂଳପୋଛ କରିପାରିନାହିଁ । କେତେ ସହାନୁଭୂତି, କେତେ ସାହାଯ୍ୟ, କେତେ ଆଶ୍ୱାସନା କି ଗଭୀର ଅନୁରାଗ ।

ମୋର ଜୀବନର ମଧ୍ୟ କୋଡ଼ିଏବର୍ଷ ବିତିଗଲାଣି–କର୍ମକ୍ଷେତ୍ରରେ । ବାପାଙ୍କ ଦେହତ୍ୟାଗ ପରେ ଆଜିସୁଦ୍ଧା କେତେ ଦୁଃଖ ନିର୍ଯ୍ୟାତନା, ଧମକ, ପେଷଣ ଓ ଅପମାନର ସମ୍ମୁଖୀନ ନ ହୋଇଛି । ଆପଣାର ଲୋକ ପର ହୋଇଛନ୍ତି; କିନ୍ତୁ ଅଦୃଷ୍ଟରେ ଥାଇ ଭଗବାନ ବରାବର ସହାୟକ ହୋଇ ଆସିଛନ୍ତି । ଅନେକ ଅଜଣା ଅଶୁଣା ଲୋକ ନିଜଲୋକ ହୋଇ, ଅଯାଚିତ ଭାବରେ ସାହାଯ୍ୟ କରି ପ୍ରତ୍ୟେକ ଝଡ଼ଝଞ୍ଜାରୁ ରକ୍ଷା କରିଛନ୍ତି ।

ଦି, ଦି, ଟା ଝିଅର ବାହାଘର କଲି । ପିଲାଏ ବଡ଼ ବଡ଼ ହେଲେଣି, ସେତେବେଳେ କେତେ ଛୋଟଥିଲେ । ଘର ଛାଡ଼ି କୁଆଡ଼େ ଯିବା, ମୋ ପକ୍ଷରେ ସେତେବେଳେ ଗୋଟାଏ ସମସ୍ୟା ଥିଲା । ଆଜି କିନ୍ତୁ ଇଚ୍ଛାକଲେ ଯୁଆଡ଼େ ହେଲେ ଚାଲି ଯାଇପାରୁଛି । ପିଲାମାନେ ସମ୍ଭାଳି ନେଉଛନ୍ତି ।

ପ୍ରଫୁଲ୍ଲବାବୁ ଅନ୍ତରଙ୍ଗ ବନ୍ଧୁ, ପୁଣି କେଡ଼େ ଶତ୍ରୁ ହୋଇପଡ଼ିଲେ । କେତେ ଚକ୍ରାନ୍ତ, କେତେ ଗୁଣ୍ଡା ଲଗାଇଥିଲେ; କିନ୍ତୁ କାହିଁ କେଉଁଠିହେଲେ କ୍ଷତି କରିପାରିଲାନାହିଁ । ରାତ୍ରିପରେ ରାତ୍ରି ଉନ୍ନିଦ୍ର ରହି ମଧ୍ୟ ଯେଉଁ ଜଟିଳ ସମସ୍ୟାର ସମାଧାନ କରିପାରୁନଥିଲି, ଆପେ ଆପେ ସେ ସବୁ ସମାହିତ ହୋଇଯାଉଥିଲା । ଭଗବାନଙ୍କ ଦୟା ଭିନ୍ନ ଏସବୁ ଆଉ କ’ଣ ହୋଇପାରେ ?

ଭଗବାନଙ୍କ ଆଉ କ’ଣ କିଛି କାମ ନଥିଲା ଯେ ମୋ ପ୍ରତି କେବଳ ଦୟା କରିବା କାମରେ ସେ ଲାଗିପଡ଼ିଥିଲେ ? ମୁଁ କାହାରି କେବେ କାୟମନୋବାକ୍ୟରେ ଖରାପ ଚିନ୍ତା କରିନାହିଁ ବୋଲି, ମୋ’ ଉପରେ ସଦୟ ହୋଇ ପଡ଼ିଲେ ? ସନ୍ମାର୍ଗରେ ଚାଲିବାର ଇଏ କଣ ଚରମ ପରିଣତ ? ତେବେ ଏତେ କଷ୍ଟଦେଲେ କାହିଁକି ? କ’ଣ ପ୍ରକୃତରେ ସେ ପରୀକ୍ଷା କରୁଥିଲେ–ମୋର ଧୈର୍ଯ୍ୟ, ସାହସ ଓ ନୈତିକତା ? କିନ୍ତୁ କାହିଁକି, କ’ଣ ଦରକାର ଥିଲା ଏତେ ପରୀକ୍ଷା କରିବାର ? ଯୌବନର ଅତି ସୁନ୍ଦର ଭୋଗବିଳାସର ସମୟକୁ ଏପରି ନଷ୍ଟକରି କି ପରୀକ୍ଷା କଲେ-? ସେ ଯାହାହେଉ ଧୈର୍ଯ୍ୟ, ସାହାସ, ନୈତିକତା, ଏସବୁ ଆସିଲା କେଉଁଠୁ ? ପ୍ରେରଣା ଦେଲା କିଏ ? ଶକ୍ତିଦେଲା କିଏ ? ବଞ୍ଚିବାପାଇଁ ଏତେ ଆକର୍ଷଣ ଆସିଲା କେଉଁଠୁ.... ?

କୃଷ୍ଣା କହିଲେ ‘‘ଆସ ଖାଇବ’’

Image